Ad

header ads

ପ୍ରବନ୍ଧ - ବିବେକର ବିକ୍ରି ଓ କିଣାବିକାର ମଣିଷ - ସନ୍ତୋଷ କୁମାର ମହାନ୍ତି.

ବିଶ୍ୱ ବଜ଼ାରରେ ଏଠି ନାନା ରକମର କିଣାବିକା ଚାଲିଛି | ଆମେ ସେହି ବଜ଼ାରରେ କେତେବେଳେ କ୍ରେତା ତ ଆଉ କେତେବେଳେ ବିକ୍ରେତାର ଭୂମିକା ଲିଭାଉଛେ | ବଜ଼ାରରେ ଅନେକ ସାମଗ୍ରୀର କିଣାବିକା ଚାଲେ | ଆମେ ଉଚିତ ମୂଲ୍ୟ ଦେଇ ତ ପୁଣି କେତେବେଳେ ମୂଲାମୂଲି କରି ଆମର ଆବଶ୍ୟକୀୟ ସାମଗ୍ରୀ କିଣିଥାଉ | ଏହି କିଣାବିକାର ପ୍ରକ୍ରିୟା ଅହରହ ଏଠି ଚାଲିଛି | କେବଳ ବଜ଼ାରରେ ବିକାକିଣା ଚାଲେ ତାହା ନୁହେଁ | ହାଟ ଓ ବଜ଼ାର ବିନା ଅନେକ ବସ୍ତୁ ଓ ସାମଗ୍ରୀବି ବିକାକିଣା ଚାଲେ | କିଛି କିଣାବିକା ଆମ ଆଖି ଆଗରେ ହୁଏ,ଆଉ କିଛି ଆମ ଆଢୁଆଳରେ ହେଇଥାଏ | ଏଇ ଯେମିତି ନିଶାଦ୍ରବ୍ୟ ,ଚୋରା ବନ୍ଧୁକ ,ବନ୍ୟସାମଗ୍ରୀ ,ବନ୍ୟଜନ୍ତୁଙ୍କ ମାଂସ ଠାରୁ ସେମାନଙ୍କ ଶରୀରର ଅନେକ ସାମଗ୍ରୀ, ଚୋରିରେ ସଂଗ୍ରହ ସାମଗ୍ରୀ ଲୁଚାଛପାରେ ବିକ୍ରି ଚାଲିଥାଏ | ଆମ ଦେଶ ତଥା ରାଜ୍ୟରେ ଛୁଆ ବିକ୍ରି ଓ ଝିଅ ବିକ୍ରିବି ଚାଲେ | ତାହାରବି ଗ୍ରାହକ ଥାଆନ୍ତି | ଏବେ ସବୁ ଜ଼ିଲ୍ଲା ମୁଖ୍ୟାଳୟ ଓ ଛୋଟ ବଡ ସହରମାନଙ୍କରେ ମଣିଷ ମାନଙ୍କ ହାଟ ବସୁଛି | ସକାଳୁ ଅନେକ ସ୍ଥାନରେ ମଣିଷ ମାନଙ୍କ ହାଟ ଯେ କେହି ଦେଖିଥିବ ସିଏ ଅନୁଭଵ କରିପାରୁଥିବ ମଣିଷ ବି ଏଠି ଗୋଟେ ସାମଗ୍ରୀ ହେଇଗଲାଣି | ସେହି ମଣିଷ ହାଟରେ ଦଲାଲମାନେ ଆସି ଲୋକମାନଙ୍କୁ କାମକୁ ନେବା ପାଇଁ ମୂଳଚାଲ କରନ୍ତି | ଆଉ ମୂଳଚାଲ ଛିଡିଗଲେ ଯେଉଁମାନେ ମୂଲ ଲାଗିବା ପାଇଁ ଅପେକ୍ଷା କରିଥାନ୍ତି ସେମାନେ ଆଗ ପଛ କିଛି ନ ଭାବି କାମର ଜାଗାକୁ ଚାଲିଯାନ୍ତି |

