Ad

header ads

ପ୍ରବନ୍ଧ - ସାହିତ୍ୟରେ ଚଞ୍ଚକତା - ଡକ୍ଟର ଲକ୍ଷ୍ମଣ ସାହୁ


ନିକଟରେ ଏ' ଅଧମ ବିଭିନ୍ନ ସାହିତ୍ୟାନୁରାଗି ବନ୍ଧୁମାନଙ୍କୁ ବିଭିନ୍ନ ସମ୍ବର୍ଦ୍ଧନା ଉତ୍ସବରେ ଭେଟିଛି , ସେମାନଙ୍କ ସାହିତ୍ୟ ସମ୍ବନ୍ଧରେ ଶାଣିତ ଭାଷଣ ଶୁଣି ବିସ୍ମୟ ବିମୁଗ୍ଧ ହୋଇଛି । ସମ୍ବର୍ଦ୍ଧନା ଉତ୍ସବରେ ବହୁ ବହୁ ଗୁଣରେ ଗୁଣବାନ ଖ୍ୟାତି (ଅ) ସଂପନ୍ନ ମହାମହିମ ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଉଥିବା ବେଳେ କରତାଳି ଉଛୁଳି ପଡୁଥିବା ଓ ନିଜକୁ ପରମ ସୌଭାଗ୍ୟଶାଳୀ ମନେକରୁଥିବା (ଅ)ମହାମହିମମାନଙ୍କ ବୀରଦର୍ପ ସୁଠାମ ସ୍ମିତହାସ୍ୟ ଅବଲୋକନ କରିଛି । ଇନ୍ଦ୍ର ସଂପଦ ଲାଭ କରିବା ଭଳି ଆତ୍ମସନ୍ତୋଷ ଏ' ମାନପତ୍ର ଖଣ୍ତିକରେ ଯେ ଲୁଚି ରହିଛି ତା' ମୋତେ ଅଜଣା ଅଛି କେମିତି ଜାଣେନା । ମାନପତ୍ର ସମ୍ବର୍ଦ୍ଧନା କୌଣସି ସରକାରୀ ପକ୍ଷରୁ ନୁହେଁ କି ସରକାରୀ ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ ନୁହେଁ । ଯଦିଓ କେତେକ ପଞ୍ଜିକରଣ କରାଯାଇଥିବା ଅନୁଷ୍ଠାନ , ସବୁ ଅନୁଷ୍ଠାନ ନୁହେଁ, କେତେକ ଅନୁଷ୍ଠାନ ଗୋଟିଏ ମୁହୂର୍ତ୍ତରେ ଶତାଧିକ ମହାମହିମ ସାହିତ୍ୟିକ ବୋଲାଉଥିବା (ଅ)ସାହିତ୍ୟିକଙ୍କୁ ସମ୍ବର୍ଦ୍ଧନା କରୁଥିବା ହାସ୍ୟାସ୍ପଦ ମନେହୁଏ । କବି ରାଧାନାଥ ରାୟଙ୍କ ଭାଷାରେ " ଉପାଧି ଜଡ଼ିତ ଉପାଧି ଜଡ଼ିତ , ଉପାଧିରେ ଆଜ କରିବେ ଭୂଷିତ ! "

ସ୍ୱତନ୍ତ୍ର ତଥ୍ୟାନୁସାରେ ସ୍ପଷ୍ଟ ହୁଏ ଆଜିର ଏ ସୋସିଆଲ ମିଡିଆ ମାନେ ଫେସବୁକ , ଓ୍ୱ।ଟସ , ମେସେଜ , କାଭାଁ ଖବର କାଗଜରେ ଲେଖା ଯାହା କିଛି ଗୋଟାଏ ଦୁଇଟି ବାହାରି ଗଲେ ସାହିତ୍ୟିକ/ସାହିତ୍ୟିକା ବନିଯିବାରେ ଅସମ୍ଭବ ନୁହେଁ । ଛାଡ଼ନ୍ତୁ , ରାଧାନାଥ ଦିନେ ସିନା ଉତ୍କଳରେ ବାଗ୍ ଦେବୀ ସରସ୍ବତୀଙ୍କ ବିମୁଖ ( ଦେବୀ ବୀଣାପାଣି କେଉଁ ପାପ ଫଳେ , କରୁଣା ତୋହର ଉଣା ଏ ଉତ୍କଳେ ) ପାଇଁ ଦୁଃଖ ପ୍ରକାଶ କରୁଥିଲେ । ଏବେ କିନ୍ତୁ କେତେ କେତେ କବିପ୍ରାଣ , କବି ସୌରଭ , ପ୍ରଜ୍ଞା ଶିରୋମଣି , କବିଗୌରବ ଆଦି , ଏତତ୍ ବ୍ୟତୀତ ପ୍ରାତଃସ୍ମରଣୀୟ କବି ସୂର୍ଯ୍ୟ , କବି ସମ୍ରାଟ , ବ୍ୟାସକବି , ପ୍ରଣୟ କବି , କବି ଗଡନାୟକ , ସଚ୍ଚିଦାନନ୍ଦ , ବୈଷ୍ଣବ ପାଣି , ଗୋପାଳ ଛୋଟରାୟ , ଶୁଦ୍ର ମୁନି , ଜଗନ୍ନାଥ ଦାସ , ଭକ୍ତ କବି , ମହତାବ ଇତ୍ୟାଦି ଇତ୍ୟାଦି ନାମରେ ସମ୍ବର୍ଦ୍ଧନା ଦିଆଯାଉଛି ଓ ନିଆଯାଉଛି ତାହାର ଇୟତ୍ତା ନାହିଁ । ଦେଉଥିବା ଅନୁଷ୍ଠାନ ଓ ଗ୍ରହଣ କରୁଥିବା (ଅ) ମହାମହିମ ଏହି ପ୍ରାତଃସ୍ମରଣୀୟ ଓଡିଆ ଭାଷା ସାହିତ୍ୟରେ ଅବିସ୍ମରଣୀୟ ସ୍ରଷ୍ଟାମାନଙ୍କୁ ଜାଣନ୍ତି କି ଅଜଣା ? ସେମାନଙ୍କ ସଂପର୍କରେ କେତେ ଦକ୍ଷତା , ପାରିଦର୍ଶିତା , ଗବେଷଣା ରହିଛି ନା ମହାମହିମ ସେହି ପ୍ରାତଃସ୍ମରଣୀୟ ମାନଙ୍କ ସହ ସମତୁଳନୀୟ ?? ତାହା କେବଳ ନେବା ଓ ଦେବା ସୁସାହିତ୍ୟିକ ବୋଲାଉଥିବା ଏହି ଜ୍ଞାନୀଗୁଣି ମାନଙ୍କୁ ଆମର ବିନମ୍ର ପ୍ରଣାମ , ସତରେ ସେମାନଙ୍କ ସାହିତ୍ୟ ( କାଳଜୟୀ/ କାଳଶ୍ରୟୀ) କୃତି ସମୂହକୁ ଆକଳନ , ତର୍ଜମା , ଅନୁଶୀଳନ କରି ସମ୍ମାନିତ କରାଯାଉଛି ନା ନେପଥ୍ୟ କିଛି କିଛି ଅସଲ ଉଦ୍ଦେଶ୍ୟ ଲୁଚି ରହୁଛି ??? ଓଡିଆ ସାହିତ୍ୟ ଭଣ୍ଡାରକୁ ରୁଦ୍ଧିମନ୍ତ କରିଥିବା ସେହି ଅବିସ୍ମରଣୀୟ ଅମ୍ଳାନ ପ୍ରତିଭାଧର ମାନଙ୍କ ନାମାନୁସାରେ ସମ୍ବର୍ଦ୍ଧନା ଦେଇ ପୂର୍ବସୂରୀ ମାନଙ୍କୁ ଅସମ୍ମାନ କରାନଯାଉ । ନିଜସ୍ୱ ଅନୁଷ୍ଠାନ ନାମରେ କାହାକୁ ସମ୍ବର୍ଦ୍ଧନା ଦିଆଗଲେ କାହାର ଆପତ୍ତି ଅଭିଯୋଗ ଆସିବ ନାହିଁ । ସରକାର କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟିଦେବାର ଆବଶ୍ୟକ ରହିଛି । କିଛି ସାରସ୍ବତ ସଂଗଠନ 'ର ପୁରୋଧାମାନେ ବୋଧହୁଏ ନିଜକୁ ପ୍ରଚଣ୍ଡ ଜ୍ଞାନର ବାରଧି ମନେକରୁଛନ୍ତି । ତେଣୁ ସେମାନେ ଅପାତ୍ରରେ ପ୍ରଦାନ କରୁଛନ୍ତି କବିରତ୍ନ, କବି ସମ୍ରାଟ , କବି ସୂର୍ଯ୍ୟ , ବ୍ୟାସକବି ଓ ପଣ୍ଡିତ ଆଦି ଉପାଧି...!!


