Ad

header ads

କବିତା - ପ୍ରେମର ପରିଭାଷା - ନାରାୟଣ ଚନ୍ଦ୍ର ସେନାପତି

ଆଶାର ତାଜମହଲରେ ରଖିଥିଲି ତୁମକୁ ମମତାଜ କରି
ହେଲେ କିଏ ଜାଣିଥିଲା.....
ତୁମ ହୃଦୟର ପ୍ରୀତିରସ ସବୁ କଂକ୍ରିଟ ହୋଇଯିବ
ମନର ସଜ ଗୋଲାପ ଗୁଡାକ ନିର୍ଜୀବ ପ୍ଲାଷ୍ଟିକ ପାଲଟିଯିବ
ଆଶ୍ଚର୍ଯ୍ୟ ଲାଗେ ତୁମକୁ ବିଶ୍ଳେଷଣ କରି
ପ୍ରତିକ୍ଷଣର ତୁମ ଚଳଚଞ୍ଚଳ ମନଟା
କେମିତି ଆଜି ଚିତ୍ର ପାଲଟିଗଲା
ତୁମ ଓଠର ଗୁଲୁରୁ ଗୁଲୁରୁ ହସ 
ଯାହା ପ୍ରତି କ୍ଷଣରେ ମୋ ହୃତସ୍ପନ୍ଦନକୁ ଉଦ୍ଦୀପନା ଭରୁଥିଲା
ପ୍ରଶ୍ନବାଚକ ଚିହ୍ନର ମାନଚିତ୍ର ଆଙ୍କି
ଆଜି କେମିତି ଶୁଦ୍ଧପୂତ ସନ୍ୟାସୀର ତପସ୍ୟା ପାଲଟିଗଲା।

ତୁମକୁ କରିଥିଲି ପ୍ରେମ ମନ୍ଦିରର ଆରାଧ୍ୟା ଦେବୀ
ବସାଇଥିଲି ପ୍ରୀତିର ଆସ୍ଥାନ ଉପରେ
ବନ୍ଦାଉଥିଲି ଶୁଭ ମନାସି ଧରି ମମତାର ଅଖଣ୍ଡ ଦୀପ
ଚଢ଼ାଉଥିଲି ଅସୁମାରୀ ବିଶ୍ୱାସର କେତେ ଯେ ବାସ ପାରିଜାତ
ତୁମେ କିନ୍ତୁ..ବୁଝି ପାରିଲନି ମୋ ହୃଦୟର ଭାଷା
ଅସ୍ତ୍ରରେ ନ ଭୂଷି ଚିମୁଟି ଚିମୁଟି ମାରି ଖୁସି ହେଉଛ ନା
ଆଖିର ଚାହାଣୀକୁ ବନ୍ଦୀ କରି
ଓଠର ମୌନ ବ୍ରତରେ ପ୍ରତିକ୍ଷଣ ଜାଳି ଜାଳି ମାରୁଛ ଦଗ୍ଧ କରି
ସତରେ ତୁମେ ଏମିତି ବଦଳିଗଲ ???

ତୁମ କଣ୍ଠର ମଧୁର ସ୍ୱରରେ ମୁଁ କରୁଥିଲି ସଜ ସଂକୀର୍ତ୍ତନ
ତୁମ ଆମାୟିକ ବ୍ୟବହାରରେ ପ୍ରୀତହୋଇ
ଦେଖୁଥିଲି ସଂସ୍କାରର ସୁନେଲି ସ୍ବପ୍ନ
ହେଲେ ତୁମେ ତ ମୋ ସ୍ପନ୍ଦନକୁ ମନ୍ଦିତ କରିଦେଲ
ମୋ ପ୍ରାଣରେ ବାଣ ମାରି କ୍ଷତାକ୍ତ କରିଦେଲ
କଣ ଅଛି ତୁମ ଅଭିଳାଷ
କାହିଁକି ମୋ ହୃଦୟର ଆଉଁସାକୁ ଥାପୁଡା ମାରୁଛ
ମୋ ଆତ୍ମାର ଚଂଚଳତାକୁ ଶିଥିଳ କରିଛ
ତୁମେ ଚାହୁଁଛ ନା 
ମୁଁ ତୁମ ପାଖରୁ ଚାଲିଯାଏ ଅନେକ ଦୂରକୁ
ମୁଁ ମଲାପରେ....
ଏକୁଟିଆ ସାମ୍ରାଜ୍ଞୀ ହୋଇ ଅଟ୍ଟହାସ୍ୟ କରି ନାଚିବ
 ମୋ ମର ଶରୀର ଉପରେ।

ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର

Post a Comment

0 Comments