Ad

header ads

ପ୍ରବନ୍ଧ - ବୌଦ୍ଧିକ ମତବାଦ ଆଢୁଆଳରେ ଓଡିଆ ସାହିତ୍ୟ - ଅମ୍ରିତେଶ ଖଟୁଆ


ଓଡ଼ିଆ ସାହିତ୍ୟ ଯେ କେବଳ ସୃଜନୀରେ ସ୍ଵାତନ୍ତ୍ର୍ୟ ସହ ଭାବୋଦ୍ଦୀପନାର ଏକାନ୍ତ ଦିହୁଡି ରୂପେ ପ୍ରଜ୍ଜ୍ୱଳିତ, ତାହା ନୁହେଁ । ବରଂ, ଇଂରେଜ ସଭ୍ୟତାର ପ୍ରଚ୍ଛଦପଟ୍ଟରୁ ସଦ୍ୟ ସଭ୍ୟତାର ଆବାହନୀ-କାଳୀନ ଭିନ୍ନ ଭିନ୍ନ ମତବାଦ ସଂସର୍ଗରେ ଆସିବା ମଧ୍ୟ ଆଦୌ ବିସ୍ମୟକର ନୁହେଁ । ପ୍ରତୀକାତ୍ମକତା, ଅଳଙ୍କରଣ, ରୀତିସାଦୃଶ୍ୟ ବ୍ୟତୀତ ଭିନ୍ନାତିଭିନ୍ନ ଅକିଞ୍ଚିତ ପାଶ୍ଚାତ୍ୟ ମତବାଦମାନଙ୍କର ବୈଚାରିକ ତଥା ସୈଦ୍ଧାନ୍ତିକ ସଂସ୍ପର୍ଶରେ ଅନେକ କାବ୍ଯ ଧାରା ଆତ୍ମସିଦ୍ଧ ତଥା ନବ୍ୟବାଦିତାର ଦ୍ୟୋତକ ରୂପେ ହୋଇଛି ପ୍ରତୀୟମାନ। ଏହି ପ୍ରକାରର ଦର୍ଶନମାନଙ୍କରେ ସନ୍ନିବେଶିତ ହୋଇଛି ଭିତ୍ତିଭୂମିତ୍ୱ (foundationalism), ଅଧି-କଥନିକା (meta-narrative) ଏବଂ ଅବଧାରିତ ସତ୍ୟର ଅନୁଶୀଳନାତ୍ମକ ବ୍ୟବହାରିକତା। ଆଲେଖ୍ୟକାରମାନେ ଯେ କୌଣସି ସତ୍ୟ ବା ବର୍ଣ୍ଣନା, ଭାଷା ବ୍ୟବହାର କରୁଥିବାରୁ ଏବଂ ଭାଷାରେ ଅନ୍ତର୍ନିହିତ ଅନିର୍ଦ୍ଦିଷ୍ଟତା ଯୋଗୁଁ ସେମାନେ ନିର୍ଦ୍ଦିଷ୍ଟ ସତ୍ୟ ବିଷୟରେ ସ୍ୱାଭାବିକତଃ ସନ୍ଦିହାନତା ପ୍ରକାଶ କରିଛନ୍ତି। ଯାହା ହେତୁ ଭିନ୍ନତା ଦ୍ୱାହିରେ ବିଭିନ୍ନ ମତବାଦର ଆଢୁଆଳ ଦେଇ ଗତି କରିଛି ଓଡ଼ିଆ ସାହିତ୍ୟ ଓ ଏହାର ସୁଦୀର୍ଘ-ଇତିହାସ-ସମ୍ବଳିତ ବ୍ୟାଖ୍ୟାୟନ! ଆମ ପ୍ରାଚୀନ ବୈଦିକ ତଥା ରୀତି ସାହିତ୍ୟରେ ଆଳଙ୍କରିକତା ତଥା ଆକ୍ଷେପିକ ଚିତ୍ରଣର ମଧ୍ୟ ଅଗଣିତ ନିଦର୍ଶନ ଉଲ୍ଲେଖଯୋଗ୍ୟ - ଯାହା ମଧ୍ୟରୁ ଓଡ଼ିଶାର ସାହିତ୍ୟିକ ଅନ୍ତଃସ୍ରୋତରେ ଜନ୍ମ ନେଇଛି ବୌଦ୍ଧିକ ମତବାଦର ଏକ ଅବିଶ୍ରାନ୍ତ ତଥା ନବୀନ ପ୍ରବାହ।

