Ad

header ads

କବିତା - ହେ ଅଷ୍ଟମୀ - ନାରାୟଣ ଚନ୍ଦ୍ର ସେନାପତି

ହେ ଅଷ୍ଟମୀ
ସତରେ ତୁମେ ପ୍ରେମର ସଦ୍ୟ ସମ୍ଭାବନା
ପ୍ରୀତିଛନ୍ଦା ମଗୁଶୁରର ମୃଦ୍ୟୁ ସଂଜୀବନୀ
କରି ଅଷ୍ଟମୀର ବୈଶିଷ୍ଟ୍ୟ ପ୍ଲାବନ
ଛୁଟିଆସ ଝରଣାର ଝର ହୋଇ ଯେବେ
ପିତା ମାତାଙ୍କର ପ୍ରଥମ ସ୍ମୃତି ଝଲସି ଉଠେ
ପତି ପତ୍ନୀଙ୍କର ପ୍ରଥମ ସନ୍ତକ ମାନେ
ନୃତ୍ୟ କରନ୍ତି ଭଲପାଇବାର କୁଞ୍ଜବନେ
ନବବସ୍ତ୍ର ପରିଧାନ କରି
ହୃଦୟର ଗମ୍ଭୀରୀ ଭିତରୁ ନିସୃତ କରାନ୍ତି
ଆନନ୍ଦର ସଜ ଫୁଟା ଗୋଲାପ।

ହେ ଅଷ୍ଟମୀ
ସତରେ ତୁମେ ସ୍ନେହ ପଞ୍ଜୁରୀର ମମତା ପକ୍ଷୀଟିଏ
ଶ୍ରଦ୍ଧାର ତାଜମହଲରେ ସ୍ନିଗ୍ଧ ପରୀଟିଏ
ହଲଦୀପତ୍ରର ଭୁରୁ ଭୁରୁ ବାସ୍ନାରେ
ସରାଗରେ ଭୁଂଜାଇଦିଅ ଯେବେ ନନ୍ଦଯଶୋଦାର ଏଣ୍ଡୁରିପିଠା
ଜ୍ୟେଷ୍ଠଙ୍କର ମନଟା ଶ୍ରେଷ୍ଠ ହୋଇଯାଏ
ମନରେ ସଂଚରିଯାଏ କନିଷ୍ଠଙ୍କ ପ୍ରତି ଅନାବିଳ ପ୍ରେମ
ସତେ ଯେମିତି କିଏ ସୂଚୀପତ୍ରରେ ସୂଚାଇଦିଏ
ପିତାମାତା ପରିବାର ପ୍ରତି ତୁମର କର୍ତ୍ତବ୍ୟ କ'ଣ 
ଗୁରୁଜନଙ୍କ ପ୍ରତି ତୁମର ସମ୍ମାନବୋଧ କ'ଣ
ସତରେ ତୁମେ ସଂସ୍କୃତି ସଂସ୍କାରର ଗୟାତୀର୍ଥ
ନା ଶୃଙ୍ଖଳା ସଭ୍ୟତାର ସରଗପୁରୀ ???

ହେ ଅଷ୍ଟମୀ
ତୁମେ କେବେ ଦେଖିଛ ଅନାଥର ଦେହକୁ
ମାପିଛ ତା ମନ ହୃଦୟର ଅବ୍ୟକ୍ତ ପରିଭାଷାକୁ
ମାଡ଼ହାଣ୍ଡି କଥାକୁ ସାଥିକରି
ଛିଣ୍ଡା ପୋଷାକକୁ ଭାବେ ରାଜକୀୟ ପରିଧାନ
ବାସି ପଖାଳକୁ କହେ ଏଣ୍ଡୁରିପିଠା
କାହାର ଅନୁଗ୍ରହ ଆଉ ପଦେ ମିଠାକଥା
ଆଉ ଅଷ୍ଟମୀରେ ଆଦର
ଲୁହକୁ ଚାଖି ଦିଏ ଯେବେ ଅଧରର ଦରଫୁଟା ହସ
ହୃଦୟର ତନ୍ତ୍ରୀ ଥରିଉଠେ
କୋହ-ଲୁହର ସଂଗମରେ ଆର୍ଯ୍ୟ ସଭ୍ୟତା ଓଦା ହୋଇଯାଏ
ସଟେ ଯେମିତି କିଏ କହେ
ରେ...ଅଷ୍ଟମୀ
ଅରଷ୍ଟି କରନା
ତୁ ପରା ଜାତିର ବାର୍ତ୍ତାବହ।

ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର

Post a Comment

0 Comments