Ad

header ads

କବିତା - ଗାଧୋଇ ଖାଇବ ହେଲାଣି ଡେରି - ବି. ନିରୁପମା



ଜେଜେବାପା ତୁମେ ବସିଛ ଏଠି ,
କେତେବେଳୁ ମୁହିଁ ଖୋଜୁଛି ସେଠି ।
କାଟିଲାଣି ଏବେ ଟାଣୁଆ ଖରା ।
ମାଆ ସାରିଲାଣି ରୋଷେଇ ପରା ।

କହିଥିଲ ଯାହା ତିଆରି ଅଛି ,
ଶାଗ,ବଡ଼ିଚୁରା ,ପିଆଜ କିଛି ।
କଖାରୁ ଫୁଲକୁ କରିଛି ରାଇ ,
ଏଉଡ଼ି ମାରିବ ତାହାକୁ ଖାଇ ।

ତେଲ,ପାଣି,ଧୋତି ଦେଇଛି ରଖି ,
ମୋତେ ପଠେଇଛି ନେବାକୁ ଡାକି ।
କହିଛି ସଅଳ ଆସିବୁ ଧରି ,
ଖାଇବା ତାଙ୍କର ହେଲାଣି ଡେରି ।

କହିଅଛି ମାଆ ବୁଝେଇ ସଫା ,
ତୁମେ ଅଟ ମୋର ବାପାଙ୍କ ବାପା ।
ବହୁ ଦୁଃଖ କଷ୍ଟ ସହିକି ଅଛ ,
ଛୋଟରୁ ବାପାଙ୍କୁ ବଡ଼ କରିଛ  ।

ବାପ,ମାଆ ସାଜି ପାଳିଛ ହସି ,
ପାଠ ପଢ଼ାଇଛ ଜମିକୁ ଚଷି ।
ବୟସ ତୁମର ହେଲାଣି ଏତେ ,
ମୋତେ ଶୁଣାଉଛ କାହାଣୀ କେତେ ।

ତୁମ ସେବା ଆମେ କରିବୁ ମିଶି ,
ଭଗବାନ ଦେଖି ହୋଇବେ ଖୁସି ।
ବାପା କହୁଥିଲେ ,ପିଲାଏ ଶୁଣ ,
ଜେଜେଙ୍କଠୁ ଶିଖ ମହତ ଗୁଣ ।

ବୟସ ଭାରରେ ଗଲେଣି ନଇଁ ,
ତଥାପି ହାରିବା ଜାଣନ୍ତି ନାହିଁ ।
ପରିସ୍ଥିତି ଦେଖି ଖୁଆନ୍ତି ଖାପ ,
ମୁଣ୍ଡ ନୁଆନ୍ତିନି ପଡ଼ିଲେ ଚାପ ।

ରାସ୍ତାକଡ଼ ଖାଲି ଜାଗାକୁ ଦେଖି ,
ଜାତି ଜାତି ଗଛ ଯାଆନ୍ତି ପୋତି ।
ଲୋକଗୀତ କେତେ ଗାଆନ୍ତି ମୁଖେ ,
ଭାଗବତ ପୁଣି ବୋଲନ୍ତି ସୁଖେ ।

ଜେଜେ ତୁମସହ ଗଛ ରୋଇବି ,
ମୂଳରେ ତାହାର ପାଣି ବି ଦେବି ।
ଏଥରକ ଚାଲ ମୋ ହାତ ଧରି ,
ଗାଧୋଇ ଖାଇବ ହେଲାଣି ଡେରି ।

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ ।

Post a Comment

0 Comments