Ad

header ads

ପୁରାଣ କଥା - ଧ୍ରୁବଙ୍କୁ ନାରଦ ମହର୍ଷିଙ୍କ ଉପଦେଶ - ନରେନ୍ଦ୍ର ପ୍ରସାଦ ବେହେରା

    ଦିନେ ସୃଷ୍ଟିକର୍ତ୍ତା ବ୍ରହ୍ମା ନୂତନ ରୂପ ଧାରଣ କଲେ । ଦେଖୁ ଦେଖୁ ତାଙ୍କର ଏହି ନୂତନ ଦେହଟି ଦୁଇଭାଗରେ ଵିଭକ୍ତ ହୋଇଗଲା । ଗୋଟିଏ ଭାଗ ପୁରୁଷ ଆଉ ଅନ୍ଯ ଭାଗଟି ସ୍ତ୍ରୀ । ପୁରୁଷ ହେଲେ ମନୁ ଓ ଶତରୂପା ତାଙ୍କର ସ୍ତ୍ରୀ । ମନୁ ଓ ଶତରୂପାଙ୍କ ଔରସରୁ ଦୁଇଟି ପୁତ୍ର ଜନ୍ମ ହେଲେ, ଗୋଟିକର ନାମ ଉତ୍ତାନପାଦ ଓ ଅନ୍ଯଟିର ନାମ ପ୍ରିୟବ୍ରତ ।


