Ad

header ads

ବ୍ୟଙ୍ଗ କବିତା - ଜାତନାର ଶେଷ କାହିଁ - ହାସ୍ୟମୟୀ ରାଜ୍


ବାକି ଅଛି ଆଉ ଦୁଇଦିନ ମାତ୍ର
ଆସିବ କାର୍ତ୍ତିକ ମାସ
ମିଷ୍ଟର ଭାବିଲେ ଆଉତ ହେବନି
ଟେଷ୍ଟି ଟେଷ୍ଟି ମାଂସ ।
ସନ୍ଧ୍ୟାରେ ବ୍ଯାଗରେ ତିନି କିଲୋ ବାଲା
ଦେଶୀ କୁକୁଡାଟେ ଆଣି
ଦୁଆର ମୁହଁରୁ ଡାକଯେ ଛାଡିଲେ
ହେଇଟି ହେ ଶୁଣିଲଣି ।
ପରିବା ବ୍ଯାଗଟା ଭାବି ଧାଇଁଗଲି
ହାତରୁ ଆଣିବା ପାଇଁ
ଚିଆଁଉ ଚିଆଁଉ ଶବଦ ଶୁଭିଲା
ଆଶ୍ଚର୍ଯ୍ୟ ହୋଇଲି ମୁହିଁ ।
କହିଲେ ଦେଖହେ ଦେଶୀ କୁକୁଡାଟେ
ଆଣିଛି ରାନ୍ଧିବା ପାଇଁ
କାର୍ତ୍ତିକ ମାସଟା ଆସିଯିବ ଯେବେ
ଆଉ ଖାଇହେବ ନାହିଁ ।
ମୁଁହଟା ମୋହର ଆମ୍ବିଳା ଦେଖିକି
ବାପ ପୁଅ ହେଲେ ଖପା
ଜୀବନ୍ତ କୁକୁଡା ଆଉ ଆଣିବନି
ମନା କଲି ସଫା ସଫା ।
ଚିତ୍କାର ତା'ର ମୁଁ ଶୁଣିପାରୁ ନାହିଁ
ଏଡିକି ନିର୍ଦ୍ଦୟ ତୁମେ
ବୟସ ଯେ ପୁଣି ବଢି ବଢି ଯାଏ
କାହିଁକି ପଡୁଛ ଭ୍ରମେ ?
ମିଷ୍ଟର କହିଲେ ମୁରୁକି ହସିକି
ଏ ପରା ଆମର ଖାଦ୍ୟ
ରଖ ହେ ତୁମର ଭାଷଣ ବାଜିକି
ଆଉ ବଜାଅନି ବାଦ୍ଯ ।
ପିତ ଚଢିଗଲା ମୁଣ୍ଡକୁ ଯେ ମୋର
କହିଲି ଅଜବ ଲୋକ
ଚିତ୍କାର ଯେମିତି କାନକୁ ନଶୁଭେ
ମୋଡିଲେ ତାହାର ବେକ ।
ଗାଆଁ ପିଲା ଏକ ଡାକିକି ଆଣିଲେ
ମୋଡିବାକୁ ତାର ବେକ
ବାଡିପଟେ ନେଇ ଯତନ କରିଲେ
ମାଡିଲିନି ମୁ ଯେ ପାଖ ।
ରାନ୍ଧିବା ଡ୍ଯୁଟି ନଥାଏ ମୋ'ର
ଯୌଥ ଆମ ପରିବାର
ସାନ ଯାଆଟି ମୋ ଚିକେନ୍ ରନ୍ଧାରେ
ଅଟଇ ଯେ ଧୁରନ୍ଧର ।
ଚୋସ୍ତ କରିକି ରାନ୍ଧିଲା ସେଦିନ
ଖାଇଲେ ଖୋଲିକି କଷା
ତରକାରୀ ପୂର୍ବରୁ ଖାଇବାକୁ ଏହା
ମନେ ତ ତାଙ୍କର ଆଶା ।
ଖଟ ଉପରେ ମୁଁ ବସି ଦେଖୁଥିଲି
ଭୋଜିର ଯେ ମହୋତ୍ସବ
ମାଉଁସ ଝୋଳକୁ ହାପୁଡି କେମିତି
ଚୋଷୁଥିଲେ କଣ୍ଟାଯାକ ।
ଯାଉଥିଲା ମନ ଭିନ୍ନ ରାଜ୍ୟକୁ
ଦେଖି ମଣିଷର ରିତୀ
ମାଂସର ବିଳାପ ନାଟକ କଥାଟା
ପଡିଲା ମନେ ଝଟତି ।
ମନଟା ମୋହର ଦୁଃଖରେ ଭରିଲା
ଭାବି ସେ ନିରୀହ ପକ୍ଷୀ
କ କ କରି କେତେ କାନ୍ଦୁଥିଲା
ସତେ କରି ମୋତେ ସାକ୍ଷୀ ।
ଜିହ୍ୱାର ଲାଳସା ମେଣ୍ଟାଇବା ପାଇଁ
ମଣିଷର ଅଧୋଗତି
ଉଦର ପୁର୍ତ୍ତୀର ମୋହରେ ପଡିକି
କେତେ ଥାଏ ସତେ ମାତି ।
ବିଷାଦେ ଝରିଲା ଦୁଇଟୋପା ଲୁହ
ଆଉ ପାରିଲିନି ଖାଇ
ଭାବି ସେଇ ତାର ଆର୍ତ୍ତ ଚିତ୍କାର
ବିଛଣାରେ ଗଲି ଶୋଇ ।
ସ୍ବପ୍ନ ଦେଖିଲି ରାତିରେ ସେଦିନ
କୁକୁଡା ଆସୁଛି ଡେଇଁ
କ କ କରି ଖଟ ଚାରିପାଖ
ଧରା ଆଉ ଦେଉନାହିଁ ।
ଧରିବାକୁ ଭିଡ ସଭିଏଁ କରନ୍ତି
ହେଲେ ସେ ଯାଉଛି ଡେଇଁ
ଲୁଚକାଳି ଖେଳେ ଖଟ ଚାରିପାଖ
ମୋ ଆଡେ ବିକଳେ ଚାହିଁ ।
ନିଦଟା ମୋହର ଭାଙ୍ଗିଲା ହଠାତ୍
ଭାବିଲି ଘଡିଏ ବସି
କୁକୁଡା ଆତ୍ମାଟା ଘୁରି ବୁଲି ସତେ
ଅଭିଯୋଗ କରେ ଆସି ।
ତା ଆର୍ତ୍ତ ଚିତ୍କାର କାନରେ ମୋହର
ବାଜୁଥିଲା ରହି ରହି
ଆତ୍ମା ମୋହର କହୁଥିଲା ସତେ
ଏ ଜାତନାର ଶେଷ କାହିଁ ??


ରଚନା : ହାସ୍ୟମୟୀ ରାଜ୍ (ଶିକ୍ଷୟିତ୍ରୀ)

ଠିକଣା : ଓରାଳି, ହାଟଡିହି, କେନ୍ଦୁଝର । ଦୂରଭାଷ :

Post a Comment

0 Comments