Ad

header ads

ପ୍ରବନ୍ଧ - ସାଂପ୍ରତିକ ଓଡିଆ କବି ଓ କବିତା - ଅଧ୍ୟାପକ ଡକ୍ଟର ଲକ୍ଷ୍ମଣ ସାହୁ


ପ୍ରତ୍ୟେକ ସାହିତ୍ୟର ବିଭିନ୍ନ ବିଭାଗ ମଧ୍ୟରୁ କବିତା ବିଭାଗଟି ସବୁ ବିଭାଗ ଠାରୁ ଅଧିକ ଚଳଚଞ୍ଚଳ । କୁହାଯାଏ ଏ ସୃଷ୍ଟିର ପ୍ରତ୍ୟେକ ମଣିଷ ଜଣେ ଜଣେ କବି । ତାର ଚିନ୍ତା ଓ ଚେତନା ନିଜସ୍ୱ ଢଙ୍ଗରେ ତା' ଅଲକ୍ଷ୍ୟରେ ମହୁମାଛି , ଭ୍ରମର ଭଳି ସେ ଗୁଣୁଗୁଣୁ ହୋଇ ଗାଉଥାଏ । ରାଗ , ରୁଷା , ଅଭିମାନ ହେଉଅବା ସୁଖ, ଦୁଃଖ, ହସ, କାନ୍ଦ , ଶାନ୍ତ , କ୍ରୋଧ , ଜୟ , ପରାଜୟ ସବୁ ତାର ନିଜସ୍ୱ ଓ ସ୍ୱତନ୍ତ୍ର । ଏ ବିଶାଳ ପୃଥିବୀର ମାନଚିତ୍ର ତାର ତୃତୀୟ ନୟନରେ ଦର୍ଶନ କରି ସେ ରଙ୍ଗ ତୂଳୀରେ ଆଙ୍କିଚାଲେତ , ପୁଣି ମୁଗୁନି ପ୍ରସ୍ତରରେ ଶିଳାନ୍ୟାସ କରେ ରସଘନ ଅଭଙ୍ଗା ମୂର୍ତ୍ତି ଅବା ତାର ଲେଖନୀ ଚାଳନା ଦ୍ବାରା ତାଳପତ୍ରରେ ଫୁଟି ଉଠେ ବିବିଧ ବର୍ଣ୍ଣାଢ୍ୟ ରୂପ ବୈଚିତ୍ର୍ୟର ଚିତ୍ରପଟ୍ଟ ।

ସାଂପ୍ରତିକ ଓଡିଆ କବିତାକୁ ଲକ୍ଷ୍ୟ କଲେ କବିପ୍ରାଣର କାନ୍ଭାସ ଉପରେ ଏ ବିଶ୍ୱର ନାନା ବର୍ଣ୍ଣର , ନାନା ବାସ୍ନାର , ନାନା ଚିତ୍ର ସୌନ୍ଦର୍ଯ୍ୟର , ବିଭିନ୍ନୀକରଣର ଏକତ୍ରୀକରଣକୁ ପାଥେୟ କରି କବିର ଅବଚେତନ ମନ ଗତିଶୀଳ । ବିଶ୍ୱର ବ୍ୟାପକତ୍ୱ ନେଇ କବି ପାଲଟେ ବହୁ ମୁଖିତାର ଉଦାହରଣ । ତାର ଚେତନାବୋଧ ହୁଏ ସୁବିସ୍ତୃତ ଓ ସୀମାହୀନ ଦିଗନ୍ତର ଏକ ସ୍ପଷ୍ଟ ଆଭାସ । ସନ୍ଥ ଭୀମଭୋଇଙ୍କ ଉଦୃତ ପଂକ୍ତି - " ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ , ଦେଖୁ ଦେଖୁ କେବା ସହୁ , ମୋ ଜୀବନ ପଛେ ନର୍କେ ପଡି ଥାଉ , ଜଗତ ଉଦ୍ଧାର ହେଉ ।" ସତରେ କବି ପ୍ରାଣ ଓ ହୃଦୟର ସ୍ପନ୍ଦନ ଓ ସ୍ପନ୍ଦନର ଅଭିବ୍ୟକ୍ତି କେତେ ଛଳନା ଶୂନ୍ୟ , ମୁକ୍ତ, ନିର୍ବିକାର, ନିର୍ଲିପ୍ତ ଓ ସ୍ଥିତପ୍ରଜ୍ଞତାର ମୂର୍ତ୍ତିମନ୍ତ ପ୍ରତୀକ ଭାବିଲେ ବିସ୍ମୟ ଲାଗେ ..!! 