ଏପରି ଭାବରେ ଭିନ୍ନ ଭିନ୍ନ ଜ୍ଞାନଶୃଙ୍ଖଳାରୁ ସଂଗୃହୀତ ତତ୍ତ୍ୱର ବ୍ୟାଖ୍ୟା ଆନ୍ତର୍ବିଦ୍ୟାଭିତ୍ତିକ ସମାଲୋଚନା ରୂପେ ଅଧ୍ୟୟନଭୁକ୍ତ। ଏହି କେତେକ ଶୃଙ୍ଖଳାଗତ ସମାଲୋଚନାରୁ ଉଦ୍ଭୂତ ମତବାଦ ହେଉଛନ୍ତି - ସଙ୍କେତତତ୍ତ୍ଵ (Semiotics), ସଂରଚନାବାଦ (Structuralism), ଆନ୍ତଃଶାସ୍ତ୍ରୀୟତା (Inter - textuality), ପାରିବେଶିକ ସମାଲୋଚନା (Eco - criticism) ଓଡ଼ିଆ ସାହିତ୍ୟର ଦିଗନ୍ତକୁ ଆହୁରି ମହାର୍ଘ ଓ ସୁଦୂର ପରିବ୍ୟାପ୍ତ କରାଇଛି । Semiotics ବା ସଙ୍କେତତତ୍ତ୍ଵ ମଧ୍ୟ ଓଡ଼ିଆ ପାରମ୍ପରିକ ସାହିତ୍ୟର ଅନ୍ୟତମ ଅଂଶ ରୂପେ ଥିଲା ଏକ ଅବିଚ୍ଛେଦ୍ୟ ଉପାଦାନ। ଅତୀତର କାବ୍ୟପ୍ରଣେତା, ଶାସ୍ତ୍ରକାର ତଥା ପ୍ରତିଲିପିକାରମାନେ ଗ୍ରନ୍ଥ ସମାପ୍ତିର ସମୟ ସୂଚିତ କରିବାକୁ ଯାଇ ସାଙ୍କେତିକ ତତ୍ତ୍ୱର ଅବଲମ୍ବନ କରୁଥିଲେ। କାରଣ ଶ୍ଳୋକାଂଶ ଅଥବା ପଦ୍ୟାଂଶରେ ଅଙ୍କର ପ୍ରୟୋଗ ସମ୍ଭବପର ନୁହେଁ। ନିଦର୍ଶନସ୍ୱରୂପ, ବିଶିଷ୍ଟ ଶାସ୍ତ୍ରଜ୍ଞ ତଥା ପଣ୍ଡିତ ଗୋପୀନାଥ ନନ୍ଦଶର୍ମା ନିଜ କାବ୍ଯ "ଉଦ୍ଧବଦୂତ"ର ସମାପ୍ତିରେ ଅଙ୍କ ମାଧ୍ୟମରେ ସମୟ ନିର୍ଦ୍ଦେଶିତ କରିଛନ୍ତି -

"ଶ୍ରୀ ଶାଳିବାହନ ଶକ କ୍ଷିତିବାସବଙ୍କ,
ଅବ୍ଧ୍ୟକ୍ଷି-ନାଗ-ମହିସଂଖ୍ୟକ ହାୟନେ ଏ।"

ଅର୍ଥାତ୍, ଅବ୍ଧ୍ୟକ୍ଷି ( ଅବ୍ଧି + ଅକ୍ଷି ) ଯଥାକ୍ରମେ ୪, ୨, ନାଗ = ୮ ଏବି ମହୀ = ୧, ଅର୍ଥାତ୍ ୪୨୮୧। ହେଲେ ଅଙ୍କର ନିୟମ ହେଉଛି , "ଅଙ୍କାନାଂ ବାମତୋ ଗତିଃ", ମାନେ, ଅଙ୍କର ଗଣନ ଏହାର ବାମପଟରୁ ହୋଇଥାଏ। ତାତ୍ପର୍ଯ୍ୟ ଏହି କି ଯେ ୪୨୮୧କୁ ଏହି ନିୟମାନୁସାରେ କହିଲେ, କବି ୧୮୨୪ ଶକାବ୍ଦ ବା ୧୯୦୩ ଖ୍ରୀଷ୍ଟାବ୍ଦରେ କାବ୍ଯ ଶେଷ କରିଥିଲେ। ସେହି ପରି ରୂପେ ଆନ୍ତଃଶାସ୍ତ୍ରୀୟ ଆଲେଖ୍ୟ ଗତାନୁଗତିକ ଶାସ୍ତ୍ରୀୟତାକୁ ପରିତ୍ୟାଗ ସହ ରୀତିସାଦୃଶ୍ୟ ବ୍ୟତୀତ ଗଦ୍ୟ ସଂରଚନା ଓ ମୁକ୍ତଚନ୍ଦର ପ୍ରୟୋଗରେ ସର୍ବାଦୃତ ହୋଇଛି ମାନବିକ ମତବାଦର ନିରୂପଣରେ। ହେଲେ ଆମେ ମଧ୍ୟ ଦେଖିଥାଉ ଯେ ଆଧୁନିକ ଓଡ଼ିଆ ସାହିତ୍ୟରେ ନାଟକ, ଏକାଙ୍କିକା ତଥା ଗୀତାଭିନୟର ବ୍ୟାପକ ବ୍ୟୁତ୍ପତ୍ତିର ସୂତ୍ରପାତ ହୁଏ। ଏହି ପ୍ରକାରର ପରିବେଷଣାତ୍ମକ ନାଟ୍ୟ ସଂରଚନାରୁ ଅଭିବ୍ୟକ୍ତିବାଦୀ ସାହିତ୍ୟର ଅଭ୍ୟୁଦୟ। ୧୯୨୦ରୁ ୧୯୨୫ ମସିହା ମଧ୍ୟରେ ୟୁରୋପୀୟ ବିପ୍ଳବକାଳରେ ଏହା ଶିରୋନାମା ଥାଇ ସୁଦ୍ଧା ଓଡ଼ିଶାର ତାତ୍କାଳିକ ସାମାଜିକ ପରିବେଶ ସହ ଏହାର ନୀତିବହିର୍ଗତ ଅଗଣିତ ବାସ୍ତବତାକୁ ପ୍ରଦାନ କରିଥିଲା ଏକ ଆବେଗ-ପ୍ରବଣ ମାନସିକତାକୁ ଆପଣାଇ ନେବାର ସୃଷ୍ଟି ଓ ନିଷ୍ପନ୍ନ ଭାବୁକତା। ଏହାର ଏକ ବିଶିଷ୍ଟ ଉଦାହରଣସ୍ୱରୂପ, ଆମ ଓଡିଆ ନାଟ୍ୟ ସାହିତ୍ୟର ଜନକ ରୂପେ ସର୍ବବିଦିତ ରାମଶଙ୍କର ରାୟଙ୍କ ଏକ ନାଟକ ଏହି ଅଭିବ୍ୟକ୍ତିବାଦର ଥିଲା ବଳିଷ୍ଠ ଦର୍ଶନ। ସାମାଜିକ ଜୀବନରେ ସାଂସ୍କୃତିକତା ଏବଂ ସ୍ଵାତନ୍ତ୍ର୍ୟବାଦର ଗୁରୁତ୍ଵାରୋପ ସହ ନେତିବାଦିତା ପ୍ରତି ଗ୍ରାହକତା ପ୍ରଧାନତଃ ଉପଲବ୍ଧ। ଭକ୍ତିରସାତ୍ମକ, କିମ୍ବଦନ୍ତୀମୂଳକ ନାଟ୍ୟ କେବଳ ସୀମିତ ରହୁଥିଲା ଗ୍ରାମ୍ୟ ଜୀବନର ସୁରମ୍ୟ ପରିବେଶରେ। ହେଲେ ସବୁଜ ସାହିତ୍ୟ ଗୋଷ୍ଠୀର କିଞ୍ଚିତ ଲେଖକମାନେ ମଧ୍ୟ ନାଟ୍ୟ ସଂରଚନା କରି ସୃଷ୍ଟି କରିଥିଲେ ସଂଘର୍ଷରତ ମାନବ ପ୍ରତି ସମ୍ଵେଦନତା ଏବଂ ଅଦ୍ୟାବଧି ପ୍ରାସଙ୍ଗିକ ମନେ ହେଉଥିବା ବ୍ୟକ୍ତି ଚେତନା ପ୍ରତି ଦିଗଦର୍ଶୀ ସୁଖପାଠ୍ୟତା।

