Ad

header ads

ପୁରାଣ କଥା - ମଣିଷ କାହିଁକି ପାପ କରେ - ନରେନ୍ଦ୍ର ପ୍ରସାଦ ବେହେରା

ଥରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କ ସହିତ ଏକାନ୍ତରେ ବସିଥା'ନ୍ତି । ଦୁହିଁଙ୍କ ମଧ୍ଯରେ ଧର୍ମ ଚର୍ଚ୍ଚା ହେଉଥାଏ । ଶ୍ରେଷ୍ଠ ଧନୁର୍ଧାରୀ ଅର୍ଜୁନ ପ୍ରଶ୍ନ କଲେ--ଭଗବାନ ! କେହି ବ୍ଯକ୍ତି ପାପ କରିବାକୁ ଚାହିଁ ନଥାଏ । ପ୍ରତ୍ୟେକ ବ୍ଯକ୍ତି ଧର୍ମ ଚର୍ଚ୍ଚା କରିବାକୁ ଚାହିଁଥାଏ । ଏପରି ସ୍ଥିତିରେ କେଉଁ କାରଣରୁ ମନୁଷ୍ୟ ପାପ କର୍ମରେ ଲିପ୍ତ ହୋଇଥାଏ କିମ୍ବା କରିଥାଏ । କିଏ ତା'କୁ ସେପରି ପାପ କରିବା ଲାଗି ପ୍ରେରିତ କରେ ? ଭଗବାନ ଶ୍ରୀକୃଷ୍ଣ କହିଲେ, ହେ ପାର୍ଥ  ! କାମ,କ୍ରୋଧ, ଲୋଭ ଏବଂ ବିଷୟଜନିତ ଶତ୍ରୁ ମଣିଷକୁ ପାପ ମଧ୍ଯକୁ ଠେଲି ଦେଇଥାଏ । କାମନାର ଆବେଗ କାରଣରୁ ମନୁଷ୍ୟର ଆଚରଣ ଭ୍ରଷ୍ଟ ହୋଇଯାଏ । କ୍ରୋଧ ଏବଂ ଲୋଭ ତା'ର ଭୁଲ୍ ଉପରେ ପରଦା ପକାଇ ବିଚଳିତ କରିଦେଇଥାଏ । ଲୋଭ ଏବଂ କ୍ରୋଧ କାରଣରୁ ମାନବ ଧର୍ମ--ଅଧର୍ମ ମଧ୍ଯରେ ପ୍ରଭେଦ କ'ଣ ଜାଣିପାରେ ନାହିଁ । ଏହି ଦୁର୍ଗୁଣରେ ଗ୍ରସ୍ତ ହୋଇ ମନୁଷ୍ୟ ଏହା ବୁଝିପାରିନଥାଏ ଯେ ସେ ପାପ କରୁଛି । ଏହି ଭୟାନକ ଦୁର୍ଗୁଣ କାରଣରୁ ତା'ଠାରେ ମୂଢତା ଉତ୍ପନ ହୋଇ ଥାଏ । ଏହି ମୂଢତା କାରଣରୁ ସବୁକିଛି ଜାଣୁଥିଲେ ବି ସେ କିଛି ଜାଣିପାରିନଥାଏ । ସବୁକିଛି ଦେଖୁଥିଲେ ବି କିଛି ଦେଖିପାରେ ନାହିଁ । ତା' ଭିତରେ ଭଲ ଏବଂ ମନ୍ଦର , ଧର୍ମ ଏବଂ ଅଧର୍ମର ବିବେକ ଏବଂ ବିଚାର କରିବାର  ଶକ୍ତି ଶେଷ ହୋଇଯାଏ । ଏହା ହିଁ ପତନର କାରଣ ଅଟେ । ଶ୍ରୀକୃଷ୍ଣ କିଛି କ୍ଷଣ ରହିବା ପରେ ପୁଣି କହିଲେ ଯେ ହେ ସଖା ଅର୍ଜୁନ ! ଆମ ଇନ୍ଦ୍ରିୟ ଗୁଡିକ ହେଉଛି ଆମର ସବୁଠୁ ବଡ଼ ଶତ୍ରୁ । ଧର୍ମ ଆଚରଣ ପୂର୍ବକ ଜୀବନ ଜିଇଁବାର ଦୃଢ଼ ସଂକଳ୍ପ ନେଉଥିବା,ସଂଯମ ଏବଂ ସଦାଚାରକୁ ଦୃଢ଼ଭାବେ ପାଳନ କରୁଥିବା , ପ୍ରତିଟି ପାଦରେ ସତର୍କ ରହୁଥିବା, ଇନ୍ଦ୍ରିୟ ଉପରେ ନିୟନ୍ତ୍ରଣ ରଖିବା ପାଇଁ ଅଭ୍ଯାସ କରୁଥିବା ଲୋକ ହିଁ ସବୁପ୍ରକାରର ଅଧର୍ମରୁ , ପାପ କର୍ମ ଠାରୁ ବର୍ତ୍ତି ପାରିଥାଏ । ସେଥିପାଇଁ ଧର୍ମ ଶାସ୍ତ୍ରରେ ସଂଯମର ମହତ୍ବ ବ୍ଯକ୍ତ କରାଯାଇଛି । କାମ,କ୍ରୋଧ ଓ ଲୋଭ ଆଦିରୁ ମୁକ୍ତ ରହିବା ହିଁ ଶ୍ରେଷ୍ଠ ସଂଯମ ବୋଲି କୁହାଯାଇଛି । ଏହିପରି ଅର୍ଜୁନଙ୍କ ଜିଜ୍ଞାସାର ସମାଧାନ କରି ଭଗବାନ ଶ୍ରୀକୃଷ୍ଣ ତାଙ୍କୁ ଧନ୍ଯ କରିଥିଲେ ।

ସଂଗ୍ରହକାରୀ - ନରେନ୍ଦ୍ର ପ୍ରସାଦ ବେହେରା,
ଆଳଦା, ଖଇରା, ବାଲେଶ୍ବର, ମୋ-୯୮୫୩୧୪୨୫୧୦

Post a Comment

0 Comments