ଆଜିର କବିତାରେ ଯେଭଳି ଆଶା ଓ ନୈରାଶ୍ୟ , ଅନ୍ତମୁର୍ଖିତା ଓ ବହିର୍ମୁଖିତା, ପାର୍ଥିବ ଜୀବନର ସଂଗ୍ରାମ , ଆଧ୍ୟାତ୍ମିକ ଜୀବନର ଅକଳନ ତୃଷ୍ଣା ନେଇ ସର୍ଜନା । ସେଥିରେ ବେଳେ ବେଳେ ପୁଣି ସଂଶୟ , କ୍ଳାନ୍ତି ଓ ସନ୍ଧାନର ବିସ୍ଫୋରଣ ଘଟୁଛି , ତାହା ହେଉଛି କବିର ଅପ୍ରତ୍ୟାଶିତ ଅପ୍ରତିହତ ଅନ୍ୱେଷଣର ଏକ ଜ୍ୱଳନ୍ତ ବିଶ୍ଳେଷଣ । ଯାହାର ନିଜସ୍ୱ ବିଶ୍ୱରେ ଶ୍ଳୀଳ , ଅଶ୍ଳୀଳ, ବନ୍ଧନ ଓ ବନ୍ଧନହୀନତା , ସ୍ଥିତପ୍ରଜ୍ଞତା ଓ ବିକ୍ଷିପ୍ତତା ଭରି ରହିଛି । ଅଛି ଅଛିରେ ଓ ନାହିଁ ନାହିଁରେ ଯେଉଁ ଚକ୍ରାବର୍ତ୍ତ ସୃଷ୍ଟି ହୁଏ , ତାହାର ପୃଷ୍ଠଭୂମିରେ ଗଢାହୁଏ ଓଡିଆ କବିତାର ନବ କୋଣାର୍କ । ଆଉ ଏକ ନୂତନ ନବ ସନ୍ଧାନେ ଧରମାର ଶିଳ୍ପୀତ୍ୱର ପରିପ୍ରକାଶ ଘଟେ । ପ୍ରବାହମାନ ସମୟର ଧର୍ମପିଣ୍ତିତ , ସମାଜଗତ , ରାଜନୀତିଗତ ବା ନୀତିଗତ ଆଲୋଡନ କବିର ଜୀବନ ଓ ଦର୍ଶନକୁ , ନିର୍ବିକାର ବିଚାରବୋଧକୁ ତୀକ୍ଷ୍ଣ ଅନୁଭବର ଶକ୍ତିରେ ଭରି ଦିଏ । ନିଚ୍ଛକ କବିଟିଏ ବଂଚିରହେ ନିଜସ୍ଵ ଇଲାକାରେ । ସଂବାଳୁଆର କୁତ୍ସିତ ରୂପ ରୂପାନ୍ତରିତ ହୁଏ ପ୍ରଜାପତିରେ । ତେଣୁ ପ୍ରତିଟି କବିର ବ୍ୟକ୍ତିସର୍ତ୍ତା ହେଉଛି ରୂପକଳ୍ପ ସର୍ଜନାରେ । ସେମାନେ ନିଜ ନିଜର ବ୍ୟକ୍ତି-ବିଶ୍ୱ ମଧ୍ୟରେ ନୂତନ ବୃତ୍ତ ସର୍ଜନା କରି ବୁଢୀଆଣୀ ଭଳି ନିଃଶବ୍ଦରେ ମାୟା ଜାଲରେ ନିଜକୁ ସୁରକ୍ଷିତ ରଖନ୍ତି । ପ୍ରତ୍ୟେକ ସ୍ରଷ୍ଟାର ବ୍ୟକ୍ତି-ବିଶ୍ୱ ଚେତନା ଓ ଅନୁସନ୍ଧିତ୍ସୁକୁ ଉତ୍ତମ ରୂପେ ବୁଝି ନେବାକୁ ହେଲେ ଅତ୍ୟନ୍ତ କିଛି କବିଙ୍କ ( ବିଶେଷତଃ କବୟିତ୍ରୀମାନଙ୍କ ) କବିତାର ସୂକ୍ଷ୍ମକୋଣର ଲୁକ୍କାୟିତ ଆତ୍ମାକୁ ଚିହ୍ନିବା ଓ ରୂପ-କଳ୍ପର ଭାସ୍କର୍ଯ୍ୟକୁ ଅନୁଭବ କରିବା ।

