Ad

header ads

ଅଣୁଗଳ୍ପ - ତ୍ରିରଙ୍ଗାର ଗୁଣ - ସତ୍ୟ ପ୍ରକାଶ ସେଠୀ

ମୁଁ ଦିନେ ଟିକି ପିଲା ହୋଇ ଆମ ଗାଁ ମଝି ଦାଣ୍ଡେ ଖେଳୁ ଥିଲି, ଯେବେ ମୁଁ ସ୍କୁଲ ଯିବା ଯିବା ହେଉଥିଲି । ସେଦିନ ଆମ ଗାଁ ମାଷ୍ଟର ସବୁ ଟିକି ପିଲାଙ୍କୁ ଧରି ଗାଁରେ ପ୍ରଭାତ ଫେରି କରୁଥାନ୍ତି। ଏ କଥା ତ ମୋର ସ୍ପଷ୍ଟ ମନେ ଅଛି, ବୋଧେ ସ୍ଵାଧୀନତା ଦିବସ ସେଦିନ ହୋଇଥିଲା। କ'ଣ ତ ଦଳେ ଧାଡ଼ି ବାନ୍ଧି ଯାଉଥାନ୍ତି। ସୁବାଷ୍ ଗାନ୍ଧୀ ଜୟ ହୋ! କହୁଥାନ୍ତି ।ମୁଁ କିଛି ସଠିକ୍  ବୁଝି ପାରୁ ନଥିଲେ ହେଁ, ରଙ୍ଗୀନ ତ୍ରିରଙ୍ଗା ଧଣ୍ଡାଟା ମୋତେ କିନ୍ତୁ ଭଲକି ଦିଶୁଥିଲା। ତେଣୁ ମୁଁ ସେଇ ଦାଣ୍ଡରୁ କାନ୍ଦି କାନ୍ଦି ଘରକୁ ଦୌଡିଲି। ମାଆକୁ କୁଣ୍ଢେଇ ଧରି କାନ୍ଦିଲି। ମାଆ କହିଲେ - "ନାଇଁ ଲୋ! ମୋ ଧନ ନାଇଁ। ଏମିତି କାନ୍ଦନ୍ତି ନା.. ଇଁ। ମୋ ବାଇ ଧନରେ! ତୁ ତୁନି ହଅ। ମୋ ସୁନା ପୁଅ! କାହିଁକି କାନ୍ଦୁଛୁ ମୋତେ କହ। ଭାଙ୍ଗି ଥିଲେ ଗଢି ଦେବି, ହଜି ଥିଲେ ଖୋଜି ଆଣି ଦେବି, ତୁ କହିଲେ ନୂଆ  କିଣି ଆଣି ଦେବି। ମୁଁ କିଛି କହିଲି ନାହିଁ। ସେଇମିତି କାନ୍ଦୁଥାଏ, ପ୍ରଭାତ ଫେରି କରି ଛୁଆ ଆମ ଦାଣ୍ଡ ଦେଇ ପୁଣି ଫେରିଲା ଯାଏଁ। ସେମାନେ ଫେରି ଆସୁଥିବାରୁ ହାତଟାକୁ ସିଧା କରି ଆଙ୍ଗୁଳି ଦେଖାଇଲି। ଆଖି ବୁଜି କାନ୍ଦି - "ମୋତେ "।ଜଡା ମାଆ ବୁଝିପାରେ ଜଡାର ଠାର। ମାଆ ଠାରରେ ପଚାରିଲେ - "ତ୍ରିରଙ୍ଗା ପତାକା? ତୋତେ ଗୋଟେ" ?? ମୁଁ ଆଖି ମଳିମଳି କହିଲି -" ହଁ.. ମୋତେ ଗୁତେ (ଗୋଟେ)" ।ଆମ ଗାଁ ଗଣେଶ ମାଷ୍ଟର ଏ କଥା ଶୁଣି, ମୋତେ ଆସି ମାଆ କୋଳରୁ ଟେକି ନେଲା। କାଖେଇ ଧରି ବୁଲିଲା, ହାତରେ ଗୋଟେ ଏଡ଼େ.. ବଡ଼ ତ୍ରିରଙ୍ଗା ପତାକା ଧରାଇ ଦେଲା। ଆଃ.. ମୋର କି ଖୁସି! ସାର୍ କହିଲେ - "ତୁ ସ୍କୁଲ୍ ଯିବୁ? ପାଠ ପଢିବୁ?? ମୁଁ କହିଲି ତା ନିଶରେ ହାତ ମାରି ମାରିକା-" ହଁ.. ହଁଡେ (ହଁରେ) ମୋ ବୁଢ଼ା ସାର୍! ମୁଁ ଯିମି (ଯିବି) ।ସେ କହିଲେ - "ସ୍କୁଲ ଗଲେ କିନ୍ତୁ ପାଠ ପଢିବୁ" । ମୁଁ କହିଲି - ହଁ ଯେ! ମୋତେ କିନ୍ତୁ ପତାକା ଦେବୁ ନା କହନି? ସାର୍ କହିଲେ ବୁଢ଼ା ହଁଟେ (ବଡ଼ ହଁଟେ) - "ହଁ" । ସେଇଦିନୁ ମୁଁ ସ୍କୁଲ ଗଲି। ପ୍ରତିଦିନ ସାର୍ ମୋତେ ବହି ଖୋଲି ତ୍ରିରଙ୍ଗା ପତାକା ଦେଖାନ୍ତି। ଆଉ ଗାନ୍ଧୀ, ଗୋପବନ୍ଧୁ କାହାଣୀ ଶୁଣାନ୍ତି। ତା'ପର ଦିନ, ସାର୍ ବୌଦ୍ଧିକ ପରୀକ୍ଷା ନିଅନ୍ତି। ମୁଁ ଗୋଟି ଗୋଟି କରି ସବୁ କହି ଦିଏ। ସାର୍ କୋଳକୁ ନେଇ ଚୁମାଟେ ଦିଅନ୍ତି। ଏଇ ମୋ  ବିଦ୍ୟାରମ୍ଭ ସେଇ ମୋ ବିଦ୍ୟାଳୟ, ଯାହା ମୋର ପୁରୁଣା କଥା, ମୋ ପିଲା ବେଳାର ଅଭୁଲା ସ୍ମୃତି ।

ଉପ ସହକାରୀ ନିବନ୍ଧକ
ସମବାୟ ସମିତି ସମୂହ, ଢେଙ୍କାନାଳ
ମୋ 9937181846


Post a Comment

0 Comments