ଏହିପରି ଭାବେ ପ୍ରାଚ୍ୟ-ପରମ୍ପରାକୁ ଅନୁସରଣ କରି ରଚିତ ଅଗଣିତ କାବ୍ୟପ୍ରଣେତାଙ୍କର ପାଶ୍ଚାତ୍ୟ ଦୃଷ୍ଟିଭଙ୍ଗୀ ସ୍ପଷ୍ଟ ଜଣାପଡ଼େ। ଏହି ପ୍ରକାରର ଏକ ସାହିତ୍ୟିକ ପରିଭାଷାକୁ ଇଂରାଜୀ କଳା-ସମାଲୋଚକ ଜନ୍ ରସ୍କିନ୍ ୧୮୫୬ ମସିହାରେ ଏହି ମତବାଦର ନିରୂପଣ କରିଥିଲେ। ଏହି ମତବାଦର ଏକ ଗୁଣାପକର୍ଷକ ନାମକରଣ ହୋଇଥିଲା। ତାହା ଥିଲା 'ପାଥେଟିକ୍ ଫାଲାସି' (Pathetic Fallacy) । ନିଜ ପୁସ୍ତକ 'Modern Painters' ରେ ପ୍ରାକୃତିକ ସୁଷମାକୁ ଚିତ୍ରପଟ୍ଟରେ ଅଧିକ ପ୍ରାଧାନ୍ୟ ଦେବା ନିମନ୍ତେ ସେ ଗୁରୁତ୍ଵାରୋପ କରିଥିଲେ। ଏହି ମତେ ନିର୍ଜୀବ, ଜଡ଼ ବସ୍ତୁ ମଧ୍ୟରେ ମାନବୀୟ ସମ୍ଵେଦନ, ସାମର୍ଥ୍ୟ ତଥା ଆବେଗର ସିଦ୍ଧାନ୍ତକୁ ବୁଝାଇଥାଏ। କାରଣ ସେ ଭାବୁଥିଲେ ଯେ ଶବ୍ଦ ଦୁଇଟି ଯେଉଁ ଭଳି ବର୍ଣ୍ଣନାର ସୂଚନା ଦିଏ, ତାହା ବସ୍ତୁଗୁଡିକର ବାସ୍ତବଚିତ୍ର ପରିବର୍ତ୍ତେ ଭାବାବେଗ ବା ଚିନ୍ତାଶୀଳ କଳ୍ପନାର ପ୍ରଭାବରେ ଅସାଧାରଣ ବା ଅବାସ୍ତବ ଚିତ୍ର ପ୍ରଦାନ କରିଥାଏ। ଏହି "ବ୍ୟକ୍ତିତ୍ଵାରୋପ" ସ୍ୱଭାବକବି ଗଙ୍ଗାଧର ମେହେରଙ୍କ 'ତପସ୍ଵିନୀ' ତଥା ଅତିବଡୀ ଜଗନ୍ନାଥ ଦାସଙ୍କ 'ଭାଗବତ'ର ଅନେକ ସ୍ଥାନରେ ସ୍ପଷ୍ଟ ଉଲ୍ଲିଖିତ। ଉଦାହରଣସ୍ୱରୂପ - 