ଚିହ୍ନା ମୁହଁ, ସାହିତ୍ୟର ବିଭିନ୍ନ ଦିଗରେ ପ୍ରାଦେଶିକରୁ , ରାଷ୍ଟ୍ରୀୟ ଓ ଆନ୍ତର୍ଜାତିକ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ନାରୀ କବି ପ୍ରାଧ୍ୟାପିକା ସଂଘମିତ୍ରା ମିଶ୍ର ସ୍ମରଣୀୟ ଓ ବନ୍ଦନୀୟ । ସଂକଳନ " ନିଜର ଭାବିଲା ପରେ " ହିଁ ତ ସବୁ କଷ୍ଟର ଆରମ୍ଭ ଓ ଶେଷ ଥାଏ । କେହି ଏଠି କାହାର ନୁହନ୍ତି - " ସ୍ୱୀକାର କରୁ କରୁ ମଣିଷ ଓ ଈଶ୍ୱରଙ୍କୁ ଯୋଡି ବିଶ୍ଳେଷଣ କରିଛନ୍ତି । ମଣିଷ ଆଉ ଈଶ୍ବର ଉଭୟେ ନିଜ ନିଜ ବାଟରେ ଅସମର୍ଥ ତାଙ୍କ ଇପ୍ସିତ ଜୀବନଟିଏ ଫେରାଇ ଦେବାକୁ । ତଥାପି ସଂସାରର ସ୍ୱାର୍ଥ ସର୍ବସ୍ୱ ମଣିଷର ଅଭିସନ୍ଧି ମୂଳକ ଏହି ଦିଆ ନିଆର ଭାବ କବୟିତ୍ରୀଙ୍କୁ ମ୍ରିୟମାଣ କରିଛି । ନିରୁତା ମନଟିଏ ଚାହାଁନ୍ତି, ନିରୁତା ଭାବଟିଏ ବଢାଇ ଦେବାକୁ । ନିରୁତା ଭାବର ଦିଆନିଆ ଘଟେ ନାହିଁ , ସକଳେ ହୀସାବୀ , ତାଙ୍କ ଭାଷାରେ - "ନିରୁତା ମନର ମୂଲ୍ୟ କିଏ ଦେବ / ଆଜିର ଏ ହିସାବୀ ସଂସାରେ । " ଅବଶ୍ୟ ଏଥିପ୍ରତି ତାଙ୍କର କ୍ଷୋଭ କି ବିଦ୍ରୋହ ନାହିଁ । ଲୁଚି ରହିଛି କିଛି ବ୍ୟଥା, ତା'ସତ୍ତ୍ୱେ ସକଳ ବ୍ୟଥାକୁ ସାଲିସ୍ କରିଛନ୍ତି - " କୂଅରେ ପଡିଥିବା ବେଙ୍ଗ " , କେବେ ପୁଣି " ପାହାଚ ତଳର ଘାସ " ପୁଣି କେବେ କେବେ ' ଅସହାୟ କୁଟାଖିଏ ଆଜି ଆସି ଲାଖିଛି ଏଇଠି " , ' ମନ୍ଦିର ବେଢାର ମୁଁ ତ ପ୍ରାଣହୀନ ନିର୍ଜୀବ ପଥର ।" କବୟିତ୍ରୀ ଜଣେ ନାରୀ, ତେଣୁ ନାରୀ ସତ୍ତାକୁ ପ୍ରତୀକିତ କରିବା ସ୍ୱାଭାବିକ ମନେହୁଏ । ସବୁ ପୁଣି ଇଚ୍ଛାମୟଙ୍କ ଇଚ୍ଛାରେ ଚାଲେ , ତାଙ୍କ ପ୍ରତି ଗଭୀର ଅନୁଭବ , ମଣିଷ ଓ ଈଶ୍ୱରଙ୍କୁ ଯୋଡି ଦେବା ପାଇଁ ଅହେତୁକ ପ୍ରୟାସ , " ସବୁ ଯଦି ଇଚ୍ଛାମୟ / ତୁମେ ହୁଅ ମୋ ଇଚ୍ଛାର ସର୍ବୋତ୍ତମ ପ୍ରତୀକ ପୁରୁଷ / ××× ଲମ୍ବିଆସୁ ସଂପର୍କର ପାଟସୂତାଖିଏ (ଇଚ୍ଛାମୟ) ।'' ବିଶ୍ୱାସର ବଳୟ ମଧ୍ୟରେ ବାଟ ଚାଲୁ ଚାଲୁ ସଂକୁଚିତ ହୋଇ ଯାଏ ବନ୍ଧୁତ୍ୱର ହାତ, ତଥାପି ହୃଦୟ କଠିନ , ତାଙ୍କ ଦୃଷ୍ଟିରେ - " ଧୋବ ଫର ଫର କେଶ / ଅନୁଭୂତି ଅନ୍ୱୟ ଜୀବନ / କଇଁଛର ଟାଣ ପିଠି ଲୁହାଠାରୁ କଠିନ ହୃଦୟ ,(ସମୀକ୍ଷା) ।" କବୟିତ୍ରୀ ସଂଘମିତ୍ରା ମିଶ୍ରଙ୍କ ନାରୀ ଜୀବନର ତ୍ୟାଗ , ଶପଥ , ବାତ୍ସଲ୍ୟ ଓ ମର୍ଯ୍ୟାଦାବୋଧର ଚିତ୍ର ନେଇ କବିତା ଗୁଡିକ ପ୍ରାଣବନ୍ତ - " ତୁ ମୋ' ଜୀବନର ଶବ୍ଦକୋଷ / ମୋ ' ଜୀବନର ସାହାରାର / କୃଶଚ୍ଛାୟା ନୀଳନଦୀ ଧାର (ତୋ ଲାଗି କବିତାଟିଏ ) ।"

