Ad

header ads

ପ୍ରବନ୍ଧ - ଆଖି ନାହିଁ କାନ ନାହିଁ - ସନ୍ତୋଷ କୁମାର ମହାନ୍ତି


ମଣିଷ ଏ ଜଗତର ଅପୂର୍ବ ସୃଷ୍ଟି | ଅନ୍ୟ ପଶୁ ଓ ପକ୍ଷୀ ଭଳି ତାର ଆଖି,କାନ ,ନାକ ଓ ଅନ୍ୟ ଅଙ୍ଗଗୁଡିକ ରହିଛି | ମଣିଷ ସୁକ୍ଷ୍ମ ବୁଦ୍ଧିର ଅଧିକାରୀ | ତା ସହିତ ବିବେକ ଦ୍ୱାରା ସେ ନିଜର ଜୀବନକୁ ନିୟନ୍ତ୍ରଣ କରିପାରୁଛି | ଯିଏ ଦୃଷ୍ଟିହୀନ ସେ ଦୁନିଆକୁ ଦେଖିପାରେ ନାହିଁ କିନ୍ତୁ ଅନେକ କଥାକୁ ଅନୁଭବ କରିପାରେ | ଆଉ ଯିଏ ମୁକ ସେ କିଛି କହି ସିନା ପାରେନା କିନ୍ତୁ ଅଙ୍ଗଭଙ୍ଗୀରେ ନିଜ ଭାବନାକୁ ଜଣେଇପାରେ | ଯିଏ ଏଠି ବଧିର ସେ ଅନ୍ୟର କଥାକୁ ନ ଶୁଣି ପାରିଲେ ମଧ୍ୟ ନିଜ ଆଖିରେ ଅନେକ କଥା ଦେଖିପାରେ | ଆଉ ନିଜର ମନର ଭାବନାକୁ ଅଙ୍ଗଭଙ୍ଗୀରେ ଅନ୍ୟକୁ ଜଣେଇପାରେ | ଦୁନିଆରେ ଦୃଷ୍ଟିହୀନ, ମୁକ ଓ ଶ୍ରବଣବାଧିତ ହୋଇ ଖୁବ କମ ଲୋକ ଜନ୍ମ ନିଅନ୍ତି | ଏମାନଂକ ଗୋଟିଏ ଇନ୍ଦ୍ରିୟ ସିନା ଠିକରେ କାମ କରେ ନାହିଁ କିନ୍ତୁ ଅନ୍ୟ ଚାରୋଟି ଇନ୍ଦ୍ରିୟ ସକ୍ରିୟ ଥାଏ | ସେମାନେ ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ସେହି ଲୋକମାନେ ଅନେକ ଗୁଣର ଅଧିକାରୀ ହୋଇଥାନ୍ତି | କିନ୍ତୁ ଆମ ସମାଜରେ ଅନେକ ଲୋକ ଆଖି ଥାଇ ମଧ୍ୟ ଠିକ ଭାବେ ଅନେକ କଥାକୁ ଦେଖି ପାରନ୍ତି ନାହିଁ | ନ ଦେଖିଲା ଭଳି ହୁଅନ୍ତି | ସବୁ ଶୁଣୁଛୁ ବୋଲି କୁହନ୍ତି କିନ୍ତୁ ମଗଜ ଭିତରୁକୁ କିଛି ନିଅନ୍ତି ନାହିଁ | ଯୋଉ ମଣିଷ ମାନେ କହିବାର ଶକ୍ତି ପାଇଛନ୍ତି ସେମାନେ ଅନେକ ଜାଗାରେ ମୁକ ଭଳି ଅଭିନୟ କରନ୍ତି | ଦେଖି, ଶୁଣି ଓ କହିପାରୁଥିବା ଲୋକଟା ବେଳେ ବେଳେ କଣ୍ଢେଇ ସାଜିଯାଏ | ଆଉ ସବୁ ଦେଖି, ଶୁଣି ଓ ଜାଣି ଏମିତି ଅଭିନୟ କରୁଥାଏ ଯେମିତି ସେ କିଛି ଦେଖିନାହିଁ | କିଛି ଶୁଣିନାହିଁ  | ଆଉ କହିବାକୁ କିଛି ଚାହେଁ ନାହିଁ  |

