Ad

header ads

କବିତା - ଦଗାଦିଆ ଠାକୁର - ନରେନ୍ଦ୍ର ପ୍ରସାଦ ବେହେରା

ଧନ୍ୟ ତୁ କାଳିଆ    ଭଉଣୀ ରସିକା
        ଚାରିଯୁଗ ସିଆଣିଆ
ତୋପରି ରସିକ  ନାହିଁ କେ ଜଗତେ
       ଜାଣିଛି ସାରା ଦୁନିଆଁ  ।

ବିଶ୍ବ ବ୍ରହ୍ମାଣ୍ଡରେ    ତୁ ବଡ଼ ଠାକୁର
        ବୋଲାଉଛୁ ନାମ ହରି
ବଡ଼ ଦଗାଦିଆ    ତୁହିରେ କାଳିଆ
      ହୋଇଲୁ ମୋର ଭଗାରୀ

ନିଜେ ଖୁସି ହେଉ    ସିଂହାସନେ ବସି
       ଭଉଣୀକୁ ସଙ୍ଗେ ଧରି
ମୋ ଵେଳକୁ କାହିଁ   ପଥର ହୋଇଲୁ
       ପାରୁ ନାହିଁ ଧୈର୍ଯ୍ୟ ଧରି  ।

ଥିଲା ଯଦି ଏତେ    ମନରେ କପଟ
        କହିଲୁନି ମନ ଖୋଲି
ଛୋଟ ଭଉଣୀଟେ  ଦେବାକୁ ତୁ ମୋତେ
         କାହିଁକି ଗଲୁରେ ଭୁଲି  ।

ଭଉଣୀ ରସିକ    ତୁ ଚକାଡୋଳିଆ
        ବଡ଼ ବଡ଼ ଆଖି ତୋର
ସାରା ଜଗତକୁ   ନଜର ଦେଉତୁ
       ସଭିଙ୍କୁ କରି ନିଜର  ।

ସଂସାର ଯାକର  ସବୁ  ଦୁଃଖକୁ ତୁ
      ନେଇଛୁ ନିଜେ ଆବୋରି
ଷାଠିଏ ପଉଟି  ଭୋଗ ଖାଉଅଛୁ
      ଆନନ୍ଦରେ ମନ ଭରି  ।

ତୋ ଆନନ୍ଦ ଦେଖି   ଜଗତରବାସୀ
       ହୁଅନ୍ତି କେତେ ବିଭୋର
ମୋ ଆନନ୍ଦ ଆଜି   କେଉଁଠି ରହିଲା
        ଦୁଃଖରେ ହୁଏ ଅଧିର  ।

ମୋତେ ଦୁଃଖ ଦେଇ  କି ଲାଭ ପାଇଲୁ
        କହତୁ ମୋତେ ଏଥର
ନଦେଲେ ଉତ୍ତର  ଛାଡିବିନି  ତୋତେ
     ଭାଙ୍ଗିଦେବି ତୋ ମନ୍ଦିର  ।

ଦୁଃଖୀଙ୍କର ଦୁଃଖ   ବୁଝୁଥାଉ ବୋଲି
       ଦୁଃଖହାରୀ ତୋର ନାମ
କେବେ ଘୁଞ୍ଚିବ ମୋ  ଦୁଃଖରେ  କାଳିଆ
         ଭଜିବି ମୁଁ ତୋର ନାମ  ।

ମୋ ମନରେ ଦୁଃଖ  ଦେଉଛୁ ବୋଲି ତୁ
          କରୁ ଗର୍ବ ଅହଂକାର
ସେଥିପାଇଁ ତୋର   ହାତଗୋଡ ନାହିଁ
    ସଂସାରେ ବୋଲାଉ ସାର  ।

କାନ ନଥିଲେ ବି   ଶୁଣିପାରୁ ବୋଲି
    ନାଗରା ଦେଉ ଦାଣ୍ଡରେ
ଭଗ୍ନୀହୀନ ମୋତେ  କରି ତୁ ଜଗତେ
      ଯଶ ରଖିଲୁ ମହୀରେ

ଆଜିପରା ଦିନେ  ଦେଉଛି ମୁଁ ଗାଳି
     ସୁଧୁରି ଯାଆ ଏଥର
ଯେଉଁ ହାଣ୍ଡିରେ ତୁ ରାନ୍ଧୁଅଛୁ ଅନ୍ନ
       ଗଢିଛି ତାକୁ କୁମ୍ଭାର ।

ନରେନ୍ଦ୍ର ପ୍ରସାଦ ବେହେରା
ଆଳଦା, ଖଇରା, ବାଲେଶ୍ବର, ମୋ--୯୮୫୩୧୪୨୫୧୦

Post a Comment

0 Comments