ଜଗତର ସକଳ ଦୁଃଖକୁ ପାଛୋଟି ନେଉଥିବା କବି ପ୍ରାଧ୍ୟାପିକା ଆରତୀ ତ୍ରିପାଠୀ । କିଛି ଅର୍ଖନୂଆ ମେଟାଫର ବକ୍ତବ୍ୟର ସାଦିଷ୍ଟ ନିଆରା ଢଙ୍ଗ ସଜାଡି ପାରନ୍ତି " ଗୋଟେ ଗାଉଁଲି ଝିଅର ଘର " । ସବୁ ସ୍ମୃତି , ସବୁ ପ୍ରେମ, ଦ୍ରୋହ ଓ ଯାତନା ମଧ୍ୟରୁ ତାଙ୍କ କବିତା ଗୁଡିକ ଜନ୍ମ ନିଅନ୍ତି । ସ୍ୱୟଂ ବିଭୂତି ପଟ୍ଟନାୟକଙ୍କ ଉପନ୍ୟାସର ନାୟକ/ନାୟିକାଙ୍କ ଭିତରେ ହଜି ଯାଉଯାଉ ତାଙ୍କ କଳ୍ପନାର ପ୍ରତିବାଦ କବିତା ପାଲଟି ଯାଏ । ସାମାଜିକ ବିଧି-ବ୍ୟବସ୍ଥାର ଆହତର ପ୍ରତିଫଳନ ବିଦ୍ରୋହାତ୍ମକ କବିତା । ପୃଥିବୀର ସବୁ ମଣିଷ ଯେଭଳି ବଞ୍ଚେ କବି ବଞ୍ଚି ପାରେନାହିଁ , ସେ ଭିନ୍ନ ଏକ ପୃଥିବୀ ଖୋଜେ , ନୋହିଲେ ଛଳନାରେ ବଞ୍ଚିବାକୁ ହୁଏ ଯେମିତି - " ହଜିବା ମାନେ କ'ଣ ଏଠି ହଟହଟା କୁହାଯାଏ / ବାହାଘର କରିଥିବା ଦୀକ୍ଷାନ୍ତ ବ୍ରାହ୍ମଣଙ୍କୁ / ଖୋଜିବାକୁ ହେବ ( ଗୋଟେ ଗାଉଁଲି ଝିଅର ଘର ) । " ମଣିଷ ସତରେ କ୍ରୀତଦାସଟିଏ ନା ସେ ସମୟର , କଳା ଶାଗୁଣାର ଜୀବନ ତାର ପ୍ରାପ୍ୟ , ଅଭିଶାପ ପିଂଧି ମାଖିଥିବା ଦେହ ଅବସ ହୋଇପାରେ ନାହିଁ ଯେମିତି ଉଚ୍ଛିଷ୍ଟ ଫିଙ୍ଗୁଥିବା ମାଲିକ ପାଖରେ କବୟିତ୍ରୀଙ୍କ ଭାଷାରେ - " ପୋଷା କୁକୁରର ସ୍ୱର ଭୁଲିଯାଇଛୁ / ଲାଞ୍ଜ ହଲେଇ କାକୁସ୍ଥ ହୋଇ / ଛିଡା ହେବାର ଆସ୍ପର୍ଦ୍ଧା ନାହିଁ ଆମର (କ୍ରୀତଦାସ) ।" କବୟିତ୍ରୀଙ୍କ ସୂକ୍ଷ୍ମଦୃଷ୍ଟି ଚିନ୍ତନରେ ନିର୍ବାସିତ ହେବା/ ସିଂହାସନ ଆରୋହଣ କରିବା ଏକ କଥା, ଯେମିତିକି ଘୃଣାରେ ଦୂରେଇ ଯିବା / ପ୍ରେମରେ ପାଖେଇ ଆସିବା ଏକାକଥା , ସବୁ ହିସାବ ନିକାସର ଶେଷ ଫଳ ଶୂନ ଯେମିତି କବୟିତ୍ରୀଙ୍କ ଦୃଷ୍ଟିରେ - " ତମେ ଖାରବେଳ ହୁଅ / ଅବା ତାନସେନ୍ ହୁଅ / କିଛି ମାନେ ନାହିଁ ତା'ର ( ସାଉଁଟା ଜୀବନ ) । "