ମଣିଷ ତା ଜୀବନ ଭିତରେ ଅନେକ କଥା ଦେଖେ | ପରିବାର ଠାରୁ ବାହାର ଯାଏଁ ଯାହା ସବୁ ଘଟୁ ଥାଏ ସେ ଦେଖି ଚାଲେ | ସେ ଦେଖୁଥିବା ଅନେକ ଭଲ ,ମନ୍ଦ ଘଟଣା ଗୁଡିକରୁ ବହୁତ କିଛି ଶିଖେ | କିଛି ଶିକ୍ଷାକୁ ମଣିଷ କାମରେ ଲଗାଏ ଆଉ କିଛିକୁ ସେ ଭୁଲିଯାଏ | ବେଳେବେଳେ ମଣିଷ ଅନେକ ଭଲ ଘଟଣାରୁ କିଛି ଶିଖି ପାରେନା | ଏପରିକି ଆଖି ଥାଇ ମଧ୍ୟ ଅନେକ ସମୟରେ ମଣିଷ ଏପରି କିଛି କରି ବସେ ,ଯାହା ଅନ୍ୟ ପାଇଁ ଅବୁଝା ହେଇପଡେ | ଘର ପାଖ ଦେଇ ଯାଇଥିବା ନଳା ଜରି ଯୋଗୁ ଜାମ ହେଉଛି | ବର୍ଷା ହେଲେ ନଳା ଜାମ ହେଇ ଘରେ ଓ କଲୋନୀରେ ପାଣି ପଶୁଛି | ଏ ସମାଜ ସବୁ ଦେଖୁଛି,କିନ୍ତୁ ତଥାପି କୁଢ଼ କୁଢ଼ ପଲିଥିନ ନଳାରେ ଆଣି ପକାଉଛି | ବଜ଼ାର ଘାଟ, ନଦୀ, ନାଳ, ସମୁଦ୍ର କୁଳ ସବୁଆଡେ ପ୍ଲାଷ୍ଟିକ ଜରି ଓ ବ୍ୟାଗ ପଡି ପରିବେଶ ପ୍ରଦୂଷଣ ହେଉଛି | ମଣିଷ ସବୁ ଦେଖୁଛି, ଅସୁବିଧାକୁ ବି ବୁଝୁଛି | ଗାଈ, ଷଣ୍ଢ ଓ କୁକୁର ପଲିଥିନ ଖାଇ ମରିବା ବି ଦେଖୁଛି ଓ ଶୁଣୁଛି କିନ୍ତୁ ଏତେ ପରେବି ଦେଶରୁ ପଲିଥିନ ସମ୍ପୂର୍ଣ ହଟି ପାରୁନି କି ଆମମାନଙ୍କର ପଲିଥିନ ବ୍ୟବହାର କମୁନି | ସହରରେ ଗାଈଗୁଡିକ ବୁଲି ରାସ୍ତା ଜାମ କରୁଛନ୍ତି | କିନ୍ତୁ ଗାଈର ମାଲିକ ସେସବୁ ବୁଝିବାକୁ ନାରାଜ | ସେମାନଙ୍କ ଗାଈ ଗୁଡିକ ବଡ ସହରର ରାସ୍ତା, ଜାତୀୟ ଓ ରାଜ୍ୟ ରାଜପଥ ଉପରେ ବୁଲୁଛନ୍ତି | ସେଥିପାଇଁ ଅନେକ ଦୁର୍ଘଟଣା ଘଟୁଛି | ପ୍ରତିଦିନ ରାଜପଥ ଗୁଡିକରେ ଅନେକ ଗାଈ ବଡ ଗାଡିର ଦୁର୍ଘଟଣାରେ ମରୁଛନ୍ତି, କିନ୍ତୁ ଗାଈ ମାଲିକଙ୍କ ଆଖିକୁ ତାହା ଦେଖା ଯାଉନାହିଁ | ପ୍ରଶାସନ ସେହି ଗାଈର ମାଲିକଙ୍କ ପାଇଁ ପୁରା କୋହଳ ମନୋଭାବ ପୋଷଣ କରୁଛି | 

