Ad

header ads

ପ୍ରବନ୍ଧ - ବ୍ୟବସ୍ଥିତ ଶିକ୍ଷା ଓ ଆଗାମୀ ପିଢ଼ି - ଡକ୍ଟର ଲକ୍ଷ୍ମଣ ସାହୁ


ସମାଜ ସହ ବ୍ୟକ୍ତି ଜୀବନର ସମନ୍ୱୟ ନଘଟିଲେ ଜୀବନର ବିକାଶ ସମାଜ କ୍ଷେତ୍ରରେ ପୂର୍ଣ୍ଣ ସମ୍ଭବ ନୁହେଁ । ମନୁଷ୍ୟ ଏକ ସାମାଜିକ ପ୍ରାଣୀ , ସମାଜକୁ ଛାଡି ବଞ୍ଚିବା , ତା'ପକ୍ଷରେ ଅସମ୍ଭବ । ସାମାଜିକ ସଂପର୍କ ସହ ପ୍ରତ୍ୟକ୍ଷ ଭାବରେ ସେ ସଂପୃକ୍ତ । ସମାଜର ନିରବଚ୍ଛିନ୍ନ ପ୍ରକ୍ରିୟା ସହ ସେ ସାମିଲ ହୋଇ ନ'ପାରିଲେ ଜୀବନର ବିଭିନ୍ନ ଦିଗ ଗୁଡିକ ପ୍ରତି ଦୃଷ୍ଟି ରଖି ଆଗକୁ ଆଗେଇ ପାରିବ ନାହିଁ । ମାନବ ସଭ୍ୟତାର ଓ ସଂସ୍କୃତିର ପ୍ରାଣକେନ୍ଦ୍ର ହିଁ ସମାଜ । ତେଣୁ ମନୁଷ୍ୟ ଏକ ସାଂସ୍କୃତିକ ଓ ସାମାଜିକ ପ୍ରାଣୀ ହୋଇଥିବାରୁ ମାନସିକ କ୍ଷେତ୍ରରେ ଯାହା ସବୁ ଅର୍ଜନ କରିଥାଏ , ତାହାହିଁ କାର୍ଯ୍ୟରେ ଲଗାଇ ଥାଏ । ଏସବୁ ସ୍ଥଳେ ଭାବି ପିଢିର ସୁରକ୍ଷିତ ଭବିଷ୍ୟତର ଲକ୍ଷ୍ୟ ନେଇ ପ୍ରତ୍ୟେକ ଅଭିଭାବକ ବିଚାର ବିମର୍ଷ କରିବାର ସମୟ ଉପଗତ । ଭାବି ପିଢିର ଉପଯୁକ୍ତ ଶିକ୍ଷା ନିମନ୍ତେ ସକଳ ସଂକଟରୁ ଦୂରେଇ ନେବା ପାଇଁ ସକଳ ଅଭିଭାବକ ବ୍ୟଗ୍ର ଓ ପ୍ରସ୍ତୁତ କୁହାଯାଇ ପାରେ । କିନ୍ତୁ ବାସ୍ତବରେ ଦେଖିବାକୁ ଗଲେ ଶିକ୍ଷା ଭବିଷ୍ୟତ ପ୍ରତି କେହି କେବେ ବିଶେଷ ଅନୁଶୋଚନା କରନ୍ତି ନାହିଁ ।


ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଣିବାର ସମୟ ଆଗାମୀ ଶିକ୍ଷା ସମ୍ବନ୍ଧରେ ପରି କଳ୍ପନା କରିବା ଓ ବଦଳାଇ ବାର ଆବଶ୍ୟକତା ଅନୁଭବ କରାଯାଇପାରେ । ପୁନଶ୍ଚ ଶିକ୍ଷା ସମ୍ବନ୍ଧରେ ଯଥେଷ୍ଟ ପୂର୍ବରୁ ବୁଝି ବାର ଓ ବୁଝାଇ ବାର ଆବଶ୍ୟକତା ରହିଛି । ଶିକ୍ଷାର ଭବିଷ୍ୟତ ପ୍ରତି ଆଲୋଚନା କରିବା ଓ ବାର୍ତ୍ତାଳ୍ପ କରିବା ପୂର୍ବବତ ପ୍ରଥମେ ଏହାର ଅତୀତ ଓ ବର୍ତ୍ତମାନ ର ସ୍ଥିତି ପ୍ରତି ଦୃଷ୍ଟି ଦେବା ଓ ତଥ୍ୟମୂଳକ ତଥ୍ୟ ପ୍ରଦାନ କରିବା ଅପରିହାର୍ଯ୍ୟ ବିଷୟ ଅଟେ ।

