Ad

header ads

କ୍ଷୁଦ୍ରଗଳ୍ପ - ଆଉ ମଦ ପିଇବି ନାହିଁ - ନାରାୟଣ ଚନ୍ଦ୍ର ସେନାପତି

ମୋତେ ବଞ୍ଚାଇ ଦିଅନ୍ତୁ ଡକ୍ଟର, ମୁଁ ଆଉ କେବେ ବି ମଦ ପିଇବି ନାହିଁ।ମୋର ବଞ୍ଚିବା ଦରକାର।କଟକ ମେଡ଼ିକାଲ ର ୧୧୮ ନମ୍ବର ୱାର୍ଡରୁ ଭାସି ଆସୁଥାଏ ଏକ କରୁଣ ଚିତ୍କାର,ଇଞ୍ଜିନିୟର ରାଜେଶ ମହାପାତ୍ରଙ୍କର।ସହଧର୍ମିଣୀ ଅନୀଷା ମହାପାତ୍ର ଓ ଦୁଇ ଝିଅ ଟିନା ମିନାଙ୍କର ଆଖିରୁ ଝରି ପଡୁଥିଲା ଦୁଃଖଦ ଯନ୍ତ୍ରଣାର ଅଶ୍ରୁ।ରାଜେଶ ବାବୁ ପରିବାରକୁ ବହୁତ ଭଲ ପାଆନ୍ତି।ଦୁଇ ଝିଅ ଥିଲେ ତାଙ୍କ ଦୁଇ ଫୁସଫୁସ।ଟିନା ମୀନ ବାପାଙ୍କ ଆଖିରୁ ଲୁହ ପୋଛି ଦେଉଥିଲେ ଆଉ ଅନୀଷା ସ୍ୱାମୀଙ୍କୁ ସାନ୍ତ୍ୱନା ଦେଉଥାନ୍ତି କୋହକୁ ଛାତିରେ ଚାପି ଚାପି।ଗୁମୁରି ଗୁମୁରି କାନ୍ଦି ରାଜେଶ ଭାଳୁଥାନ୍ତି ଅତୀତର ଖଟା ମିଠା କିଛି ଅନୁଭୂତି,କିଛି ସ୍ମୃତି।

ରାଜେଶ ଥିଲେ ସାଧାରଣ ପରିବାରର ଶିଶୁଟିଏ।ପାଠ ଓ ସାଧାରଣ ଶିଷ୍ଟାଚାରରେ ସେ ଥିଲେ ମାହୀ।ସମସ୍ତଙ୍କ ଶ୍ରଦ୍ଧା,କଲ୍ୟାଣ ଓ ଭଲପାଇବା ତାଙ୍କ ଉପରେ କଳ୍ପବୃକ୍ଷ ପରି ଥିଲା।ସମସ୍ତେ ଚାହୁଁଥିଲେ ରାଜେଶ ମଣିଷ ପରି ମଣିଷ ହେବ,ପିତାମାତା ଗୁରୁଜନ ଗାଁ ଓ ଦେଶ ଜାତିର ମାନ ନିଶ୍ଚୟ ରଖିବ। ସଭିଙ୍କର ଆଶିଷକୁ ପାଥେୟ କରି ରାଜେଶ ମାଟ୍ରିକ ପରୀକ୍ଷାରେ ନବେ ପ୍ରତିଶତ ନମ୍ବର ରଖିଲା।ତା ପରେ ପଢ଼ିଲା ଡିପ୍ଲୋମା ଇଂଜିନିୟରିଂ।ରୁମ ମେଟ ହେଲେ ଝାଡ଼ଖଣ୍ଡ ଓ ତାମିଲନାଡୁର ଦୁଇ ଅସାମାଜିକ ପିଲା।ରୁମ ରେ ସେମାନଙ୍କର ସିଗାରେଟ ଟଣା,ଲୁଚି ଲୁଚି ମଦ୍ୟପାନ କରିବା ରାଜେଶକୁ ବହୁତ ଖରାପ ଲାଗିଲା।ସତରେ ଯେ ସାଧା ପୁଡ଼ିଆଟିଏ କି ଧଣିଆଚାଉଳଟିଏ ପାଟିରେ ପକାଏ ନାହିଁ,ସେ ସେମାନଙ୍କର ମଦ୍ୟପାନ ଓ ସିଗାରେଟ ନିଶାକୁ ସହନ୍ତା କିପରି?ସେମାନଙ୍କୁ ବୁଝାଇଲା,ଅଧ୍ୟାପକଙ୍କ ପାଖରେ ଅଭିଯୋଗ କଲା ହେଲେ ସବୁ ନିଷ୍ଫଳ ହେଲା।ଏପରିକି ଓଲଟି ଅଧ୍ୟାପକ କହିଲେ,ରାଜେଶ ବିଭିନ୍ନ ବ୍ୟକ୍ତି ଓ ପରିବେଶ ସହ ପ୍ରତିଯୋଜନ କରିବା ପରା ଶିକ୍ଷା।ମୁଣ୍ଡ କାନ ଆଉଁସୀ ସେହି ରୁମ ରେ ରହିଲା ସେ।ସେମାନଙ୍କର ଦୌରାତ୍ମ୍ୟ ବି ଧୀରେ ଧୀରେ ବଢ଼ିଲା।ସେମାନେ ଜୋର କରି ବାଧ୍ୟ କରି କରାଇଲେ ସିଗାରେଟ ଟଣା।ଆଉ ସେମାନେ ରାଜେଶକୁ କହୁଥିଲେ, ଆରେ ଇଂଜିନିୟରିଂ ପିଲା ହୋଇ ମଦ,ମାଂସ,ସିଗାରେଟ ନ ଚାଖିଲେ ତୁ କି ପିଲା?କଥାରେ ପରା ଅଛି ଦୁର୍ଜ୍ଜନ ସଂଗେ କଲେ ବାସ,ନିଶ୍ଚେ ଘଟିବ ସର୍ବନାଶ।ସେୟା ହିଁ ହେଲା।ଧୀରେ ଧୀରେ ରାଜେଶ ଚାଖିଲେ ମଦ।ମଦ ସିଗାରେଟ ବି ହୋଇଗଲା ଏକ ନିଶା।ଅନିଷା ଥିଲା ସହପାଠୀ ଯେ କି ଏକ ସମ୍ଭ୍ରାନ୍ତ ପରିବାରର ଝିଅ।ଦୁହେଁ ଭଲ ପାଇଁ ବସିଲେ ଓ ବାହାର ବୁଲା,ପାର୍ଟି ଆଟେଣ୍ଡ କରି ମଦ୍ୟପାନ କରି ନାଚି ମନଖୁସି କରିବାରେ ଧୁରନ୍ଧର ହୋଇଗଲେ।ଡିଗ୍ରୀ,ତାପରେ ଇଂଜିନିୟରିଂ, ଜବ୍ ଏମିତିକି  ବିବାହ ବି ସରିଗଲା।

