Ad

header ads

ପୁରାଣ କଥା - ମହର୍ଷି ବିଶ୍ଵାମିତ୍ରଙ୍କ ସ୍ଵର୍ଗ ନିର୍ମାଣ - ନରେନ୍ଦ୍ର ପ୍ରସାଦ ବେହେରା

        ଶ୍ରୀମଦଭଗବତଗୀତା ଏବଂ ରାମାୟଣର ବାଲ୍ଯକାଣ୍ଡରେ ରାଜା ତ୍ରିଶଙ୍କୁଙ୍କ କଥା ବର୍ଣ୍ଣନା କରାଯାଇଛି । ତ୍ରିଶଙ୍କୁଙ୍କ ପ୍ରକୃତ ନାମ ଥିଲା ସତ୍ଯବ୍ରତ । ସେ ସୂର୍ଯ୍ୟବଂଶୀ ତଥା ଶ୍ରୀରାମଚନ୍ଦ୍ରଙ୍କ ପୂର୍ବଜ ଥିଲେ । ତାଙ୍କ ପିତା ଥିଲେ ପୃଥୁ । ଅନେକ ବର୍ଷ ଅଯୋଧ୍ୟାରେ ଶାସନ କରିବା ପରେ ରାଜା ସତ୍ଯବ୍ରତ ନିଜ ପୁତ୍ର ହରିଶ୍ଚନ୍ଦ୍ରଙ୍କୁ ରାଜ୍ୟଭାର ଅର୍ପଣ କଲେ । ଆଜୀବନ ଧର୍ମ ଆଚରଣ କରିଥିବା ହେତୁ ରାଜା ସତ୍ଯବ୍ରତ ମୃତ୍ୟୁ ପରେ ସ୍ବର୍ଗ ପ୍ରାପ୍ତି କରିଥାନ୍ତେ । ହେଲେ ସଶରୀରେ ସ୍ବର୍ଗ ଗମନ ଲାଗି ତାଙ୍କର ଇଚ୍ଛା ଥିଲା । ତେଣୁ ସେ ମହର୍ଷି ବଶିଷ୍ଠଙ୍କ ଶରଣାପନ୍ନ ହୋଇ ନିଜର ଇଚ୍ଛାବ୍ଯକ୍ତ କଲେ । ଋଷିବର ! ଆପଣ ଯଜ୍ଞ କରନ୍ତୁ । ସେହି ଯଜ୍ଞ ଫଳରେ ମୁଁ ସଶରୀରେ ସ୍ବର୍ଗାରୋହଣ କରିବି । ବଶିଷ୍ଠ କହିଲେ, ମନୁଷ୍ୟ ମୃତ୍ୟୁ ପରେ ସ୍ବର୍ଗ ପ୍ରାପ୍ତି କରିବା ଅସମ୍ଭବ ।
      ଏହା ଈଶ୍ୱର ତଥା ପ୍ରକୃତି ବିରୋଧୀ କାର୍ଯ୍ୟ ହେବ । ବଶିଷ୍ଠଙ୍କ ଠାରୁ ନିରାଶ ହୋଇ ରାଜା ସତ୍ଯବ୍ରତ ଫେରିଆସିଲେ । ଏହାପରେ ବଶିଷ୍ଠଙ୍କ ପୁତ୍ର ଶକ୍ତିଙ୍କ ନିକଟକୁ ରାଜା ଗଲେ । ମାତ୍ର ଶକ୍ତି ଯେତେବେଳେ ଜାଣିଲେ ଯେ ତାଙ୍କ ପିତାଙ୍କ ଠାରୁ ନିରାଶ ହୋଇ ସତ୍ଯବ୍ରତ ତାଙ୍କ ପାଖକୁ ଆସିଛନ୍ତି ଏବଂ ସେ ପିତା--ପୁତ୍ରଙ୍କ ମଧ୍ୟରେ ଶତ୍ରୁତା ସୃଷ୍ଟି କରିବା ଲାଗି ଚାହୁଁଛନ୍ତି ,ତେଣୁ ସେ ରାଜା ସତ୍ଯବ୍ରତଙ୍କୁ ଅଭିଶାପ ଦେଲେ । ଅଭିଶାପ ବଳରେ ରାଜା ସତ୍ଯବ୍ରତ ନିଜ ପୂଣ୍ଯବଳ ହରାଇଲେ । ତାଙ୍କ ଶରୀର କ୍ଷୀଣ ତଥା ବିକୃତ ହୋଇଗଲା ଏବଂ ତାଙ୍କୁ ରାଜ୍ୟ ଛାଡି ଜଙ୍ଗଲକୁ ଚାଲିଯିବାକୁ ହେଲା । ଜଙ୍ଗଲରେ ବୁଲୁ ବୁଲୁ ଦିନେ ସତ୍ଯବ୍ରତ ମହର୍ଷି ବିଶ୍ବାମିତ୍ରଙ୍କୁ ଭେଟିଲେ । ବିଶ୍ଵାମିତ୍ରଙ୍କୁ ନିଜର ଇଚ୍ଛା ଜଣାଇଲେ । ସେତେବେଳେ ଋଷି ବିଶ୍ବାମିତ୍ର ଏବଂ ଋଷି ବଶିଷ୍ଠଙ୍କ ମଧ୍ୟରେ ଶତ୍ରୁତା ଥିଲା । ତେଣୁ ବଶିଷ୍ଠଙ୍କ ପାଖରୁ ନିରାଶରେ ଫେରି ଆସିଥିବା ସତ୍ଯବ୍ରତଙ୍କୁ ସଶରୀରେ ସ୍ବର୍ଗ ପଠାଇବା ଲାଗି ବିଶ୍ଵାମିତ୍ର ଯଜ୍ଞ ଆୟୋଜନ କଲେ । ଯଜ୍ଞର ପ୍ରଭାବରେ ରାଜା ସତ୍ଯବ୍ରତ ଧୀରେ ଧୀରେ ସ୍ବର୍ଗ ଅଭିମୁଖେ ଚାଲିଲେ । ମାତ୍ର ସ୍ବର୍ଗ ଦ୍ବାରରେ ପହଞ୍ଚିବା ପରେ ଦେବତାମାନେ ଏହି ପ୍ରକୃତି ବିରୋଧୀ କାର୍ଯ୍ୟ ସମ୍ପର୍କରେ ସଜାଗ ହୋଇଗଲେ । ସେମାନେ ସତ୍ଯବ୍ରତଙ୍କୁ ସ୍ବର୍ଗରେ ପ୍ରବେଶ କରାଇ ଦେଲେ ନାହିଁ ଏବଂ ଦ୍ବାରରୁ ହିଁ ଫେରାଇଦେଲେ । ଅନ୍ୟ ଉପାୟ ନପାଇ ରାଜା ସତ୍ଯବ୍ରତ ପୁଣିଥରେ ପୃଥିବୀ ଅଭିମୁଖେ ଫେରିଲେ । ବିଶ୍ଵାମିତ୍ର ଏହା ଜାଣିପାରି ପୁଣିଥରେ ସତ୍ଯବ୍ରତଙ୍କୁ ସ୍ବର୍ଗ ଅଭିମୁଖେ ପଠାଇଲେ । ଦେବତାମାନେ ପୁଣିଥରେ ରାଜାଙ୍କୁ ପୃଥିବୀ ଆଡକୁ ଫେରାଇ ଦେଲେ । ଏପରି ଅନେକ ସମୟ ପର୍ଯ୍ୟନ୍ତ ଚାଲିଲା । ସତ୍ଯବ୍ରତ ସ୍ବର୍ଗ ଏବଂ ମର୍ତ୍ତ୍ଯ ମଝିରେ ଝୁଲନ୍ତା ଅବସ୍ଥାରେ ରହିଗଲେ  ।
     ମହର୍ଷି ବିଶ୍ବାମିତ୍ର ଏହାଦେଖି ଦେବତାମାନଙ୍କ ଉପରେ କୋପ କଲେ । ସତ୍ଯବ୍ରତ ଯେଉଁ ସ୍ଥାନରେ ଥିଲେ, ବିଶ୍ଵାମିତ୍ର ନିଜ ତପଶକ୍ତି ବଳରେ ସେଠାରେ ସ୍ବର୍ଗ ଭଳି ଆଉ ଏକ ସ୍ବର୍ଗ ନିର୍ମାଣ କରାଇଲେ । ତାଙ୍କର ସ୍ବର୍ଗ ଆକାଶର ଦକ୍ଷିଣ ଭାଗରେ ଥିଲା । ସେହି ସ୍ବର୍ଗର ରାଜା ଭାବେ ସତ୍ଯବ୍ରତଙ୍କୁ ନିଯୁକ୍ତ କଲେ ମହର୍ଷି ବିଶ୍ଵାମିତ୍ର । ଏହାଦେଖି ଦେବତାମାନଙ୍କ ମଧ୍ୟରେ ଭାଳେଣି ପଡିଗଲା । ସେମାନେ ମର୍ତ୍ତ୍ଯ ଆସି ଋଷି ବିଶ୍ଵାମିତ୍ରଙ୍କ ଶରଣାପନ୍ନ ହେଲେ । ଆଉ ଏକ ସ୍ବର୍ଗ ସୃଷ୍ଟି କରି