ଏଇ ଦେଶରେ ଗୋଟେ ସମୟ ଥିଲା ବାପା ଋଣ କରି ମରିଗଲେ ପୁଅ ସେ ଋଣ ଶୁଝୁଥିଲା | ବାପମାନେ ଋଣ ସୁଝି ନ ପାରିବାରୁ ଅନେକ ପୁଅଙ୍କ ଜୀବନ ଜମିଦାରର ବେଠି ଖଟିବାରେ ଯାଉଥିଲା | ସେଠି ପ୍ରତିବାଦ କରିବାର ଜୁ ନ ଥିଲା | ଜଣେ ସରକାରୀ ଚାକିରିଆ ହେଉ ବା ବେସରକାରୀ ଚାକିରିଆ ଥରେ ଚାକରି କଲେ ସିଏ ଏକ ପ୍ରକାର ବିକ୍ରି ହୋଇଗଲା ବୋଲି କୁହାଯାଏ | ଏମିତି ଏ ବିଶ୍ୱରେ କୋଉ ଲୋକ ନାହିଁ ଯିଏ କହିଦେବ ମୁ ଚାକିରୀ ପରେ ବିକ୍ରି ହେଇନାହିଁ | କିଏ ଅଶୀ ହେଲେ ଆଉ କିଏ କୋଡିଏ ଭାଗ ବିକ୍ରି ହେଇଯାଇଛି | ଚାକିରୀ କରିବା ପରେ ମଣିଷ ତା ଜୀବନର ଅନେକ ସ୍ୱାଧୀନତା ହରାଇବସେ | ସିଏ ତାର ଚିନ୍ତାଧାରାକୁ ସ୍ୱାଧୀନ ଭାବେ ବକ୍ତ୍ୟ କରିପାରେ ନାହିଁ କି ନିଜ ଇଛାରେ ଜୀବନ ଜିଇ ପାରେ ନାହିଁ |ଚାକିରୀଆ ଲୋକଙ୍କର ଚାବିଟାକୁ ଆଉ କିଏ ମୋଡ଼ୁଥାଏ | ସିଏ ଇଚ୍ଛା ଆଉ ଅନିଚ୍ଛା ଭିତରେ ଜୀବନ ବୋଝ ବୋହି ଚାଲିଥାଏ | ସମସ୍ତେ କୁହନ୍ତି ମଣିଷ ଯୋଉଦିନ ପର ଅଧୀନରେ ଚାକିରୀ କଲା ସିଏ ସେହି ସେଦିନ ଅଧା ବିକ୍ରି ହେଇଗଲା |କାରଣ ସରକାରଙ୍କ ଅଧୀନରେ କାମ କରୁଥିବା ଲୋକମାନେ ସବୁବେଳେ ଅନେକ ପ୍ରକାର ଚାପରେ ରହିଥାନ୍ତି | ଉପର ଠାରୁ ତଳ ପର୍ଯ୍ୟନ୍ତ ସେମାନଙ୍କୁ ଏତେ ଚାପପଡେ ଯେ ସେମାନଙ୍କୁ ଚାପ ପକାଉଥିବା ଲୋକ ଆମ ଆଢୁଆଳରେ ରହିଯାଇ ନିଜ ସ୍ୱାର୍ଥ ହାସଲ କରୁଥାଏ | ବିଚରା ସରକାରୀ କର୍ମଚାରୀ ଜଣଙ୍କ ସର୍ବସମ୍ମୁଖରେ ନିଜ ଭାବ ମୂର୍ତ୍ତିକୁ ଠିକ ରଖିପାରେ ନାହିଁ | ଏହା ପରେବି କିଛି ଅଧିକାରୀ ଅଛନ୍ତି ସେମାନଙ୍କ ଉପରେ ଚାପ ନ ଥିଲେ ବି ଅଧିକ ପାଇବାର ଲାଳସାଯୋଗୁ ନିଜେ ବିକ୍ରି ହେଇଯାଇ ଏ ଦେଶରେ ଅନେକ କଳଙ୍କମୟ କାମ କରିବସନ୍ତି | ସେଥିପାଇଁ ଅନେକ ଲୋକ ପର ଅଧୀନରେ କାମ କରିବାକୁ ପସନ୍ଦ ନ କରି ଚାଷ ଓ ବେପାର ବଣିଜ କରି ପେଟ ପୋଷୁଛନ୍ତି |

