Ad

header ads

କବିତା - କାହିଁକି ପୂଜିବି ଦେଉଳେ ମୁଁ ଯାଇ - ପ୍ରଣତି ମହାପାତ୍ର

କାହିଁକି ପୂଜିବି ଦେଉଳେ ମୁଁ ଯାଇ
ଲୋକ ଦେଖାଣିଆ ଭକତ ହୋଇ,
କାହିଁକି ସେବିବି ବହୁରୂପୀଙ୍କୁ ମୁଁ
ଠାକୁର ଆସନେ ବସାଇ।
ଅନ୍ତର ଯଦି ମୋ ଦୁଃଖି ଦୁଃଖ ଦେଖି
ବିଦୃପ କରଇ ରହି ରହି,
ଭୋକିଶୋଷି ମୁଖେ ଗୁଣ୍ଡେ ଦାନା
ମୁନ୍ଦେ ପାଣି ନ ଦେଇ ପାରଇ।
କି ଲାଭ କୁହ ହୋ ଭାଇ,
ନଡ଼ିଆ କଦଳୀ ଫଳଫୁଲ ନେଇ
କାହିଁକି ପୂଜିବି ମନ୍ଦିରେ ଯାଇ।

ଲକ୍ଷ୍ମୀ, ଦୁର୍ଗା, କାଳୀ ସରସ୍ଵତୀ ପୂଜି
ନିଜକୁ ବୋଲାଏ ମହା ପଣ୍ଡିତ,
ନାରୀ ନିର୍ଯ୍ୟାତନା,ଦୁଷ୍କର୍ମରେ ନାରୀ
 ରୂପମୋହେ ଆତ୍ମା ମୋ କଳୁଷିତ।
ନାରୀ ଜାତି ପାଇଁ ଶ୍ରଦ୍ଧା ଭକ୍ତି ନାହିଁ
ହେଲେ ମୁଁ ଶକ୍ତି ଉପାସକ।
କନ୍ୟା ଭୃଣହତ୍ୟା ଜାଣିଶୁଣି କରେ
ଏଠି ମାଆ ଯେ ନିଷ୍ପେସିତ।
ଲୋକ ଦେଖାଣିଆ ଲାଳସା ପୂରଣେ
ସ୍ଵାର୍ଥେ ବଶହୋଇ ମନ୍ଦିରେ ଯାଇ,
ବିରାଡ଼ି ବୈଷ୍ଣବ ରୂପ ନେଇ ।
କାହିଁକି ପୂଜିବି ମନ୍ଦିରେ ଯାଇ।

ମଣିଷର ଭାବ ଅଭାବ ଦୁଃଖ ମୁଁ
ବୁଝି ପାରୁଥିବି ଯଦି,
ଯାତନା, କଷ୍ଟକୁ ହୃଦୟରେ ବୁଝି
ଘୁଞ୍ଚେଇ ଦେବି ମୁଁ ଯଦି,
ସତ୍ୟ,ଧର୍ମ, ନ୍ୟାୟ ,ଦୟା ଅଳଙ୍କାର
ଭୂଷଣେ ହୋଇ ଭୂଷିତ,
ଆନ ହୃଦୟକୁ ସସମ୍ମାନେ ଚିନ୍ତି
କରୁଥିବି ମଥାନତ।
ମଣିଷ ମନର ମଣିଷ ପଣିଆ 
ମଣିଷ ଯଦି ମାରଇ,
କାହିଁକି ପୂଜିବି ଦେଉଳେ ମୁଁ ଯାଇ
ଲୋକ ଦେଖାଣିଆ ଭକତ ହୋଇ।


ପ୍ରଣତି ମହାପାତ୍ର
ବାଲେଶ୍ଵର

Post a Comment

0 Comments