Ad

header ads

ଅନୁଭୂତି କଥା - ସମାଜିକ ମୂଲ୍ୟବୋଧ ଓ ଆମର କର୍ତ୍ତବ୍ୟ - ମନୋଜ କୁମାର ପଣ୍ଡା

ଛାଇ ଲେଉଟାଣି ବେଳେ । ସୂର୍ଯ୍ୟ ଢଳି ଢଳି ଯାଉଛନ୍ତି । ସେଦିନ ମୁଁ ଏବଂ ମୋର ସାଙ୍ଗ ରତ୍ନାକର ଟୁଡୁ ମା ବଡ଼ ମଙ୍ଗଳାଙ୍କ ମନ୍ଦିର ଦେଖିବା କୁ ଯାଉଥିଲୁ । ବାଟରେ ଐତିହାସିକ ତାଳଦଣ୍ଡା ନାଳ ପଡେ । ହଠାତ ଆମେ ଯାହା ଦେଖିଲୁ ନିଜର ଆଖିକୁ ଵିଶ୍ଵାସ କରିପାରିଲୁ ନାହିଁ। କାରଣ ଏକ ଦୟନୀୟ ଦୃଶ୍ୟ ଉପରେ ଆମ ଦୁଇଜଣଙ୍କ ଆଖି ଲାଖି ଯାଇଥାଏ। ଦୃଶ୍ୟଟି ଥିଲା ଏକ ୧୦/୧୨ବର୍ଷ ର କିଶୋରୀ ବାଳିକା ର କରୁଣ କ୍ରନ୍ଦନ । ସେଦିନ ର ସେହି ବ୍ୟସ୍ତତା କୁ ଖାତିର ନକରି ମୁଁ ଝିଅଟି ପାଖକୁ ଯାଇ ପଚାରିଲି, କିରେ ଏମିତି ଏକୋଟିଆ ରେଳ ଧାରଣା ଉପରେ ବସି କାନ୍ଦୁଛୁ କାହିଁକି ? 

କିଛି ନୀରବତା ପରେ ରୁଦ୍ଧ କଣ୍ଠରେ କାନ୍ଦି କାନ୍ଦି ସେ ଯାହା ଉତ୍ତର ଦେଲା ଆମେ ସ୍ତମ୍ବିଭୂତ ହୁଇଗଲୁ। ସେ ଆମକୁ କହିଲା -ଭାଇ! ମୁଁ ପାଖ ଗାଁରେ ଜଣେ ବଡ ଲୋକଙ୍କ ର ଘରେ ନିତିଦିନିଆ ଚାକରାଣୀ। ସବୁଦିନ ବହୁ ଯତ୍ନର ସହକାରେ କାମ କରି ମଧ୍ୟ ବାବୁଆଣୀ ର ଅଭିଯୋଗ ର ଶିକାର ହୁଏ। କିନ୍ତୁ ସେ ସବୁ ସହିନୀଏ। ଆଜି କିନ୍ତୁ ଆଉ ସହିପାରିଲି ନାହିଁ। କାରଣ ଆଜି ବାସନ ମାଜୁ ମାଜୁ ବାବୁଆଣୀ ମୋତେ ମନଇଚ୍ଛା ଗଲିକରି ଖଡ଼ିକାରେ ଚେଙ୍କ ଦେଇ ଘରୁ ତଡିଦେଲେ ଓ କହିଲେ ତୁ ଆଉ କାମକୁ ଆସିବୁ ନାହିଁ। ତେଣୁ ମୁଁ ଏଠାରେ ଏମିତି ବସି ରେଲଗାଡିକୁ ଅପେକ୍ଷା କରିଛି, ଏହା କହୁଥାଏ ଆଉ ବହୁତ ଜୋରରେ କାନ୍ଦୁଥାଏ। ଟୁଡୁ ପଚାରିଲା ଟ୍ରେନ କୁ କାହିଁକି ଅପେକ୍ଷା କରିଛୁ ଟ୍ରେନ କଣ ଏଠି ରହିବ କି? ସେ ବହୁତ ଜୋରରେ କାନ୍ଦିକରି କହିଲା ଶୁଣିଚି ଟ୍ରେନ ଧାରଣା ରେ ସୋଇଗଲେ ସହଜରେ ମରିହୁଏ ବୋଲି। ମୁଁ ନିଜକୁ ଆଉ ସମ୍ଭାଳି ପାରୁନି ଭାଇ ମୁଁ ମରିବା କୁ ଚାହେଁ। ଏହି ସମୟରେ ଏକ ଯାତ୍ରୀବାହୀ ଟ୍ରେନ ଆସିଲା ସେ ଦୌଡ଼ିଲା ଆମ ଠାରୁ ଟ୍ରେନ ଆଡକୁ ମୁଁ ଆଉ ଟୁଡୁ ବାକ ଶୂନ୍ୟ ହୋଇଗଲୁ । କିଛି ଘଟିବା ପୂର୍ବରୁ ଆମେ ତାକୁ ଧାରଣା ତଳକୁ ନେଇ ଆସିଲୁ । ମୁଁ କହିଲି ଚାଲ ତୋ ଘରକୁ ଯିବା ସବୁ କିଛି ବୁଝିବା ସେଇଠି, ନାଇଁ ଭାଇ ଘରକୁ ଗଲେ ମୋ ନୂଆ ମା ମୋତେ ମାରିବ । ଝିଅଟି ଉତ୍ତର ଦେଲା । ମୁଁ କହିଲି କାହିଁକି ତୋତେ କଣ ଘରେ କେହି ଭଲ ପାଆନ୍ତି ନାହିଁ ? ପୁଣି ଏକ ଦୁଃଖଦ ବୟାନ ଦେଲା। କହିଲା ମୁଁ ଯେତେବେଳେ ଆଠ ବର୍ଷ ର ହୋଇଥିଲି ମା ମରିଗଲା ଆଉ ମା ମରିଯିବା ପରେ ବା ଆଉ ଗୋଟିଏ ମା କୁ ଆଣିଲେ ,ମୁଁ ବହୁତ ଖୁସି ଥିଲି ହେଲେ କିଛି ଦିନ ଯିବା ପରେ ମୋତେ ମାରିଲା ସବୁବେଳେ କାମ କରିବା କୁ କହିଲା କାମ ନ କଲେ ଗାଳି ଦେଲା ମାରିଲା ଏମିତି ବହୁତ କଷ୍ଟ ସେ ଦେଉଛି ମୋତେ। ଆଜି ଯଦି ମୋତେ ନେଇକରି ଯିବ ସେ କହିବ ତୋର ସବୁ ଭୁଲ,ତୁ କାମ ନ କରି ବାହାନା କରୁଚୁ,ଯାଉଛୁ ନା ଏଇନେ ପିଟିକରି ଛକ ପକାଇ ଦେବି।