ରାଜେଶର ପିତା ମାତା ଥିଲେ ରକ୍ଷଣଶୀଳ ନୈଷ୍ଟିକ ବ୍ରାହ୍ମଣ।ପୁଅ ବୋହୂଙ୍କର ଏ ଉତ୍ସୃଙ୍ଖଳିତ କାର୍ଯ୍ୟକଳାପ, ସଂସ୍କାର ବିହୀନ ଅବିବେକୀ କାମ ଏପରିକି ମଦ ମାଂସ ଓ ପାର୍ଟି ଆଟେଣ୍ଡର ହୋଇଗଲେ ବିରୋଧୀ।ସେଦିନର ସୁଶୀଲ ବିନୟୀ ରାଜେଶ ଓ ବିବାହିତ ଅସଭ୍ୟ ଅସାମାଜିକ ରାଜେଶ ଇଂଜିନିୟର ସତେ ଯେମିତି ଭାରତର ଭୌଗୋଳିକ ମାନଚିତ୍ରକୁ ଅଧିକ କୁଟୀଳ ଓ ଜଟିଳ କରିଦେଇଛି।ଶେଷରେ ପିତାମାତାଙ୍କୁ ଅସମ୍ମାନ କରି ସେମାନଙ୍କୁ ନିଃସଙ୍ଗ କରି ଅନିଶାକୁ ଧରି ଚାଲିଲା ତା ଚାକିରୀ ସ୍ଥାନକୁ।ଆକଟ ବିହୀନ ଶତପ୍ରତିଶତ ସ୍ବାଧୀନତାର ମହୁ ଚାଖୁ ଚାଖୁ ପ୍ରତ୍ୟହ ମଦ୍ୟର ବିଷ ସେମାନଙ୍କୁ ମାନସିକ ନିଶାଗ୍ରସ୍ତ ବି କରିଦେଲା।ଏପଟେ ଅନିଶାର ଉଗ୍ରତାରେ ବ୍ୟଥିତ ହୋଇ ଦୁଇ ଯାଆଁଳା ଶିଶୁ ଟିନା ମିନାଙ୍କୁ ଛାଡିଦେଲା ବୋଡିଂ ସ୍କୁଲରେ।ରାଜେଶର ମଦ୍ୟପାନ ରୋଗ ଏଭଳି ଭୟଙ୍କର ହେଲା ଯେ,ସେ ସକାଳୁ ନିତ୍ୟକର୍ମ ସାରିଲା ପରେ ନେଉଥିଲା ମଦ, ସତେ ଯେମିତି ସକାଳର ପହିଲି ଅମୃତଭୋଜନ।ବୋତଲ ହିଁ ଏତେପ୍ରିୟ ଥିଲା ଯେ ପକେଟରେ,ଫ୍ରିଜରରେ,ଏମିତିକି ଶୋଇଲା ବେଳେ ବି ତା ବିଛଣାରେ ଦେଖିବାକୁ ମିଳୁଥିଲା।ଅନେକ ଲୋକ ବୁଝାଇଛନ୍ତି,ଏତେ ମାଡ଼ ପିଇଲେ ଦିନେ ଏ ମାଡ଼ ବି ତୋତେ ପିଇ ଦେବ।ହେଲେ କାହା କଥା ଶୁଣିଲାଣି ସେ।।ଧୀରେ ଧୀରେ ଶରୀର କ୍ଷୀଣ ହେଲା।ବାରମ୍ବାର ଅସୁସ୍ଥ ହେଲା।ଶେଷରେ ପରୀକ୍ଷା ପରେ ପରୀକ୍ଷା,ଆଜି ଫଳ ମିଳିଲା ତାର ଦୁଇଟିଯାକ କିଡ଼ିନି ଖରାପ।ତୁରନ୍ତ ଗୋଟିଏ ବି କିଡ଼ିନି ଙ ଲଗାଇଲେ ରାଜେଶ ମୃତ୍ୟୁ ବରଣ କରିବ।ଡକ୍ଟର କହିଲେ ଏ କିଡ଼ିନି ନଷ୍ଟ ପାଇଁ କେବଳ ଦାୟୀ ହି ସେ ନିଜେ।ତାଙ୍କ ବାରମ୍ବାର ଅତ୍ୟଧିକ ମଦ୍ୟପାନ।ହେଲେ ସ୍ତ୍ରୀ ଦୁଇ ଝିଅ,ସାଥି,ପିତାମାତା ଓ ଶୁଭାକାଂକ୍ଷୀଙ୍କୁ ଛାଡି ମରିବାକୁ ତାର ଆଦୌ ମନ ନାହିଁ।ସେଥିପାଇଁ ଡାକ୍ତର ଙ୍କୁ ନେହୁରା ହେଉଛି ଓ ଚିତ୍କାର କରି କହୁଛି ମୋତେ ବଞ୍ଚାଇଦିଅ, ମୁଁ ବଞ୍ଚିବାକୁ ଚାହେଁ,ମୁଁ ଆଉ ମଦ ପିଇବି ନାହିଁ। କିଡନୀ ଲଗାଇଲେ ବହୁତ ମୋଟା ଅଙ୍କର ଅର୍ଥ ଦରକାର।ମଦ୍ୟପାନ ନିଶା ଦିନଠାରୁ ସେ କେତେ ବ୍ୟାଯ୍ୟାପ୍ତ ନ କରିଛି।କେମିତି ଭଲ ହେବ,ଏତେ ଟଙ୍କା କିଏ ସେ ଦେବ।ନ ହେଲେ କିଡନୀ କିଏ ବା ଦେବ ଏ ମଦ୍ୟପକୁ।