ମଣିଷ ନିଜ ପେଟପାଟଣା ଓ ପରିବାର ପ୍ରତିପୋଷଣ ପାଇଁ ମୂଳ ଲାଗେ ଓ ଚାକରି କରେ | ଚାକିରୀଆ ଲୋକଟି ପର ପାଇଁ ସମୟ ଦେଉଥିବାରୁ ତାର ଯୋଗ୍ୟତା ଅନୁଯାୟୀ ସିଏ ମାସ ଶେଷରେ ପାରିଶ୍ରମିକ ପାଇ ଥାଏ | ଆମ ଦେଶରେ ଥିବା ଅନେକ ସରକାରୀ କର୍ମଚାରୀ ସେମାନଙ୍କ କାମ ପାଇଁ ଉଚିତ ପାଉଣା ପାଇଲେ ମଧ୍ୟ ସେମାନେ କିନ୍ତୁ ତାଙ୍କ ବିବେକଟିକୁ ବିକି ଦେଇଛନ୍ତି |ଛୋଟ କାମ ପାଇଁ ସେମାନଙ୍କୁ ତଳେଇ ଓ କରେଇ କିଛି ପାଉଣା ନ ଦେଲେ ଆଜିକାଲି ଆଉ କାମ ହେଉନି | ଏହି ଧାରା ବଢି ଚାଲିଛି ପଛେ କମିବାର ନାମ ଧରୁନି | ଯେତେ ଭିଜିଲାନ୍ସ ଚଢ଼ାଉ ହେଲେ ମଧ୍ୟ ସେପରି କିଛି ଆଖି ଦୃଶିଆ ପରିବର୍ତ୍ତନ ହେଉନାହିଁ |

ଆମ ଦେଶରେ ନେତାମାନେ ଜନତାର ଟିକସ ଅର୍ଥରେ ମୋଟା ଦରମା ସହ ଅନେକ ସୁଖ ସୁବିଧା ଭୋଗ କରୁଛନ୍ତି | କିନ୍ତୁ ସେମାନଙ୍କ ଭିତରୁ ଅନେକ ଶାସନ ଗାଦିକୁ ଗଲାପରେ ଏକ ରକମ ବିକ୍ରି ହେଇ ଯାଉଛନ୍ତି | ଜନତାର ସୁଖ ,ସୁବିଧା ପାଇଁ ଶାସନର ଡୋର ଧରିଥିବା ଅନେକ ନେତା ପରେ ସେମାନଙ୍କ ସ୍ୱାର୍ଥ ପାଇଁ ସମୂହର ମଙ୍ଗଳ ଠାରୁ ଦୁରେଇ ଯାଉଛନ୍ତି | ଆମ ଦେଶରେ ଏବେ ରାଜନୀତିରେ ଗୋଟେ ନୂଆଧାରା ଦେଖିବାକୁ ମିଳିଲାନି | ଆମେ ଜଣେ ନେତା ଓ ସେ ଜଡିତ ଥିବା ଦଳର ଆଦର୍ଶକୁ ଦେଖି ତାଙ୍କୁ ଭୋଟ ଦେଉ ,କିନ୍ତୁ ପରେ ସେ ନେତା ଜଣଙ୍କ ଗଣର ମତକୁ ଉପେକ୍ଷା କରି ଆଉ ଗୋଟେ ଦଳ ଆଡକୁ ଡିଆଁ ମାରନ୍ତି | | ସମସ୍ତେ କୁହାକୁହି ହୁଅନ୍ତି ସିଏ କୁଆଡେ ବିକ୍ରି ହେଇଗଲେ | ଯୋଉଟାକୁ ଆମେ ରାଜନୀତିରେ ଘୋଡା ବେପାର ବୋଲି କହିଥାଉ | ବ୍ଲକ ଓ ଜ଼ିଲ୍ଲା ପରିଷଦ ଚେୟାରମ୍ୟାନ ନିର୍ଵାଚନ ବେଳେ ଆମ ଦେଶରେ ଯୋଉ ଘୋଡାବେପାର ଚାଲେ ସେଇଟା କାହାକୁ ଅଜଣା ନାହିଁ |

