Ad

header ads

କବିତା - ମୋ ହାତ ଲେଖନୀ - ଶିବ ଚରଣ ମହାପାତ୍ର

ଏକାକୀ ଥିଲା ମୋ
ନିସଙ୍ଗ ଜୀବନ
ବେରଙ୍ଗ ଚାଲିବା ପଥ
ସେ ମଧୁ ଲଗନେ
ଲେଖନୀ ପରଷ
ସାଜିଲା ପରାଣ ମିତ..

କେତେ ମଧୂଭରା
ସେ ପହିଲି ହସ
କେତେ ପ୍ରିତି ଛୁଆଁ ତା'ର
କେତେ ସ୍ନେହବୋଳା
ମାଦକତା ଭରା
ଲେଖନୀ ଅମିୟ ଝର..

ଅଭିମାନେ ଯେବେ
ମିଛରେ ମିଛରେ
ନିଜ ପାଖେ ଯାଏ ରୁଷି
ଭାବନା ସଙ୍ଗତେ
ମୃଦୁ ହାସ୍ୟମୁଖେ
କର ପରେ ଯାଏ ବସି..

କେବେ ସେ ଫୁଲେଇ
କେବେ ସେ ଗେହ୍ଲେଇ
କେବେ ଭାରି କ୍ଷଣକୋପୀ
କେବେ ବଂଶୀ ସ୍ୱନ
ପିରତି ଯମୁନା
କେବେ ରାସରଙ୍ଗ ଗୋପୀ..

କେବେ ଓଠ ଚୁମେ
କେବେ ହୃଦେ ଝୁମେ
ଯାଦୁଗରୀ ଶବ୍ଦ ଛୁଇଁ
କେବେ ଭସାମେଘ
କେବେ ନୀଳ ନଭ
କେବେ ସରସୀ'ର କଇଁ..

ଯେବେ ମୋ ଭାବନା
ଲେଖନୀ ମୁନରେ
ଆସିବାକୁ କରେ ଡେରି
ଭାବ ଭବ ରଙ୍ଗେ
ଲୁହ ଲହୁ ସଙ୍ଗେ
ଟାଣେ ମୋର ହାତଧରି..

ଚିନ୍ତା ଚେତନା ମୋ
ଲେଖନୀ ସଙ୍ଗତେ
ଯଦି ନ ହୁଅନ୍ତି ଠିଆ
ଅନ୍ତରେ ଅନ୍ତରେ
ଅଦୃଶ୍ୟ ଭୀତିରେ
ପ୍ରକମ୍ପିତ ହୁଏ ହିଆ..

ଶିବ ଚରଣ ମହାପାତ୍ର
ଚକ୍ରଧରପୁର, କେନ୍ଦୁଝର

Post a Comment

0 Comments