ନିଷ୍ପାପ ଶିଶୁଟିର କରୁଣ କାହାଣୀ ଶୁଣି ବଡ଼ ଦୁଃଖ ଲାଗିଲା , ପୁଣି କିଛି ଅଘଟଣ ନ ଘଟୁ ବୋଲି ମନରେ ବିଚାର କରି ତାକୁ ସାଥିରେ ନେଇ ଆସିଲୁ ,ରାତିରେ ମେସରେ ଥିବା ସବୁ ପିଲା ଙ୍କୁ ଜଣାଇଲି ଏହି କଥା ସମସ୍ତେ ଏକଥା ଶୁଣି ମନଦୁଃଖ କଲେ ଏବଂ ଏହି କଥା ସମସ୍ତେ ଜାଣିଗଲେ ଧୀରେ ଧୀରେ। ରାତିରେ ସେ ଝିଅ ଆମ ମେସ ରେ ରୋଷେଇ କରୁଥିବା ମାଉସୀ ପାଖରେ ରହିଲା ,। ଏଣେ ରାତିରେ ଝିଅ ଘରକୁ ଫେରି ନଥିବା ରୁ ତା ବାପା ଥାନାରେ କେଶ ଦେଇସାରିଲେଣି , ସକାଳ ହେବାରୁ ପୋଲିସ ଅନୁସନ୍ଧାନ କରି ଆସି ଆମ ମେସ ରେ ହାଜର , ସମସ୍ତେ ସବୁକଥା ପୋଲିସ କୁ କହିଲୁ ତଥାପି ପୋଲିସ ମୋତେ ଆଉ ଟୁଡୁ କୁ ପୋଲିସ ଷ୍ଟେସନ ଯିବାକୁ କହିଲେ ,ମୁଁ ପୁରା ଦାରିଯାଇଥିଲି କାରଣ ଏକଥା ଯଦି ମୋ ବାପା ଜାଣିବେ ତେବେ କଣ ହେବ ପରିସ୍ଥିତି ଭାବୁଥାଏ । ଆମେ ଦୁଇଜଣ ପୋଲିସ ସହିତ ପୋଲିସ ଷ୍ଟେସନ୍ ଗଲୁ। ପର ମୁହୂର୍ତ୍ତରେ ସବୁକିଛି ମିମାଂଶା ହେବା ପରେ ସମସ୍ତେ ଆମକୁ ପ୍ରଶଂସା କଲେ ଏମିତି ଝିଅର ବାପା ମଧ୍ୟ , ସେ ଝିଅ ପୋଲିସ ସହାୟତା ରେ ଏବଂ ଆମ ସମସ୍ତଙ୍କ ସାହାଯ୍ୟ ରେ ଶ୍ରୀଯୁକ୍ତ ଅଚ୍ୟୁତ ସାମନ୍ତଙ୍କ ମୁକ୍ତ ଆବାସିକ ବିଦ୍ୟାଳୟ KISS ରେ ଆଡ଼ମିଶନ ନେଇ ପାଠ ପଢିବା ସହିତ ଏକ ନୂତନ ସ୍ବପ୍ନ ତା ଭବିଷ୍ୟତ ପାଇଁ ଦେଖିଲା।