ଭାବିଦେଖିଲେ ଶିକ୍ଷା ଦ୍ବାରା ହିଁ ମାନବ ସଭ୍ୟତାର ଆରମ୍ଭ ଘଟେ । ଯେଉଁଠି ବ୍ୟକ୍ତି ଦ୍ବାରା ହିଁ ଗୋଟିଏ ସଭ୍ୟତାର ସଂସ୍କୃତିର ସ୍ଥିତି ଅୟମାରମ୍ଭ ହୁଏ , ସେଠି ବ୍ୟକ୍ତିର ମୂଲ୍ୟାୟନ ଅସମ୍ଭବ । ତେଣୁ ଶିକ୍ଷା ଦ୍ବାରା ବ୍ୟକ୍ତି ଜୀବନର ମୂଳ ସ୍ଥିତି ଆବଶ୍ୟକ ସହ ନାନା କୌଶଳ ଶିକ୍ଷା ପ୍ରଦାନ କରିଥାଏ , ସମୟ କ୍ରମେ ଧୀରେ ଧୀରେ ତାହା ସାମାଜିକ ବିକାଶର ମାଧ୍ୟମ ହୋଇଯାଏ । ମୂଳସ୍ଥିତି ଆବଶ୍ୟକତା ସହ ପୂର୍ବ ଓ ଭବିଷ୍ୟତ ନାଗରିକ ତାର ଗୁଣର ବିକାଶକୁ ମଧ୍ୟ ଶିକ୍ଷାର ଲକ୍ଷ୍ୟରେ ଗୁଣାତ୍ମକ ଦୃଷ୍ଟିରୁ ଯୋଡି ଦିଆଯାଇପାରେ । ଏସବୁ ମାନବ ସମ୍ବଳ ପ୍ରସ୍ତୁତ କରିଥିବା ସାଧନକୁ ସ୍ୱୀକାର କରିବାକୁ ପଡିବ ।

ମନୁଷ୍ୟ ଅନ୍ୟାନ୍ୟ ପ୍ରାଣୀମାନଙ୍କ ଠାରୁ ପୃଥକ । ସେ ପରିବର୍ତ୍ତିତ ପରିସ୍ଥିତିରେ ଖୁବ୍ ଶୀଘ୍ର ଶିକ୍ଷା ଗ୍ରହଣ କରିପାରେ । ଏହା ମନୁଷ୍ୟର ପ୍ରାକୃତିକ ଐଶ୍ୱରୀୟ ଶକ୍ତି । ତେଣୁ ଶିକ୍ଷାର ଲକ୍ଷ୍ୟ ଏଭଳି ପ୍ରସ୍ତୁତି ହେବା ଉଚିତ , ଯାହାକି ଯେ କୌଣସି ଅପ୍ରୀତିକର ପରିସ୍ଥିତିରେ ସମସ୍ୟାର ସମାଧାନ କରିପାରିବ । ସାଂପ୍ରତିକ ପରିବେଶ ସହ ଉପଯୁକ୍ତ ସାମଞ୍ଜନ କରିପାରିବ । ଏଦୃଷ୍ଟିରୁ ଲେଖିବା , ପଢିବା ଓ ଗଣିବାର ଦକ୍ଷତା , ଉତ୍ପାଦନର କଳା କୌଶଳ ଓ ପ୍ରଭାବ ପୂର୍ଣ୍ଣ ମାନସିକ ସ୍ଥିତି ଓ ଶାରିରୀକ ଶ୍ରମର ଉପଯୁକ୍ତ ବିକାଶ ଶିକ୍ଷା ବ୍ୟବସ୍ଥାର ଲକ୍ଷ୍ୟ ହେବା ଅପରିହାର୍ଯ୍ୟ । ଆଜିର ଶିକ୍ଷା ପଦ୍ଧତିରେ ଏଭଳି ମହନୀୟ ବିଚାରର ଯଥେଷ୍ଟ ଆବଶ୍ୟକ ରହିଛି, ଯାହା ଆଗାମୀ ଭବିଷ୍ୟତ ଶିକ୍ଷା ପଦ୍ଧତି ନିମନ୍ତେ ଅପରିହାର୍ଯ୍ୟ ଅଟେ । 