ସର୍ବ ସାଧାରଣ ରାସ୍ତାରେ ଗାଈ,ଛେଳି ବାନ୍ଧିବା ଓ ଅନେକ ଦିନ ଧରି ବାଲି,ଗୋଡି ଓ ପଥର ଜମେଇବା ଫଳରେ ସମସ୍ତଙ୍କ ଯିବା ,ଆସିବାରେ ଅସୁବିଧା ହୁଏ | ଆମେ ସେସବୁ ଦେଖୁ ଓ ଲୋକଙ୍କ ଠାରୁ ଅଭିଯୋଗ ସବୁ ଶୁଣୁ | କିନ୍ତୁ ଆମେ ସେହି କାମ ସବୁ କରିଚାଲୁ ,ଯାହା ଲୋକଙ୍କ ପାଇଁ ଅଡୁଆ ହୁଏ | ଯଦି କେହି ପ୍ରତିବାଦ କଲା ଆମେ ତାର ଚଉଦ ପୁରୁଷକୁ ଗାଳି ଦେଉ ,ନହେଲେ ଗଣ୍ଡଗୋଳ ପାଇଁ ଅଣ୍ଟା ଭିଡୁ | ଯେଉଁ ଗାଁ ଭିତର ରାସ୍ତା ଦେଇ ଦଶ ,କୋଡିଏ ଖଣ୍ଡ ଗାଁର ଲୋକ ଯିବା ଆସିବା କରନ୍ତି ରାସ୍ତା ଅବରୋଧ ଯୋଗୁ ସେମାନେ ହଇରାଣ ହୁଅନ୍ତି |ଅନେକ ଅପ୍ରୀତକର ପରିସ୍ଥିତି ମଧ୍ୟ ଉପୁଜେ | ଛୋଟ ଘଟଣା ଗୁଡିକ ବେଳେ ବେଳେ ଗୋଷ୍ଠୀ ସଂଘର୍ଷର ରୂପ ନିଏ | ସ୍ଥିତି ଏବେ ଏମିତି ହେଲାଣି ଯୋଉ ଗାଁ ରାସ୍ତାରେ ଆଗରୁ ଟ୍ରକ ଓ ଟ୍ରାକଟର ଚାଲୁଥିଲା ଏବେ ସେହି ରାସ୍ତାରେ ସାଇକେଲ ଯିବା ଅସମ୍ଭବ ହେଇପଡିଲାଣି | ଏଇଟା ସମସ୍ତେ ଦେଖୁଛନ୍ତି କିନ୍ତୁ ପ୍ରତିକାର ପାଇଁ କାହାର ଯୁ ନାହିଁ | ଆମେ ବାଟରେ ଗଲାବେଳେ ଅନେକ ଘଟଣା ଦେଖୁ ତାହା ଭିତରୁ ଆମ ପାଇଁ କିଛି କଥା ଗ୍ରହଣୀୟ ହୁଏ ନାହିଁ | ଗାଁ ଓ ସହରରେ ଅନ୍ୟ ପ୍ରତି ହେଉଥିବା ଅନ୍ୟାୟ ,ଅତ୍ୟାଚାର ଓ ଶୋଷଣକୁ ଦେଖୁ | କିନ୍ତୁ ପ୍ରତିବାଦ କରିପାରୁନା | କାରଣ ଆମେ ଏକା ପ୍ରତିବାଦ କରିବାକୁ ସାହସ ଜୁଟାଇ ପାରୁନା | ସାମୁହିକର ସହଯୋଗ ମିଳିଲେ ଆମେ କିଛି ସ୍ଥାନରେ ପ୍ରତିବାଦ କରୁ | କିନ୍ତୁ ଅନେକ ଜାଗାରେ ଆମେ ଦେଖି ନ ଦେଖିଲା ଭଳି ବାଟ ଭଙ୍ଗୀ ଚାଲିଆସୁ | ଆମେ କାଦୁଅରେ ଗୋଡ ପୁରାଇବାକୁ ଚାହୁନା | କି ସେଥିପାଇଁ ଆମର ସମୟ ନ ଥାଏ | ଗୋଟେ ଭୁଲ କାମକୁ ଦେଖିଲେ ପ୍ରତିବାଦ କରିବା ପାଇଁ ହାତ ଗଣତି କିଛି ଲୋକ ବାହାରନ୍ତି | ଆମ ଭାରତରେ ଲୋକଙ୍କ ଭିତରେ ଏକ ବୁଝାମଣା ନ ଥାଏ | ଏପରିକି ସମସ୍ତେ ଏକାଠି ହୋଇ ପାରନ୍ତି ନାହିଁ | ସମସ୍ତେ ଖାଲି କୁହାକୁହି ହୁଅନ୍ତି ଯାହା ହେଉଛି ଏଇଟା ଠିକ ହେଉନି | କିନ୍ତୁ ସମ୍ମୁଖକୁ ଆସି ପ୍ରତିବାଦ କରିବା ପାଇଁ କାହାର ସାହସ ନ ଥାଏ | ସେଥିପାଇଁ ଦେଶରେ ଦୁର୍ନୀତି ,ଅନୀତି ,ଶଠତା ,ଶୋଷଣ ,କଳା ବଜ଼ାରି ଓ ଲୁଣ୍ଠନ ବଢି ଚାଲିଛି | ଆମେ ଦେଖି, ଶୁଣି ଓ ଜାଣି ମଧ୍ୟ କିଛି କରି ପାରୁନା | ଆଖି ଥାଇ ଅନ୍ଧ ଭଳି ଆମେ ଅଭିନୟ କରୁ | ସମସ୍ତେ ଶୁଣନ୍ତି | କିନ୍ତୁ ସମସ୍ତଙ୍କ ବୁଝିବା ଶକ୍ତି ଦୁନିଆରେ ଏକା ପ୍ରକାର ହୋଇ ନଥାଏ | ଆଗରୁ ଦେଶରେ ଲୋକ ବେଶୀ ରେଡ଼ିଓ ଶୁଣୁଥିଲେ | ଲୋକ କେବଳ ରେଡ଼ିଓକୁ ମନୋରଞ୍ଜନର ମାଧ୍ୟମ ଭାବେ ନେଇ ନଥିଲେ ଏହା ଅନେକ ଖବର ଯୋଗାଉଥିଲା | ତାହା ସହ ମଣିଷକୁ ସଚେତନ କରୁଥିଲା | କିନ୍ତୁ ସେହି ରେଡ଼ିଓ ଏବେ ଅଦରକାରୀ ହେଇଗଲା | ଯଦିଓ ଏବେ ଏଫ.ଏମ ରେଡ଼ିଓ ମଣିଷ ଶୁଣୁଛି ,ତାହା କେବଳ ମଣିଷର ମନୋରଞ୍ଜନ କରୁଛି | ଶିକ୍ଷକ ଯାହା କହୁଛନ୍ତି ଆମେ ଯଦି ଆମ ଶ୍ରେଣୀ ଗୃହରେ ଠିକ ଶୁଣୁଥାନ୍ତେ ତେବେ ପରୀକ୍ଷାରେ ଆହୁରି ଅଧିକ ନମ୍ବର ରଖୁଥାନ୍ତେ |ଘରେ ବି ଏବେ କେହି କାହା କଥା ଶୁଣିବାକୁ ବେଳ ନାହିଁ | ଯଦି ଜଣେ କିଏ କଣ କହୁଛି, ସିଏ କହୁଥାଉ ନ ଶୁଣିଲେ ଗଲା | ଆମର ଏବେ ମୋବାଇଲ ମାନିଆ ଏତେ ବଢିଯାଇଛି ଯେ ଆଉ କାହା କଥା ଶୁଣିବାକୁ ବେଳ ନାହିଁ | 