"ଅହୋ ! ନିୟତିର ଏହି ଭୟଙ୍କର ରୀତି,
ଦେଖିଲେ କାହାର ହୃଦେ ନ ଆସିବ ଭୀତି।
ତା ଚାହିଁ ବିହଙ୍ଗ-ମୁଖେ କାନ୍ଦିଲା ସେ ବନ
ବହିଲା ନିଃଶ୍ବାସ ରୂପେ ପ୍ରଖର ପବନ।"

- (ତପସ୍ଵିନୀ , ପ୍ରଥମ ସର୍ଗ, ୨୮ ପଦ)

ଅନେକ ମତବାଦ ମଧ୍ୟ ଅଦ୍ୟାପି ସଦା ଅବହିତ, ଯାହାକି ଆଧୁନିକ ସାହିତ୍ୟର ସର୍ଜନାର ଏକ ପ୍ରକାର ଆଧି-ଭୌତିକତାର ପ୍ରଭାବକୁ ପ୍ରଧାନତଃ ଦର୍ଶାଇଥାଏ । ଏହାକୁ କୁହାଗଲା ପାରାଡକ୍ସ (Paradox)। ଏକ ଉକ୍ତି ବାହାର ସ୍ୱବିରୋଧୀ ଅଥବା ଅସଙ୍ଗତ ଜଣାପଡ଼େ, କିନ୍ତୁ ଗଭୀର ଅନୁଶୀଳନ ଦ୍ଵାରା ଏକ ଉତ୍ତମ ତଥା ବୋଧଗମ୍ୟ ଅର୍ଥ ସନ୍ନିବେଶିତ କରାଇଥାଏ । ଏହି ମତବାଦ ସର୍ବପ୍ରଥମେ ଖ୍ରୀଷ୍ଟଧର୍ମରେ ଧର୍ମୀୟ ଚେତନାକୁ ମାନବୀୟ ଚେତନାରୁ ଊର୍ଦ୍ଧ୍ଵରେ ଦର୍ଶାଇବା ପାଇଁ ବ୍ୟବହାର କରାଯାଇଥିଲା । ମାତ୍ର, ବିଂଶ ଶତାବ୍ଦୀର କେତେକ ସମାଲୋଚକମାନେ ଚତୁର୍ଥ ଦଶକ ବେଳକୁ ଏହାର ବିଶେଷ ପ୍ରାଧାନ୍ୟକୁ ଗ୍ରହଣୀୟ କରିଛନ୍ତି । ଏହିପରି କାବ୍ୟର ନିଦର୍ଶନସ୍ୱରୂପ କବି ରମାକାନ୍ତ ରଥଙ୍କ 'ଯାଅନାହିଁ' ତଥା 'ମୁହୂର୍ତ୍ତ ହିଁ ପୂର୍ଣ୍ଣାଙ୍ଗ ଜୀବନ'ରେ ପ୍ରତିଭାତ ହୋଇଥାଏ । 'ମୁହୂର୍ତ୍ତ ହିଁ ପୂର୍ଣ୍ଣାଙ୍ଗ ଜୀବନ'ରେ ସେ ଲେଖିଛନ୍ତି - 

"ଏକ ଆଚମ୍ବିତ ଦୃଶ୍ୟ ଦେଖ ଭାଇ ଦେଖ
ବାପ ମାଆ ଆଉ ପୁଅ ଜନ୍ମ ହେଲେ ଗୋଟିଏ ସମୟେ।
ଘୋ ଘୋ କମ୍ପୁଥିଲା ବଜାର ଭିତରେ
ବିକୁଥିବା ଲୋକମାନେ ମୁକ। "

