Ad

header ads

ତଥ୍ୟ - ସେଇ ମହାନ ପୁରୁଷ ଜବାହାରଲାଲ - ନରେନ୍ଦ୍ର ପ୍ରସାଦ ବେହେରା

ଜବାହରଲାଲ ନେହେରୁ ୧୮୮୯ ମସିହା ନଭେମ୍ବର ମାସ ୧୪ ତାରିଖ ଦିନ ଏହ୍ଲାବାଦରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ମୋତିଲାଲ ନେହେରୁ ଓ ମାତାଙ୍କର ନାମ ସ୍ବରୂପ ରାଣୀ ଥିଲା । ସେ ଥିଲେ କାଶ୍ମୀର ବ୍ରାହ୍ମଣ । ହିନ୍ଦୀ ଭାଷାରେ ' ଜବାହର ' ଅର୍ଥ ରତ୍ନ ଓ ' ଲାଲ ' ଅର୍ଥ ତନୟ । ପିତା ମୋତିଲାଲ ଥିଲେ ଖ୍ଯାତନାମା ଓକିଲ । ପିତା ମୋତିଲାଲ ନେହେରୁ ପୁତ୍ର ଜବାହରଲାଲଙ୍କୁ ଅତ୍ଯନ୍ତ ସ୍ନେହ କରୁଥିଲେ । ପରିବାରର ସମସ୍ତେ ଶିଶୁ ଜବାହରଲାଲଙ୍କୁ ମଧ୍ଯ ବହୁତ ସ୍ନେହ କରୁଥିଲେ । ବିପୁଳ ଭାବରେ ଧନଶାଳୀ ମୋତିଲାଲ ନେହେରୁଙ୍କ ପୁତ୍ର ଜହାରଲାଲ ନେହେରୁଙ୍କର କୌଣସିଥିରେ ଅଭାବ ନଥିଲା, କିନ୍ତୁ ଗୋଟିଏ ବିଷୟରେ ତାଙ୍କର ଅଭାବ ଥିଲା । ତାହା ହେଉଛି ଅଳ୍ପ ବୟସର ଜହରଲାଲଙ୍କ ସହିତ ଖେଳିବା ପାଇଁ ସାଙ୍ଗସାଥିର ଅଭାବ । ସେ ଥିଲେ ପିତାଙ୍କର ଏକମାତ୍ର ସନ୍ତାନ ।ଜହରଲାଲ ନେହେରୁ ପିତା ମୋତିଲାଲ ନେହେରୁଙ୍କୁ ଅତ୍ଯନ୍ତ ଭୟ କରୁଥିଲେ କିନ୍ତୁ ମା' ଙ୍କୁ କେବେ ଭୟ କରୁନଥିଲେ । ମା' ଙ୍କ ପାଖରେ ନିର୍ଭୟରେ ବୁଲାଚଲା ଓ ଖେଳକୁଦ ଆଦି କରୁଥିଲେ । ମାତା ସ୍ବରୂପ ରାଣୀ ଥିଲେ ଜଣେ ଧର୍ମପ୍ରାଣା ମହିଳା । ସେ ଅଧିକାଂଶ ସମୟରେ ଗଙ୍ଗାନଦୀରେ ସ୍ନାନ କରିଵାକୁ ଯାଉଥିଲେ । ମା' ଙ୍କ ସହିତ ପୁତ୍ର ଜହରଲାଲ ମଧ୍ଯ ଗଙ୍ଗାକୂଳକୁ ଯାଉଥିଲେ । ଏହ୍ଲାବାଦରେ ଥିବା ଅଧିକାଂଶ ହିନ୍ଦୁ ମନ୍ଦିରକୁ ମାତା ସ୍ବରୂପ ରାଣୀ ଦର୍ଶନ କରିବାକୁ ଯାଉଥିବା ବେଳେ ସାଙ୍ଗରେ ପୁତ୍ର ଜହରଲାଲଙ୍କୁ ନେଇ ଯାଉଥିଲେ । ସମୟେ ସମୟେ ମାତା ସ୍ବରୂପ ରାଣୀ ବିଶ୍ବନାଥଙ୍କ ଦର୍ଶନ କରିବା ପାଇଁ ଯିବା ବେଳେ ସାଥିରେ ପୁତ୍ର ଜହରଲାଲଙ୍କୁ ନେଇ ଯାଉଥିଲେ । ଏହା ବ୍ଯତୀତ ମାତା ସ୍ବରୂପ ରାଣୀ ଅନ୍ଯାନ୍ଯ ସ୍ଥାନକୁ ଦେବାଦେବୀ ଦର୍ଶନ କରିବାକୁ ଗଲାବେଳେ ସାଙ୍ଗରେ ପୁତ୍ରକୁ ନେଇ ଯାଉଥିଲେ । ଘରେ ମଧ୍ଯ ସେ ନାନା ଓଷା ବ୍ରତ କରୁଥିଲେ । ଏହି ଓଷା ବ୍ରତ କରୁଥିବା ବେଳେ ପାଖରେ ଚୁପଚାପ୍ ହୋଇ ସବୁ ଦେଖନ୍ତି ଓ ଶୁଣନ୍ତି । ମା' ସ୍ବରୂପ ରାଣୀ ଯେଉଁଆଡେ ଯାଆନ୍ତି ସବୁବେଳେ ସାଙ୍ଗରେ ପୁତ୍ରକୁ ନେଇ ଯାଆନ୍ତି । ପଣ୍ଡିତ ମୋତିଲାଲ ନେହେରୁ ବଡ଼ ଵଦରାଗୀ ଥିଲେ । ପିତା ମୋତିଲାଲ ଥରେ କ୍ରୋଧାନ୍ଧ ହୋଇ ଜବାହରଲାଲଙ୍କୁ ଅତିଶୟ ପ୍ରହାର କରିଥିଲେ । ତାହାର କାରଣ ଥିଲା, ଥରେ ମୋତିଲାଲ ନେହେରୁ ଅନୁପସ୍ଥିତ ଥିବା ସମୟରେ ଶିଶୁ ଜବାହରଲାଲ ମୋତିଲାଲଙ୍କ ପ୍ରକୋଷ୍ଠକୁ ଯାଇ ଦେଖିଲେ ମୋତିଲାଲଙ୍କ ମେଜ୍ ଉପରେ ଦୁଇଗୋଟି ଫାଉଣ୍ଟେନ୍ ପେନ୍ ଥୁଆ ହୋଇଛି । ଜବାହାରଲାଲ୍ ତାଙ୍କ ପିଲା ବୁଦ୍ଧିରେ ଭାବିଲେ ବାପା କେବେହେଲେ ଦୁଇଟିଯାକ ପେନ୍ ଏକାବେଳକେ ଆବଶ୍ୟକ କରୁନଥିବେ । ଏହାଭାବି ସେ ସେଠାରୁ ଗୋଟିଏ ପେନ୍ ନେଇ ଆସିଲେ । ମୋତିଲାଲ ଫେରିଲା ବେଳକୁ କଥାଟା ଶିଶୁ ଜବାହାରଲାଲ ପାସୋରି ଯାଇଥିଲେ । ମୋତିଲାଲ ମେଜ୍ ଉପରେ ଗୋଟାଏ ପେନ୍ ନ ଥିବାର ଦେଖି ଭୟଙ୍କର ଭାବରେ ରାଗିଲେ । ଘର ସାରା ପେନ୍ ଖୋଜା ଚାଲିଲା । ସମସ୍ତଙ୍କୁ ପଚରା ଉଚରା ହେଲା । ଏ ଘଟଣାରେ ଜବାହାରଲାଲ ଏତେଦୂର ଭୟଭୀତ ହୋଇପଡିଲେ ଯେ, ସେ ପେନ୍ ନେଇଥିବା କଥା ମାନିଲେ ନାହିଁ । ମୋତିଲାଲ ପ୍ରଚଣ୍ଡ ଭାବରେ ରାଗିଯାଇ ପୁତ୍ର ଜବାହାରଲାଲଙ୍କୁ ଭୟଙ୍କର ଭାବରେ ପ୍ରହାର କରିବାରେ ଲାଗିଲେ । ଜବାହାରଲାଲ ବହୁ ଦୁଃଖ ଲଜ୍ଜାରେ ମା'ଙ୍କ ପାଖକୁ ଧାଇଁଗଲେ । ଜବାହାରଲାଲଙ୍କ ଦେହସାରା ସ୍ଥାନେ ସ୍ଥାନେ କ୍ଷତ ହୋଇ ଯାଇଥିଲା । ବହୁଦିନ ପର୍ଯ୍ୟନ୍ତ ତାଙ୍କ ଦେହରେ ନାନା ପ୍ରକାରର ଔଷଧ ଓ ମଲମ ପ୍ରୟୋଗ କରାଯାଇଥିଲା । କିନ୍ତୁ ସୀମାତିରିକ୍ତ ପ୍ରହାର ସତ୍ତ୍ବେ  ଜହରଲାଲଙ୍କର ଶ୍ରଦ୍ଧା ଓ ଭକ୍ତି ତିଳେ ହେଲେ କମି ନଥିଲା । ବରଂ ସେ ଅନୁଭବ କଲେ ଯେ,ତାଙ୍କ ପ୍ରତି ପିତାଙ୍କ କ୍ରୋଧ ଓ ପ୍ରହାର ଉଚିତ୍ ହୋଇଛି । ସେ ଭାବିଲେ ତାଙ୍କ ଭୁଲ୍ ସକାଶେ ସେ ଦଣ୍ଡ ପାଇବାର ଯୋଗ୍ଯ ଓ ପିତା ତାଙ୍କୁ ଦଣ୍ଡ ଦେଇ ଠିକ୍ କରିଛନ୍ତି । ମୋତିଲାଲଙ୍କର ବୃହତ୍ ପାରିବାରିକ ବ୍ଯବସ୍ଥା ହେତୁ ସେ ଅନେକ ଭୃତ୍ଯ ଓ କର୍ମଚାରୀ ନିଯୁକ୍ତ କରିଥିଲେ । ସେହି ଭୃତ୍ଯ ଓ କର୍ମଚାରୀମାନଙ୍କର କାର୍ଯ୍ୟ ତଦାରଖ କରିବା ପାଇଁ ସେ ଜଣେ ବୃଦ୍ଧ ମୁସଲମାନଙ୍କୁ ନିଯୁକ୍ତ କରିଥିଲେ । ସେହି ବୃଦ୍ଧଙ୍କର