Ad

header ads

କବିତା - ଆମ ଗାଁ ନଈ - ବିଶ୍ୱରଞ୍ଜନ ନାୟକ


ଅଙ୍କାବଙ୍କା ହୋଇ ବହିସେ ଯାଇଛି
ମୋ ଗାଁ ଭୂଇଁ ଦେଇ
ଅତୀତକୁ ମୋର ଭସେଇ ନେଇଛି
ସ୍ମୃତି ଅଛି ଯାହାରହି ।।

ଭସେଇ ନେଇଛି ମୋ ପିଲାଦିନକୁ
ଖୋଜୁଛି ଆଜି ମୁଁ କେତେ
ଚିର ସ୍ମରଣୀୟ ଅତୀତଟା ମୋର
ଫେରି ଆସନ୍ତାକି ସତେ ।।

ଅତୀତର କିଛି ଅଭୁଲା କାହାଣୀ
ରହିଛି ଗାଁ ମାଟିରେ
କିଛି କାହାଣୀ ମୋ, ସେ ନଦୀତୁଠରେ
କିଛି ଅଛି ନଦୀତୀରେ ।।

ନଈକୂଳେ ବସି ଲହରୀ ଗଣିଛି
ଗଣିଛି କେତେ ଯେ ନାଆ
ବରଷା, ବତାସ ଦେଖିଛି କେତେ ମୁଁ
ବଢିରେ ବୁଲିଛି ଗାଁ ।।

ପାଣି ଭିତରେ ଡିମିରି ଖେଳ
ଲାଗେ କେଡେ ମନୋହର
ନଈକୂଳେ ପୁଣି ମାଛଧରା ମଜା
କାହାକୁ ବା ଅଗୋଚର ।।

ନଈକୂଳର ସେ ବରଗଛ ଗଛ
ଖେଳିଛି ବୁଲିଛି ମୁହିଁ
ଶରତସନ୍ଧ୍ୟା କାଟିଛି ସେଠି ମୁଁ
ମୃଦୁ ମଳୟ ପିଇ ।।

ଶ୍ରାବଣେ ଦେଖିଛି ତା ଦେହର ରୂପ
ଭୟଙ୍କର ସର୍ପ ପରି
କେବେ ସେ ମାଟିଆ, କେବେ ପୁଣି ନୀଳ
ସତେ କୁହୁକିନୀ ନାରୀ ।।

ଫଗୁଣେ ବୋଳିଛି ତା ଦେହରେ ରଙ୍ଗ
କାର୍ତ୍ତିକେ ବୋଇତ ଭସା
ତା ଜଳରାଶିର ଭଉଁରୀ ମଧ୍ୟରେ
ଜୀବନର ସବୁ ଆଶା ।।

କେତେ ସନ୍ତାନ କୁ ଡାକି ସେ ନେଇଛି
ମା କୋଳ କରି ଖାଲି
ପୋତି ବି ଦେଇଛି କେତେ ଯେ ଜୀବଙ୍କୁ
ତା ଗର୍ଭର ଚରାବାଲି ।।

ଭଟ୍ଟାବେଳେ ପୁଣି ତା ଦେହର ରୂପ
ଦିଶେ ଭାରି ସୁନ୍ଦର
ଆଙ୍କୁଥିଲି କେତେ ଛବି ତା ଉପରେ
ଗଢି କେତେ ବାଲିଘର ।।

ନାଉରୀଆଠାରୁ ପଚାରି ବୁଝିଛି
ତା ଜଳର ଗଭୀରତା
ସ୍ମୃତିଟା ସାଜିଛି ଅମାନିଆଁ ଝଡ
ଭାଙ୍ଗୁଛି ମୋ ନୀରବତା ।।

ନଈପଠାରେ ଗାଈଆଳଠାରୁ
ଶୁଣିଛି କେତେ ମୁଁ ଗୀତ
ସ୍କୁଲ୍ ଛୁଟି ଦିନେ ଧାଇଁଯାଇ ସେଠି
ବସୁଥିଲି ମୁଁ ମିତ ।।

ନଈକୂଳର ସେ ଜାମୁକୋଳି ଗଛ
କରିଛି ଯେ ଅଭିମାନ
ଗା ନଈଆଡେ ବୁଲି ଯିବା ପାଇଁ
ବ୍ୟସ୍ତହୁଏ ଭାରି ମନ ।।

ଖରାଦିନେ ପୁଣି ନଈ ପହଁରା
ରହିଛି ଆଜି ମୋ ମନେ
ସ୍ମୃତିର ଶାମୁକା ଗୋଟାଇବା ପାଇଁ
ନିଶ୍ଚୟ ଫେରିବି ଦିନେ....।।


ରଚନା : ବିଶ୍ୱରଞ୍ଜନ ନାୟକ

ଠିକଣା : କନପୁର, ରାଜକନିକା, କେନ୍ଦ୍ରାପଡା ଦୂରଭାଷ : 9583781908

Post a Comment

0 Comments