ଏତଦ୍ବ୍ୟତୀତ, ଅସଂଖ୍ୟ ମତବାଦର ଆଢୁଆଳେ ଓଡ଼ିଆ ସାହିତ୍ୟ ଅଦ୍ୟାବଧି ମଧ୍ୟ ଉଦଭାସିତ ହେବା ସହ ଗୋଷ୍ଠୀକୈନ୍ଦ୍ରିକ ମତାନ୍ତରକୁ ଏକ ମୌଳିକ ଚେତନାରେ ରୂପାୟିତ କରାଯାଇ, ଯେଉଁ ସର୍ଜନାର ବ୍ୟୁତ୍ପତ୍ତି ହୁଏ, ତାହାରି ପୃଷ୍ଠଭୂମିରେ ରହିଛି ସୈଦ୍ଧାନ୍ତିକ ତଥା ଭିନ୍ନବାଦୀ ସାହିତ୍ୟର ଆତ୍ମ-ସନ୍ନିବେଶନ। ସମାଲୋଚନାରୁ ସମୀଚୀନତା, ପରମ୍ପରାରୁ ପାରଡ଼କ୍ସ, ଆସନ୍ନ କେତେକ ଦଶନ୍ଧି ବେଳକୁ ଏପରି ଜୀବନର ଅସୀମତ୍ୱକୁ ପ୍ରତିପାଦିତ କରୁଥିବା ଗୂଢ ଚେତନାର ସନ୍ଧିକ୍ଷଣରେ ମଧ୍ୟ ଆଗେଇ ଚାଲିଥିବ ଓଡ଼ିଆ ସାହିତ୍ୟ। ମୌଳିକ ମତବାଦର ସ୍ୱର ସେହିପରି ରହୁଥିବ ନିରବଚ୍ଛିନ୍ନ। ମତବାଦର ପ୍ରଚ୍ଛଦପଟ୍ଟ ଦେଖିଲେ ଜଣାପଡ଼େ ଋଦ୍ଧିମନ୍ତ ଚେତନାରେ କାଳ୍ପନିକତାର ପ୍ରଭାବ ବିସ୍ତାର ସହ ଏକ ନିର୍ବ୍ୟୈକ୍ତିକ ଚିନ୍ତାଧାରାର ବ୍ୟାପକତା। ଏହିପରି ଏକ ବ୍ୟାପକ, ବିସ୍ତୃତ ତଥା ଅବିସମ୍ବାଦିତ ବିରଚନାର ଅନ୍ତରାଳରେ ଭାବନାର ବ୍ୟାପକଶକ୍ତି ଏବଂ ସ୍ଵାଚ୍ଛନ୍ଦ୍ୟ ବଳରେ ଅନ୍ତର୍ହିତ ସବୁ କାଳ୍ପନିକତା ଯେପରି ଜୀବନ୍ୟାସ ପାଇ ହୁଅନ୍ତି ଏକ ନବଜନ୍ମାନ୍ତରର ସନ୍ଧିତ୍ସୁ। ଆଉ ଏହିପରି ଏକ ବ୍ୟାପକ-ଭାବନା-ସମାଦୃତ ଓଡ଼ିଆ ସାହିତ୍ୟ ଥିବ ଏକ ଦୃଷ୍ଟାନ୍ତପ୍ରସୂ ଜୀବନୀର ଚଳନ୍ତିକା। 


ରଚନା : ଅମ୍ରିତେଶ ଖଟୁଆ

ଠିକଣା : ୨୩୭, ଫେଜ୍ - ୨, କାନନ ବିହାର, ପଟିଆ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର - ୭୫୧୦୨୪ ଦୂରଭାଷ : ୮୪୫୫୦୪୦୧୬୫

Post a Comment

0 Comments