ସବୁବେଳେ ଟିଭି ଚାନେଲ ଗୁଡିକରେ କୁହାଯାଉଛି ମଦ,ବିଡି,ସିଗାରେଟ ,ଚରସ ,ଗଂଜେଇ ଏସବୁ ଆମ ଦେହ ପାଇଁ ହିତକର ନୁହେ | ଆମେ ଅହରହ ବିଜ୍ଞାପନ ଦେଖୁଛେ ଓ ଶୁଣୁଛେ କିନ୍ତୁ କଣ ସଚେତନ ହେଇ ପାରୁଛେ ? ସରକାରୀ ଓ ବେସରକାରୀ ସ୍ତରରେ ଆମକୁ ସଚେତନ କରିବା ପାଇଁ ବିଜ୍ଞାପନରେ ଅନେକ ଖରଚ କରାଯାଏ | ସଭା ,ସମିତି ହୁଏ | ବଡ ବଡ ହୋଡିଂ ଲଗାଯାଏ | ପ୍ରଚାର ପତ୍ର ବଣ୍ଟାଯାଏ | ଡ଼ାକବାଜି ଯନ୍ତ୍ରରେ ପ୍ରଚାର କରାଯାଏ |ପଥପ୍ରାନ୍ତ ନାଟକ କରାଯାଏ | ଯଦି ଆମେ ଏସବୁ ଠିକରେ ଶୁଣୁଥାନ୍ତେ ଓ କାନ୍ଥ,ପ୍ରାଚୀର ଓ ହୋଡିଂରେ ଦିଆଯାଉଥିବା ସଚେତନ ବାର୍ତ୍ତା ଠିକରେ ଗ୍ରହଣ କରୁଥାନ୍ତେ ତେବେ ଆମ ଘର ପାଖ,ବଜ଼ାର,ଗଳି,ରାସ୍ତା ଘାଟ,ପୋଖରୀ ତୁଠ,ନଦୀ ଓ ନାଳରେ ଏତେ ମଇଳା ଜମା ହୋଇ ନଥାନ୍ତା | ରାସ୍ତାରେ ଗାଡି ଚଳାଇବା ବେଳେ ନିଶା ପାନ କରି ଗାଡି ଚଲାଉ ନଥାନ୍ତେ | ସବୁବେଳେ ହେଲମେଟ ପିନ୍ଧୁଥାନ୍ତେ | ଆମ ପାଇଁ ଏତେ ଦୁର୍ଘଟଣା ରାସ୍ତାରେ ହେଉ ନଥାନ୍ତା | ଆମେ ବେଳେବେଳେ ସବୁ ଜାଣିକି କି ଅଜଣା ଭଳି ରହୁ | ସିଏ ଭୁଲ କରୁଛି ମୁ କଲେ କଣ ହେଇଗଲା ବୋଲି ତୋଡ଼ ଦେଖାଉ | କିନ୍ତୁ ଆମ ଭୁଲ ପାଇଁ ପାଗ ବଦଳେ | ପରିବେଶ ଖରାପ ହୁଏ | ଦୁଃଖକୁ ବରଣ କରୁ ସତ କିନ୍ତୁ ନିଜେ ବଦଳି ପାରୁନା |ଏଇ ଯେମିତି ଆମେ ମୋଟର ଯାନ ଆଇନ ମାନିଲେ ନାହିଁ | ଏବେ କେନ୍ଦ୍ର ସରକାର ସେହି ଆଇନକୁ ସଂଶୋଧନ କରି ଆମ ଠାରୁ ଆମ ଭୁଲ ପାଇଁ ଶହେ ଗୁଣ ଅଧିକ ଜୋରିମାନା ନେବାକୁ ତତ୍ପର ହେଇଛନ୍ତି |