   ଉତ୍ତାନପାଦ ରାଜା ହେଲେ । ତାଙ୍କର ଦୁଇଜଣ ରାଣୀ ଥିଲେ, ସୁରୁଚି ଓ ସୁନୀତି । ସୁରୁଚି ଓ ସୁନୀତି ଦୁଇଟି ପୁତ୍ର ଜନ୍ମ କଲେ । ସୁରୁଚିଙ୍କ ପୁତ୍ରର ନାମ ଥିଲା ଉତ୍ତମ ଓ ସୁନୀତି ଙ୍କ ପୁତ୍ରର ନାମ ଧ୍ରୁବ । ରାଜା ଉତ୍ତାନପାଦ ସୁରୁଚିଙ୍କୁ ବେଶୀ ଭଲ ପାଉଥିଲେ । ତେଣୁ ସୁରୁଚିଙ୍କ ପୁତ୍ର ଉତ୍ତମକୁ କୋଳରେ ଧରି ସିଂହାସନରେ ବସୁଥିଲେ । ଦିନେ ଉତ୍ତାନପାଦ ସିଂହାସନରେ ବସିଥିବା ସମୟରେ ଧ୍ରୁବ ପିତାଙ୍କ କୋଳରେ ବସିବାକୁ ଯାଉଥିବା ଦେଖି,ଅନ୍ଯ ମାତା ସୁରୁଚି କହିଲେ ହେ ବାଳକ,ରାଜସିଂହାସନରେ ବସିବା ପାଇଁ ତୋର କୌଣସି ଅଧିକାର ନାହିଁ । ଶ୍ରୀହରିଙ୍କୁ ଡାକ,ଯଦି ପରଜନ୍ମରେ ମୋର ପୁଅ ହୋଇ ଜନ୍ମ ହେବୁ,ତାହେଲେ ରାଜସିଂହାସନରେ ବସିବାର ଅଧିକାର ପାଇବୁ । 
    ବିମାତାଙ୍କର ଏହି ତିରସ୍କାର ଶୁଣି ଧ୍ରୁବ କାନ୍ଦି କାନ୍ଦି ମା'ଙ୍କ ନିକଟରେ ସବୁ କଥା କହିଲା । ସୁନୀତି ପୁତ୍ରକୁ କୋଳକୁ ନେଇ ସାନ୍ତ୍ବନା ଦେଇ କହିଲେ ,ପୁତ୍ର,ତୁ ନିଜକୁ ଅପରାଧୀ ବୋଲି ମନେ କରୁଛୁ କାହିଁକି ?  ଏକାନ୍ତ ଭାବରେ ଶ୍ରୀହରିଙ୍କୁ ଡାକ । ସେ କୃପା କଲେ ତୁ ରାଜସିଂହାସନ ଅବଶ୍ଯ ପାଇବୁ । ମୁନିଋଷିମାନେ ଯାହାଙ୍କୁ ବନ୍ଦନା କରନ୍ତି, ତୁ ସେହି ଶ୍ରୀହରିଙ୍କୁ ତୋର ମନର କଥା ଜଣାଇଲେ,ସେ ତୋର ଡାକ ଶୁଣିବେ । 
     ବାଳକ ଧ୍ରୁବ ମା'ଙ୍କ କଥାରେ ବିଶ୍ୱାସ କରି ରାଜପୁରୀ ତ୍ଯାଗ କଲେ ଏବଂ ଘନ ଅରଣ୍ଯ ମଧ୍ଯରେ ପ୍ରବେଶ କରି ଶ୍ରୀହରିଙ୍କୁ ଡାକିବାକୁ ଲାଗିଲେ । ଏହି ସମୟରେ ଦେବର୍ଷି ନାରଦ ଆସି ବାଳକ ନିକଟରେ ଉପସ୍ଥିତ ହେଲେ ଏବଂ କହିଲେ, ପୁତ୍ର,ବିନା ତପସ୍ଯାରେ କଅଣ ଶ୍ରୀହରିଙ୍କୁ ତୁ ପାଇବୁ ? ତୁ ଏତେ ଛୋଟ ପିଲା, ତପସ୍ଯା କରିବା ବଡ କଠିନ ବ୍ଯାପାର । ତୁ ପାରିବୁ ନାହିଁ । ଏଥିରୁ ନିବୃତ ହୋଇ ତୁ ଘରକୁ ଫେରିଯାଆ । ଧ୍ରୁବ ଏହା ଶୁଣି ଉତ୍ତର ଦେଲେ- ହେ ପ୍ରଭୁ । ଆପଣଙ୍କର ଏହି ଉପଦେଶ ମୋର ଅଶାନ୍ତ ହୃଦୟ ମଧ୍ଯରେ ପ୍ରବେଶ କରିପାରୁ ନାହିଁ । ମୁଁ ଶ୍ରୀହରିଙ୍କ ଦର୍ଶନ ଚାହେଁ । ମୋର ଅନ୍ଯ କିଛି ଲୋଡ଼ା ନାହିଁ । ଆପଣ ମୋତେ ବତାଇ ଦିଅନ୍ତୁ,ମୁଁ କିପରି ତାଙ୍କ ଦର୍ଶନ ଲାଭ କରିବି । 
    ବାଳକର ଉତ୍ତରରେ ସନ୍ତୁଷ୍ଟ ହୋଇ ଦେବର୍ଷି ନାରଦ କହିଲେ, ବତ୍ସ,ତୁମେ ଠିକ୍ କହିଛ । ଶ୍ରୀହରିଙ୍କ ଚରଣ ବନ୍ଦନା ହିଁ ତାଙ୍କୁ ପାଇବାର ଏକମାତ୍ର ପଥ । ତୁମେ ଯମୁନାତୀରରେ ଥିବା ମଧୁବନକୁ ଯାଇ ସେଠାରେ ଅବସ୍ଥାଳ କର ।  ତୁମେ "ଓଁ ନମୋ ଭଗବତେ ବାସୁଦେବାୟ"ମନ୍ତ୍ରଟି ଜପକର । ଧ୍ରୁବକୁ ଏହି ଉପଦେଶ ଓ ମନ୍ତ୍ରଟି ପ୍ରଦାନ କରି ନାରଦ ଅନ୍ତର୍ହିତ ହୋଇଗଲେ । 