ସ୍ୱାଧୀନତାର କିଛି ଦଶକ ପରେ ସମାଜ ଓ ସଂସ୍କୃତିର ମହତ୍ତ୍ଵ ପୂର୍ଣ୍ଣ ପରିବର୍ତ୍ତନର ଆଭାସ ମିଳିଥିଲା । କିନ୍ତୁ ଏବେ ଶିକ୍ଷା ଶିକ୍ଷାକୁ କାନ୍ଧ ରଖି ବିକାଶର ମାଲକାନା ଦେଖିବାକୁ ମିଳେ । ଆଜିର ଏହି ଶିକ୍ଷା ବିକାଶ ବୈତରଣୀର ପଛେ ପଛେ ଅନୁଗମନ କଲାଭଳି ଲାଗୁଛି । ଶିକ୍ଷା କ୍ଷେତ୍ରରେ ତିନୋଟି ସଂକଳ୍ପ ବା ଉଦ୍ଦେଶ୍ୟ ନିହିତ ହେବାର ଗୁରୁତ୍ୱ ଅଛି ; ପ୍ରଥମେ ସତ୍ୟକୁ ଖୋଜ , ଦ୍ୱିତୀୟ ମାନବର ଗୁଣକୁ ସଂଶୋଧନ କରିବା ଓ ତୃତୀୟ ବୌଦ୍ଧିକ ଓ ଶାରୀରିକ ଶ୍ରମର ଉତ୍ପାଦନ । ଏକଦା ଟମାସ ବେଜିଙ୍ଗଟନ୍ ମେକଲେ ତତ୍କାଳୀନ ବଡଲାଟ ବେଣ୍ଟିକଙ୍କ ଅନୁରୋଧ କ୍ରମେ ଶିକ୍ଷାର ଲକ୍ଷ୍ୟକୁ ବିଚାର କରି କହିଥିଲେ " ଇଂରେଜମାନେ ଭାରତୀୟ ମାନଙ୍କ ସ୍ୱାସ୍ଥ୍ୟ କିପରି ହେବ ସେ ବିଷୟରେ ଚିନ୍ତା କରିବା ଆବଶ୍ୟକ । ଭାରତୀୟ ମାନେ କେବଳ ରଙ୍ଗ ଓ ରକ୍ତରେ ଭାରତୀୟ ହେବେ , କିନ୍ତୁ ରୁଚି , ମତ , ନୈତିକତା ଓ ବୁଦ୍ଧି ଇଂରେଜ ମାନଙ୍କ ପରି ହୋଇପାରିବ "। ସୂକ୍ଷ୍ମ। ଦୃଷ୍ଟିରେ ଏହା ଗ୍ରହଣୀୟ କି ଏହା ଅଗ୍ରାହ୍ୟ , ଏଥିରେ କୌଣସି ଫରକ ନାହିଁ , କିନ୍ତୁ ସେମାନେ ବିଚାର ଧାରା ଭାରତୀୟ ଭାରତୀୟ ହୋଇ ରହୁ , କିନ୍ତୁ ଇଂରେଜ ମାନଙ୍କ ଭଳି ସ୍ମାର୍ଟ ହେଉ । ଗାନ୍ଧୀଙ୍କ ଶିକ୍ଷା ଦର୍ଶନ ଶ୍ରମ ପ୍ରତି ମର୍ଯ୍ୟାଦା ଦେବା , ତାଙ୍କ ବିଚାରରେ ଶ୍ରମହିଁ ଶିକ୍ଷାର ଅବିଚ୍ଛେଦ୍ୟ ଅଙ୍ଗ । ଭବିଷ୍ୟତ ଆତ୍ମନିର୍ଭରଶୀଳ , ଆତ୍ମାବଲମ୍ବନ ଜୀବନରେ ସଂସ୍କାର ପାଇଁ ଅପରିହାର୍ଯ୍ୟ ମନେ କରୁଥିଲେ । 

କିନ୍ତୁ ସାଂପ୍ରତିକ ଶିକ୍ଷା ବ୍ୟବସ୍ଥା ଏସବୁ ବାଦ ଦେଇ ଦୁଇଟି ଉଦ୍ଦେଶ୍ୟକୁ ଦର୍ଶାଇଥାଏ । ଯାହା କେବଳ ମୌଳିକ ରୂପରେ ଶିଷ୍ୟକୁ ଖୋତିବାର ସତତ ପ୍ରକ୍ରିୟା ଅଟେ । ଯଦିଓ ଏହା ଅନ୍ତିମ ଲକ୍ଷ୍ୟରେ ପହଞ୍ଚି ପାର ବା ନପାର ଏହା ମାପ କରିବା ନୁହେଁ । ଆଜିର ଶିକ୍ଷା କେବଳ ନିଜକୁ ତୁଳନା କରେ , ନିଜ ପ୍ରତିଯୋଗିତା ମନ ନେଇ ଅନ୍ୟକୁ ପ୍ରତିଦ୍ୱନ୍ଦି ଭାବରେ ଠିଆ କରାଏ । ବିଶେଷ କରି ମନୁଷ୍ୟ ଜୀବନର ଅନ୍ୟ ଏକ ବଡ ଦିଗ ହେଉଛି ଆର୍ଥିକ ଉନ୍ନତି । ବ୍ୟକ୍ତି ଜୀବନର ଆର୍ଥିକ ସ୍ୱଚ୍ଛଳତା ପ୍ରତି ଧ୍ୟାନ ଦେବାକୁ ପଡିଥାଏ । ଏକ ସୁସ୍ଥ ସବଳ ମଣିଷ କେବଳ ମଣିଷ କେବଳ ଦେଶ ତଥା ସବୁ ମଣିଷର ସୁସ୍ଥ ଚିନ୍ତା କରିପାରେ । ସେଠି କେବେ ପ୍ରତିଦ୍ୱନ୍ଦି ଭାବ ତାକୁ ଛୁଏଁ ନାହିଁ । ବରଂ ମନ ଭିତରେ ଅମାପ ବନ୍ଧୁତା ଆସେ । ଜ୍ଞାନ ଦ୍ବାରା ସତ୍ୟର ସୁନ୍ଦର ଓ ସହଜ ଜୀବନ ଯାପନ ନଭାବି କେବଳ ଆତ୍ମ ମୁଗ୍ଧତା ଭିତରେ ସାଂପ୍ରତିକ ମଣିଷ ଡୁବି ଯାଇଛି , ଏଭଳି ଏକ ମୋହଫାଶରୁ ପଞ୍ଜୁରୀ ମୁକ୍ତ କରିବାକୁ ହେଲେ ଶିକ୍ଷାର ମହତ୍ତ୍ୱପୂର୍ଣ୍ଣ ପଦ୍ଧତି ପ୍ରତି ଦୃଷ୍ଟି ଦେବାକୁ ହେବ । ଶିକ୍ଷା ମାଧ୍ୟମରେ ଶୃଙ୍ଖଳା , ପରୋପକାରୀତା , ଆତ୍ମ ନିରୀକ୍ଷଣ , ଆଜ୍ଞାନୁ ବର୍ତ୍ତିତା , ଅତିଥି ପରାୟଣତା ଆଦି ଶିକ୍ଷା କ୍ଷେତ୍ରରେ ସନ୍ନିବେଶ କରାଯିବ ଅପରିହାର୍ଯ୍ୟ । ନୋହିଲେ ଏସବୁ ପରିସ୍ଥିତି ପାଇଁ ଉତ୍ତର ଦାୟୀ ଆମର ଶିକ୍ଷା ପଦ୍ଧତି । ଯେପର୍ଯ୍ୟନ୍ତ ଏହା ବିକାଶର ଅନୁଗାମୀ ହୋଇପାରି ନାହିଁ , ସେ ପର୍ଯ୍ୟନ୍ତ ଶିକ୍ଷାରେ ପୂର୍ଣ୍ଣ ବିକାଶ ଘଟି ପାରିବ ନାହିଁ । ଆମର ବିଚାର ବୋଧରେ ବସ୍ତୁତଃ କାମଧେନୁ ଦୋହଣ କରିବାର ଭାବ ପ୍ରକ୍ରିୟା ଜାଗ୍ରତ ହେବାର ଯଥେଷ୍ଟ ଆବଶ୍ୟକତା ରହିଛି । ଯେତେବେଳେ ଭାରତୀୟ ପରଂପରାରେ ଆର୍ଥିକ , ସାମାଜିକ , ସାଂସ୍କୃତିକ ଆଦି କ୍ଷେତ୍ରରେ ପରସ୍ପର ସହ ଯୋଡିହେବାର ଭାବ ନଆସିଛି । ସମ୍ବନ୍ଧ ଦେଖିଲେ ବଦଳିବାର ସୃଜନ ଓ ସହ ଅସ୍ତିତ୍ଵର ମଧୁର ସଂପର୍କର ବନ୍ଧୁତ୍ୱ ଆପେଆପେ ଆସିଯିବ ।

ଆମ ପରଂପରାରେ ଶିକ୍ଷା କେବଳ ଉପଯୋଗୀତାକୁ ନିର୍ମିତ ଓ ସଂବୋଧିତ କରିବାର ବିବେକର ନିର୍ମାଣ ନୁହେଁ , ବରଂ ଉଚିତ ଅନୁଚିତର ବୋଧ ବିକଶିତ କରୁଥିବା ପ୍ରଜ୍ଞା । ଶିକ୍ଷା କେବଳ ବିକାଶର ମାଧ୍ୟମ ନୁହେଁ , ବରଂ ସତ୍ୟ ଅସତ୍ୟକୁ ଚିହ୍ନଟ କରିବାର ପ୍ରକ୍ରିୟା । ବୋଧର ବିକାଶହିଁ ଶିକ୍ଷା । ଏଭଳି ଶିକ୍ଷା ପାଇଁ କେବଳ ଔପଚାରିକ ପ୍ରୟାସ ଦ୍ବାରା ନିର୍ଭର କଲେ ଚଳିବ ନାହିଁ , ବରଂ ସାମାଜିକ କ୍ଷେତ୍ରରେ ଆୟୋଜିତ ହେଉଥିବା ସମୁଦାୟ ଓ ସାଂସ୍କୃତିକ ଗତିବିଧି ରୀତିନୀତି ପ୍ରତ୍ୟେକ ଶିକ୍ଷାର ମାଧ୍ୟମ ଅଟେ । ପ୍ରତ୍ୟେକଙ୍କୁ ଏସବୁ ମାଧ୍ୟମରେ ନିଜର ଭୂମିକା ନିର୍ବାହ କରିବା ଓ ବିଚାରଶୀଳ ହେବା ଜରୁରୀ ଆବଶ୍ୟକ ରହିଛି । ତେଣୁ ପିଲାମାନଙ୍କୁ ଉଚ୍ଚ ଶିକ୍ଷା ବା ଶିକ୍ଷିତ କରିବା ପ୍ରୟାସ ପ୍ରତି , ଶିକ୍ଷା ଦାନ ପ୍ରକ୍ରିୟା ପ୍ରତି ଧ୍ୟାନ ଦେବାକୁ ପଡିବ । ଦୃଷ୍ଟି ଦିଆନଗଲେ ଶିକ୍ଷା ବ୍ୟବସ୍ଥା ସଂପୂର୍ଣ୍ଣ ଭୂଷୁଡି ଯିବ । ପ୍ରତ୍ୟେକଙ୍କୁ ଏସଂପର୍କରେ ବିଚାର କରିବା, ଯୋଗଦାନ ଦେବା ଅଭିଭାବକ/ ପିତାମାତାଙ୍କ ମୁଖ୍ୟ କାମ । ବିଦ୍ୟାଳୟରେ ଯାହା ସବୁ ବିଚାର ବିମର୍ଶ ହୁଏ , ସେ ସବୁ ମାନି ନେବାକୁ ହେବ । ଗ୍ରାମାଞ୍ଚଳରେ ଅନେକ ଅଶିକ୍ଷିତ ଅଭିଭାବକ କିଛି ବୁଝି ନ ବାକ୍ ବିତଣ୍ତା ଅଯଥା ଯୁକ୍ତି ତର୍କ କରନ୍ତି । ବୁଝନ୍ତି ନାହିଁ ଯାହା କିଛି କୁହାଯାଇଛି , ସେସବୁ କେବଳ ପିଲାମାନଙ୍କ ଭଲ ପାଇଁ । ତେଣୁ ଭଲ ଉଦ୍ଦେଶ୍ୟ ରହିତ ବିଦ୍ୟାଳୟରେ ଅଭିବାବକଙ୍କ ଏସବୁ କ୍ଷେତ୍ରରେ ଭୂମିକା କଣ ସେ ସଂପର୍କରେ ସେମାନଙ୍କୁ ସମକ୍ୟ ଧାରଣା ଦେବା , ବାରମ୍ବାର ସୂଚନା ଦେବା ଅପରିହାର୍ଯ୍ୟ ମନେହୁଏ । ଏକଥା ସତଯେ ଅଭିଭାବକମାନେ କେବେ ଜାଣିନାହାନ୍ତି ବା ଜାଣିବାର ଆଗ୍ରହ କେବେବି ପ୍ରୟାସ କରି ନାହାନ୍ତି , ସେମାନଙ୍କ ପିଲାମାନଙ୍କ ପ୍ରତି ବିଦ୍ୟାଳୟରେ କଣ ଚାଲିଛି । କ'ଣ ପାଇଁ ପିଲା ବିଷର୍ଣ୍ଣ ରହୁଛି , ଯୌନ ଶିକାର ହେଉଛି , ଅଘଟଣ ଘଟି ମୃତ୍ୟୁବରଣ କରୁଛି ? ଆବାସିକ ବିଦ୍ୟାଳୟରେ ରହୁଥିବା ପିଲାଙ୍କ ପ୍ରତି କିପ୍ରକାର ବ୍ୟବହାର କରାଯାଉଛି , ସେମାନଙ୍କ ସ୍ୱାସ୍ଥ୍ୟ, ଶିକ୍ଷା ପ୍ରଡି ଉପଯୁକ୍ତ ଦୃଷ୍ଟି ଦିଆଯାଉଛି, ସେମାନଙ୍କ ଭବିଷ୍ୟ କିପରି ଗତିମୁଖର ହେଉଛି ବା ହେବାକୁ ଯାଉଛି ନିରକ୍ଷର ହେଲେବି ପ୍ରତ୍ୟେକ ଅଭିଭାବକଙ୍କ ଜାଣିବାର ଅଧିକାର ରହିଛି ।