ବିଭିନ୍ନ ସାରସ୍ୱତ ଉତ୍ସବରେ ସଭାମଣ୍ତନ କରୁଥିବା ଏହି ମହାମହିମ (ଅ)ସାହିତ୍ୟକମାନେ ସାହିତ୍ୟ ସଂପର୍କରେ ଯେଭଳି ଗୁଜବ ସୃଷ୍ଟି କରନ୍ତି, ନାନା ବିବାଦ ମାନ ମନ୍ତବ୍ୟ ଦେଇ ଆତ୍ମତୃପ୍ତି ଲାଭକରନ୍ତି , ମନେହୁଏ ଶତାଧିକ ବର୍ଷର ଇତିହାସ ସେମାନଙ୍କ ଗବେଷଣାଗାରରେ ଗଚ୍ଛିତ ରହିଛି । ସାହିତ୍ୟର ସଂଜ୍ଞା ନିର୍ଣ୍ଣୟ ଅତି ବ୍ୟାପକ ଓ କଷ୍ଟକର । ସେଣ୍ଟ୍ ଅଗଷ୍ଟାଇନ୍ ଏକଦା କହିଥିଲେ " ମୋତେ ଯଦି ନପଚାର , ତାହେଲେ ମୁଁ ଜାଣିଛି ବୋଲି କହିବି , କିନ୍ତୁ ଯଦି ମୋତେ ପଚାରିବ, ତାହେଲେ ମୁଁ କହିବି ଜାଣିନି ।'' ସାହିତ୍ୟକୁ ଅଳ୍ପରେ ବିଶ୍ଳେଷଣ କରିବା ସହଜ ସାପେକ୍ଷ ନୁହେଁ । କେବଳ ଯାହା ବ୍ୟବହାର ବିଧିରେ ଥାଏ ସାହିତ୍ୟ ବା ଲିଟେରେଚର୍ ଏହା ମଧ୍ୟ କହିବା ଠିକ୍ ନୁହେଁ । କାରଣ ସଂବାଦ, ଇତିହାସ , ଭୂଗୋଳ , ସରକାରୀ କାଗଜପତ୍ର , ବିଜ୍ଞାପନ, ସବୁ କବିତା , ଗଳ୍ପ , ନାଟକ , ଉପନ୍ୟାସ ସାହିତ୍ୟ ପଦବାଚ୍ୟ ଭାବିବା ଭୁଲ୍ । ସାହିତ୍ୟର ଆଙ୍ଗିକ, ଆବଶ୍ୟକୀୟ ଉପାଦାନ ଆଦିର ବିଶ୍ଳେଷଣ ରହିଛି । ପ୍ରକୃତ ସାହିତ୍ୟ ଯାହା କେବଳ ଆବେଗ , ଭାବନା ଓ କଳ୍ପନା ପ୍ରସୂତ ଜଗତ ଓ ଜୀବନ ସମ୍ବନ୍ଧୀୟ ସ୍ଥାୟିତ୍ୱ ଗୁଣ ସମ୍ପନ୍ନ ଏକ କଳାତ୍ମକ ସୃଷ୍ଟି , ଯାହାର ସ୍ଥାୟିତ୍ୱ ଗୁଣ ରହିଛି । ଜଗତ ଓ ଜୀବନ ସମ୍ପର୍କରେ ସ୍ରଷ୍ଟାର ଭାବ-ଭାବନା ଓ ଆବେଗ-ଅନୁଭୂତି ସାହିତ୍ୟରେ ପ୍ରକାଶପାଏ । ସ୍ରଷ୍ଟାର ଭାବନାଭୂତି ପାଠକ ନିଜ ଅନ୍ତରରେ ଅନୁଭବ କରେ । ସ୍ରଷ୍ଟାର ଭାବ-ଭାବନା, ଚିନ୍ତା- କଳ୍ପନା , ଜଗତ ଓ ଜୀବନ ସମ୍ପର୍କିତ ହୋଇଥିବାରୁ ସାହିତ୍ୟ ଗଭୀର ଓ ଦୀର୍ଘସ୍ଥାୟୀ ମାନବଧର୍ମୀ ପାଲଟେ । ତାହା ପାଠକର ନିକଟତର , ଅନ୍ତରଙ୍ଗ ଓ ଆଦରଣୀୟ ହୁଏ । ତେଣୁ ସାହିତ୍ୟ ସଂପର୍କରେ ହଡସନ୍ କୁହନ୍ତି - " ସାହିତ୍ୟ ହେଉଛି ଜୀବନାଭୂତିର ବାଙ୍ମୟ ପରିପ୍ରକାଶ । ମାଥ୍ୟୁଆର୍ ନୋଲଡ୍ ଙ୍କ ଦୃଷ୍ଟିରେ " ସାହିତ୍ୟ ହେଉଛି ଜୀବନର ପର୍ଯ୍ୟାଲୋଚନା ।" କରିରିଜ୍ ଙ୍କ ଭାଷାରେ- " ଜୀବନ ଓ ଜଗତ ସଂପର୍କରେ କେତେକ ଚିରସ୍ଥାୟୀ ଚିନ୍ତା , ଭାବ ଓ ଅନୁଭୂତିର ପରିପ୍ରକାଶ ହେଉଛି ସାହିତ୍ୟ ।"



ସାହିତ୍ୟ ଶବ୍ଦଟି ' ସହିତ ' ଶବ୍ଦରୁ ଉତ୍ପନ୍ନ । ' ହିତେନ ସହ ମହିତଂ ତସ୍ୟଭାବଃ ସାହିତ୍ୟମ୍ ' । ଅର୍ଥ ସାହିତ୍ୟ ମାନବ ସମାଜର ହିତ ସାଧନ କରିଥାଏ । ତେଣୁ କୁହାଯାଇଛି- " ରାମାଦିବତ୍ ପ୍ରବର୍ତ୍ତିତବ୍ୟମ୍ ନ ରିବଣାଦିବତ୍ ।" ସାହିତ୍ୟ ରାମଙ୍କ ଭଳି ଜଗତର ମଙ୍ଗଳ ସାଧନ କରିବା ଉଚିତ , କିନ୍ତୁ ରାବଣ ପରି ଜଗତର ଅମଙ୍ଗଳ କରିବା ସାହିତ୍ୟର ଧର୍ମ ନୁହେଁ । ସାହିତ୍ୟର ଏହା ନୈତିକ ଗୁଣ । ସୂଚେଇ ଦେବାକୁ ବାଧ୍ୟ ହେଉଛି ଏହି ନୈତିକ ଗୁଣ ସାହିତ୍ୟିକ ବନ୍ଧୁମାନେ ଭୁଲି ଯାଉଛନ୍ତି ବା କିପରି ? ଅର୍ଥ ଦେଇ ବା ନେଇ ସାହିତ୍ୟ ସାଧନା କରାଯାଏ ନାହିଁ , କି କେହି ଲବ୍ଧ ସାହିତ୍ୟିକ ହୋଇ ପାରେ ନାହିଁ । ଦେଖାଦେଇଛି ଅର୍ଥ ଦେଇ ବିଭିନ୍ନ ପତ୍ର-ପତ୍ରିକାରେ ନିଜ ସୃଷ୍ଟିକୁ ଛାପିବା ଅପେକ୍ଷା ଧୀରେ ଧୀରେ ସଂଚୟ କରି ନିଜର ବହିଟିଏ ଛାପିଲେ ତାର ଅମୃତ ସ୍ୱାଦ ବାରି ହେବ । କେତେକ ଅର୍ଥ ଶୋଷଣକାରୀ ପିପାସୁ ଲେଖାଟିଏ ଛାପିବାର ଓ ସମ୍ବର୍ଦ୍ଧନା ଦେବାର ମୋହ ଦେଖାଇ ପଦ ପଦବୀ ନାମରେ ଅର୍ଥ ସଂଗ୍ରହ କରି ସେଇ ଅର୍ଥରେ କିଛି ସଂପାଦକ ବାହାବା ନେଉଛନ୍ତି, ସେଭଳି