' ପହଁରା ଜାଣି ନଥିବା ଝିଅ' ' ନିର୍ଧୁମ ଖରାରେ ଧାଇଁ ପାରେ , ଅତନ୍ଦ୍ର ସାଧନାର ବେଳାଭୂମିରେ ନଈ ସେପାରକୁ । ପ୍ରଶ୍ନ ଦେଇ ନିଜକୁ ଖୋଜୁ ଖୋଜୁ ଉତ୍ତର ମିଳେ କି ନମିଳେ । ଯିଏ ଶବ୍ଦର ଶବ୍ଦରେ ହଜିହଜି ଯାଉଥିବା ସମସ୍ତଙ୍କୁ ଶବ୍ଦରେ ବାନ୍ଧି ପାରୁଥିବା ଅତି ପରିଚିତ ପ୍ରିୟ କବୟିତ୍ରୀ ସରିତା ରଥ । ଯେଭଳି ନୂତନତ୍ୱର ଏକ ଜ୍ୱଳନ୍ତ ଉଦାହରଣ ହେଉଛି କବିତା । ସେଭଳି ସକଳ ଚିରାଚରିତ ଗୋଲାର୍ଦ୍ଧ ଭିତରୁ କବି ସୃଷ୍ଟି କରେ କଳ୍ପନାର ପୃଥିବୀ । ସେଠି ସରିତା ରଥଙ୍କ ନିବେଦିତ ' ପହଁରା ଜାଣିନଥିବା ଝିଅ " ସଂକଳନ ବେଶ୍ ହୃଦୟସ୍ପର୍ଶୀ । ଜହ୍ନ ତୋଳି ଧରିବାକୁ ପାଣି ଭିତରକୁ ଡୁବୁକି ମାରିବାର ସମୟ , ଯେଉଁଠି କେବଳ ଲୁଚି ରହିଛି ରହସ୍ୟମୟ , ତାଙ୍କ ଦୃଷ୍ଟିରେ- " ସେଠି ଥାଏ ଅଳ୍ପ ଇଷତ୍ ଶାଗୁଆ ରଂଗର / ଛୋଟ ଛୋଟ ଅନେଖା ସହରମାନ / ସେଇ ସହର ତଳି ଦେଇ କିଛି ରାସ୍ତା / ଦିବ୍ୟାରୋହଣ କରନ୍ତି / ସେଠି ପହଞ୍ଚି ସାରିଥିବା ଝିଅମାନେ / ସବୁକାଳେ ତପସ୍ୱୀ ପାଲଟି ଯା'ନ୍ତି / ଧ୍ୟାନସ୍ଥ ରୁହନ୍ତି ପରମାୟୁ ପରମାୟୁ ଧରି ( ପହଁରା ଜାଣି ନଥିବା ଝିଅ ) ।' ପଟ୍ଟଚିତ୍ରର କବିତାରେ ଅସମର୍ଥ ଯାଚନା , ଶୂନ୍ୟରୁ ଶୂନ୍ୟକୁ , ଉନ୍ମତ୍ତ ଅବସୋସ , ନୀଳକଇଁ, ଅନନ୍ୟ ନିର୍ବାଣ , ମେଘ କନ୍ୟା, ସ୍ୱର୍ଗ ଆଦିରେ ଖୋଜିଛନ୍ତି ପ୍ରାଣୀ କି ପାଦପରେ ନିଜସ୍ଵ ପରିଚୟ । ଅଦୃଶ୍ୟ ମାୟା ପଛରେ ଅନୁଧାବନ କଲେ, ଦେଖାଦେବ ଅସମାପିକାର ଆଚ୍ଛନ୍ନ ଏ ଆତ୍ମସତ୍ତା । ପ୍ରତିଟି ସ୍ରଷ୍ଟାର ଧର୍ମ ନିଜ ଭିତରୁ ଉତୁରି ଆସୁଥିବା ଗୃଢତତ୍ତ୍ୱ ମାନଙ୍କୁ ରୂପ ଦେବା । ସମାଜ ଓ ବିଧିର ବିଧାନ ଭିତରେ ଈଶ୍ୱରଙ୍କୁ ନକଲ କରିବା ହିଁ କବି କର୍ମ , ଯେମିତି ସରିତାଙ୍କ ଭାଷାରେ - " ତୁମେ ନୀଳ ଆକାଶର ଶୂନ୍ୟଭୋଗ / ମୁଁ ମୃଣ୍ମୟୀ ତନୁର ଗର୍ଭବାସ୍ନା / ତୁମେ ସ୍ୱର୍ଣ୍ଣାଭ ସୂର୍ଯ୍ୟର ହସ୍ତାକ୍ଷର / ମୁଁ ବିଭୋର ବୀଜର ସମ୍ଭାବନା ।" କବିର କବିତା ସଦାକାଳେ ଅପୂର୍ଣ୍ଣ , ଅକ୍ଷମତାରେ ଆକୁଳ , ସମ୍ଭାବନାରେ ଦୃଢ ନିଶ୍ଚିତ । ତେଣୁ ସମସାମୟିକ କବିତାରେ ଯେତିକି ପ୍ରଚଣ୍ଡ ପାର୍ଥିବତା , ସ୍ଥୁଳତା ଓ କୃତ୍ରିମତା ସ୍ୱର ଶୁଣାଯାଏ , ସମପରିମାଣରେ ଗଭୀର ଅନୁଭବ , ନିଷ୍ଠା ଓ ଜୀବନ ଜଗତ ପ୍ରତି ସମ୍ଭାବନା ଦୃଶ୍ୟମାନ ହୁଏ ।