ଏପରିକି ପ୍ରତ୍ୟେକ ପିତାମାତା ପ୍ରଥମେ ବୁଝିବା ଆବଶ୍ୟକ ବିଦ୍ୟାଳୟରେ ଦିଆଯାଉଥିବା ଶିକ୍ଷା ଶିଶୁର ଭବିଷ୍ୟତ ପ୍ରତି ଯେଭଳି କ୍ଷତି/ହାନି ନଆସୁ । ବିଚାର କରାଯାଇପାରେ ଆଜିର ସମୟରେ ଅଭିଭାବକ ମାନେ ନିଜର ଶିଶୁମାନଙ୍କ ପ୍ରତି କେତେ ଯତ୍ନଶୀଳ ଓ ସମୟ ଦେଇ ପାରୁଛି , ବିଚାର କଲେ ବୋଧହୁଏ ଫଳ ଶୂନ ହେବ । ପିଲାଙ୍କ ଭବିଷ୍ୟତ ପ୍ରତି କେତେ ଚିନ୍ତା କରୁଛନ୍ତି ବା ଅନୁଭବଶୀଳ ଅଛନ୍ତି । ଏସଂପର୍କରେ ଅନେକ କଥା କୁହାଯାଇ ପାରେ । ନାମ ଲେଖି ସାରିବା ପରେ ଯଦି ଅଭିଭାବକଙ୍କ କର୍ତ୍ତବ୍ୟ ଶେଷ ହୋଇଯାଏ , ତେବେ ପିଲାଙ୍କ ଗତିବିଧିକୁ କିଏ ବା ଲକ୍ଷ୍ୟ ରଖିବ ! କେବେ ଶିକ୍ଷକ ଓ ଅଭିଭାବକ ମିଳିତ ହୋଇ ଶିଶୁର ଦୃର୍ବଳତା ଉପରେ ଆଲୋଚନା କରନ୍ତି ନାହିଁ । ପ୍ରତ୍ୟେକ ଅଭିଭାବକ କେବଳ ନିଜ ଶିଶୁର ଶିକ୍ଷା ପାଇଁ ପରିଶେଷରେ ଶିଶୁର ଅସଫଳରେ ବିଦ୍ୟାଳୟକୁ ଦାୟୀ କରି ନିଜର ଦାୟିତ୍ୱ / କର୍ତ୍ତବ୍ୟ ଭୁଲି ଯାଆନ୍ତି । କେବଳ ଏମାନେ ବିଦ୍ୟାଳୟ ଉପରେ ଭରସା କରି ଛାଡି ଦିଅନ୍ତି ।