ଏ ଦେଶର ଜନତା ବି କିଛି କମ ନୁହନ୍ତି | ଆମ ଦେଶର ଅର୍ଦ୍ଧାଧିକ ଲୋକ ବି ନିଜର ବହୁମୂଲ୍ୟ ଭୋଟ ଖଣ୍ଡିକ ପଂଚାୟତ ନିର୍ଵାଚନ ଠାରୁ ଆରମ୍ଭ କରି ଲୋକସଭା ଓ ବିଧାନସଭା ନିର୍ବାଚନ ଯାଏଁ ଟଙ୍କା, ମଦ, ମାଂସ ଓ ବିଭିନ୍ନ ସାମଗ୍ରୀ ନେଇ ବିକ୍ରି କରିଥାନ୍ତି | ତେଣୁ ରାଜନୀତିର ବଜ଼ାରରେ ଭୋଟ ଏକ ପ୍ରକାର କିଣାବିକା ଚାଲେ | କିଛି ସ୍ଥାନରେ ଏହା ଖୋଲାରେ ହୁଏ ଆଉ କିଛି ଜାଗାରେ ଅନ୍ଧାର ଭିତରେ କାରବାର ଚାଲେ | ତେଣୁ ଏ ଦେଶରେ ଗଣଙ୍କ ଦ୍ୱାରା ଯୋଉ ଶାସନ ଚାଲେ ବୋଲି କୁହାଯାଉଛି ତାହା ଏକ ପ୍ରହେଳିକା ଭଳି ଜଣାପଡେ | ଆଗେ ଗାଁରେ ନ୍ୟାୟ ନିଶାପ ବସୁଥିଲା | ଅନେକ କଳିଗୋଳ, ପାରିବାରିକ କଳହ, ଚୋରି ଘଟଣା ଆଦି ଗାଁରେ ନିଶାପ ବସି ନ୍ୟାୟ ହେଉଥିଲା | ସେ ବେଳର ମୂରବି ମାନେ ଉଭୟ ପକ୍ଷର କଥା ଶୁଣି ଠିକ ବିଚାର ଦେଉଥିଲେ | କିନ୍ତୁ ଏବେ ଅନେକ ଗାଁ ମୂରବି ଶୂନ୍ୟ | କେହି କାହାକୁ ମାନିବା ଆଉ ଗାଁ ଗୁଡିକରେ ଦେଖିବାକୁ ମିଳୁନି | ଗାଁ ଗୁଡିକରେ ଅଧିକ ମଦ୍ୟ ପାନ ବଢ଼ୁଥିବାରୁ ଲୋକେ ନିଜ ଶାରୀରିକ ସାମର୍ଥ୍ୟ ହରାଇବା ସହ ନିଜ ବିଚାର ଶକ୍ତି ଓ ବିବେକବି ହରେଇ ବସିଲେନି | ଏବେ ଗାଁରେ ଯଦି କେବେ ନିଶାପ ବସିଲା ତେବେ ନିଶାପରେ ବସିଥିବା ଲୋକମାନେ ଦୁଇ ପକ୍ଷର ଧନଵଳକୁ ଆଗେ ଦେଖୁଛନ୍ତି | ନିଶାପ ସରିଲାପରେ କିଏ କେତେ ମଦ ପିଆଇ ପାରିବ ଆଉ ମାଂସ ଭୋଜି ଦେଇ ପାରିବ | ତେଣୁ ଗାଁର କେତେ ଜଣ କଥାକୁହା ମୂରବି ( ସେମାନଙ୍କ ଭିତରୁ କିଛି ଘୋଡା ମଦୁଆ ଥିବେ ) ଏମିତି ବଡପାଟି କରି ନ୍ୟାୟ ଦେବେ ଯେ ଦୋଷ କରି ନଥିବା ଲୋକଟି କାନ ମୁଣ୍ଡ ଆଉଁଶି ଭୁଲ ମାଗିବ, ନହେଲେ ଜୋରିମାନା ଦେଇକି ଯିବ | ତେଣୁ ଆଜିର ଯୁଗରେ ଅନେକ ଗାଁରେ ମଣିଷମାନେ ନ୍ୟାୟ ,ନିଶାପରେ ବସିବା ପୂର୍ବରୁ ଏକ ରକମ ବିକ୍ରି ହେଇଯାନ୍ତି | ସେଥିପାଇଁ ଏବେ ଆମ ଦେଶର କୋଣ ଅନୁକୋଣରେ ଗାଁ ଗୁଡିକରେ କଙ୍ଗାରୁ କୋର୍ଟ ବସି ଅନେକ ଲୋକଙ୍କ ଗାଁରୁ ବିତାଡିତ କରାଗଲାଣି ତ କାହାକୁ ପୁଣି ନିଆଁ ,ପାଣି ଅଟକ କରାଗଲାଣି | ଆଉ କିଛି ଲୋକଙ୍କୁ ହତ୍ୟା କରାଯାଉଛି | ଏହି ସବୁ ଘଟଣା ଗୁଡିକ ପ୍ରତିଦିନ ସମ୍ବାଦପତ୍ର ପୃଷ୍ଠା ମଣ୍ଡନ କରୁଛି |