" ଇତି ତୁମର ଶୈବାଳିନୀ " ଶୈବାଳିନୀ ସାହୁଙ୍କ ଦ୍ୱିତୀୟ କବିତା ସଂକଳନ । ବିଶିଷ୍ଟ ଚାଇନିକ୍ କବି ଲି. ଚିଙ୍କ ଦୃଷ୍ଟିରେ- " ମଧୁର ସଂପର୍କରୁ କବିତାର ନବ ଜନ୍ମ ହୋଇଥାଏ "। ଏ ସଂପର୍କ କେବଳ ସମୟକୁ ବସ୍ତୁ ସହି , ବସ୍ତୁକୁ ଶବ୍ଦ ସହିତ , ଶବ୍ଦକୁ ଚିତ୍ରକଳ୍ପ ସହିତ ଯୋଡିବାର ପ୍ରକ୍ରିୟା , ଯାହାକେବଳ କବିହିଁ କରିବାରେ ସମର୍ଥ ହୁଏ । କବୟିତ୍ରୀ ଶୈବାଳିନୀ ରୋମାଣ୍ଟିସିଜିମ୍ ର ପ୍ରଣୟୀ କବି , ସରଳ ଜୀବନ ବୋଧର ଛଳଛଳ ଅଭିବ୍ୟକ୍ତିର ପ୍ରତୀକ । ତାଙ୍କ କବିତା ଗୁଡିକରେ ପ୍ରେମ ଫଲଗୁର ଆଭାସ , ହେଲେ ଦେହଜ ସ୍ତରର ନୁହେଁ, ଏହା ଦେହାତୀତ । ପ୍ରେମର ବହୁ ମୁଖଶାଳାରୁ ହୋଇପାରେ ଈଶ୍ୱର ପ୍ରେମ , ପ୍ରକୃତି ପ୍ରେମ ..ଅନନ୍ୟ । ପ୍ରେମରେ ହିଁ ଲୁଚି ରହେ ବିରହ ମିଳନର ମଧୁର ମୂର୍ଚ୍ଛନା । କାରଣ ପ୍ରେମ ଏକ ମଧୁର ମୃତ୍ୟୁ ଓ ମଧୁର ଯନ୍ତ୍ରଣା , ତା'ସତ୍ତ୍ୱେ ପ୍ରେମ ଆଧ୍ୟାତ୍ମିକ ମହାନନ୍ଦ, କବୟିତ୍ରୀ ଶୈବାଳିନୀଙ୍କ ଦୃଷ୍ଟିରେ - " ମୋ ଚିତ୍ରିତ ଚେତନାର ନୀଳ କନ୍ଦରରେ / ତୁମେ ସେଇ ବିଶ୍ବାସର ଦିଅଁ / ମୁଁ ତୁମ ଅଲକ୍ଷ୍ୟରେ ଝରିଥିବା / ବିରହ ଓ ବେଦନାର / ଟୋପେ ମାତ୍ର ଲୁହ ( ନୀଳ ଅଶ୍ରୁ) ।" ଆଜିର ବିଭଙ୍ଗ ସମାଜରେ ମଣିଷ ଜୀବନ ଯନ୍ତ୍ରଣା- ଜର୍ଜରିତ , ସବୁଥାଇ ନିଃସ୍ୱ । ଦ୍ୱନ୍ଦ୍ୱ , ସଂଘାତ, ବୈଷମ୍ୟ ଭିତରେ ବଞ୍ଚୁଥିବା ନିରୀହ ମଣିଷ ଅଣନିଶ୍ୱାସୀ , ଡହଳ ବିକଳ ହୋଇପଡେ , ତଥାପି ସ୍ମୃତିରେ ସକଳଙ୍କୁ ଆମନ୍ତ୍ରିତ କରେ ଶବ୍ଦର ମୁଲାୟମ ଗାଲିଚାରେ, ଆତ୍ମୀୟତାର ମୁଗ୍ଧ କଥନରେ , ସତ୍ତାସର୍ବସ୍ୱ ବି ନିଃସର୍ତ୍ତ ହୋଇଯାଏ । ଦ୍ରବୀଭୂତ ଚେତନା ଅବା ଅଭିଭୂତ ଚେତନାର ଚର୍ଯ୍ୟାଗୀତିରେ । ମନ ଆନ୍ଦୋଳିତ କରେ , ଖୋଜିଚାଲେ ପ୍ରାତଃ ସ୍ମରଣଯୋଗ୍ୟ ଆଦ୍ୟପୂଜ୍ୟ ଶୈବାଳିନୀଙ୍କ ଲେଖନୀରୁ - " ବାପା, / ତୁମେ ମୋର ସ୍ୱପ୍ନର ସ୍ୱରଲିପି / ସାଧନର ଶବ୍ଦମାଳା / ବିଶ୍ୱାସର ବଟବୃକ୍ଷ / ମୋ ଜୀବନର ଆଧାର/ ବନ୍ଧୁ ସଖା ଦାର୍ଶନିକ / ପଥ ପ୍ରଦର୍ଶକ / ତୁମେ ମୋର ମୂଲ୍ୟବୋଧ/ ଜୀବନ ଜିଜ୍ଞାସାର ସମସ୍ତ ଉତ୍ତର ( ବାପା) ।"