ହଠାତ୍ ପବନ ବେଗରେ ଛୁଟି ଆସିଲେ ରାଜେଶର ପିତା ନରେଶ ବାବୁ ଓ ମାତା ମାଳତୀ ଦେବୀ।ହୃଦୟ ଫାଟି ଯାଉଥାଏ ତାଙ୍କର।ଯେତେହେଲେ କେତେ ଦିଅଁ ଦେବତା ପୁଜି,ଅସୁବିଧା ସହି ବଡ଼ କରିଛନ୍ତି ବିଚାରକୁ,ଏଇମିତି ଅଦିନ ଝଡରେ ଉଡାଇ ଦିଅନ୍ତେ କିପରି।ଡାକ୍ତରଙ୍କ ସହ କଥା ହୋଇ କିଡନୀ ଦେବାକୁ ପ୍ରସ୍ତୁତ ହେଲେ।ଲଜ୍ଜ୍ଵାରେ ମୁହଁ ତଳକୁ ହେଉଥାଏ ରାଜେଶର।ସେ ଖାଲି ଏତିକି କହୁଥାଏ,ବାପା,ମାଆ,ମୁଁ ଆଉ କେବେ ବି ମଦ ପିଇବି ନାହିଁ।ମୋତେ କ୍ଷମା କରିଦିଅ। କିଡନି ପାଇ ରାଜେଶ ସୁସ୍ଥ ହେଲା,ଖାଲି ବଂଚି ସାଧାରଣ ଜୀବନ ବିତାଇ ନ ଥିଲା ବରଂ ମଦ୍ୟପାନ ବର୍ଜ୍ଜନ କରି ସଭିଙ୍କୁ ସୁସ୍ଥ ଓ ବଞ୍ଚିବାର ମାର୍ଗ ଦର୍ଶାଇଲା।ମଦ ହଟାଅ ଜୀବନ ବଞ୍ଚାଅ ଅଭିଯାନ କରି ସମାଜର ବ୍ୟାଧିକୁ ଦୁରେଇବାରେ ସମର୍ଥ ହେଲା।

ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର

Post a Comment

0 Comments