Ad

header ads

କବିତା - ହେ କୃଷ୍ଣ - ନାରାୟଣ ଚନ୍ଦ୍ର ସେନାପତି


ହେ କୃଷ୍ଣ
ଦ୍ରୋପଦୀ ଟା ତୁମ ସଖୀ ଥିଲା ବୋଲି ସିନା
କୋଟିଏ ବସ୍ତ୍ର ଦେଇ ସେଦିନ କରିଥିଲ ଲଜ୍ଜା ନିବାରଣ
ହେଲେ ଏବେ ଦେଖୁଛ ???
ତୁମର ଗୋଟିଏ ବସ୍ତ୍ର ଦାନ ଅଭାବରେ
ଆଜି କେତେ ଯେ ଦ୍ରୌପଦୀ
ଦିବାଲୋକରେ ହେଉଛନ୍ତି ଧର୍ଷଣ ଶୋଷଣ ଓ ବଳାତ୍କାର।

ତୁମେ ସେଦିନ ଶବରୀଠୁ ଅଇଁଠା ଖାଇ
ପ୍ରମାଣ କରିଥିଲ ଜାତି ଭେଦ କିଛି ନାହିଁ
କହିଥିଲ ସମସ୍ତେ ଗୋଟିଏ ଜାତି ମଣିଷ ଜାତି,
ହେଲେ ଆଜି ବି ଛୋଟ ନୀଚ୍ଚ ଜାତି ବୋଲି
କେତେଯେ ହେଉଛନ୍ତି ଘୃଣାର ଶିକାର
ଏମିତିକି କେତେକ ମନ୍ଦିରରେ ପରା ଅଜାତିର ପଡେନାହିଁ ପଦଚିହ୍ନ।

ସେଦିନ ସାଥି ସୁଦାମାର ନିଷ୍କପଟ ନିଷ୍କଳଙ୍କ ବ୍ୟକ୍ତିତ୍ୱ ପାଇଁ
ପାଗଳ ପରି ଦୌଡ଼ି ଆସିଥିଲମୁକୁଟ ଫିଙ୍ଗି 
ସିଂହାସନ ବି ଛାଡି ଖାଲି ପାଦରେ
ଦେଖାଇଦେଇଥିଲ ଗରିବ ହେଲେ କ'ଣ ହେଲା
ସାଂଗର ଅସଲ ସଂଜ୍ଞା ପରା
ଅନ୍ତର ଦେଇ ଭଲପାଇବା
ହେଲେ ଆଜିକା ସୁଦାମାମାନେ ପରା
ଉଦ୍ଦେଶ୍ୟ ରଖି ରଖୁଛନ୍ତି ସମ୍ପର୍କ
ଆଉ ବିପଦ ବେଳେ ଠେଲିଦେଉଛନ୍ତି
ଅଗଭୀର ସାଗର ଗର୍ଭକୁ।

ତୁମେ ମୀରାବାଈର ପ୍ରେମରେ ପ୍ରେମୀ ହୋଇଗଲ
ରାଧାର ଅମଳିନ ଭଲପାଇବାକୁ ସମ୍ମାନ ଦେଇ ବଡ ହୋଇ ଉଜ୍ଜ୍ୱଳ କରିଦେଲ,
ହେଲେ ଦେଖୁଛ ଆଜିର ରାଧା ଆଉ ମୀରାଙ୍କୁ ?
ସେମାନେ ପରା ମୋହନର ନଭଶ୍ଚୁମ୍ବୀ ପ୍ରସାଦ
ଆଉ ବ୍ୟାଙ୍କ ଜମା ଖାତାର ବିପୁଳ ଅର୍ଥକୁ ଦେଖି
କରୁଛନ୍ତି ଚିରନ୍ତନ ପ୍ରେମର ଅଶାଶ୍ୱତ ଅଭିନୟ।

ସେଦିନ ସ୍ନେହ କାଙ୍ଗାଳୀ ମା ଯଶୋମତୀ ଟା
ହୃଦୟର ପ୍ରେମ ଦେଇ ଧନ୍ୟ ହୋଇଗଲା
ଦେବକୀଟା ତୁମ ଶୁଭ ମନାସୀ ଝରାଉଥିଲା କେତେ ଆନନ୍ଦର ଅଶ୍ରୁ,
ହେଲେ ଦେଖିଛ ଆଜିକା ଦେଵକୀକୁ
ପରକୀୟା ପ୍ରୀତି ପାଇଁ ହତ୍ୟା କରୁଛି ନିଜର ଜନ୍ମକଲା ସନ୍ତାନ ସନ୍ତତିଙ୍କୁ
ଆଉ ଏବେର ଯଶୋମତୀ ମାନେ
ମୋହନକୁ ଶିଶୁ ଶ୍ରମିକ ସଜାଇ
ପରୋକ୍ଷରେ ଅସୁଲ କରୁଛନ୍ତି
ତାଙ୍କ ଲାଳନ ପାଳନ ଓ ଭଡାଟିଆ ସ୍ନେହର  ଦ୍ଵିଗୁଣା ପାଉଣା।

ସେଦିନ ଭଉଣୀ ସୁଭଦ୍ରଟା ଚାଖଣ୍ଡେ ସୂତା ବାନ୍ଧି ଜିତିଗଲା ମହାଭାରତ
ପାଇଥିଲା ଭାଇଠାରୁ ସମ୍ପୂର୍ଣ୍ଣ ସୁରକ୍ଷା
ହେଲେ ଆଜି ଭଉଣୀ ନିଜ ଭାଇକୁ ଭୁଲି
ଉତ୍ଫୁଲ୍ଲିତ ହୁଏ ବିକଳ୍ପ ଭାଇଙ୍କୁ ବାନ୍ଧି ରାକ୍ଷୀ
ଭାଇବି ଅଧିକ ଆନନ୍ଦିତ ହେଉଛି ବିକଳ୍ପ ଭଉଣୀର ରାକ୍ଷୀ ବନ୍ଧାରେ,
ରାକ୍ଷୀ ଭୁଲି ଯାଇଛି ପ୍ରକୃତ ଠିକଣା
ଭାଇ ବି ଭୁଲି ଯାଇଛି ରାକ୍ଷୀର ମହତ୍ତ୍ୱ,
 ହେ କୃଷ୍ଣ
ତୁମେପରା ସକଳ କର୍ମର କର୍ତ୍ତା ଓ କ୍ରିୟା
ବିଶେଷ୍ୟକୁ ଭୁଲି କାହିଁକି ମଞ୍ଚସ୍ଥ କରୁଛ
ଅଯଥା ଅଲଣା ମାଳମାଳ ବିଶ୍ଳେଷଣକୁ
ଆସ ସଧୀରେ ବୁଝାଅ ସଭିଙ୍କୁ ସମ୍ପର୍କର ଇତିହାସ
ସାହିତ୍ୟରେ...
 ବିଜ୍ଞାନର କୌଶଳରେ
ଆଉ ଦର୍ଶନର କୌତୁକରେ..
 ଅକାଟ୍ୟ ଅତୁଲ୍ୟ ଏ ପରମ ଵଂନ୍ଧନର ପରିଭାଷା।

ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର

Post a Comment

0 Comments