Ad

header ads

କବିତା - ଫିଟି ପଡ଼ିଥିଲା ତଳେ - ବି. ନିରୁପମା



ରହ ନୂପୁର ତୋ ବାନ୍ଧି ଦେଉଅଛି
ଫିଟି ପଡ଼ିଥିଲା ତଳେ ,
ପଦ୍ମମାଳ ଗୁନ୍ଥି ସାଇତି ରଖିଛି
ପିନ୍ଧାଇ ଦେବିରେ ଗଳେ ।

ହେଇ ଆସିଲେଣି ସାଥୀମାନେ ପରା
ଗୋରୁ ଘେନି ଯିବା ବନେ ,
ଶିଙ୍ଗା ବଇଁଶୀ ଓ ଅନ୍ନ ପୁଡ଼ା ନେବୁ
କାହ୍ନାରେ ତୁ କରି ମନେ ।

ଦୁଧ ସରପୁଳି ସାଥେ ନେବି ମୁହିଁ 
ସବୁ ସାଥୀଙ୍କର ପାଇଁ ,
ମାଆଙ୍କ ପାଖରେ ଜଞ୍ଜାଳ କରନା
ଚଞ୍ଚଳ ଆ' ଯିବା ଧାଇଁ ।

ସୁନାଭାଇଟା ମୋ ଅବୁଝା ହୁଅନା
ବନକୁ ଯିବାରେ ମିଳି ,
ଗୋରୁ ଚରାଇକି ମଉଜ କରିବା
ଖାଇବା ବନରୁ କୋଳି ।

ସବୁଦିନ ଯାଉ ଖୁସିରେ ବାହାରି
ବାହାନା କରୁଛୁ ଆଜି ,
ଆସୁଛି କି କେଉଁ ସଙ୍କଟ ଗୋପକୁ
ପୁଣି ବହୁରୂପୀ ସାଜି !!

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ ।

Post a Comment

0 Comments