Ad

header ads

ଅନୁଭୂତି କଥା - ମୋ ଘର - ରଶ୍ମି ରଞ୍ଜନ ନାୟକ

ଆଜି ମଧ୍ୟ ମନେପଡେ ସେଦିନର କଥା ସବୁ, ଆଖି ଆଗରେ ଝଲସୀ ଯାଉଥାଏ ସେ କାହାଣୀ ସବୁ । ପିଲାଦିନେ ଯେଉଁଠି ମୁଁ ପ୍ରଥମ କରି ପାଦ ରଖି ବଢିଥାଏ ସେ ଘର । ଯେଉଁଠି ମୁଁ ଗୁରୁଣ୍ଡି ଗୁରୁଣ୍ଡି ଖେଳୁଥାଏ(ବୋଉ ଯାହା କହେ) । ଏହିପରି ସମୟ ବଦଳେ ଆଉ ସମୟର ପ୍ରକୃତ ରୂପକୁ ବୁଝିବା ପୂର୍ବରୁ ହଠାତ ଆସେ ୧୯୯୯ ମସିହାର ମହାବାତ୍ୟା । ଯେ କି ସେ ପୁରୁଣା ଘରକୁ ଭାଙ୍ଗି ମାଟିରେ ମିଶାଇ ଦେଇଥାଏ । ନା ମୁଁ କିଛି ଅନୁଭବ କରି ପାରେ ନାଁ କିଛି ଅବଶେଷ ଥାଏ ।
ହଠାତ ଜେଜେ ଆସି କିଛି ମାଟି ଚକଟିବାରେ ବ୍ୟସ୍ତ ହୋଇପଡନ୍ତି, ବାପା ମଧ୍ୟ ଛଣ ଏବଂ ବାଉଁଶ ସଂଗ୍ରହ କରି ସେସବୁକୁ ଏକତ୍ରିତ କରୁଥାନ୍ତି । ପ୍ରଶ୍ନ କରେ ଏ ସବୁ କଣ ପାଇଁ ଆଉ ଉତ୍ତର ପାଏ ଯେ ଏକ ନୂଆ ଘର ତିଆରି ହେବ । ଏହା ଶୁଣି ମନରେ ଖେଳିଯାଏ ଆନନ୍ଦ ଓ କୌତୁହଳ।ତେଣୁ ମୁଁ ମଧ୍ୟ କିଛି ଶ୍ରମ ଦେବାକୁ ପଛାଏ ନାହିଁ ଲାଗିପଡ଼େ ଘର ତିଆରି କରିବାକୁ । ଧୀରେ ଧୀରେ ଘର ତିଆରି ଶେଷ ହେବାକୁ ବସିଥାଏ । ଛପର ସରିବା ପରେ ମୁଁ ଦେଖିପାରେ ଏକ ଛୋଟ ଘରକୁ । ଯାହାକୁ ମୁଁ ଏବେବି ମନେରଖିଛି । ମାଟିର ବାସ୍ନା ପରିବାରର ସ୍ନେହରେ ଘରଟି ପୁରିଉଠେ । ଏତେ ଜାକଜମକର ହୋଇନଥାଏ ମାତ୍ର ମୋ ପାଇଁ କେଉଁ ରାଜମହଲ ଠାରୁ କମ ନଥାଏ ।ସେହି ଘରେ ମୁଁ ବଢିବାକୁ ଲାଗେ, ମା ଖାଦ୍ୟ ବନାଇ ଦିଏ ବାପା ଓ ମୁଁ ଏକାଠି ବହୁତ ଆନନ୍ଦରେ ଖାଉ । ରାତ୍ରୀର ଅନ୍ଧାରରେ ଆଲୋକ ନଥାଏ ମାତ୍ର ବାପାଙ୍କ ଗପ ଓ ଏକ ପୁରୁଣା ରେଡ଼ିଓ ବାସ ଘରକୁ ଆହୁରି ସୁନ୍ଦର ରୂପ ଦେଇ ଦିଏ । ରେଡ଼ିଓରୁ ଆସୁଥିବା କୁନି ନାଲି ରଙ୍ଗର ଆଲୋକ ଓ ଶୁଭୁ ଥିବା ଗପ ଶୁଣି ମୁଁ ନିଦରେ ଶୋଇଯାଏ । ଦିନ ଗଡି ଚାଲେ ଓ ମୁଁ ମଧ୍ୟ ବଡ଼ ହେବାକୁ ଲାଗେ । ସେ ଘର ସହ ମୋର ସମ୍ପର୍କ ବଢିବାକୁ ଲାଗେ । ସେ ମାଣବସାର ଚିତା ହେଉ ବା ଗୋବରରେ ଲିପା ସେ କାନ୍ଥ ହେଉ ସବୁକିଛି ମନରେ ସାଇତି ହୋଇ ରହିଯାଇଥାଏ । କିନ୍ତୁ ବଦଳିଯାଏ ସମୟ ମୁଁ କିଛି ବୁଝିବା ଆଗରୁ ପୁଣି ଆସେ ଏକ ବନ୍ୟା ଯାହାକି ମାତ୍ର କିଛି ମୁହୂର୍ତ୍ତରେ ପୁଣି ଭାଙ୍ଗି ଦିଏ ମୋ ସେ ସ୍ୱପ୍ନର ଘରଟିକୁ । ଆଉ ମୁଁ ହୋଇଯାଏ ନିରବ ନିସ୍ତେଜ । ଆଉ ସେ ଘର ମୋର ଏବେବି ମନେପଡେ ଓ ମୁଁ ଏବେବି ତାକୁ ଝୁରେ ।


Writer's Details: ରଶ୍ମି ରଞ୍ଜନ ନାୟକ
Content Category:
Submission Date: Nov 13, 2019

Post a Comment

0 Comments