ସଂପାଦକ ମାନଙ୍କ ଠାରୁ ଦୂରେଇ ରହନ୍ତୁ । ନୋହିଲେ ସବୁଦିନେ ଭକୁଆ ହୋଇ ରହିଥିବେ ? ଏଥିରେ ସାହିତ୍ୟର କି ଜାତିର ଉନ୍ନତି ଘଟିବ ନାହିଁ , ବରଂ ସାହିତ୍ୟକୁ ପରୋକ୍ଷରେ ହତ୍ୟା କରିଯାଉଛି । ସାହିତ୍ୟ ନବୁଝି ସାହିତ୍ୟକୁ କଦର୍ଥ କରୁଥିବା ଏହି ମୁଷ୍ଟିମେୟ ରାବଣ ସଂପ୍ରଦାୟଙ୍କୁ ଚିହ୍ନଟ କରିବାର ଆବଶ୍ୟକ ରହିଛି । ମନଇଚ୍ଛା ମଞ୍ଚରେ ସାହିତ୍ୟ ସଂପର୍କରେ ଏଣୁ ତେଣୁ ଗୁଡାଏ କହିଦେଲେ , ବିଭିନ୍ନ ଟିପ୍ପଣୀ ଦେଲେ ସାହିତ୍ୟ ହୁଏନି, ସେଥିପାଇଁ ଗଭୀର ଅଧ୍ୟୟନ , ଅଧ୍ୟାବସାୟ , ସାଧନା ରହିଛି । 



' ସହିତ ' ଶବ୍ଦର ଭିନ୍ନ ଏକ ଅର୍ଥ ହେଉଛି ' ମିଳନ ' । ଅର୍ଥାତ ଶବ୍ଦ ଓ ଅର୍ଥର ଉପଯୁକ୍ତ ମିଳନକୁ ସାହିତ୍ୟ କୁହାଯାଏ । " ବାଗାର୍ଥବିବ ସଂପୃକ୍ତୌ ବାଗାର୍ଥପ୍ରତି ପତ୍ତୟେ , ଜଗତପିତରୌ ବନ୍ଦେ ପାର୍ବତୀ ପରମେଶ୍ବରୌ -" କାଳିଦାସ 'ରଘୁବଂଶ 'ରେ ଶବ୍ଦ ଓ ଅର୍ଥର ଏହି ମିଳନକୁ ଶିବ ପାର୍ବତୀଙ୍କ ସହ ଯୋଡିଛନ୍ତି । କୁନ୍ତକ " ସମସର୍ବ ଗୁଣୌ ସନ୍ତୌ ସୁ ହୃଦାବିବ ସଂଗତୌ , ପରସ୍ପରସ୍ୟ ଶୋଭାୟୈ ଶଦ୍ଦାର୍ଥୌ ଭବତୋ ଯଥା -" , ଅର୍ଥାତ ଶବ୍ଦ ଓ ଅର୍ଥର ପରସ୍ପର ସହଭାବକୁ ସେ ଦୁଇ ମିତ୍ରଙ୍କର ଘନିଷ୍ଠ ବନ୍ଧୁତ୍ୱକୁ ତୁଳନା କରିଛନ୍ତି । ପ୍ରକୃତରେ ଶବ୍ଦ ଓ ଅର୍ଥର ମିଳନ କେବଳ ନୁହେଁ ବରଂ ଶବ୍ଦ , ଅର୍ଥ , ଭାବ ଓ କଳ୍ପନା ନେଇ ସାହିତ୍ୟ ସର୍ଜନା , ସେସବୁର ସଠିକ୍ ସହାବସ୍ଥାନ ମିଳନରେ ସାହିତ୍ୟର ସୌନ୍ଦର୍ଯ୍ୟ ଗଢିଉଠେ । ରବୀନ୍ଦ୍ର ନାଥ ଠାଗୋରଙ୍କ ମତରେ " ସହିତ ଶବ୍ଦରୁ ସାହିତ୍ୟର ଉତ୍ପତ୍ତି ।" ତାହା କେବଳ ଭାବରେ ଭାବର , ଗ୍ରନ୍ଥରେ ଗ୍ରନ୍ଥର