Ad

header ads

କବିତା - ଭଲ କିଏ - ନରେନ୍ଦ୍ର ପ୍ରସାଦ ବେହେରା


ମାତା ଗର୍ଭଧାରୀ  ଦଶମାସ ସହି
      କରିଲା ଜନମ ମୋତେ
କେତେ କଷ୍ଟ ସହି  କରିଲା ମଣିଷ
     ହେବାକୁ ଠିଆ ଜଗତେ ।

ଆଶା କରିଥିଲା  ପୁଅ ଜନ୍ମକରି
       ଲଭିବ ସୁଖ ମରତେ
ପାଇଲାନି ସୁଖ  ମନହେଲା ଦୁଃଖ 
        କହିବ କାହାକୁ ସତେ ।

ପୁଅତ ହୋଇଲା ଭଗାରୀଠୁ ବଡ଼
       ମାଆକୁ ମାରିଲା ନାତ
ସେହି ମାଆ ଦିନେ  ହେଉଥିଲା କେତେ
        ପୁଅକୁ ନେଇ ଗର୍ବିତ ।

ଆଜି ସେହି ପୁଅ   ନ ଦେଉଛି ଭାତ
        ଜାଣୁଛି ସାରା ଜଗତ
ନୟନରୁ ଲୁହ  ଗଡାଉଛି ମାଆ
        କହିବ କାହାକୁ ସତ ।

ମାତା ଗର୍ଭଧାରୀ  ନିରତେ ସହୁଛି
        ମନକୁ ନିଜେ ବୁଝାଇ
ଭାଗ ଭାଗ ହୁଏ  ଜନ୍ମକଲା ମାଆ
        କାହାକୁ କହିବି ଭାଇ ।

ମନେପଡେ ତାର  ପୁଅ ପିଲା ଦିନ
        ହଳଦୀ କାଠୁଆ ଗିନା
ନୟନେ ତାହାର  କଜ୍ଜଳର ଟିପା
      ନଦେଇ ରହି ପାରେନା ।

ସେହି ମାଆ ଆଜି  ଗାଳିବି ଖାଉଛି
        ଅଗଣା ଘର ଭିତରେ
ମାଡ ବି ଖାଉଛି   ଘୋଷରା ଖାଉଛି
        କାନ୍ଦୁଛି ଦାଣ୍ଡ ମଝିରେ ।

ଦେଖିକରି ସାହି  ପଡିଶାର ଲୋକେ
         ହସନ୍ତି ନାକ ଅଗରେ
ଏହିପରି ଦିନେ  ଭୋଗିବେ ସେମାନେ
        ଆସିବ ଦିନେ ଭାଗ୍ଯରେ ।

ତଥାପି ମାଆ ଯେ   ଦିଏନାହିଁ ଗାଳି
        ସର୍ବଦା ଭାଳଇ ପୁଅ
 ଚାଣ୍ଡାଳ ପୁଅତ   ଜଣକ କଥାରେ
        ଚାଲୁଛି ଧରିକି ରୁଅ ।

ମସ୍ତିଷ୍କ ବିଭ୍ରାଟ  ହୁଅଇ ପୁତ୍ରର
      ଜାଣିଛ କି କେହି କୁହ
ଲୁହ ଝରୁଅଛି  ମାଆର ନୟନୁ
      ଭାବିଲେ ଆସଇ କୋହ ।

ପୁତ୍ର ଜନମତ  ଅଭିଶାପ ଥିଲା
      ଜାଣି ମୁଁ ନଥିଲି କେବେ
ଝିଅ ଜନ୍ମିଥିଲେ  ପାଇଥାନ୍ତି ସୁଖ
    ଏକଥା ଜାଣନ୍ତୁ ସର୍ବେ ।

ହେବ ଯଦି କେବେ  ପୁଅର ଜନନୀ
         କାନ୍ଦୁଥିବ ଦିନରାତି
କନ୍ଯାଜନ୍ମ କରି   ଆନନ୍ଦ ଲଭିବ
         ପାଇବ ଯେବେ ମୁକତି  ।।

ନରେନ୍ଦ୍ର ପ୍ରସାଦ ବେହେରା
ଆଳଦା, ଖଇରା, ବାଲେଶ୍ବର, ମୋ-୯୮୫୩୧୪୨୫୧୦

Post a Comment

0 Comments