ଆମ ଦେଶରେ ଅନେକ ମୁଦ୍ରିତ ଓ ଇଲେକ୍ଟ୍ରୋନିକ ଗଣମାଧ୍ୟମ ଏକ ପ୍ରକାର ବିକ୍ରି ହେଇଯାଇଛନ୍ତି | ସେମାନେ ନିଜ ସ୍ୱାର୍ଥ ପାଇଁ ଅନେକ ଘଟଣାକୁ ଲୋକ ମାନଙ୍କ ପାଖରେ ଏପରି ପରିବେଷଣ କରନ୍ତି ଯେ ,ଜଣାପଡେ ସେମାନେ ପର ପାଇଁ ତୁଣ୍ଡ ସାଜିଛନ୍ତି | ସେଥିପାଇଁ ଅନେକ ଗଣମାଧ୍ୟମର ଖବର ଉପରେ ଆଉ ଲୋକ ଭରସା କରିପାରୁ ନାହାନ୍ତି | ଗଣତନ୍ତ୍ରର ଖେତ ଜଗିଥିବା ଅନେକ ଗଣମାଧ୍ୟମର ଅଧିକାରୀ ମାନେ ବିକ୍ରି ହେଇଗଲାପରେ ଗଣତନ୍ତ୍ରରେ ବେପାରୀ ସାଜିଥିବା ଅନେକ ରାଜନୈତିକ ଲୋକମାନେ ଲୋକଙ୍କ ସେବାକୁ ଏକ ପ୍ରକାର ବେପାରସଜେଇ ନିଜ ସ୍ୱାର୍ଥ ସାଧନ କରିବାରେ ଲାଗିପଡିଛନ୍ତି | ଥରେ ଜଙ୍ଗଲରେ ଗୋଟେ ମାଙ୍କଡ ଡାଳରୁ ଡାଳ ଡେଇଁ ଚଢେଇ ମାନଙ୍କ ବସା ଭାଙ୍ଗିଲା | ଅନେକ ଚଢେଇଛୁଆ ବସାରୁ ପଡି ମଲେ | ପକ୍ଷୀମାନେ ବାସହରା ହେଲେ | ଭାଲୁ ସେତେବେଳେ ସେହି ଜଙ୍ଗଲରେ ରାଜା ଥିଲା | ଚଢେଇମାନେ ଯାଇ ରାଜାଙ୍କ ପାଖେ ମାଙ୍କଡ ନାମରେ ଅଭିଯୋଗ କଲେ | ମାଙ୍କଡକୁ ରାଜ ଦରବାରକୁ ଡକାଗଲା | ରାଜା ଉଭୟ ପକ୍ଷର ଅଭିଯୋଗ ଶୁଣିଲେ | ବିଚାର ଶେଷ ପରେ ମାଙ୍କଡକୁ ଦଣ୍ଡ ମିଳିବ ବୋଲି ନିଷ୍ପତ୍ତି ନିଆଗଲା |ଏତିକିବେଳେ ମାଙ୍କଡଟି କହିଲା -ମହାଭାଗ କେବଳ ଆଗକୁ ଅନେଇ ବିଚାର କଲେ ହେବନାହିଁ ,ଆପଣ ଟିକେ ପଛକୁ ଦେଖି ବିଚାର କରନ୍ତୁ | ଭାଲୁ ମହାରାଜା ପଛକୁ ଦେଖିଲେ | ତାଂକ ପଛପଟେ ଗୋଟେ ବଡ ପାଚିଲା ପଣସ ରଖାଯାଇଥିଲା | ପଣସ ଦେଖି ଭାଲୁ ପାଟିରୁ ଲାଳ ଗଡ଼ିଲା | ତୁରନ୍ତ ବିଚାର ବଦଳି ଗଲା | ରାଜା କହିଲେ -ମାଙ୍କଡର ଧର୍ମ ସିଏ ଡାଳରୁ ଡାଳକୁ ଡେଇଁବ | ତେଣୁ ସିଏ ଡେଇଁଛି | ଚଢେଇମାନଙ୍କର ବସା ଭାଙ୍ଗିଲା ସେଥିରେ ମାଙ୍କଡର କିଛି ଦୋଷ ନାହିଁ | ରାଜାଙ୍କ ଏହି ନିଷ୍ପତ୍ତିରେ ଚଢେଇମାନେ ଆଚମ୍ବିତ ହେଲେ | ପରେ ସେହି ଜଙ୍ଗଲର ସବୁ ଚଢେଇମାନେ ରାଜା ଓ ମାଙ୍କଡଙ୍କ ବିରୁଦ୍ଧରେ ବିପ୍ଳବ କରିଥିଲେ | ଏହି କଥାଟି ଆମେ 'ବିହଙ୍ଗ ବିପ୍ଳବ" କାହାଣୀରେ ପଢିଥିଲେ |