ନାମ ଥିଲା ମୁନ୍ସି ମୁବାରକ୍ ଅଲି । ଜବାହାରଲାଲ ଅନେକ ସମୟରେ ମୁବାରକଙ୍କ ପାଖରେ ବସି ନାନା ଗଳ୍ପ ଓ କାହାଣୀ ଶୁଣୁଥିଲେ । ଶିଶୁ ଜବାହାରଲାଲ ନିଜ ମାଆଙ୍କଠାରୁ ରାମାୟଣ ଓ ମହାଭାରତ ଆଦି ପୁରାଣ ବର୍ଣ୍ଣିତ ନାନା କାହାଣୀ ଶୁଣି ମନେ ରଖି ପାରୁଥିଲେ । 
         
ଜବାହାରଲାଲଙ୍କୁ ଯେତେବେଳେ ୧୦ ବର୍ଷ ବୟସ  ସେତେବେଳେ ମୋତିଲାଲ ନେହେରୁ ଏହ୍ଲାବାଦରେ ଏକ ବିରାଟ କୋଠା କିଣିଥିଲେ । ଯାହାର ନାମ ' ଆନନ୍ଦ ଭବନ ' ଦେଇଥିଲେ । ଏହି ସମୟରେ ମୋତିଲାଲଙ୍କର ଗୋଟିଏ କନ୍ୟା ଜାତ ହୋଇଥିଲା । ଯାହାର ଡାକ ନାମ ଥିଲା ନାନ୍ । ବିବାହ ପରେ ସେହି କନ୍ୟାଟି ବିଜୟଲକ୍ଷ୍ମୀ ପଣ୍ଡିତ ନାମରେ ବିଶ୍ଵବ୍ୟାପୀ ଖ୍ଯାତି ଅର୍ଜନ କରିଥିଲେ । ଜବାହାରଲାଲଙ୍କୁ ଯେତେବେଳେ ଏଗାର ବର୍ଷ ବୟସ ସେତେବେଳେ ଆନିବେସାନ୍ତଙ୍କ ପରାମର୍ଶ ଅନୁସାରେ ମୋତିଲାଲ ନେହେରୁ ଜବାହାରଲାଲଙ୍କ ପାଇଁ ଏଫ.ଟି. ବ୍ରୁକ୍ସ ନାମକ ଜଣେ ଗୁଣବାନ ବ୍ଯକ୍ତିଙ୍କୁ ଗୃହ ଶିକ୍ଷକ ରୂପେ ନିଯୁକ୍ତି କରିଥିଲେ । ଅଳ୍ପ ଵୟସରେ ଜବାହାରଲାଲ ବହୁତ ଗୁଡିଏ ଇଂରାଜୀ ପୁସ୍ତକ ପଢି ଶେଷ କରିଥିଲେ । ୧୯୦୪ ମସିହାରେ ରୁଷ--ଜାପାନ ଯୁଦ୍ଧରେ ରୁଷକୁ ଜାପାନ ପରାସ୍ତ କରିଦେବା ସମ୍ବାଦ ଶୁଣି ବିଶେଷ ଆନନ୍ଦ ଅନୁଭବ କଲେ । ୧୯୦୫ ମସିହା ମେ ମାସରେ ପତ୍ନୀ ସ୍ବରୂପ ରାଣୀ ପୁତ୍ର ଜବାହାରଲାଲ ଓ ଶିଶୁ କନ୍ୟାକୁ ସଙ୍ଗରେ ଘେନି ମୋତିଲାଲ ବିଲାତ ଉଦ୍ଦେଶ୍ୟରେ ଯାତ୍ରା କଲେ । ସେଠାରେ ଜବାହାରଲାଲଙ୍କୁ ହ୍ଯାରୋ ସ୍କୁଲରେ ଛାଡି ମୋତିଲାଲ ତାଙ୍କ ପତ୍ନୀ ଓ କନ୍ୟାଙ୍କ ସହ ଇଉରୋପ ଭ୍ରମଣରେ ଯାଇ କେତେ ମାସପରେ ଭାରତ ଆଗମନ କଲେ । ବାଳକ ଜବାହାରଲାଲ ପାଠପଢା ପାଇଁ ହ୍ଯାରୋ ସ୍କୁଲରେ ଅବସ୍ଥାନ କଲେ । ଲାଟିନ୍ ଭାଷାରେ ଜବାହାରଲାଲଙ୍କ ଠାରେ ଆବଶ୍ୟକ ପରିମାଣର ଜ୍ଞାନ ନଥିବାରୁ ହ୍ଯାରୋ ସ୍କୁଲରେ ତଳ ଶ୍ରେଣୀରେ ନାଁ ଲେଖାଇବାକୁ ପଡିଥିଲା । କିନ୍ତୁ ପାଠ ପଢାରେ ସେ ଶୀଘ୍ର ଶୀଘ୍ର ଉନ୍ନତି କରିବାରୁ ତାଙ୍କୁ ଶୀଘ୍ର ଶୀଘ୍ର ଉପର କ୍ଲାସକୁ ଉଠେଇ ଦିଆଯାଇଥିଲା । ବହୁ ପତ୍ର ପତ୍ରିକା ଓ ଖବର କାଗଜ ପଢୁଥିଲେ । ହ୍ଯାରୋ ସ୍କୁଲ ପରିତ୍ୟାଗ କରି   ଜବାହାରଲାଲ କେମ୍ବ୍ରିଜ୍ ବିଶ୍ବବିଦ୍ୟାଳୟରେ ପଢିଲେ । କେମ୍ବ୍ରିଜ୍ ଟ୍ରିନିଟୀ କଲେଜରେ ଜହାରଲାଲ ରସାୟନ ଶାସ୍ତ୍ର, ଖଣିଜତତ୍ତ୍ବ ଓ ଉଦ୍ଭିଦ ବିଜ୍ଞାନକୁ ପାଠ୍ଯ ଭାବରେ ଗ୍ରହଣ କରିବା  ସହିତ ଇଂରାଜୀ, ସାହିତ୍ୟ, ଇତିହାସ, ରାଜନୀତି ଓ ଅର୍ଥନୀତି ଆଦି ନାନା ବିଷୟରେ ଜ୍ଞାନ ଅର୍ଜନ କରୁଥିଲେ । ଜବାହାରଲାଲ କେମ୍ବ୍ରିଜ୍ରେ ପଢିଲା ବେଳେ କେବେ ହେଲେ ତର୍କ ସଭାରେ ବକୃତା ଦେଇ ନ ଥିଲେ ଏବଂ ସେଥିପାଇଁ ପ୍ରତ୍ୟେକ ଥର ଜୋରିମାନା ଦେଉଥିଲେ । କେମ୍ବ୍ରିଜରେ ଥିବା ଭାରତୀୟମାନଙ୍କର ଗୋଟିଏ ସମିତି ଥିଲା । ଏହି ସମିତିର ନାମ ଥିଲା ମଜଲିସଦା । ଏଥିରେ ମଧ୍ୟ ଜବାହାରଲାଲ ଯୋଗ ଦେଉଥିଲେ । ଲଜ୍ଜାଶୀଳତା ହେତୁ ଭାଷଣ ଦେଉ ନଥିଲେ ମଧ୍ୟ ନୀରବରେ ସମସ୍ତଙ୍କ ଭାଷଣ ଶୁଣୁଥିଲେ । 'ଲ' ପଢିବା ପାଇଁ ଲଣ୍ଡନଠାରେ ଇନେନ୍ ଟେମ୍ପୁଳରେ ନାମ ଲେଖାଇଥିଲେ । ସେହି ସମୟ ମଧ୍ୟରେ ସେ ନାନା ପୁସ୍ତକ, ପତ୍ରପତ୍ରିକା ପାଠ କରୁଥିଲେ ଓ କେତେକ ସମୟରେ ଇଉରୋପ ମହାଦେଶର ବିଭିନ୍ନ ସ୍ଥାନକୁ ବୁଲି ଯାଉଥିଲେ । 
୧୯୧୦ ମସିହାରେ ସେ ସାଥୀଙ୍କ ସହିତ ଆୟାରଲ୍ଯାଣ୍ଡ ବୁଲିବାକୁ ଯାଇଥିଲେ । ଆୟାରଲ୍ଯାଣ୍ଡରେ ସେତେବେଳେ ସିନ୍ଫିନ୍ ମୁଭମେଣ୍ଟ ନାମକ ସ୍ବାଧୀନତା ଆନ୍ଦୋଳନର ଆରମ୍ଭକାଳ । କେମ୍ବ୍ରିଜ୍ ବିଶ୍ବବିଦ୍ୟାଳୟରୁ ଡିଗ୍ରୀ ପାଇଲା ପରେ ପରିଭ୍ରମଣ ପାଇଁ ସେ ନରୱେରେ ପହଞ୍ଚିଲେ । ସେଠାରେ ସେ ତାଙ୍କର ଇଂରେଜ ସାଥୀଟି ସହିତ କେତେକ ପର୍ବତ ସ୍ଥଳ ପରିଭ୍ରମଣ କରି କ୍ଳାନ୍ତ ହୋଇ ପଡିଥିବାରୁ ସେ ରହିଥିବା ଏକ ଛୋଟ ହୋଟେଲକୁ ଫେରି ଆସି ଗାଧେଇବାର ସୁବିଧା କରିଦେବା ପାଇଁ ହୋଟେଲବାଲାକୁ ଚାପଦେଇ କହିଲେ । ଗାଧେଇବା କଥା ସେଠାରେ କେବେ ଶୁଣା ନ ଥିଲା ଓ ସେହି ହୋଟେଲରେ ସେଥିପାଇଁ ବ୍ଯଵସ୍ଥା ମଧ୍ୟ ନଥିଲା । ତହୁଁ ହୋଟେଲବାଲା ସେ ଦୁହିଁଙ୍କୁ କହିଲା, ନିକଟରେ ଗୋଟିଏ ଝରଣା ଅଛି,ସେଇଠି ଧୋଇଧାଇ ହୋଇ ଆସିବେ ଯାଆନ୍ତୁ । ଏହାପରେ ସେ ଓ ତାଙ୍କ ଇଂରେଜ ବନ୍ଧୁ ସେହି ଝରଣା କୂଳକୁ ଗଲେ । ଝରଣାର ଶଯ୍ଯା ଭାରି ଖସଡା ଥିଲା । ସେହି ଝରଣାର ପାଣି ସ୍ପର୍ଶ କରନ୍ତେ ଖସଡାରେ ତାଙ୍କ ଗୋଡ ଖସି ଯିବାରୁ ସେ ଝରଣାର ସ୍ରୋତରେ ଭାସି