ମିଳନ ନୁହେଁ , ମନୁଷ୍ୟ ସହିତ ମନୁଷ୍ୟର , ଅତୀତ ସହ ବର୍ତ୍ତମାନର , ବର୍ତ୍ତମାନ ସହିତ ଭବିଷ୍ୟର ଅନ୍ତରଙ୍ଗ ଯୋଗ ସାଧନହିଁ ସାହିତ୍ୟ । ଘଟଣା , କଳ୍ପନା , ଅନୁଭବ , ଭାଷା , ଶୈଳୀ , ଶିଳ୍ପୀତ୍ୱ ଓ ବ୍ୟକ୍ତିତ୍ୱ ଏସବୁର ଅମୃତ ମିଳନରେ ସୃଷ୍ଟି ହୁଏ କାଳଜୟୀ ସାହିତ୍ୟ । ସତ୍ ସାହିତ୍ୟରେ ସ୍ରଷ୍ଟାକୁ ନଦେଖି ବାରି ହୋଇଯାଏ , ଆପେଆପେ ସଂପର୍କ ଯୋଡି ହୋଇ ଯାଏ , ଦେଶକୁ ନ ଦେଖି ସ୍ୱତଃ ଦର୍ଶନ କରି ହୋଇଯାଏ , ଅତୀତ , ଭବିଷ୍ୟ ନଦେଖି ଅନୁଭବ କରି ହୋଇଯାଏ , ତାହା ହେଉଛି ଅସଲ ସାହିତ୍ୟ ।



ସାହିତ୍ୟ ସୃଷ୍ଟି ପ୍ରେରଣା ହୋଇପାରେ । ମନୁଷ୍ୟର ଏହା ଏକ ସହଜାତ ପ୍ରବୃତ୍ତି ମଧ୍ୟ । ଆରିଷ୍ଟୋଟଲଙ୍କ ଦୃଷ୍ଟିରେ - " ସାହିତ୍ୟ ହେଉଛି କର୍ମମୟ ଜୀବନର ମିମେସିସ୍ ବା ଅନୁକରଣ । " ମନୁଷ୍ୟ ସୃଷ୍ଟିର ଶ୍ରେଷ୍ଠ ଜୀବ , କିନ୍ତୁ ସେ ପ୍ରତ୍ୟେକ ଜୀବ ଭଳି ଅନୁକରଣ ପ୍ରିୟ । ଅନୁକରଣ ପ୍ରବୃତ୍ତି ଫଳରେ ତା' ରୁଚିରେ ଭିନ୍ନତା ପରିଲକ୍ଷିତ ହୁଏ । ହଡ୍ ସନ୍ ସାହିତ୍ୟର ପ୍ରେରଣା ସଂପର୍କରେ ଚାରୋଟି କାରଣ ଦର୍ଶାଇଛନ୍ତି , ଯଥା ଆତ୍ମପ୍ରକାଶର କାରଣ , ବ୍ୟକ୍ତି ଓ ସମାଜର କ୍ରିୟା କଳାପ ପ୍ରତି ଆଗ୍ରହ ଓ ତାର ପରି ପ୍ରକାଶ , ବାସ୍ତବ ଜଗତ ଓ କଳ୍ପନା ଜଗତ ପ୍ରତି ଅହେତୁକ ମୋହର ରୂପପ୍ରିୟତା । ନିଜ କଥା ଅନ୍ୟକୁ ଶୁଣାଉଥିବା ଭାବ କଳ୍ପନା , ଅନୁଭୂତି ସ୍ରଷ୍ଟାର ସୃଷ୍ଟିରେ ତା ଅଜଣାରେ ଆତ୍ମା ପ୍ରକାଶ କରୁଥିବା ବେଳେ, ପୁଣି କେବେ କେବେ ସମାଜକୁ ଗଢିଥିବା , ବୁଦ୍ଧ , ଯୀଶୁ , ମାର୍କସ , ଗାନ୍ଧୀ , ମଦରଟେରେସା , ସେକ୍ସପିୟର , ଶେଲି, ବାଇରନ୍ , କୀଟସ୍ , ବଙ୍କିମ , ବିବେକାନନ୍ଦ , ଅରବିନ୍ଦ , ଠାଗୋର , ଶୁଦ୍ରମୁନି , ଭାଗବତକାର , ଭଂଜ , ରାଧାନାଥ , ଗଙ୍ଗାଧର , ଫକୀରମୋହନ , ଗୋପବନ୍ଧୁ ପ୍ରମୁଖ ସ୍ରଷ୍ଟାର ଦୃଷ୍ଟି ପଟ୍ଟରେ ମିଳିତ ହୁଅନ୍ତି । 