ଭାବି ଦେଖନ୍ତୁ ତ ଥରେ ଯେଉଁ ବୟସରେ ଝିଅଟିଏ କାଗଜ କଲମ ଧରି ପାଠ ପଢିବା କଥା,ସାଙ୍ଗମାନଙ୍କ ସହିତ ବାଲିଘର ତୋଳି ଖେଳିବା କଥା ସେହି ବୟସରେ ଛୋଟ ପିଲା ମାନେ ସାମାନ୍ୟ କେତୋଟି ଟଙ୍କା ପାଇଁ ଅନ୍ୟଘରେ ଚାକରାଣୀ ସାଜି ଅକଥନୀୟ ଅତ୍ୟାଚାର ସହୁଛନ୍ତି। ଏହି କଣ ଆମର ମୂଲ୍ୟବୋଧ ! ସେଦିନ ଯଦି ଆମେ ଦୁଇଜଣ ତା ପାଖରେ ନ ପହଞ୍ଚି ଥାନ୍ତୁ ତ ଚିନ୍ତା କରନ୍ତୁ ପରିସ୍ଥିତି କଣ ହୋଇଥାନ୍ତା ? ତା ଠାରୁ ତାର ଅଧିକାର ,ଚପଳାମି, ସରଳତା ଆଦି ଛଡାଇ ନିଆଯାଉଛି, କେତେ ଅସହାୟ ଅବସ୍ଥାରେ ବଞ୍ଚିଥିଲା ସେ ? ଏଥିପାଇଁ କଣ ଆମ ସମ୍ବିଧାନ ନିରବ! ଗରିବ ମାନଙ୍କ ପାଇଁ, ନିରାଶ୍ରୟ ମାନଙ୍କ ପାଇଁ କଣ ନିୟମ କାନୁନ କିଛି ନାହିଁ ? କେବଳ ସେଇ ଝିଅଟି ନୁହେଁ ,ଦେଶର ଲକ୍ଷ ଲକ୍ଷ ଦଳିତ ,ଶୋଷିତ, ଅବହେଳିତ ଜନତା ଅଛନ୍ତି ଯେଉଁମାନେ କି ବଞ୍ଚିବାର ସ୍ୱାଦ ଚାଖି ନାହାନ୍ତି। କେତେକ ପରିବାର ଅଛନ୍ତି ଯେଉଁମାନେ କି ଜନ୍ମ ହେବା ପୂର୍ବରୁ SONEGRAPH ଦ୍ୱାରା ଗର୍ଭସ୍ଥ ସନ୍ତାନ ଝିଅ ବୋଲି ଜାଣି ଦୁନିଆର ଆଲୋକ ଦେଖିବା ପୂର୍ବରୁ ତାକୁ ହତ୍ୟା କରୁଛନ୍ତି।