ପ୍ରକୃତି ବିରୋଧୀ କାର୍ଯ୍ୟ ନକରିବା ଲାଗି ଅନୁରୋଧ କଲେ । ଦେବତାମାନଙ୍କ ଅନୁରୋଧ ରକ୍ଷା କରି ବିଶ୍ଵାମିତ୍ରଙ୍କ ହୃଦୟ ପରିବର୍ତ୍ତନ ହେଲା । ହେଲେ ସତ୍ଯବ୍ରତଙ୍କୁ ସ୍ବର୍ଗ ପଠାଇବା ଲାଗି ସେ ବଚନ ଦେଇସାରିଥିଲେ । ତେଣୁ ଦେବତାମାନଙ୍କୁ ଆଶ୍ବାସନା ଦେଇ ବିଶ୍ଵାମିତ୍ର କହିଲେ ଯେ ଆଜିଠାରୁ ସତ୍ଯବ୍ରତ " ତ୍ରିଶଙ୍କୁ " (ଲକ୍ଷ ଏବଂ ବର୍ତ୍ତମାନ ସ୍ଥିତି ମଧ୍ଯରେ ଝୁଲିରହିବା) ନାମରେ ପରିଚିତ ହେବେ । ତାଙ୍କର ସ୍ବର୍ଗ " ତ୍ରିଶଙ୍କୁଙ୍କ ସ୍ବର୍ଗ " ନାମରେ ଖ୍ୟାତ ହେଵ । ସେ କେବେହେଲେ ଦେବରାଜ ଇନ୍ଦ୍ରଙ୍କ ଉପରେ ଆଧିପତ୍ୟ ବିସ୍ତାର କରିପାରିବେ ନାହିଁ । ତ୍ରିଶଙ୍କୁଙ୍କ ସ୍ବର୍ଗ ଯେପରି ଦେବତାମାନଙ୍କ ସ୍ବର୍ଗ ଠାରୁ ଅଧିକ ପ୍ରଭାବୀ ନହେବ,ତାହା ସୁନିଶ୍ଚିତ କରିବା ଲାଗି ରାଜା ସତ୍ଯବ୍ରତ(ତ୍ରିଶଙ୍କୁ) ତାଙ୍କ ସ୍ବର୍ଗରେ ମୁଣ୍ଡ ତଳକୁ ଗୋଡ ଉପରକୁ (ଝୁଲନ୍ତା) ଅବସ୍ଥାରେ ରହିବେ ବୋଲି ଋଷି ବିଶ୍ବାମିତ୍ର ଆଦେଶ ଦେଇଥିଲେ ।
      ଭାରତୀୟ ସମାଜରେ ଅଧିକାଂଶ କ୍ଷେତ୍ରରେ ତ୍ରିଶଙ୍କୁଙ୍କ ଉଦାହରଣ ଦିଆଯାଇଥାଏ । ମନୁଷ୍ୟ ନିଜର ବର୍ତ୍ତମାନ ସ୍ଥିତି ଏବଂ ଲକ୍ଷ୍ୟ ପ୍ରାପ୍ତିର ମାର୍ଗରେ ଫସିଗଲେ କିମ୍ବା ଆଗକୁ ବଢିନପାରିଲେ ସେ " ତ୍ରିଶଙ୍କୁ ଅବସ୍ଥା " ରେ ରହିଛି ବୋଲି ଆକ୍ଷେପ କରାଯାଇଥାଏ । ତ୍ରିଶଙ୍କୁଙ୍କ ଜୀବନରୁ ଗୋଟିଏ ଶିକ୍ଷା ମିଳିଥାଏ --କୌଣସି ଲକ୍ଷ୍ୟ ପ୍ରାପ୍ତି ଦିଗରେ ଅଗ୍ରସର ହେବା ସମୟରେ ଦୂରଦୃଷ୍ଟି ରହିବା ଆବଶ୍ୟକ । ପ୍ରକୃତି କାର୍ଯ୍ୟ ଦ୍ବାରା ଲକ୍ଷ୍ୟ ପ୍ରାପ୍ତି ପାଇଁ ପ୍ରୟାସ କରାଗଲେ ତ୍ରିଶଙ୍କୁଙ୍କ ଭଳି ମଝି ବାଟରେ ଝୁଲି ରହିବାକୁ ହୋଇଥାଏ ।

ସଂଗ୍ରାହକ -ନରେନ୍ଦ୍ର ପ୍ରସାଦ ବେହେରା
ଆଳଦା, ଖଇରା, ବାଲେଶ୍ବର, ମୋ--୯୮୫୩୧୪୨୫୧୦

Post a Comment

0 Comments