Ad

header ads

କବିତା - ମଧୁମିଳନ - ଶିବ ଚରଣ ମହାପାତ୍ର

ରାଗ-ଚୋଖି

ନିଶାର୍ଦ୍ଧ ଘନ ଅନ୍ଧାରେ    ଶୀତଳ ରେଶମୀ ଡୋରେ
            ଅପରୂପ ଦ୍ୱିଜରାଜ ଜଳାଏ ତନୁ
ସୁକୁମାରୀ କୁମୁଦିନୀ    ହୋଇଣ ପ୍ରେମ  ବାୟାଣୀ
             ସଲିଳ ପୂତ ସମ୍ପର୍କ ଭୁଲିଲା ମନୁ..
             ସଙ୍ଗମ ପିପାସା ମଞ୍ଜୁଳ
       ରାଜଜେମା ପ୍ରିତିସୁଧା ପାଇଁ ବ୍ୟାକୁଳ..

ଦେଖିଣ ହସେ ଶଶାଙ୍କ    ଅମ୍ବର ବକ୍ଷେ ଚମକ
            ପୁଲକିତ କରେ ଭୂମା ଭୂମି ବଖରା
ସୁଷମା ସୁନ୍ଦରୀ ନାରୀ    ନୀଳ କଇଁ ଅପସରୀ
             ସରସୀ ନୀରେ ନାଚଇ ଖୋଲି ଗଜରା..
             ଆହା କି ଅପୂର୍ବ ସୌନ୍ଦର୍ଯ୍ୟ
      ଯୋଜନ ଦୂର ପ୍ରଣୟ କେଡେ ମାଧୁର୍ଯ୍ୟ..

ପ୍ରାଣବଲ୍ଲଭ ଏ କ୍ଷଣ     ସ୍ୱପଥେ ପକାଅ ରାଣ
             ଶୃଙ୍ଗାର ସରିନି ଅଛି ଅଧା ଅଧୂରା
ସମାକୁଳ ମନ ନେଇ    ରଜନୀ ଯାଉଛି ପାହି
             ଉପହାସେ ହସୁଛନ୍ତି ପାହାନ୍ତି ତାରା..
             ଝଲସି ଉଠେ ଏ ସଲିଳ
       ଅଭିମାନେ ଜଳିଯାଏ ବପୁ ସକଳ..

ଶ୍ରୀ ଅଙ୍ଗୀ ବର ବରଣା   ମାନସ ପଟ୍ଟ କଳ୍ପନା
             ପ୍ରଣୟିନୀ ବୁଝେନା ଦୂରତା ସାନ୍ଦ୍ରତା
ଗୋପନେ ଗୋପନ ରତି    ମହକ ମହକେ ରାତି
              ପ୍ରିତି ରଶେ ନିଶାଗ୍ରସ୍ତ ନିଶି ଗାଢତା..
             ଚକିତ ଚାହିଁ ସେ ଚାନ୍ଦିନୀ
         ପ୍ରଣୟ ମଧୁମିଳନ ସହି ପାରେନି..

ଅଳ୍ପାୟୁଷ ପ୍ରେମ କଥା    ପ୍ରାଣେ ଭରେ ଯେତେ ବ୍ୟଥା
              ବିଧାତା ଏଡେ ଦାରୁଣ ଲେଖେ ବିଧାନ
ବିରହ ଜ୍ୱଳନ ନିଆଁ     ଅନ୍ତିମ ପ୍ରହରେ ଠିଆ
              ସିନ୍ଦୁରା ଫାଟେ ପୁରୁବ ଦିଗେ ତପନ..
             କହେ ଜହ୍ନ କଇଁ କୁ ଚାହିଁ
       ପ୍ରଣୟ ଏ ଜନ୍ମେ ଗଲା ଅଧୂରା ରହି..


ଚକ୍ରଧରପୁର, କେନ୍ଦୁଝର

Post a Comment

0 Comments