ଖାଲି ସେତିକି ନୁହେଁ, ସମାଜରେ ଆଉ ଗୋଟିଏ କୋଣକୁ ଲକ୍ଷ କଲେ ଆମେ ଦେଖିପାରିବା ଅନେକ ପିତାମାତା ଅଛନ୍ତି ଯେକି ମୁଣ୍ଡଝାଳ ତୁଣ୍ଡରେ ମାରି ଏକ ଓଳି ଖାଇ ଆଉ ଏକ ଓଳା ଉପବାସ ରହନ୍ତି। ନିଜର ପୁଅ ପାଇଁ ତ୍ୟାଗ କରନ୍ତି ନିଜର ସୁଖ ଶାନ୍ତି। ପୁଅକୁ ଏକ ଉଚ୍ଚ ଆସନ ରେ ଦେଖିବା ପାଇଁ ସେମାନେ କେତେ କଷ୍ଟ ନ ସହନ୍ତି ସତେ? କିନ୍ତୁ ପୁଅଟି ବଡ଼ ହୋଇ ବାପା ମା ଙ୍କର ପରିଶ୍ରମ ଓ ତ୍ୟାଗର ମୂଲ୍ୟକୁ ତଉଲ କରେ ନିଜର ଇଂରାଜୀ ଭୁଷି ଓ ଭଦ୍ରାମି ଠାଣି ମାଧ୍ୟମରେ। ତେବେ ମନରେ ସ୍ୱତଃ ପ୍ରଶ୍ନ ଉଠେ ଏହି କଣ ଆମର ସାମାଜିକ ମୂଲ୍ୟବୋଧ? ଏହି କଣ ଆମ ଉନ୍ନତି ର ପରିଚୟ ? ସାମ୍ପ୍ରତିକ ମୃତ୍ୟୁ ସମାଜରେ ମାନବର ଅଧିକାର ଅତି ଦୟନୀୟ ଭାବରେ କ୍ଷୁର୍ଣ୍ଣ ହେବା ରେ ଲାଗିଛି। ଅଧିକାର ହରାଇ ,ଜୀବନର ବୋଝ ବୋହି ବୋହି ଆମେ ସମସ୍ତେ ଅନାନିଶ୍ୱାସୀ ପ୍ରାୟ। ଆମେ ମାନେ ମଧ୍ୟ ସୁଖ ସୁବିଧା ଭୋଗ କରିବା ପାଇଁ ବ୍ୟଗ୍ରତା କରୁଥିଲା ବେଳେ ପରିବାର, ସମାଜ ଓ ଦେଶ ପାଇଁ ଥିବା ଉତ୍ତର ଦାୟିତ୍ୱ ତଥା କର୍ତ୍ତବ୍ୟ ପ୍ରତି ଉଦାସୀନ। ଚାରିଆଡ଼େ ଅସନ୍ତୋଷ ର ବହ୍ନି,କଣ ପାଇଁ ଏସବୁ ଅଶାନ୍ତି ? ଏଥିପାଇଁ ପ୍ରକୃତରେ ଦାୟୀ କିଏ? ଆମ ସମାଜ ନା ପରିବର୍ତ୍ତିତ ସମୟ ନା ନିଜେ ଆମ୍ଭେମାନେ? ଏ ପ୍ରଶ୍ନବାଚୀ ଆଜି ଆମ ସମ୍ମୁଖରେ ଉତ୍ତର ଅପେକ୍ଷା ରେ ଦଣ୍ଡାୟମାନ ।



ଏସବୁ ର ସଠିକ ସମାଧାନ ଖୋଜିଲେ ଅଣନିଶ୍ୱାସୀ ହୋଇପଡିବାଟା ସ୍ୱାଭାବିକ। ତେବେ ମନକୁ ଏତିକି ଆସେ ଯେ ଏଥିପାଇଁ ଆମର କର୍ତ୍ତବ୍ୟ ବୋଧର ଘୋର ଅଭାବ ରହିଛି । ଆମର ଦାୟିତ୍ୱ ହୀନତା,ସ୍ୱାର୍ଥପରତା ଏଥିପାଇଁ ମୁଖ୍ୟତଃ ଦାୟୀ। ଏହାର କାରଣ ଭାବରେ ମୁଁ ଦାୟିକରେ ଉଗ୍ର ଆଧୁନିକତା,ପାଶ୍ଚାତ୍ୟ ସଭ୍ୟତା ର ପ୍ରଭାବ ଇତ୍ୟାଦି କୁ। ମଣିଷର ସର୍ବଶ୍ରେଷ୍ଠ ଗୁଣ ହେଉଛି ମାନବିକ ମୂଲ୍ୟବୋଧ। ମାନବିକ ମୂଲ୍ୟବୋଧ ର ପରିଧି ଯାହାର ଯେତେ ବ୍ୟାପକ ସେ ମନୁଷ୍ୟ ସେତେ ମାର୍ଜିତ ଓ ପ୍ରଶଂସିତ। ସମାଜ,ପରିବେଶ, ପରିସ୍ଥିତି, ଓ ମୁଖ୍ୟତଃ ପରିବାର ଶିକ୍ଷା ଦୀକ୍ଷା ଓ ସଂସ୍କାର ଉପରେ ନିର୍ଭରଶୀଳ ଆମର ଏହି ସାମାଜିକ ମୂଲ୍ୟବୋଧ। ତେଣୁ ପରିବାର ସଂସ୍କାରିତ ଓ ରୁଚିସମ୍ପନ୍ନ ହେଲେ ପ୍ରତ୍ୟେକ ବ୍ୟକ୍ତି ର ଜାତୀୟତା,ମାନସିକତା ଓ ସାମାଜିକ ମୂଲ୍ୟବୋଧ ଉଚ୍ଚ ହୋଇପାରିବ ଏଥିରେ ସନ୍ଦେହ ନାହିଁ ।।




ରଚନା : ମନୋଜ କୁମାର ପଣ୍ଡା

ଠିକଣା : ଅଡା, ବାଲେଶ୍ଵର ଦୂରଭାଷ : 9340045335

Post a Comment

0 Comments