ଗଲେ । ଉଦ୍ଧାର ପାଇଁ ସାଥୀ ମଧ୍ଯ ପାଣିରେ ପଶି କାଲୁଆ ହେବାକୁ ଵସିଲା । ଯାହାହେଉ କୌଣସି ମତେ ସାଥୀ ନିଜକୁ ଉଦ୍ଧାର କରି କୂଳକୁ ଉଠିଆସିଥିଲା । ଜବାହାରଲାଲ ଭାସି ଯାଉଥିବା ଦେଖି ସାଥୀ ତାଙ୍କୁ ଉଦ୍ଧାର କରିବା ପାଇଁ ଝରଣାର ଧାରେ ଧାରେ ଧାଇଁ ଧାଇଁ କୌଣସି ମତେ ଜବାହାରଲାଲଙ୍କ ଗୋଡକୁ ଧରି ପକେଇ କୂଳ ଉପରକୁ ଭିଡି ଆଣିଲା । ଜବାହାରଲାଲ ନିଶ୍ଚିତ ମୃତ୍ୟୁ ମୁଖରୁ ରକ୍ଷା ପାଇଗଲେ । ୧୯୧୨ ମସିହାରେ ଜବାହରଲାଲ ବିଲାତରେ ଆଇଡ(ଲ) ପାଶ୍ କରି ବାରିଷ୍ଟର ତାଲିକାରେ ନାଁ ଲେଖାଇଲେ ଓ ସେହି ବର୍ଷ ଭାରତକୁ ଫେରି ଆସିଲେ । ଏଣେ ଘରେ ତାଙ୍କ ଅନୁପସ୍ଥିତରେ ତାଙ୍କର ଗୋଟିଏ ଭଉଣୀ ଜାତ ହୋଇସାରିଥିଲା । ତା' ନାଁ ଦିଆଯାଇଥିଲା କୃଷ୍ଣା ଡାକ ନାଁ ବେଟୀ । ଜବାହାରଲାଲ ଯେତେବେଳେ ଘରକୁ ଫେରି ଆସିଲେ ସେତେବେଳେ ପିତା ମୋତିଲାଲଙ୍କ ଆନନ୍ଦ କହିଲେ ନସରେ । ୧୯୧୬ ମସିହା ବସନ୍ତ ପଞ୍ଚମୀ ଦିନ ଜବାହାରଲାଲ ନେହେରୁଙ୍କର ଛବିଶ ବର୍ଷ ବୟସରେ କମଳା ନେହେରୁଙ୍କ ସହିତ ବିବାହ ଅନୁଷ୍ଠିତ ହୋଇଥିଲା । କମଳା ନେହେରୁ ଥିଲେ କାଶ୍ମୀରର ଜଣେ ବ୍ରାହ୍ମଣ କନ୍ୟା । ବିବାହ ଉତ୍ସବ ଦିଲ୍ଲୀରେ ହୋଇଥିବାରୁ ସେଠାରେ ' ନେହେରୁ ବିବାହ ଶିବିର ' ନାମରେ ଏକ ବିରାଟ ଶିବିର ପ୍ରତିଷ୍ଠିତ ହୋଇଥିଲା । କମଳା ନେହେରୁ ନିଜର ବୁଦ୍ଧିମତ୍ତା ଓ ବିଚକ୍ଷଣତା ବଳରେ ଶିକ୍ଷିତ ସ୍ବାମୀ ଜବାହାରଲାଲଙ୍କୁ ସନ୍ତୁଷ୍ଟ କରିପାରିଥିଲେ ଓ ତାଙ୍କର ପତିଭକ୍ତି ଅନ୍ୟମାନଙ୍କ ତୁଳନାରେ ଯଥେଷ୍ଟ ଥିଲା । 
    
୧୯୧୭ ମସିହା ନଭେମ୍ବର ମାସ ୧୯ ତାରିଖରେ ପତ୍ନୀ କମଳା ନେହେରୁଙ୍କ ଗର୍ଭରୁ ଜବାହାରଲାଲଙ୍କର ଏକ କନ୍ୟା ଜାତ ହେଲା । ସେହି କନ୍ୟାଟିର ନାମ ଦିଆଗଲା ଇନ୍ଦିରା । ୧୯୧୯ ମସିହା ଡିସେମ୍ବରରେ କଂଗ୍ରେସର ବାର୍ଷିକ ଅଧିବେଶନ ପଞ୍ଜାବର ଅମୃତସର ସହରରେ ବସିଥିଲା । ଏହି ଅଧିବେଶନରେ ସଭାପତି ହୋଇଥିଲେ ମୋତିଲାଲ ନେହେରୁ । ନେତାମାନଙ୍କ ମଧ୍ୟରେ ପ୍ରଧାନତଃ ବାଳଗଙ୍ଗାଧର ତିଳକ,ଆନିବେସାନ୍ତ,ସାର୍ ଶ୍ରୀନିବାସ ଶାସ୍ତ୍ରୀ ଓ ମହମ୍ମଦ ଅଲ୍ଲି ଜିନ୍ନାଙ୍କ ସହିତ ମହାତ୍ମାଗାନ୍ଧୀ ଓ ଜବାହାରଲାଲ ନେହେରୁ ଉପସ୍ଥିତ ଥିଲେ । ୧୯୨୦ ମସିହାରେ କଲିକତା ଠାରେ ବସିଥିବା କଂଗ୍ରେସ ଅଧିବେଶନର ପରିସମାପ୍ତି ପରେ ଗାନ୍ଧୀଙ୍କ ସହିତ ରୋଗ ଶଯ୍ଯାରେ ପଡିଥିବା ଅମୃତବଜାର ପତ୍ରିକାର ସମ୍ପାଦକ ମୋତିଲାଲ ଘୋଷଙ୍କୁ ସାକ୍ଷାତ କରିଥିଲେ । ସେଠାରେ ଦୀନବନ୍ଧୁ ଆଣ୍ଡୃଜ୍ ବୋଲି ଜଣେ ଇଂରେଜ ବନ୍ଧୁଙ୍କ ସହିତ ପରିଚିତ ହୋଇଥିଲା । ଯିଏକି ଭାରତବାସୀଙ୍କର ସେବା ପାଇଁ ନିଜକୁ ଉତ୍ସର୍ଗ କରିଥିଲେ । ସେହି ସମୟରେ ଆଣ୍ଡୃଜ୍ ସାହେବ ଏକ ପୁସ୍ତକ ଲେଖିଥିଲେ ଯାହାର ନାମ ହେଉଛି Independence the Immediate Need  । ଯାହାକୁ ପଢି ଜବାହାରଲାଲ ଚମକି ପଡିଥିଲେ । ଭାରତବ୍ଯାପି ଅସହଯୋଗ ବାର୍ତ୍ତା ପ୍ରଚାର କରିବା ଓ ବ୍ରିଟିଶ ମାନଙ୍କୁ ବିରୋଧ କରିବାକୁ ପ୍ରବର୍ତ୍ତାଉ ଥିବା ଜାଣି ୧୯୨୧ ମସିହା ନଭେମ୍ବର ମାସ ୨୧ ତାରିଖରେ ବିଲାତ ଯୁବରାଜ ଜାହାଜରେ ଆସି ବମ୍ବେରେ ପହଞ୍ଚିଲେ । ପରେ ପୋଲିସ ପଣ୍ଡିତ ମୋତିଲାଲ ନେହେରୁ ଓ ପଣ୍ଡିତ ଜବାହାରଲାଲ ନେହେରୁଙ୍କୁ ଆରେଷ୍ଟ କରି କୋର୍ଟକୁ ପଠାଇଦେଲା । ବିଚାରରେ ଉଭୟଙ୍କୁ ୬ ମାସ ଲେଖାଏଁ ଜେଲ ଦଣ୍ଡ ଆଦେଶ ହେଲା । ଏହାହିଁ ଥିଲା ଜବାହାରଲାଲ ନେହେରୁଙ୍କ ଜୀବନର ପ୍ରଥମ ଜେଲ ଦଣ୍ଡ । 
ସରକାର ୧୯୨୨ ମସିହା ମାର୍ଚ୍ଚ ମାସ ୩ ତାରିଖରେ ଜବାହରଲାଲଙ୍କୁ ଖଲାସ କରିଦେବାରୁ ଜବାହରଲାଲ ପିତାଙ୍କ ଠାରୁ ବିଚ୍ଛିନ୍ନ ହୋଇ ଆସିବାକୁ ପଡିଥିଲା । ଲକ୍ଷ୍ନୌ ଜେଲରୁ ଖଲାସ ହେବାପରେ ପୁଣି ଜବାହରଲାଲଙ୍କୁ ବନ୍ଦୀ କରାଯାଇ ସେହି ଲକ୍ଷ୍ନୌ ଜେଲରେ ରଖାଗଲା । ନାଭାରେ ଚାଲିଥିବା ଆନ୍ଦୋଳନ ଦେଖିବା ପାଇଁ  ୨ ଜଣ ବନ୍ଧୁଙ୍କ ସହ ଜବାହାରଲାଲ ଯାଇଥିଲେ । ସେ ଦିନ ୧୯୨୩ ମସିହା ସେପ୍ଟେମ୍ବର ମାସ ୨୧ ତାରିଖ ଥିଲା । ନାଭା ପୋଲିସ ସେମାନଙ୍କୁ ଆରେଷ୍ଟ କଲା । ୧୯୨୩ ମସିହାରେ ଜବାହରଲାଲ ଏହ୍ଲାବାଦ ମ୍ଯୁନିସିପାଲଟିର ଚେୟାରମ୍ୟାନ ରୂପେ ନିର୍ବାଚିତ ହୋଇ ମ୍ଯୁନିସିପାଲଟି ଫର୍ମରେ ନାନା ସଂସ୍କାର ଆଣିବାକୁ ଉଦ୍ୟମ କରିଥିଲେ । ୧୯୨୪ ମସିହା ସେପ୍ଟେମ୍ବର ମାସରେ କମଳା ନେହେରୁଙ୍କ ଗର୍ଭରୁ ଜବାହରଲାଲଙ୍କର ଏକ ପୁତ୍ର ଜାତ ହେଲା କିନ୍ତୁ ଏକ ସପ୍ତାହ ପରେ ମରିଗଲା । ୧୯୨୬ ମସିହା ମାର୍ଚ୍ଚ ମାସରେ ଜବାହାରଲାଲ ନେହେରୁ, କମଳା ନେହେରୁ ଓ ତାଙ୍କ ୯ ବର୍ଷର କନ୍ୟା ଇନ୍ଦିରା ଇଉରୋପ ଅନ୍ତର୍ଗତ ସୁଇଜରଲ୍ଯାଣ୍ଡ ଦେଶକୁ ଜାହାଜରେ ବସି ଯାତ୍ରା କଲେ କମଳା ନେହେରୁଙ୍କ ଚିକିତ୍ସା ପାଇଁ ।  