ସମାଜ ଓ ବ୍ୟକ୍ତି ଜୀବନକୁ ସାହିତ୍ୟରେ ଉପସ୍ଥାପନ କରିବା ଦରଦୀ ସ୍ରଷ୍ଟାର ମହନୀୟତା । ସମାଜର ବ୍ୟଥା-ବେଦନା , ଆନନ୍ଦ-ଉଲ୍ଲାସ , ସୁଖ-ଦୁଃଖ , ରୂପ, ସୌନ୍ଦର୍ଯ୍ୟ , ସମ୍ଭୋଗ, ପ୍ରାଚୁର୍ଯ୍ୟ ଆଦି ସ୍ରଷ୍ଟାର ପ୍ରାଣ-ସ୍ପନ୍ଦନରେ ଆଲୋଡନ ସୃଷ୍ଟି କରେ । କଳ୍ପନା ଜଗତରୁ ବାସ୍ତବ ଜଗତର ଦୃଶ୍ୟ ସ୍ରଷ୍ଟାର ତୃତୀୟ ନୟନେ ଦୃଶ୍ୟମାନ ଲଭେ । ଅତୃପ୍ତ ବାସନା ନେଇ ଜୈବିକ, ମାନସିକ , ଆଧ୍ୟାତ୍ମିକ ଓ ଆନ୍ତରିକ ପରିତୃପ୍ତି କାମ୍ୟ ହୁଏ । ଈଶ୍ୱରାନୁଗତ ହୋଇ ପଡେ । ବେଦ , ଉପନିଷଦ , ଶ୍ରୁତି , ପୁରାଣ , ଗୀତା , ବାଇବେଲ୍ , କୋରାନ୍ ଆଦିରୁ ସେହି ଅନାଦି, ଅନନ୍ତ , ଅରୂପ ପରଂବ୍ରହ୍ମଙ୍କୁ ଖୋଜେ, ବନ୍ଦନା କରେ । ତାରି ଭିତରେ ସେ ରାମ, କୃଷ୍ଣ , ଜଗନ୍ନାଥ , ଯୀଶୁ , ଆଲ୍ଲାଙ୍କୁ ଦେଖେ । ସତ୍ୟ ଶିବ ସୁନ୍ଦର ପାଲଟେ ତାର ସୃଷ୍ଟିର ସାହିତ୍ୟ । ବିନ୍ଦୁ ମଧ୍ୟରେ ସିନ୍ଧୁ ଦର୍ଶନ ଘଟେ । ଆଦି ଭିତରେ ଅନାଦି , ରୂପ ମଧ୍ୟରେ ଅରୂପ , ସୀମା ଭିତରେ ଅସୀମ , ସାକର ମଧ୍ୟରେ ନିରାକାରକୁ ଅନୁଭବ କରିହୁଏ , ତାହାହିଁ ସାହିତ୍ୟ ପଦବାଚ୍ୟ । ମଣିଷ ଜୀବନର ବୈଚିତ୍ର୍ୟର ସୀମା ହୀନତା ଓ ସଂସାରର ଅପରିସୀମ ଲୀଳା-ଖେଳାକୁ ସ୍ରଷ୍ଟା ତା'ର କାବ୍ୟ , କବିତା , ଗଳ୍ପ , ଉପନ୍ୟାସ , ନାଟକ ଆଦି ସାହିତ୍ୟର ସୁଠାମ ରୂପ ଭିତରେ କ୍ଷଣକାଳ ସତ୍ୟକୁ ଚିରନ୍ତନ ସତ୍ୟରେ ରୂପାୟନ କରେ ।