' ଶବ୍ଦ ସହିତ ଥିବା ଭାବକୁ କେହି ବୁଝୁବା ନବୁଝୁ ସେ ମୋତେ ବୁଝିଛି ଓ ମୁଁ ତାକୁ ବୁଝିପାରେ କାରଣ ଆମେ ଦୁହେଁ ବୋଧେ ଆଜନ୍ମ ଦୁଃଖୀ " -ଉକ୍ତି କବୟିତ୍ରୀ ଅଧ୍ୟାପିକା କ୍ଷୀରୋଦିନୀ ବେହେରାଙ୍କର । ଯାହାଙ୍କ ଗଳ୍ପ, ଉପନ୍ୟାସ ସହ ସାତଟି କବିତା ସଂକଳନରୁ ବହୁଳ ପାଠକୀୟତା ସାଉଁଟି ଆଣିଥିବା ବେଳେ ଆଉ ଏକ " ନିଜକୁ ଖୋଜିବାର ବେଳେ " ସଂକଳଳନ । ସତ/ ମିଛ ପ୍ରଶଂସା ଠାରୁ ଅନ୍ତରଙ୍ଗ ବନ୍ଧୁ ଶବ୍ଦକୁ ସେ ଖୋଜିଛନ୍ତି ରେଷ୍ଟୁରାଣ୍ଟରେ ପଡିଥିବା ଅଇଁଠା ଚା କପ୍ ଭିତରେ , ବୁତୁରି ଯାଉଥିବା ଏକ ବିସ୍କୁଟ୍ ମଧ୍ୟରେ । ସରଳ ନିଷ୍କପଟ ଜୀବନ ଖୋଜିଛନ୍ତି ଏ ନିଷ୍ଠୁର କ୍ରୂର ସମୟର ବଳୟ ଭିତରେ । କିନ୍ତୁ କବୟିତ୍ରୀ ଜୟନ୍ତୀ ରଣା ନିଜକୁ ସମର୍ପଣ କରିଦେବାର , ହଜେଇ ଦେବାର ଅକୃତ୍ରିମତା, ଭଲ ପାଇବାର ଶୁଭ୍ରତା " ଉଜାଣି ସ୍ମୃତିର ଢେଉ " ସଂକଳନରୁ ବାରି ହୋଇପଡେ । ଯେମିତି ଅକୃତ୍ରିମ ସ୍ନେହ ଭିତରେ କେବେ କେବେ ଭୁଲ୍ ବୁଝାମଣା ପ୍ରାଚୀର ହୋଇ ଛିଡା ହୁଏ ନାନା ପ୍ରଶ୍ନବାଚୀ ସୃଷ୍ଟି କରେ ଆପଣା ଭିତରେ । ପ୍ରେମିକ ଦୂରେଇ ଗଲେ ବି ପ୍ରେମିକାର ମନ ଉଚ୍ଛନ୍ନ ହୋଇ ଖୋଜୁଥାଏ ଏଣେତେଣେ ମନର ମଣିଷକୁ , କବୟିତ୍ରୀ ଜୟନ୍ତୀଙ୍କ ଦୃଷ୍ଟିରେ- " କେମିତି କେତେବେଳେ ତୁମକୁ / ଜାଣେନା ମୁଁ ହଜି ଦେଲି କେଉଁଠି ? ବଣ ବିଲ ନଈ ତୁଠେ ଖୋଜୁଛି / ଜାଣେନା ମୁଁ କାହିଁକି ? ପାଦ ଚିହ୍ନ ସାଉଁଟି ? ( କେଜାଣି କାହିଁକି ) ।"

