Ad

header ads

କବିତା - ହାୟ ହାୟ ହୋଇ ମରିବ - ପ୍ରଣତି ମହାପାତ୍ର

ଜନ୍ମରୁ ଏ ଯାଏ
ସେଇ ଗୋଟିଏ ରୋଗ ମୋର,
ପିଲାବେଳେ ପୁଣି ଏବେ, 
ସେ ରୋଗକୁ  ନା ଡାକ୍ତର ନା ବଇଦ
ନା ତୁଟୁକା ମୂଳିକା, ନା ଝଡାଫୁଙ୍କା ।
କେଉଁ ଥିରେ ଭଲ ହୁଏନି ।
ଥାଏ କ୍ଷତାକ୍ତ ଯନ୍ତ୍ରଣା,
ଅସହ୍ୟ ପୀଡା ସାରା ମନକୁ
ପ୍ରତିକ୍ଷଣ କୋରିକୋରି 
ଦେଉଥାଏ ଅଦୃଶ୍ୟ କଷ୍ଟ ।
ନା କହିହୁଏ,ନା ଦେଖେଇ ହୁଏ,
ନା ଏଥିରୁ ତ୍ରାହି ଥାଏ।
ଅକ୍ଟୋପାସ ପରି ସବୁବେଳେ,
ସବୁସ୍ଥାନରେ  ସବୁ ପରିସ୍ଥିତିରେ ତ
ସାରା ଜୀବନ ମୋ ଶରୀରକୁ
କାବୁ କରିଥାଏ ।
ସେ ରୋଗ ଏକା ମୋର ନୁହେଁ,
ମୋ ଭଳି ଏ ସମାଜରେ ପ୍ରାୟ
ଏକ ତୃତୀୟାଂଶ ଲୋକଙ୍କର ।
ଦେହ, ମନ, ଆତ୍ମା କୁ କାବୁ କରିଦିଏ ।
ବାହାରି ବାକୁ ଜୁ ନ ଥାଏ ।
ରୋଗର ନାମ ହେଲା ଗରୀବ ।
ଆଉ ସବୁଠାରୁ ବଡ଼ କଥା 
ଏ ଗରିବୀପଣିଆର ସଦା
ଉପହାସ,ଜୁଲମ,ଅତ୍ୟାଚାର  ହେଉଥାଏ ।
ଖାଇବାକୁ,ପିନ୍ଧିବାକୁ,ମୁଣ୍ଡ ଗୁଞିବାକୁ,
ଏ ସମାଜରେ ରହିବାକୁ ନଥାଏ ତାର ଅଧିକାର।
ଟିଟ୍କାରୀ ମରା ଚାଲେ ସମସ୍ତଙ୍କର ।
କେତେବେଳେ ସେ ବିଲରେ ଫୋଲଡ଼ନ ପିଇ
ସୁଖନିଦ୍ରା ଯାଇ ମୋକ୍ଷ ପାଇଯାଏ ତ,
ଆଉ କେତେବେଳେ ବଣଜଙ୍ଗଲରୁ
ବିଷାକ୍ତ ଖାଦ୍ୟ ଖାଇ,
ସବୁଥିରୁ ମୁକ୍ତି ପାଇଁ ନିଶା ସେବନ
କରେ ତ,
କେତେବେଳେ ତା ଘରର ଇଜ୍ଜତ
ରାଜରାସ୍ତାରେ ନିଲାମ ହୁଏ ।
କାହାର ଏଥିରେ ଦୋଷ,
ଗରୀବର,ଗରୀବ ପଣିଆର
ସୃଷ୍ଟି ସର୍ଜନା କରିଥିବା ଭଗବାନଙ୍କର,
ନା ଜୁଲମ କରୁଥିବା ବଡ଼ବଡିଆଙ୍କର ।
ଏ ଗରିବ ଶେଷରେ କେମିତି ବଞ୍ଚିବ ?
ଏ ଗରୀବକୁ କିଏ ଦୟା କରିବ,
ସେ କଣ କରିବ ।
ଗରୀବ ଶେଷରେ  ହାୟ ହାୟ ହୋଇ କଣ ମରିବ ।


ପ୍ରଣତି ମହାପାତ୍ର
ବାଲେଶ୍ଵର

Post a Comment

0 Comments