Ad

header ads

କବିତା - ହୃଦୟହୀନ ଓ ଅବିବେକୀ - ପ୍ରଣତି ମହାପାତ୍ର

ହୃଦୟହୀନ ଅବିବେକୀ
🌸🌸🌸🌸🌸🌸

କୋଣାର୍କ ମନ୍ଦିର ଗଢିବାକୁ ଯାଇ
ଆତ୍ମବଳୀ ଦେଇଦେଲା ଧରମା,
କିଏ ଦେଇପାରିଲା ତା ବଳୀଦାନ ମୂଲ୍ୟ,
କୋଳଶୂନ୍ୟ ହୋଇଗଲା ମାଆର,
ତା କୋଳପୂର୍ଣ୍ଣ କେହି କରିପାରିଲେ?
ଶ୍ରେଷ୍ଠ କାରିଗରର ମୋହର ଥିବା
ଶହଶହ ମନ୍ଦିର ନିର୍ମାଣ କରୁଥିବା ବ୍ୟକ୍ତି ବିଶୁମହାରଣା,
ଉଛନ୍ନ ହୋଇଗଲା ବିଶୁମହାରଣାର ଘର।
ପୂର୍ଣ୍ଣ ମନ୍ଦିର ଶୂନ୍ୟ ହୋଇଗଲା।
କିଏ ଦେଇପାରିଲା ମାଆ କୋଳକୁ ପୁଅ,
ବାପାର ଅମୂଲ୍ୟ ସମ୍ପତ୍ତି ହଜିଗଲା,
ଦୁନିଆଁରେ ଭଲମନ୍ଦ ବୁଝି ନ ଥିବା
ନିଷ୍ପାପ ଶିଶୁ ସମସ୍ତଙ୍କ ଆଢୁଆଳରେ ରହିଗଲା।
ନା ଶିଳ୍ପୀକୂଳ,ନା ରାଜା, ନା ପ୍ରଜା?
କାହାରି ଅନୁଶୋଚନା ନାହିଁ।
ସମସ୍ତେ ନିଜ ନିଜର ବାହାଦୁରୀ ଦେଖେଇବାରେ ବ୍ୟସ୍ତ।
ହେଲେ ଏବେବି ରାଜରାସ୍ତାରେ
ଘୁରିବୁଲୁଛି ଧରମାର ମାଆ।
ଖୋଜୁଛି ଗଳିକନ୍ଦିରେ ପୁଅ ଧରମାକୁ।
ବରକୋଳି ଗଛକୁ ଦେଖିଲେ କୋଳିମାନଙ୍କୁ ପଚାରୁଛି ଧରମା କୁଆଡ଼େ ଗଲା,
ବୁଲାକୁକୁରଙ୍କୁ ଗେଲକରି ପଚାରୁଛି
ଧରମାର ଠିକଣା।
ବାହୁନି ବାହୁନି କାନ୍ଦୁଛି ବିଶୁମହାରଣା।
ଗାମୁଛା ନୁହେଁ ଏଆଖି ଲୁହ
ସେ ହାତରେ ପୋଛି ବିଶାଳ ସାଗରକୁ ଚାହିଁ ରହିଛି।
ହୃଦୟହୀନ ମଣିଷର ଅବିବେକୀ
ଚିନ୍ତାଧାରାକୁ ଶତଧିକ କରୁଛନ୍ତି ବିଶୁମହାରଣା ପତିପତ୍ନୀ।
ଅନ୍ୟର ଘର ତୋଳିବାକୁ ଯାଇ
ସେ ଆଜି ବାସହରା।
କିଏ ବୁଝିବ ଏ ଅନ୍ତରବେଦନା।

🏵🏵🏵🏵🏵🏵

ପ୍ରଣତି ମହାପାତ୍ର
ଫକୀରମୋହନ ନଗର
ବାଲେଶ୍ଵର



ରଚନା : Pranati Mahapatra

ଠିକଣା : Fakirmohan Nagar ଦୂରଭାଷ :

Post a Comment

0 Comments