ଏ ଦେଶରେ ଯୋଉମାନେ ଜନତାକୁ ସେବା ଓ ନ୍ୟାୟ ଦେବାପାଇଁ ଯୋଉ ଭଳି ଭାବେ ନିଜ ପ୍ରକୃତ କାମ ଠାରୁ ଦୁରେଇ ଯାଇ ନିଜକୁ ବିକ୍ରି କରି ଚାଲିଛନ୍ତି ସେଥିପାଇଁ ଜନତାର ଆକ୍ରୋଶ ବଢି ଚାଲିଛି | ଏହି ଆକ୍ରୋଶର ପ୍ରତିଫଳନ ଏବେ ଅନେକ ଜାଗାରେ ଦେଖିବାକୁ ମିଳୁଛି | କିଏ ଜାଣେ ଆଗକୁ ଏହା ଗୋଟେ ବିରାଟ ବିପ୍ଲବର ରୂପ ନ ନେବ ? ଯେଉଁମାନେ ଏଠି ନିଜ ବିବେକକୁ ବିକ୍ରି କରିବା ସହ ଅନ୍ୟମାନଙ୍କୁ ବିବେକକୁ ବଳି ଦେବା ପାଇଁ ଏକ ପ୍ରକାର ବାଧ୍ୟ କରୁଛନ୍ତି ସେମାନେ ଆଗକୁ ଯଦି ନିଜକୁ ସୁଧାରି ପାରନ୍ତେ ତେବେ ଆମ ଦେଶର ପ୍ରଗତିରେ ଏକ ବିରାଟ ପରିବର୍ତ୍ତନ ଆଶା କରାଯାଇପାରନ୍ତା |


ରଚନା : ସନ୍ତୋଷ କୁମାର ମହାନ୍ତି.

ଠିକଣା : ନବଜୀବନ ସମାଜ, ଗ୍ରାମ/ଡାକ-ସଫା, ଭାୟା-କୋଟସାହି, ଜ଼ିଲ୍ଲା- କଟକ -୭୫୪୦୨୨
ଦୂରଭାଷ-୯୭୭୭୭୬୬୩୪୬

Post a Comment

0 Comments