ସେହିଠାରେ ଇନ୍ଦିରାଙ୍କ ପାଠପଢା ଆରମ୍ଭ ହୋଇଥିଲା । ୧୯୨୭ ମସିହାରେ ଭାରତ ଫେରି ଆସିଲେ । ଏହି ସମୟରେ ମାନ୍ଦ୍ରାଜଠାରେ ଜାତୀୟ କଂଗ୍ରେସର ବାର୍ଷିକ ଅଧିବେଶନ ବସିଥାଏ । ଜବାହାରଲାଲ ନେହେରୁ ଏହି ଅଧିବେଶନରେ ଯୋଗଦେଲେ । ୧୯୩୦ ମସିହା ଜାନୁଆରୀ ମାସ ୨୬ ତାରିଖକୁ ଭାରତର ପୂର୍ଣ୍ଣ ସ୍ବାଧୀନତା ପାଇଁ ଶପଥ ଗ୍ରହଣ ଘୋଷଣା କରାଗଲା । ୧୯୩୦ ମସିହା ଅପ୍ରେଲ ମାସ ୬ ତାରିଖରେ ଦାଣ୍ଡିଠାରେ ଲଵଣ ସତ୍ଯାଗ୍ରହରେ ଗାନ୍ଧୀଙ୍କ ସହିତ ଥିଲେ । ଏହାପରେ ମଧ୍ଯପ୍ରଦେଶର ରାୟପୁରଠାରେ ଅନୁଷ୍ଠିତ ହେବାକୁ ଥିବା ସଭାରେ ଯୋଗ ଦେବାକୁ ଯାଉଥିବା ବେଳେ ପୋଲିସ ଦ୍ବାରା ଆରେଷ୍ଟ ହୋଇ ଜେଲ୍ ଗଲେ । ସେହି ଦିନ ଜେଲ୍ ମଧ୍ୟରେ ଜବାହାରଲାଲଙ୍କର ବିଚାର ହୋଇ ତାଙ୍କୁ ଲୁଣ ଆଇନ୍ ଭଙ୍ଗ ଅପରାଧରେ ୬ ମାସ ଜେଲ୍ ଦଣ୍ଡ ମିଳିଲା । ୧୯୩୧ ମସିହା ଅକ୍ଟୋବର ମାସ ୨୩ ତାରିଖରେ ଏହ୍ଲାବାଦରେ ବସିଥିବା କୃଷକ ସମ୍ମେଳନରେ ଜବାହାରଲାଲ ନେହେରୁ ଭାଷଣ ଦେଇ ଖଜଣା ବନ୍ଦ ଆନ୍ଦୋଳନର ଶୁଭ ଦେଉଥିଲେ ।  ଏହି ଆନ୍ଦୋଳନ ସାରା ଉତ୍ତର ପ୍ରଦେଶରେ ବ୍ଯାପିଗଲା । ପୋଲିସ ଜବାହାରଲାଲ ନେହେରୁଙ୍କୁ ପଥ ମଧ୍ଯରେ ଆରେଷ୍ଟ କରି ନୈନି ଜୃଲକୁ ନେଇଯାଇଥିଲେ । ୧୯୩୨ ମସିହା ଜାନୁଆରୀ ମାସ ୪ ତାରିଖ ବିଚାରରେ ଦୁଇବର୍ଷ ସଶ୍ରମ କାରାଦଣ୍ଡ ଓ ପାଞ୍ଚଶହ ଟଙ୍କା ଜୋରିମାନା ହେଲା ଓ ଜୋରି ନଦେଲେ ୬ ମାସ ଅଧିକ ଜେଲ୍ ଦଣ୍ଡ ପାଇଁ ଆଦେଶ କରାଗଲା । ୧୯୩୩ ମସିହା ସେପ୍ଟେମ୍ବର ମାସ ୧୧ ତାରିଖରେ ଜବାହରଲାଲଙ୍କ ଜେଲଦଣ୍ଡ ସରିବାର ଥିଲା ଓ ୧୨ ତାରିଖରେ ସେ ଖଲାସ ହୋଇଥାଆନ୍ତେ , କିନ୍ତୁ ତାଙ୍କ ମା' ସ୍ବରୂପ ରାଣୀ ସାଙ୍ଘାତିକ ଅସୁସ୍ଥ ହୋଇ ପଡିବାରୁ  ଜବାହାରଲାଲଙ୍କୁ ୧୩ ଦିନ ଆଗରୁ ଖଲାସ ହେବାକୁ ପଡିଥିଲା । ୧୯୩୪ ମସିହା ଜୁନ୍ ମାସରେ ଜବାହାରଲାଲ ତାଙ୍କର ଆତ୍ମଜୀବନୀ ଲେଖିବା ଆରମ୍ଭ କରିଥିଲେ । ଏହି ଆତ୍ମଜୀବନୀ ଶେଷ କରିବା ପାଇଁ ତାଙ୍କୁ ୮ ମାସ ସମୟ ଲାଗିଥିଲା । ୧୯୩୬ ମସିହା ପାଇଁ ତାଙ୍କୁ ଭାରତୀୟ ଜାତୀୟ କଂଗ୍ରେସର ସଭାପତି ରୂପେ ନିର୍ବାଚିତ କରାଯାଇଥିବା ସମ୍ବାଦ ପାଇ ଭାରତ ଆସିଲେ । ୧୯୩୭ ମସିହାରେ ୧୯୩୫ ମସିହାର ଭାରତ ଶାସନ ଆଇନ ଅନୁସାରେ ଭାରତର ପ୍ରଦେଶ ଗୁଡିକ ପାଇଁ ନିର୍ବାଚନ କରିବାକୁ ସରକାର ସ୍ଥିର କଲେ । ଗାନ୍ଧୀଙ୍କ ପ୍ରରୋଚନାରେ ଜବାହାରଲାଲ ନେହେରୁଙ୍କୁ କଂଗ୍ରେସର ସଭାପତି ରୂପେ ନିର୍ବାଚିତ କରାଗଲା । ଇଉରୋପର ତତ୍କାଳୀନ ରାଜନୈତିକ ପରିସ୍ଥିତି ପର୍ଯ୍ଯବେକ୍ଷଣ କରିବା ଉଦେଶ୍ୟ ନେଇ ୧୯୩୮ମସିହା ଜୁନ୍ ମାସରେ ୟୁରୋପ ଯାତ୍ରା କଲେ । ସେଠାରେ କୃଷ୍ଣ ମେନନଙ୍କ ସହିତ ୟୁରୋପର ବିଭିନ୍ନ ଦେଶକୁ ଯାଇ ସେଠାକାର ରାଜନୈତିକ ପରିସ୍ଥିତି ସମ୍ବନ୍ଧରେ ଅବହିତ ହେଲେ । ଏହି ମସିହା ନଭେମ୍ବର ମାସରେ ଭାରତକୁ ଫେରି ଦୁଇଟି ଗୁରୁତ୍ୱପୂର୍ଣ୍ଣ ସଂସ୍ଥାନର ସଭାପତି ପଦ ଲାଭ କଲେ ଜବାହାରଲାଲ । ୧୯୩୯ ମସିହା ଜୁଲାଇ ମାସରେ ସିଂହଳ ଯାତ୍ରା କଲେ । ସେଠାରେ ତାଙ୍କୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା ମିଳିଥିଲା । ୧୯୪୦ ମସିହା ଅକ୍ଟୋବର ମାସ ୩୦ ତାରିଖରେ ଗୋରଖପୁର ଠାରେ ଉତ୍ତେଜନାକାରୀ ଭାଷଣ ଦେଉଥିଲା ବେଳେ ତାଙ୍କୁ ଆରେଷ୍ଟ କରିନେଲେ ଓ ଗୋରଖପୁର ଜେଲରେ ବିଚାର କରି ୪ବର୍ଷ ସଶ୍ରମ କାରାଦଣ୍ଡ ହେଲା । ଏହିପରି ବିଭିନ୍ନ ସମୟରେ ଏ ଦେଶ ତଥା ଜାତିର ଉନ୍ନତି ପାଇଁ କାରାବରଣ କରି ଯାଇଥିବାରୁ ସେ ଆଜି ଭାରତବାସୀଙ୍କ ପାଖରେ ସ୍ମରଣୀୟ ହୋଇଯାଇଛନ୍ତି । ସେ ଅତି ଛୋଟ ଛୋଟ କୋମଳମତୀ ପିଲାମାନଙ୍କୁ ଭଲ ପାଉଥିବାରୁ ପିଲାମାନେ ଅତି ଆଦରରେ ତାଙ୍କୁ ଚାଚା ନେହେରୁ ବୋଲି ଡାକୁଥିଲେ । ୧୯୪୭ ମସିହାରେ ଭାରତର ବିଭାଜନ ପରେ ସେ ଭାରତର ପ୍ରଧାନମନ୍ତ୍ରୀତ୍ବ ବହନ କରି ଏ ଦେଶ ତଥା ଅନେକ କିଛି କରିଯାଇଛନ୍ତି । ୧୯୬୪ ମସିହା ମେ ମାସ ୨୭ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କର ସେହି ଜନ୍ମ ଦିବସକୁ ମନେ ରଖିବା ପାଇଁ ସାରା ଦେଶ ଶିଶୁ ଦିବସ ବୋଲି ପାଳନ କରୁଛି ।

ତଥ୍ୟ - ନରେନ୍ଦ୍ର ପ୍ରସାଦ ବେହେରା
ଆଳଦା, ଖଇରା, ବାଲେଶ୍ବର, ମୋ-୯୮୫୩୧୪୨୫୧୦

Post a Comment

0 Comments