Ad

header ads

କବିତା - ମାଆକୁ ପାଇଲି ନାହିଁ - ନରେନ୍ଦ୍ର ପ୍ରସାଦ ଵେହେରା

ମାଆ ମାଆ ବୋଲି କେତେ ମୁଁ ଡାକିଲି
ମାଆକୁ ପାଇଲି ନାହିଁ
ମାଆର ମମତା ଭୁଲି ମୁଁ ପାରୁନି
କେମିତି କହିବି ମୁହିଁ ।

ମାତା ଗର୍ଭଧାରୀ କେତେ କଷ୍ଟ ସହି
ଦୁନିଆକୁ ଆଣିଥିଲା
ବୁଝିଲୁ ନାହିଁ ତୁ ମାଆର ବେଦନା
ସେଦିନ ପ୍ରଳୟ ଥିଲା ।

ତର୍ତୁଦିଗେ ହେଲା ଜଳମୟ ପ୍ରଭୁ
ଡାକିଲା ମାଆ ହେ ରଖ
ପୁତ୍ରହରା ଯେବେ ହୋଇଲା ମୋ ମାଆ
ରହିଗଲା ତା'ର ଦୁଃଖ ।

ମାଆ କୋଳେ ଥିଲି ଏକଇ କୁମର
କାହିଁକି କଲୁ ତୁ ପର
କି ଦୋଷ କରିଲା ମାଆଯେ ମୋହର
କରିଲୁନି ତ ନିଜର ।

କନ୍ଦାଇ ମାରିଲୁ ମାଆକୁ ମୋହର
ବୋହୁଛି ଲୋତକଧାର
ସେ ଲୋତକଧାର ଗଡିଗଡି ଆଜି
ହୋଇଅଛି ସାତପର ।

ମାଆ କୋଳ ଖାଲି କରିଣ କାଳିଆ
କେଉଁ ଯଶ ତୁ ରଖିଲୁ
ରକ୍ଷାକର୍ତ୍ତା ବୋଲି ନାମ ବୋଲାଉଛୁ
ସେଦିନ କେଉଁଠି ଥିଲୁ ।

ଯଦି ରଖିଥାନ୍ତୁ ମାଆ କୋଳେ ମୋତେ
ଥାଆନ୍ତା ନାମ ଜଗତେ
ନରଖିଲୁ ମୋତେ ମାଆର କୋଳରେ
ମା' ବୋଲି ଡାକିଲି ଯେତେ ।

ଆଜି ତୁ କହୁଛୁ ଜଗତ ଠାକୁର
ଗର୍ବକୁ ଦେଇ ବଢାଇ
ମହାବାତ୍ୟା ବେଳେ କେଉଁଠି ଥିଲୁତୁ
ନେଲୁନି ବାଟ କଢାଇ ।

କେତେ ପିତାମାତା କୋଳ କଲୁ ଖାଲି
ପୁଛିଲୁ ମଥା ସିନ୍ଦୂର
ଭାଇ ଭଉଣୀର ସ୍ନେହ ମମତାକୁ
ଭାଙ୍ଗିଲୁ ନିଜ ହାତର ।

ଆଜି ଭୟ ଲାଗେ ନିଜ ଜୀବନକୁ
ସଙ୍ଗରେ ଭଉଣୀଭାଇ
ବିତିଗଲା ଆଜି କୋଡିଏ ବରଷ
ଦେଲୁନି ଥରେ ବୁଝାଇ ।

ପ୍ରଭୁ ପଣିଆ ତ ଜଣା ପଡିଗଲା
କରୁଛି ଧିକ୍କାର ତୋତେ
ନ ଡାକନ୍ତୁ କେହି ରକ୍ଷା କର ବୋଲି
ନାମ ବୁଡୁ ଏ ଜଗତେ ।

କାଳିଆ କାଳିଆ ନ ପଡୁ ଯେ ହୁରି
ନ ଲାଗୁ ଦାଣ୍ଡେ ଗହଳି
ତୋପରି ଠାକୁର ରହିଲେ ଜଗତେ
ମରିବେ ଭଳିକି ଭଳି ।

କାନ୍ଦି କାନ୍ଦି ଆଜି ଆକୁଳେ ଚାହିଁଛି
ଦିବସ ରଜନୀ ଯହିଁ
ମାଆ ମାଆ ବୋଲି କେତେ ମୁଁ ଡାକିଲି
ମାଆକୁ ପାଇଲି ନାହିଁ ।


ରଚନା : ନରେନ୍ଦ୍ର ପ୍ରସାଦ ଵେହେରା

ଠିକଣା : ଆଳଦା, ଖଇରା,ବାଲେଶ୍ବର ଦୂରଭାଷ : ୯୮୫୩୧୪୨୫୧୦

Post a Comment

0 Comments