Ad

header ads

କବିତା - ନଦୀ ବେଗବତୀ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର


କଳ କଳ ନାଦେ
     ଛଳ ଛଳ ହୋଇ
   ଛଇଳା ଛଇଳୀ ନଈ
ଝର ଝର ଝରି
ଝରି ଯାଉଅଛି    କେତେ ଜନପଦ ଛୁଇଁ  ।।
କାଚ କେନ୍ଦୁ ସ୍ଵଚ୍ଛ
ନୀଳ ଜଳରାଶି
   କି ଅବା ନୀଳ ଦର୍ପଣ
ମୃଗାଙ୍କ, ମିହିର
ସେ ନୀଳ ଦର୍ପଣେ   ହେଉଥାନ୍ତି ପ୍ରସାଧନ  ।।
କେତେ ଗିରି,ଦରୀ,
ପ୍ରାନ୍ତର,କାନନ
  କ୍ଷଣେ ନଈ କ୍ଷେପି ଆସେ
ନଦୀ ଧାରେ କେତେ
ରମ୍ୟ ମହୀରୁହ  ଆହା କି ସୁନ୍ଦର ଦିଶେ   ।।
ସାଗରେ ମିଶିବା
ପାଇଁ ନଈ କେତେ
     ଚଳ ଚଞ୍ଚଳ ଗତି
ମହାମିଳନ ର
ଆକୁଳ ଆବେଗେ  ଫୁଲି ଉଠେ ଯଥା ଛାତି   ।।
ନହୁଲୀ କିଶୋରୀ
ଅନୁଢା କୁଆଁରୀ 
   ମିଳନ ପିପାସା ଆଶା
ପୁରଣ ହୁଅଇ
ଯେମିତି ମିଶିଲେ    ଭୁଲିଯାଏ ନିଜ ଭାଷା   ।।
ବେଗବତୀ ନଦୀ
ତେମନ୍ତେ ଆନନ୍ଦେ
      ବହୁଅଛି ନିରନ୍ତର
ନାହିଁ ତ ଶୋଚନା
   ନିଜର ଅସ୍ତିତ୍ଵ   ହଜାଇ ଦେବ ସାଗର   ।।
ଏହି ଏ ସଂସାର
ମିଳନ ଆତୁର
  ଚପଳା ଯେହ୍ନେ ଗଗନେ
ମିଶିଯାଏ କ୍ଷଣେ
ଜୀବ ମିସେ ତଥା  ପୂଣ୍ୟ ନିରାକାର ବ୍ରହ୍ମେ    ।।
ନଦୀ ବେଗବତୀ
ଜୀବର ଜୀବନେ
  ଆଦର୍ଶ ଜୀବନ୍ତ ଭାଷା
ପ୍ରଭାବିତ କରେ
ସଂସାରେ ମଣିଷେ  ଦେଇ ଥାଏ ମହା ଶିକ୍ଷା   ।।

ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା

Post a Comment

0 Comments