Ad

header ads

କବିତା - ମୋ ପରିବାର - ଶିବ ଚରଣ ମହାପାତ୍ର

ଦେଖିନାହିଁ କାହିଁ ଅଦ୍ୱିତୀୟ ସ୍ୱର୍ଗ
ଅବା ଜୀବନ୍ତ ଈଶ୍ୱର
ଏ ମର୍ତ୍ତ୍ୟ ମଣ୍ଡଳେ ଦେଖିଛି ଯେଉଁଠି
ନାଆଁ ତାର ପରିବାର..

ଅହର୍ନିଶି ତହିଁ  ଆଶିଷ ବାରିଧି
ଝର ଝର ଝରୁଥାଏ
ବଳିଆର ଭୁଜ ବଡଭାଇ ପାଖେ
ଭଉଣୀ ସୁଭଦ୍ରା ରହେ..

ପିତାମହ ଭୀଷ୍ମ ବୁଢା ବାପା ମୋର
ବୁଢୀ ମା' ଗପ ମୁଣି
ଯେତେ ବିତରିଲେ ତା କଥା ଗଳପ
ସରେନା ପ୍ରିତି କାହାଣୀ..

ଦେବୀ ପ୍ରତିମା ମା' ସେନେହ ରଙ୍କୁଣି
ଯଶୋଦା ବାଉଳି ସିଏ
ନନ୍ଦ ଗାଁ ନନ୍ଦରାଜା ମୋ  ବାପା
ରହିଥାନ୍ତି ଛାୟା ପ୍ରାୟେ..

ପରିବାର ମୋର ଆଦ୍ୟ ଚାଟଶାଳୀ
ଏନ୍ତୁଡି ଶାଳ ର ନିଆଁ
ତା ଉଷ୍ଣ ପରଶ ନରମ ଶରୀରେ
ସେନେହ ମଳୟ ଛୁଆଁ..

ପରିବାର ମୋର ସଂସ୍କାର ସଂସ୍କୃତି
ଭିତ୍ତିଭୂମି ଜୀବନ ର
ଉଛୁଳା ଇଛା ର ଉଦ୍ଦାମ ଢେଉ କୁ
ବଶ କରେ ସେ ସାଗର..

ପରିବାର ଗାଏ ଅତୀତ ପୁରାଣ
ଇତିହାସ କେତେ କଥା
ରାମାୟଣ ଅବା ମହାଭାରତ ର
କୁରୁକ୍ଷେତ୍ର ଦିବ୍ୟ ଗୀତା..

ମର୍ଯ୍ୟାଦାପୁରୁଷ ପ୍ରଭୁ ରାମଚନ୍ଦ୍ର
ପରିବାର ଖୁସି ପାଇଁ
ନିଜ ସୁଖ ଶାନ୍ତି ଜଳାଞ୍ଜଳି ଦେଇ
ଯାତନା ନେଲେ ମୁଣ୍ଡେଇ..

ଚାହିଁ ଥିଲେ ନିଜ ସ୍ୱାର୍ଥ ଇଛାରେ
ବସିଥାନ୍ତେ ରାଜା ହୋଇ
ରୀତି ପରମ୍ପରା ଇତିହାସ ପୃଷ୍ଠା
କଳଙ୍କିତ କରି ଦେଇ..

ଆତ୍ମସୁଖ କୁ ପଦାଘାତ ମାରି
ଚୌଦ ବର୍ଷ ବନେ ବିହରି
ଅଯୋଧ୍ୟା କଟକେ ଯୁଗ ଯୁଗ ପାଇଁ
ଉଚ୍ଚ କଲେ ଯଶଶିରି..

ସେ ଭାବେ ଆନ ଏକ ପରିବାର କଥା
ଗଲ କି ମନୁ ପାଶୋରୀ
ଅହଂକାରି ମନେ ପରିବାର ଜଳି
ଲିଭିଲା ପାଉଁଶ ପରି..

ସେନେହ ପିରତି ସମ୍ମାନ ଆଦର
ଭୁଲିଯାଇ ନିଜ ମନେ
କୂଟ କପଟେ କୁଟୁମ୍ବ ସ୍ୱଜନ ଙ୍କୁ
ଛାଡିଲା ଘଞ୍ଚ  ଅରଣ୍ୟେ..

ଆତ୍ମଗର୍ବ ର ଚରମ ନିର୍ଣ୍ଣୟ
କୁରୁବଂଶ କଲା ଶେଷ
ପରିବାର ମଧ୍ୟେ କଳହ ସ୍ୱାର୍ଥ
ସମ୍ପର୍କ ରେ ଭରେ ବିଷ..

ପରିବାର ଯେବେ ଥିବ ତୁମ ସାଥେ
ଅଭୟ ପଣତ ପରି
ପ୍ରତାପୀ ରାବଣ କୁମ୍ଭକର୍ଣ ଆଗେ
ଏକ ଭାଇ ପଡିବ ଭାରି..

ପାଞ୍ଚ ଭାଇ ଯେବେ ଏକ ମୁଠି ହେଲେ
ସହସ୍ର ବୀର ଦେଲେ ଟାଳି
ପରିବାର ମଧ୍ୟେ ଏକ ଭୁଲ୍ ପାଇଁ
କୁରୁବଂଶ ଗଲା ଜଳି..

ପରିବାର ଗାଏ ସେନେହ ମୂର୍ଚ୍ଛନା
ପରିବାର ଦିଏ ଶିକ୍ଷା
ପରିବାର କହେ ଜୀବନ ଆଦର୍ଶ
ପରିବାର ଦିଏ ଦୀକ୍ଷା..

ଛୋଟ ପରିବାର ମୋ ଘର ଅଗଣା
ବଡ ପରିବାର ଦେଶ
ଯେବେଳେ ଭାବିବା ସର୍ବେ ପରିଜନ
ହସି ଉଠିବ ଏ ବିଶ୍ୱ...

ଚକ୍ରଧରପୁର, କେନ୍ଦୁଝର

Post a Comment

0 Comments