Ad

header ads

କବିତା - ଗର୍ବ ଅହଙ୍କାର - ନରେନ୍ଦ୍ର ପ୍ରସାଦ ବେହେରା


ଜୀବନ ଯୌବନ  ନୁହେଁ ଚିରସ୍ଥାୟୀ
        ତଥାପି କରୁଛି ଗର୍ବ
ବୁଝିପାରୁ ନାହିଁ  ଏମୂଢ ମଣିଷ
    ଗର୍ବ ହେବ ଦିନେ ଖର୍ବ ।

ରୂପ ଯୌବନରେ  ମତୁଆଲା ହୋଇ 
         ଧରାକୁ ମଣୁଛି ସରା
ହଜିଯିବ ଦିନେ  ପୃଥିବୀ ପୃଷ୍ଠରୁ
    କେହି ଦେବେ ନାହିଁ ଧରା ।

ଆଜିର ଯୌବନ  କାଲିକି ନଥିବ
     ଗଣୁ ଅଛ ଯେତେ ଟଙ୍କା
ଯୌବନ ହଟିଲେ  କିଏ ପଚାରିବ
    କହିବେ ମୁଁ ଆଜି ଫାଙ୍କା ।

ମଣିଷ ଜନମ  ପାଇଛନ୍ତି ଆମ୍ଭେ
   ବଡ଼ ଭାଗ୍ଯର ଏ କଥା
ସମସ୍ତଙ୍କ ମୁଖେ  ହସଫୁଟାଇବା
    କରି ପ୍ରଣିପାତ ମଥା ।

ଗର୍ବ କରିଦିନେ  ବଳୀ ମହାରାଜା
     ପାତାଳ ପୁରକୁ ଗଲା
ଏଛାର ମଣିଷ  ମୁଖେ ଲାଜ ନାହିଁ
        ଦୈନିକ କରୁଛି ପାଲା ।

ଯୌବନ ରୂପକୁ  ହଲାଇ ଦାଣ୍ଡରେ
    କରେ କେତେ ଆମନ୍ତ୍ରଣ
ଆମନ୍ତ୍ରିତ ଦିନେ  ନ ଚାହିଁବେ ମୁଖ
    ସରିଲେ ସୁନ୍ଦର ପଣ ।

ଗର୍ବ ଅଟେ ସିନା  ଅଢେଇ ଦିନିଆ
      ତଥାପି ବୁଝୁନି କେହି
ଧର୍ମ ଅଟେ ସିନା  ମହତ ପଣିଆ
    ଯାହା ଗଢିଅଛି ବିହୀ ।

ଗର୍ବ ଅହଙ୍କାରେ   ବଢୁଛି ସମାଜେ
      ନିର୍ଦ୍ଦିଷ୍ଟ କେତେଙ୍କ ପାଇଁ
ଜୀବ ଗଲାବେଳେ  ନଆସିବେ କେହି
      ଗର୍ବୀଙ୍କ ପାଖକୁ ଧାଇଁ ।

ବେଳ ଥାଉ ଥାଉ  ହୁଅ ସାବଧାନ
     ସଭିଙ୍କୁ ଦିଅ ସମ୍ମାନ
ରୂପ ଯୌବନକୁ  ଢାଙ୍କି ରଖିଦିଅ
     ରଖ ହେ ଜାତିର ମାନ ।

ସର୍ବ ସମ୍ମୁଖରେ  ହେବା ସମ୍ମାନିତ
       କରିବେନି କେହି ପର
ସମ୍ମାନ ଦେଲେତ  ସମ୍ମାନ ପାଇବା
      ହୋଇ ସଭିଙ୍କ ନିଜର  ।।

ନରେନ୍ଦ୍ର ପ୍ରସାଦ ବେହେରା,
ଆଳଦା, ଖଇରା,ବାଲେଶ୍ବର, ମୋ-୯୮୫୩୧୪୨୫୧୦

Post a Comment

0 Comments