ତେଣୁ ଶିକ୍ଷାର ଭବିଷ୍ୟ ଅଭିଭାବକ ଓ ସମୁଦାୟ ସଦସ୍ୟଙ୍କ ଓ ପ୍ରତ୍ୟେକଙ୍କର ମଧ୍ୟ ସକ୍ରିୟ ଅଂଶଗ୍ରହଣକୂ ଅପେକ୍ଷା ରଖେ । ଅନେକ ଆବାସିକ ବିଦ୍ୟାଳୟ/ ମହାବିଦ୍ୟାଳୟ ପିଲାଙ୍କ ଭବିଷ୍ୟତ ନେଗ ଖେଳ ଖେଳୁଛନ୍ତି , ବିଭିନ୍ନ ପ୍ରଲୋଭନ ଦର୍ଶାଇ ମୋଟା ଅର୍ଥ ଆଦାୟ କରୁଛନ୍ତି । ଉଚ୍ଚ ବର୍ଗର ଅଭିଭାବକ ପ୍ରଲୋଭିତ ହୋଇ ମୋଟା ଅର୍ଥ ଖର୍ଚ୍ଚ କରି ନିରାଶ ହୋଇ ଚେତା ବସିବା ବେଳକୁ ଲେଡି ଗୁଡ କହୁଣୀକୁ ବୋହି ଆସିଥାଏ । କୁହାଯାଇପାରେ ଆଜିର ଏଅର୍ଥ ପ୍ରଧାନ ଦୁନିଆରେ ଶିଶୁ ଏକ ସ୍ୱୟଂ ଏକ ବସ୍ତୁ ପାଲଟି ଯାଇଛି , ଯାହା ଆର୍ଥିକ ଲାଭ ଊଦ୍ଦେଶ୍ଯରେ ସେ ଉପଯୋଗୀ ହୋଇପାରୁଛି । ବର୍ତ୍ତମାନ ପରିବେଶରେ ଧ୍ୟାନ ଦେବା କେବଳ ଦକ୍ଷତା ଉପରେ ନିର୍ଭର କରେ ଓ ଉତ୍ପାଦନ ବ୍ୟବସ୍ଥା ପାଇଁ ଉପଯୋଗୀ ଅଟେ । ଏହି ବ୍ୟବସ୍ଥାର ପ୍ରମାଣ ଔପଚାରିକ ଶିକ୍ଷା ବ୍ୟବସ୍ଥା କ୍ଷେତ୍ରରେ , ଏହା ବିଶେଷଜ୍ଞାତର ପ୍ରମାଣ ପତ୍ର ବାଣ୍ଟିଥାଏ । ଥରେ ଯେକେହି ସୁସ୍ଥ ମନରେ ବିଚାର କଲେ ଜାଣି ପାରିବ । ବିଶେଷ କରି ବିକେତ୍ରା ଯେଭଳି ଗ୍ରାହକ ଆଖିରେ ଅନ୍ଧ ପୁଟୁଳି ବାନ୍ଧି ଠକିବାକୁ ଚାହେଁ , ଆଜିର ଶିକ୍ଷା ବ୍ୟବସ୍ଥାରେ ତାହାହିଁ ଘଟୁଛି । ନିଜର ସୁଖ ମଣୁଥିବା ମଣିଷ ପଡୋଶୀର ସୁଖ-ଦୁଃଖରେ କେବେ ଅଂଶୀଦାର ନୁହେଁ । ସେଭଳି ଶିକ୍ଷାରେ କିବା ପ୍ରୟୋଜନ ..!!