    ନାରଦଙ୍କ ଉପଦେଶ ଅନୁସାରେ ଧ୍ରୁବ ମଧୁବନରେ ଉପସ୍ଥିତ ହୋଇ କଠୋର ତପସ୍ଯାରେ ନିମଗ୍ନ ହେଲେ । ବାଳକର ନିଷ୍ଠା ଓ ତପସ୍ଯାରେ ସନ୍ତୁଷ୍ଟ ହୋଇ ଶ୍ରୀହରି ଦର୍ଶନ ଦେଲେ । ବାଳକ ସମ୍ମୁଖରେ ଶ୍ରୀହରି ବିରାଜମାନ ହେଲେ । ଭଗବାନଙ୍କର ମନମୋହନ ରୂପ ଦେଖି ଧ୍ରୁବ ମୁଗ୍ଧ ହୋଇ ତାଙ୍କର ଶ୍ରୀଚରଣରେ ନିଜକୁ ନିବେଦନ କଲେ । ଶଙ୍ଖ-ଚକ୍ର-ଗଦା-ପଦ୍ମଧାରୀ ଶ୍ରୀହରି ଧ୍ରୁବଙ୍କର କପୋଳଦେଶ ସ୍ପର୍ଶ କରି ଆର୍ଶୀବାଦ ଦେଲେ ଏବଂ କହିଲେ, ହେ ବତ୍ସ ! ତୁମେ ପିତାଙ୍କର ସିଂହାସନ ଲାଭ କରି ବହୁକାଳ ଧରି ରାଜ୍ଯ ଶାସନ କରିବ । ଏ ଜୀବନ ପରେ ତୁମେ ସ୍ବର୍ଗଲୋକରେ ସ୍ଥାନ ପାଇବ ଏବଂ ଏହା ତୁମରି ନାମ ଅନୁସାରେ ଧ୍ରୁବଲୋକ ବୋଲି କଥିତ ହେବ । 
    ଧ୍ରୁବ ଭଗବତ୍ ଚିତ୍ତରେ ଶ୍ରୀହରିଙ୍କ ଚରଣ ବନ୍ଦନା କରି କହିଲେ-ପ୍ରଭୁ,ଆଜି ମୋର ବାସନା ସିଦ୍ଧ ହେଲା । ପିତାଙ୍କର ସିଂହାସନ ଅପେକ୍ଷା ଆପଣଙ୍କ ଶ୍ରୀଚରଣ ମୋର ଧ୍ଯେୟ ହୋଇ ରହିଥାଉ । ଭଗବାନ ଅନ୍ତର୍ହିତ ହୋଇଯିବା ପରେ ଧ୍ରୁବ ନିଜ ରାଜ୍ଯକୁ ଫେରି ଆସିଲେ । ପୁତ୍ର ଫେରି ଆସିବା ଦେଖି ରାଜା ଅତ୍ଯନ୍ତ ଆନନ୍ଦିତ ହେଲେ । ଇତିପୂର୍ବରୁ ନାରଦ ମୁଖରୁ ସେ ପୁତ୍ରର ସାଧନା ଓ ସିଦ୍ଧିଲାଭ କଥା ଶୁଣିଥିଲେ । କଠୋର ତପସ୍ଯାବଳରେ ପୁତ୍ର ଶ୍ରୀହରିଙ୍କ ଦର୍ଶନ ପାଇଛି ଜାଣି ପିତାଙ୍କର ଆନନ୍ଦର ସୀମା ରହିଲା ନାହିଁ । ଧ୍ରୁବ ଯୌବନରେ ପଦାର୍ପଣ କରନ୍ତେ, ରାଜା ଉତ୍ତାନପାଦ ପୁତ୍ରକୁ ରାଜସିଂହାସନରେ ଅଭିଷିକ୍ତ କରି ତପସ୍ଯା ନିମନ୍ତେ ବନଗମନ କଲେ । 
    ଧ୍ରୁବ ସିଂହାସନରେ ଅଭିଷିକ୍ତ ହୋଇ ଶ୍ରୀହରିଙ୍କୁ ସ୍ମରଣ ମନନ କରି ସୁଚାରୁରୂପେ ରାଜ୍ଯ ଶାସନ କଲେ । ଦିନେ ତାଙ୍କର ଭାଇ ଉତ୍ତମ ମୃଗୟା କରିବାକୁ ଯାଇ ବନ ମଧ୍ଯରେ ଏକ ଯକ୍ଷର ଆକ୍ରମଣରେ ପ୍ରାଣ ହରାଇଲେ ଏବଂ ବିମାତା ସୁରୁଚି ପୁତ୍ର ଶୋକରେ ଅଧରା ହୋଇ ଶେଷରେ  ପ୍ରାଣତ୍ଯାଗ କଲେ । ଧ୍ରୁବ ମହାରାଜା ବହୁକାଳ ରାଜ୍ଯ ଶାସନ କରିବା ପରେ ପୁତ୍ରକୁ ରାଜ୍ଯ ଦାନ କରି ତପସ୍ଯା ନିମନ୍ତେ ବଦ୍ରିକାଶ୍ରମ ଗମନ କଲେ । ଶ୍ରୀହରିଙ୍କ ଧ୍ଯାନରେ ନିମଗ୍ନ ରହି ଧ୍ରୁବ ଦେହତ୍ଯାଗ କରନ୍ତେ ବିଷ୍ଣୁଦୂତମାନେ ତାଙ୍କୁ ପୂର୍ବନିର୍ଦ୍ଦିଷ୍ଟ ଧ୍ରୁବ ଲୋକଙ୍କୁ ନେଇଗଲେ । ଆଜି ମଧ୍ଯ ଆକାଶରେ ଧ୍ରୁବତାରା ବିରାଜମାନ ରହି ଏହି ମହାତ୍ମାକଥା ମନେ ପକାଇଦିଏ ।

ସଂଗ୍ରହକାରୀ-ନରେନ୍ଦ୍ର ପ୍ରସାଦ ବେହେରା,
ଆଳଦା, ଖଇରା, ବାଲେଶ୍ବର, ମୋ-୯୮୫୩୧୪୨୫୧୦

Post a Comment

0 Comments