ଆମ ଦେଶରେ ଯୌଥ ପରିବାର ସବୁ ଭାଙ୍ଗିବାକୁ ବସିଲାଣି କହିଲେ କିଛି ଭୁଲ ହେବନାହିଁ | ପିଲାମାନେ ଏବେ ଛୋଟ ପରିବାର ଭିତରେ ରହିଲେ | ଦାଦା,ଖୁଡି,ବଡବାପା,ବଡ଼ବୋଉ ,ଜେଜେମା ଓ ଜେଜେ ଆଉ ସେହି ପରିବାର ଭିତରେ ରହିଲେ ନାହିଁ | ଯୌଥ ପରିବାର ଭିତରେ ପିଲାମାନେ ଅନେକ କଥା ଶିଖୁ ଥିଲେ | ସ୍ନେହ,ମମତା,ଭଲ ପାଇବା,ପରକୁ ସମ୍ମାନ ଦେବା ଓ ମିଳିମିଶି ଚଳିବାର କଳା ଶିଖୁଥିଲେ | ଯୌଥ ପରିବାର ଭିତରେ ବଢିଥିବା ପିଲାମାନେ ଭାରି ଦରଦୀ,ପରୋପକାରୀ ଓ କର୍ମପ୍ରବଣ ହେଉଥିଲେ | କିନ୍ତୁ ଏବେ ଯୋଉ ପୀଢ଼ି ଭାରତରେ ଆତଯାତ ହେଉଛନ୍ତି ସେମାନଙ୍କ ଭିତରୁ ଦୟା,କ୍ଷମା ,ଶାଳୀନତା ଓ ଭଦ୍ରାମି ସବୁ ଲୋପ ପାଇବାକୁ ବସିଲାଣି | ଏଥିରେ ସେମାନଙ୍କ ସତରେ ଦୋଷ କିଛି ନାହିଁ | ପ୍ରକୃତରେ ଆମ ପାଠ ଓ ଅଭିଭାବକ ମାନେ ସେମାନଙ୍କ ହୃଦୟକୁ ପାଷାଣ କରି ସାରିଲେଣି |ତେଣୁ ଶିକ୍ଷା ଓ ସଂସ୍କାର ଯେମିତି ଦିଆଯାଉଛି ପିଢୀ ସେହି ଭଳି ବାହାରୁଛନ୍ତି | ତେଣୁ ସମାଜ ଖରାପ ହେଉଛି ସେଥିପାଇଁ ପରକୁ ଦୋଷ ନ ଦେଇ ଆମର ବା ଆମ ପରିବାର ଦୋଷ କୋଉଠି ରହିଲା ସେଥିପାଇଁ ଟିକେ ସମୀକ୍ଷା କଲେ ଆମେ ଅନେକ ପ୍ରଶ୍ନର ଉତ୍ତର ପାଇ ପାରନ୍ତେ | ଆମେ ଛୁଆ ବେଳେ ଗୋଟେ ଖେଳ ଖେଳୁଥିଲୁ | ଗୋଟେ ପିଲା ଆଖି ବୁଜି ଦୁଇ ହାତ ଲମ୍ବେଇ ଚକା ଚକା ଭଉଁରୀ ଭଳି ବୁଲୁଥିବ |ଆଉ କହୁଥିବ -ଆଖି ନାହିଁ ,କାନ ନାହିଁ -ବାଜି ଗଲେ ଦୋଷ ନାହିଁ | ଏବେ ପିଲାମାନେ ସେ ଖେଳ ଆଉ ଖେଳୁ ନାହାନ୍ତି | କିନ୍ତୁ ଆମ ସମାଜରେ ଏବେ ସେହି ଖେଳ ଚାଲିଛି | ଆମେ ଆଖି ବୁଜି ପରକୁ ଦୋଷ ଦେଇ ଚାଲିଛେ | ନିଜ ଦୋଷ କେବେ ଦେଖୁନେ | ଆଉ ଆଖି ଓ କାନ ଖୋଲି ଆମେ ଅନେକ ଭୁଲ କରୁଛେ ଓ କରାଉଛେ |ପରକୁ ଟେକା ମାରୁଛେ ଆଉ ବାଜିଗଲେ ଅତି ଦମ୍ଭର ସହ କହୁଛେ ମୋର କିଛି ଦୋଷ ନାହିଁ |

ରଚନା : -ସନ୍ତୋଷ କୁମାର ମହାନ୍ତି

ଠିକଣା : -ନବଜୀବନ ସମାଜ, ସଫା, କଟକ -୭୫୪୦୨୨
ଦୂରଭାଷ-୯୭୭୭୭୬୬୩୪୬

Post a Comment

0 Comments