ଆଲୋଚନାର ସଂକ୍ଷିପ୍ତତା ଦୃଷ୍ଟିରୁ ଆଧୁନିକ ଓଡିଆ କବିତାର ଏହା କେବଳ ଆଭାସ ମାତ୍ର । ଯୁଗମାନଙ୍କ ତୁଳନାରେ ପରିବର୍ତ୍ତନ ଅନିବାର୍ଯ୍ୟ ସତ୍ୟ । ତେଣୁ ସାଂପ୍ରତିକ କବିର ସ୍ୱତନ୍ତ୍ର ଇଚ୍ଛାନୁରୂପ ମର୍ଜ୍ଜି ରହିଛି , ଫଳତଃ କବିର କବିତାରେ ସ୍ପଷ୍ଟତାର ଚିହ୍ନ, ଦୈନ୍ୟ ଓ କାବିକ୍ୟ ଅନୁଭୂତିର ସକୁରଣ ସ୍ୱଭାବର ପରିପ୍ରକାଶ ଘଟିଛି । ସାଂପ୍ରତିକ କବିର ସେଭଳି କୌଣସି ନିର୍ଦ୍ଦିଷ୍ଟ ଦିଗ ନାହିଁ କି ପୂର୍ବବତ କୌଣସି ଦର୍ଶନରେ ବିଶ୍ୱାସ ନାହିଁ । ସେଲାଗି ଆଜିର କବିତାରେ ଆବାହନ/ ବିସର୍ଜନ ମହାମନ୍ତ୍ର ମଧ୍ୟରେ ଭାବଗତ ଅନୁସ୍ୱର ନାହିଁ । ସବୁ ଖାପଛଡା , ଆତ୍ମକୈନ୍ଦ୍ରିକ ବିନ୍ଦୁ , ପୁଣି ଆକାଶ ପରି ବ୍ୟାପକ ଓ ସାଗର ଭଳି ଗଭୀର । ଗଙ୍ଗଶିଉଳୀର ବାସ୍ନାରେ ଯେମିତି ବାସ୍ନାୟିତ , ଲିପ୍ତ ଓ ନିର୍ଲିପ୍ତ , ବାସ୍ନାହୀନ ପଲାସରେ ସେତିକି ପ୍ରତି-କ୍ରିୟାଶୀଳ । ଏଠି ଈଶ୍ୱର , ଆଲ୍ଲା , ଯୀଶୁ , ବୁଦ୍ଧ , ରାମାନୁଜ , ଚୈତନ୍ୟ , ରାମକୃଷ୍ଣ , ଅରଵିନ୍ଦ ଅତିକ୍ରମ କରି ରାମା, ଦାମା, ଶାମା, ଭୀମା ..ଅନେକ କବିତାର ପୂର୍ଣତା ପ୍ରାପ୍ତିରେ ଏକ ଅଂଶ ବିଶେଷ ପାଲଟେ , କିନ୍ତୁ ନିଚ୍ଛକ କବିତା ଏହାର ବହୁଦୂରରେ ଅନ୍ୟ ଏକ ଦିଗ୍ ବଳୟରେ..!!!

( କ୍ରମଶଃ )


ରଚନା : ଡକ୍ଟର ଲକ୍ଷ୍ମଣ ସାହୁ,

ଓଡିଆ ଭାଷା ଓ ସାହିତ୍ୟ ବିଭାଗୀୟ ମୁଖ୍ୟ, ମହାନଦୀବିହାର ମହିଳା ସ୍ନାତକ ମହାବିଦ୍ୟାଳୟ, କଟକ

ଠିକଣା : ମହାନଦୀ ବିହାର , କଟକ,  ଦୂରଭାଷ :

Post a Comment

0 Comments