ସାହିତ୍ୟକୁ ନେଇ ଚଞ୍ଚକତା କରାଯାଏ ନାହିଁ । ଏବେ ଯେଭଳି ସାହିତ୍ୟ ନାମରେ ଭଣ୍ତାମୀ ଚାଲିଛି , ଅପାତ୍ରରେ ସମ୍ବର୍ଦ୍ଧନା ଦିଆଯାଉଛି , ଦିନ ଆସିବ ପ୍ରତିବେଶୀ ସାହିତ୍ୟିକ ମାନଙ୍କ ନିକଟରେ ଉପହାସିତ ହେବାକୁ ପଡିବ । ଏହା ଦ୍ବାରା ନିଜ ଭାଷା ଓ ସାହିତ୍ୟର ମର୍ଯ୍ୟାଦା ନଷ୍ଟ ହେଉଛି , ଥରେ ଚିନ୍ତା କରାଯାଉ । ପ୍ରତିବେଶୀ ସାହିତ୍ୟିକଗଣ ବା ଆମ ଆଗାମୀ ପିଢ଼ି ଯେତେବେଳେ ଶୁଦ୍ରମୁନି , କବି ସମ୍ରାଟ, କବିସୂର୍ଯ୍ୟ , କବିବର , ବ୍ୟାସକବି ଆଦିଙ୍କୁ ଖୋଜିବେ ସେଠି ବୋଧେ ସାରଳା , ଉପେନ୍ଦ୍ର, ବଳଦେବ , ରାଧାନାଥ , ଫକୀରମୋହନ ଆଉ ନଥିବେ , ଥିବେ ତାଙ୍କ ନାମରେ ପରିଧାନ କରିଥିବା ଏହି ନୀଳବର୍ଣ୍ଣ ଶୃଗାଳଗଣ , ଯେଉଁ ମାନଙ୍କର କିଛି କୃତି ଓ କୃତିତ୍ବ ନାହିଁ । ସାହିତ୍ୟ କାଳଜୟୀ , କାଳାଶ୍ରୟୀ ନୁହେଁ । ହେ ସାହିତ୍ୟିକ ସ୍ରଷ୍ଟାମାନେ , ସାହିତ୍ୟ ହେଉଛି ଏକ ମନ୍ମୟ ଆଲେଖ୍ୟ, ବିବର୍ତ୍ତିତ ଜନ ଚେତନାର ଦଲିଲ୍ , ଶୈଳ୍ପିକ ଭାବ ବ୍ୟଞ୍ଜନାର ଆଦ୍ୟ ଝଙ୍କାର , କିଛି ସ୍ମୃତି , କିଛି ପ୍ରତିଶ୍ରୁତି, କିଛି ମୀମାଂସାର ଇସ୍ତାହାର । ଜୀବନ ସାଗର ମନ୍ଥନର ଅମୃତସାର । ତେଣୁ ସବୁ କାଳର ସତ ସାହିତ୍ୟର ଲକ୍ଷ୍ୟ ହେଉଛି ସତ୍ୟ ପ୍ରକାଶ । ସତ୍ୟ ପ୍ରକାଶର ସଂକଳ୍ପ ପ୍ରତ୍ୟେକ ସ୍ରଷ୍ଟାର/ସାହିତ୍ୟିକର ପ୍ରେରଣା ହେଉ ..ଏତିକି ଆମର କାମ୍ୟ ..!!!



ରଚନା : ଡକ୍ଟର ଲକ୍ଷ୍ମଣ ସାହୁ, ଓଡିଆ ଭାଷା ଓ ସାହିତ୍ୟ ବିଭାଗୀୟ ମୁଖ୍ୟ

ଠିକଣା : ମହାନଦୀବିହାର ମହିଳା ସ୍ନାତକ ମହାବିଦ୍ୟାଳୟ , କଟକ, ଦୂରଭାଷ : ୯୦୪୦ ୧୫୧୪୭୫

Post a Comment

0 Comments