ଆଜିର ଶିଶୁ ଲେଖିବା , ପଢିବା ଓ ଗଣିବା ଶିଖିଗଲେ , ଦକ୍ଷତା ଆଣିଲେ ଜାତି , ଦେଶ , ପୃଥିବୀର ବିକାଶ ଯେ ଘଟିବ , ଏହା ନୁହେଁ, ସତରେ ଆମର ବୁଝିବା କ୍ଷମତା ଦୁର୍ବଳ ଅଟେ । ଏବେ ଆମର ବୁଝିବାର ଯଥେଷ୍ଟ ଆବଶ୍ୟକ ପ୍ରୟୋଜନ ଅଛି । କୌଣସି ସମସ୍ୟାର ସୃଜନାତ୍ମକ ସମାଧାନ ଓ ସହଭାଗୀତାର ଆବଶ୍ୟକ ରହିଛି ।

ଶିକ୍ଷାର ଅର୍ଥ ବିଷୟରେ ବିଶେଷ ଜ୍ଞାନ ଦେବା ଅନୁଶାସନ ଓ ଚରିତ୍ରର ବିକାଶ କରିବା ମାତ୍ର ନୁହେଁ କି ଉପଯୁକ୍ତ ଅନୁଶାସନ ଓ ଚାରିତ୍ରିକ ବିକାଶରେ ସୀମିତ ନୁହେଁ । ଉପଯୁକ୍ତ ଶିକ୍ଷାଦାନ କରୁଥିବା ବ୍ୟକ୍ତି ତପସ୍ୟା ଭଳି କଠିନ ପରିଶ୍ରମ କରେ , ନୂଆ ନୂଆ ଦୃଷ୍ଟି କୋଣ ନେଇ କାର୍ଯ୍ୟ କରେ । ଫଳତଃ ନୂତନ ଜ୍ଞାନର ବିକାଶ ଘଟେ , ଜୀବନ ଓ ପ୍ରକୃତି ପ୍ରତି ନୂଆ ଆସ୍ଥାରବୋଧ ବିକାଶ ଘଟେ । ଆତ୍ମ ପ୍ରକୃତିରୁ ମୁକ୍ତି ମିଳି ସାଂସ୍କୃତିକ ଚେତନାର ବିକାଶ ଘଟେ । ଧ୍ୟାନ ରଖିବାକୁ ହେବ ଯେ ଆଜିର ସମୟ ଅନିବାର୍ଯ୍ୟ ସତ୍ୟ । ଶିକ୍ଷାର ଭବିଷ୍ୟତ ଉଦ୍ଦେଶ୍ୟ ପ୍ରାପ୍ତି ପାଇଁ ବିଶେଷ ଜ୍ଞାନ ଭିତରେ ସୀମିତ ନରହୁ । ଏହାର ସାମାଜିକ ଓ ଭାବାତ୍ମକ ଓ ନୈତିକ ଭାବ ସହ ଗୁଣ ସହ ଯୋଡିବାର ଜରୁରୀ ଆବଶ୍ୟକ ରହିଛି , ଯାହାଦ୍ୱାରା ଭବିଷ୍ୟତ ପିଢିର ବିଶ୍ୱାସ ପ୍ରେମ , ସହଯୋଗ ଓ ଆତ୍ମୀୟତାରେ ଭରିଯିବ । ଏହା କେବଳ ବ୍ୟକ୍ତିର କ୍ଷମତାକୁ ଜାଗରିତ କରିବା ସହ ତାର ଜୀବନକୁ ସଂପୂର୍ଣ୍ଣତାର ସହ ବଞ୍ଚିବାର ପ୍ରେରଣା ଓ ଖୋରାକ ଦେବ, ଏହାସହ ଜୀବନର ମୂଲ୍ୟବୋଧକୁ ପୋଷଣ କରିବ । ବାସ୍ତବରେ ଏହି ଲକ୍ଷ୍ୟ ସ୍ୱାଭାବିକ ଭାବ ରଖିବା ସହ ବ୍ୟକ୍ତିର ଓ ସମାଜ ଜୀବନକୁ ଖୁସି ଭରି ଦେବ , ଏଭଳି ବିଶ୍ୱାସ ରହୁ ...!!! 

ଓଡିଆ ଭାଷା ଓ ସାହିତ୍ୟ ବିଭାଗୀୟ ମୁଖ୍ୟ
ମହାନଦୀବିହାର ମହିଳା ସ୍ନାତକ ମହାବିଦ୍ୟାଳୟ , କଟକ -୪
ଦୂରଭାଷ : ୯୦୪୦ ୧୫୧୪୭୫


Post a Comment

0 Comments