Ad

header ads

କବିତା - ପ୍ରେମମଙ୍ଗ - ନାରାୟଣ ଚନ୍ଦ୍ର ସେନାପତି

     ପ୍ରେମମଙ୍ଗ
**************
ହିଂସା ଜର୍ଜରିତ କପଟୀ ମାନବ
      ନିକମା ଅବା ଅକର୍ମା
ମଣ୍ଡପେ ଦୋକାନେ ବଖାଣେ ବସି ସେ
     କିଏ ଧର୍ମା କେ ଅଧର୍ମା।

ସ୍ବଗୃହେ ଶୃଗାଳ ଭୁକୁଥାଏ ତାର
   ଓକିଲାତି ଅନ୍ୟ ଘରେ
ନିପଟ ମୁରୁଖ ନିର୍ଲ୍ଲଜ ବୋପା ସେ
   ଅନ୍ତରୁ କେହି ନ ପଚାରେ।

ଚୋର ଡକାୟତ ତୋଷାମଦିଆଙ୍କ
   ସାଥି ପାଇଁ କି ତା ଗର୍ବ
ନିଜକୁ ନ କଳି ଅନ୍ୟ ଦୋଷ ଭିଣି
   ପାଳଇ ଘୃଣିତ ପର୍ବ।

ନିଜ ଦେହେ କେତେ ବହଳର ମଳି
   ଦିଶେନା ଅନ୍ଧ ଆଖିରେ
ପର ମଳରୁ ସେ ଦଶିପୋକ ଗଣି
  ଲେଖେ ସମ୍ବାଦ ଖାତାରେ।

ଯେଉଁ ଗୁଣସୂତ୍ରେ ଜନମିଛି ସିଏ
   ଦୌଡେ ତା ବିଷ ଶକ୍ତିରେ
ମହତ ଦର୍ଶନ କାହୁଁ ସେ ପାଇବ
   ଘାଣ୍ଟି ହେଲେ କା ମଳରେ।

ଭୁଗୋଳକୁ ବୁଝେ ଭୂମିଟା ଗୋଳିଆ
      ସାହିତ୍ୟ ସାଥୀର ହତ
ଇତିହାସ ଭାବେ ହସ ହେଲା ଶେଷ
      ଗଣିତ ଗଣ ଅହିତ ।

ଧନ୍ୟ ସେ ଅଜ୍ଞାନ ପଣ୍ଡିତ ଚିହ୍ନେ ନା
      ଇଂରାଜିକୁ କରେ ହୀନ
ନିର୍ବୋଧ ଅଳିଆ ବିକୃତ କହଇ
     ଵିଜ୍ଞାନ  ବିକୃତ ଜ୍ଞାନ।

ସର୍ଜନା ବର୍ଣ୍ଣନା ଗବେଷଣା ଭୁଲି
   ସଦା ଖୋଜେ ଅନ୍ୟ ଦୋଷ
ସଦାଚାର ସତଚିନ୍ତା ଭୁଲି କାନ୍ଦେ
   ଧକାଇ ତା ସ୍ନାୟୁଦୋଷ।

ଘା'ରେ ନ ବସି ବସେ ଯେ ଫୁଲରେ
      ବର୍ଜି ନିନ୍ଦା ଅପମାନ
ଶିକ୍ଷିତ ସମାଜ ଆଲିଙ୍ଗନ କରେ
      ଶ୍ରଦ୍ଧେ ଦେଇ ସଦଜ୍ଞାନ।

ଆସ ହେ କରିବା ସାଧନା ତପସ୍ୟା
       ଆଦରିବା ସତସଙ୍ଗ
ଏକତା ମନ୍ତରେ ବାନ୍ଧିବା ସଭିଙ୍କୁ
       ସଳଖାଇ ପ୍ରେମ ମଙ୍ଗ।

✍🏻 *ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା,କେନ୍ଦୁଝର* ✍🏻

Post a Comment

0 Comments