Ad

header ads

ଅଣୁଗଳ୍ପ - ପଶ୍ଚାତାପର ଅଶ୍ରୁ - ସ୍ମୃତିପ୍ରଜ୍ଞା ସ୍ୱାଇଁ

ସେଦିନ ମନୋଜ ବହୁତ ଖୁସି ଥିଲା କାରଣ ସେ ଚାକିରି କରୁଥିବା କମ୍ପାନୀରେ ବହୁତ ଲାଭ (profit) ହେଇଥିଲା ଏବଂ ତାର promotion ମଧ୍ୟ ହୋଇଥିଲା।ମନୋଜ ପାଇଁ ଖୁସି ଥିଲା ଦ୍ୱିଗୁଣିତ।ସେହି ଖୁସିର ଅବସରରେ କମ୍ପାନୀ ଏକ ପାର୍ଟି ର ଆୟୋଜନ କରିଥିଲା ଏବଂ ସମସ୍ତ କର୍ମଚାରୀ ମାନଙ୍କୁ ନିଜ ପରିବାର ସଦସ୍ୟଙ୍କୁ ସାଥିରେ ଆଣି ଆସିବା ପାଇଁ କୁହାଯାଇଥିଲା।ମନୋଜ ଏବିଷୟରେ ତାର ବାପା ମାଆଙ୍କୁ ଜଣାଇଲା।ସେମାନଙ୍କ ଖୁସି କହିଲେ ନସରେ।ପୁଅର promotion ହେଇଛି ଖୁସିରେ ସେମାନଙ୍କ ପାଦ ତଳେ ଲାଗୁନଥିଲା।ମନୋଜର ବାପା କହିଲେ ଠିକ ଅଛି ପୁଅ ଆମେ ତୋ ସହିତ ସନ୍ଧ୍ୟାରେ ପାର୍ଟିକୁ ନିଶ୍ଚୟ ଯିବୁ।କିନ୍ତୁ ମନୋଜର ମୁହଁ ସାଙ୍ଗେ ସାଙ୍ଗେ ମଳିନ ପଡିଗଲା ,ସେ ତାର ବାପାଙ୍କୁ କହିଲା ମୁଁ ତମମାନଙ୍କୁ ନେଇ ପାର୍ଟିକୁ କେମିତି ଯିବି।ତମ ମାନଙ୍କର ବୟସ ଗଡ଼ିଗଲାଣି, ତମମାନଙ୍କର କଥାବାର୍ତ୍ତାର ଶୈଳୀ ମଧ୍ୟ ଆମପରି ଆଧୁନିକ ନୁହେଁ ଆଉ ତମର ଏ ବେଶ ପୋଷାକ ଦେଖିଲେ ମୋ ସାଙ୍ଗମାନେ ମତେ ଉପହାସ କରିବେ ଆଉ ମୁଁ ସମସ୍ତଙ୍କ ସାମନାରେ ଲଜ୍ଜିତ ହେଇଯିବି।ମୁଁ ତମମାନଙ୍କୁ ମୋ ସାଙ୍ଗରେ ନେଇ ପାର୍ଟିକୁ ଯାଇପାରିବିନି ।


ମନୋଜର ବାପା ଏ କଥା ଶୁଣି ତା ମାଆର ହାତକୁ ଧରି ଗୋଟିଏ ଘରଭିତରକୁ ନେଇଗଲେ ଆଉ ଦୁହେଁ ଗୋଟିଏ ଖଟ ଉପରେ ବସିପଡିଲେ।ମନୋଜର ବାପା କହିଲେ ତମର କିଛି ମନେ ପଡୁଛି ଶାନ୍ତି, ଶର୍ମା ବାବୁଙ୍କ ପୁଅ ଜନ୍ମଦିନ ପାର୍ଟିକୁ ଆମେ ଯେତେବେଳେ ମନୋଜକୁ ନେଇ ଯାଇଥିଲେ ଦେହସାରା ତାର ଭର୍ତ୍ତି ହୋଇଥିଲା ହାଡ଼ଫୁଟି(chickenpox)ର ଦାଗ।ମନୋଜର ମାଆ ଉତ୍ତର ଦେଲେ ଗୋଟିଗୋଟି କରି ସବୁକଥା ମୋର ମନେ ଅଛି।ଶର୍ମା ବାବୁଙ୍କ ସ୍ତ୍ରୀ ମତେ କହିଥିଲେ ତମ ପୁଅର ଏଅବସ୍ଥାରେ କଣ ପାଇଁ ତାକୁ ଧରି ମୋ ପୁଅର ପାର୍ଟିକୁ ଆସିଛ, ତମ ପୁଅର ଏ କଦର୍ଯ୍ୟ ଚେହେରା ଦେଖି ମୋ ପୁଅ ସହିତ ଅନ୍ୟପିଲାମାନେ ମଧ୍ୟ ଡରୁଛନ୍ତି।ଆଉ ମୁଁ ତାଙ୍କୁ କହିଥିଲି ମୋ ଆଖିରେ ମୋ ପୁଅ ସବୁଠୁ ସୁନ୍ଦର ଆଉ ମୂଲ୍ୟବାନ।ଜହ୍ନରେ ବି ଦାଗ ଅଛି କିନ୍ତୁ ସେ ଦାଗ ଜହ୍ନର ସୁନ୍ଦରତାକୁ କମେଇଦେଇପାରିବନି।ଦୁନିଆର ସବୁଠାରୁ ସୁନ୍ଦର ଉପହାର ଯଦି କିଛି ଭଗବାନ ମତେ ଦେଇଛନ୍ତି ସେ ଉପହାର ହେଉଛି ମୋ ପୁଅ। ମନୋଜ କବାଟ ଏପଟେ ଥାଇ ବାପା ମାଆଙ୍କର ସବୁକଥା ଶୁଣିପାରୁଥିଲା,ଆଉ ଅଜାଣତରେ ତା ଚକ୍ଷୁରୁ ଗଡ଼ିଆସିଥିଲା ପଶ୍ଚାତାପର ଅଶ୍ରୁ ଦୁଇଟୋପା..।


ରଚନା : ସ୍ମୃତିପ୍ରଜ୍ଞା ସ୍ୱାଇଁ

ଠିକଣା : ଜଗତସିଂହପୁର,  ଦୂରଭାଷ :

Post a Comment

0 Comments