Ad

header ads

କବିତା - ପ୍ରତୀକ୍ଷା - ମନୋଜ କୁମାର ପଣ୍ଡା

ପ୍ରାଣପ୍ରିୟା ଅନ୍ତର ମୋ ତୁମ ପାଇଁ
ସଦା ରହିଅଛି ଖୋଲା
ଆନ ପାଇଁ ମୋର ସଦା ହୃଦଦ୍ୱାରେ
ପଡିଛି ଲୁହାର ତାଲା ।।

ବିଧୂରିତ ପ୍ରାଣ ରହିଛି ରହିବ
କେବଳ ତୁମକୁ ଚାହିଁ
ଅସହ ବିରହ ପରେ ମିଳନର
ଟୋପିଏ ବରଷା ପାଇଁ ।।

ରିକ୍ତ ଏହି ମୋର ଜୀଵନର ପାତ୍ର
ଏବେବି ରହିଛି ସହୀ
ଢାଳିଦେଵ ଆସି ପ୍ରିତୀ ସୁଧାମୃତ
ଆକଣ୍ଠ ପିଇବି ମୁହିଁ ।।

ବ୍ୟର୍ଥ ପ୍ରେମିକ ବୋଲି ଏହି ଦୁନିଆ
କହୁଛି କହିବ କହୁ
ତୁମରି ଅଭୁଲା ସ୍ମୃତି ମନେ ଭରି
ଏ ଜୀବନ ବିତି ଯାଉ।।

ଅବସାଦ ଯେତେ ଫିଙ୍ଗି ଦେଇ ଦୁରେ
ଉଭା ହୁଅ ଉଭା ହୁଅ
ଆସଗୋ ପ୍ରେୟସୀ କରନି ଉଛର
ହୃଦେ ଜାଗେ ମୋର କୋହ।।

ମରିଲେ ମରିବା (ଆମେ) ଜୀଇଁଲେ ଜୀଇଁବା
ଏକା ନୁହେଁ ସାଥି ହୋଇ
କମ୍ପିତ ବୁକୁ ଆଉ ପାଣ୍ଡୁ ବଦନେ
(ଦୃଢ଼) କଣ୍ଠେ କହିଥିଲ ସହୀ।।

କୁଳ କାନନରେ ପଲ୍ଲବ ବେଦିକା
ରଚିଥିଲ ତୁମେ ସହୀ
ଅଭିସାରିକା ଗୋ ପଥ ଚାହିଁଥିଲ
କୁସୁମେ ସୁବେଶ ହୋଇ।।

କମ୍ପିତ କଣ୍ଠେ କହୁଥିଲ ତୁମେ
କେତେ ପ୍ରଣୟ କଥା
ଭୁଜେ ଭିଡ଼ିଥିଲ କଣ୍ଠ ମୋ ନିବିଡେ
ଦ୍ରୁମରେ ଯେସନ ଲତା।।

ଆଜିବି ସଜନୀ ସେ କୁଞ୍ଜ ରହିଛି
ଆମ ଆଗମନୀ ଚାହିଁ
ସେଦିନ କୁସୁମ ଆଜିବି ଫୁଟିଛି
ଗଭାର ପରଶ ନେଇ।।

ଛନ୍ଦ ତୋଳେ ସଦାରେ ମନ୍ଦ ମଳୟ
ପୁଷ୍ପ କଳି ଖେଳେ ଦୋଳି
ଫଗୁଣ ରଚଇ ଚିର ଅଭିସାର
ସେ ରାଇଜେ ଆସ ଚାଲି ।।

ତନ୍ଦ୍ରାହୀନ ନିଷିଥିନୀ ବିତିଅଛି (କେତେ)
ତାରା ଭରା ନଭେ ଚାହିଁ।।
କେବେ ସରିବ ଆମ କଂକରିତ ପଥ
ଜାଣି ନାହିଁ (ମୁଁ) ଜାଣିନାହିଁ।।


ରଚନା : ମନୋଜ କୁମାର ପଣ୍ଡା

ଠିକଣା : ଅଡା, ବାଲେଶ୍ଵର, ଦୂରଭାଷ : 9340045335

Post a Comment

0 Comments