Ad

header ads

ପୁରାଣ କଥା - ନଳଙ୍କ ସେତୁବନ୍ଧ ନିର୍ମାଣ - ନରେନ୍ଦ୍ର ପ୍ରସାଦ ବେହେରା

*ରାମାୟଣରୁ କିଛି........୭୩*

*ବିଶ୍ଵାକର୍ମାଙ୍କ ପୁତ୍ର ବାନର ନଳ କାହିଁକି ସେତୁବନ୍ଧ ବାନ୍ଧିଲେ*

ସୀତାଙ୍କୁ ଠାବ କରିବା ପାଇଁ ବାନରରାଜା ସୁଗ୍ରୀବ ସବୁଦିଗକୁ ବାନରମାନଙ୍କୁ ପଠାଇଲା । ସେମାନଙ୍କ ମଧ୍ଯରେ କେତେକ ଭଲ୍ଲୁକ ମଧ୍ଯ ଥିଲେ । ହନୁମାନ ଦକ୍ଷିଣଦିଗକୁ ଯାତ୍ରା କଲେ । ପଥ ମଧ୍ଯରେ ଜଟାୟୁର ବଡ ଭାଇ ସମ୍ପାତି ସହିତ ହନୁମାନଙ୍କର ପରିଚୟ ହେଲା । ସୀତାଦେବୀ ରାବଣ ରାଜ୍ଯ ଲଙ୍କାଗଡରେ ଅଶୋକବନରେ ବନ୍ଦିନୀ ହୋଇ ରହିଛନ୍ତି ବୋଲି ଶୁଣି ହନୁମାନ ସମୁଦ୍ର ଡେଇଁ ଲଙ୍କାଗଡରେ ପହଞ୍ଚିଲେ । ଅଶୋକବନରେ ସୀତାଦେବୀଙ୍କୁ ସାକ୍ଷାତ କରି ହନୁମାନ ଶ୍ରୀରାମ ଦେଇଥିବା ରତ୍ନମୁଦି ସୀତାଦେବୀଙ୍କୁ ଦେଲେ ଓ ରାବଣ ସବଂଶରେ ନିହତ ହେବ ବୋଲି ସୀତାଦେବୀଙ୍କୁ କହି ତାଙ୍କୁ ଆଶ୍ବାସନା ଦେଲେ । ସୀତାଦେବୀଙ୍କଠାରୁ ବିଦାୟ ନେଇ ଆସିଲାବେଳେ ହନୁମାନ ମହାକ୍ରୋଧରେ ରାବଣର ମୂଲ୍ଯବାନ୍ ମଧୁବନ ତୋଟାକୁ ଭାଙ୍ଗି ପକେଇଲେ । ହନୁମାନ ରାବଣର ସାତଜଣ ସେନାପତିଙ୍କୁ ବଧକରି ପୁଣି ରାବଣର ପଞ୍ଚସେନାପତିଙ୍କୁ ଅକ୍ଳେଶରେ ବଧ କଲେ । ଏହା ପରେ ହନୁମାନ ମନ୍ଦୋଦରୀସୁତ ଅକ୍ଷୟକୁମାରକୁ ବଧ କରନ୍ତେ ରାବଣ ପୁତ୍ର ଇନ୍ଦ୍ରଜିତ୍ ଆସି ବ୍ରହ୍ମଅସ୍ତ୍ର ପ୍ରୟୋଗ କରି ହନୁମାନଙ୍କୁ ବନ୍ଦୀ କରିନେଲେ ।
ବନ୍ଦୀ ହନୁମାନଙ୍କୁ ରାବଣ ସମ୍ମୁଖକୁ ନିଆଗଲା । ସେଠାରେ ହନୁମାନ ଓ ରାବଣ ମଧ୍ଯରେ ବହୁ ଯୁକ୍ତିତର୍କ ଲାଗିଲା । ହନୁମାନ କ୍ରୋଧାନ୍ବିତ ହୋଇ ନିଜକୁ ବନ୍ଧନରୁ ମୁକ୍ତ କରି ଲଡଙ୍କାଗଡଯାକ ପୋଡି ଭସ୍ମ କରିଦେଲେ । ଏହା ପରେ ହନୁମାନ ସମୁଦ୍ର ଡେଇଁ ଶ୍ରୀରାମଙ୍କ ପାଖରେ ପହଞ୍ଚିଲେ ଓ ସୀତାଙ୍କୁ ଠାବ କରିଛନ୍ତି ବୋଲି ଜଣାଇଲେ । ସୁଗ୍ରୀବ ସମେତ ବାନରସେନାଙ୍କୁ ସଙ୍ଗରେ ଘେନି ଶ୍ରୀରାମ ସମୁଦ୍ର ତୀରରେ ପହଞ୍ଚିଲେ ଓ ବାଟ ଛାଡିଦେବା ପାଇଁ ସମୁଦ୍ରକୁ କହିଲେ । ବାଟ ନ ମିଳିବାରୁ ଶ୍ରୀରାମ କ୍ରୋଧାନ୍ବିତ ହୋଇ ସମୁଦ୍ର ପ୍ରତି ଶର ପ୍ରୟୋଗ କରିବାକୁ ବସନ୍ତେ ସମୁଦ୍ର ଦେବତା ବରୁଣ ଶ୍ରୀରାମଙ୍କ ସମ୍ମୁଖରେ ଉପସ୍ଥିତ ହୋଇ ସ୍ତୁତିଦ୍ବାରା ଶ୍ରୀରାମଙ୍କ କ୍ରୋଧ ଶାନ୍ତ କଲେ । ଶ୍ରୀରାମକୁ ବରୁଣ କହିଲେ--ବିଶ୍ଵକର୍ମାଙ୍କ ପୁତ୍ର ବାନର ନଳ ସମୁଦ୍ର ମଧ୍ଯରେ ସେତୁବନ୍ଧ ବାନ୍ଧନ୍ତୁ । ସେହି ବନ୍ଧରେ ଆପଣ ସସୈନ୍ଯ ଲଙ୍କାଗଡକୁ ଯାଇପାରିବେ ।
ସମୁଦ୍ର ମଧ୍ଯରେ ନଳ ସେତୁବନ୍ଧ ବାନ୍ଧି ଦିଅନ୍ତେ କପି ଓ ଭଲ୍ଲୁକ ସୈନ୍ଯମାନଙ୍କୁ ନେଇ ଶ୍ରୀରାମ ସେହିବାଟେ ଯାଇ ଲଙ୍କାଗଡରେ ଥିବା ସୁବଳଗିରିରେ ଶିବିର ପକାଇଲେ ଓ ଲଙ୍କାଗଡକୁ ଅବରୋଧ କରି ରହିଲେ । ରାବଣ ଯୁଦ୍ଧ କରିବାକୁ ଆସି ସବଂଶରେ ଶ୍ରୀରାମଙ୍କ ହାତରେ ମଲା । ସୀତାଦେବୀଙ୍କୁ ଶ୍ରୀରାମଙ୍କ ସମ୍ମୁଖକୁ ଅଣାଗଲା ପରେ ଶ୍ରୀରାମ ସୀତାଦେବୀଙ୍କ ପବିତ୍ରତାରେ ସନ୍ଦେହ ପୋଷଣ କରି ତାଙ୍କୁ ଗ୍ରହଣ କରିବେ ନାହିଁ ବୋଲି ପ୍ରକାଶ କଲେ । ଏହା ଶୁଣି ସୀତାଦେବୀ ଅଗ୍ନି ଜଳାଇ ତାହା ମଧ୍ଯରେ ପ୍ରବେଶ କଲେ । ଅଗ୍ନିର ଲେଲିହାନ ଜିହ୍ନା ମଧ୍ୟରେ ସୀତାଦେବୀ ପୋଡିନଯାଇ ଅଧିକ ଉଜ୍ଜ୍ବଳ ଦେଖାଗଲେ । ଏତିକିବେଳେ ସ୍ବୟଂ ଅଗ୍ନିଦେବତା ଅଗ୍ନି ମଧ୍ଯରୁ ସ୍ବରୂପରେ ବାହାରି ଶ୍ରୀରାମଙ୍କୁ କହିଲେ--ସୀତାଦେବୀ ସମ୍ପୂର୍ଣ୍ଣ ନିଷ୍କଳଙ୍କ ଓ ପଵିତ୍ର ଚରିତ୍ରା । ଏହା କହି ଅଗ୍ନିଦେଵତା ଅନ୍ତର୍ହିତ ହୋଇଗଲେ ଓ ଶ୍ରୀରାମ ସେଠାରେ ଥିବା ସମସ୍ତଙ୍କ ସମ୍ମୁଖରେ ସୀତାଦେବୀଙ୍କୁ ଗ୍ରହଣ କଲେ । ରାମଙ୍କ ଆଜ୍ଞା ପାଇ ଇନ୍ଦ୍ର ଅମୃତ ବର୍ଷଣ କରିବାକୁ ରାମ-ରାବଣ ଯୁଦ୍ଧରେ ମୃତ ସକଳ ବାନର ଓ ଭଲ୍ଲୁକ ବଞ୍ଚିଉଠିଲେ । ଏହା ପରେ ଶ୍ରୀରାମ ବିଭୀଷଣଙ୍କୁ ଲଙ୍କାରାଜ୍ଯର ରାଜା କରାଇଲେ ।
ସୁଗ୍ରୀବ,ବିଭୀଷଣ,ଅଙ୍ଗଦ ଓ ହନୁମାନ ପ୍ରମୁଖଙ୍କୁ ସଙ୍ଗରେ ନେଇ ଶ୍ରୀରାମ ପୁଷ୍ପକ ଯାନରେ ବସି ଅଯୋଧ୍ୟା ଅଭିମୁଖେ ଯାତ୍ରା କରୁକରୁ ପଥ ମଧ୍ୟରେ ଭରଦ୍ବାଜମୁନିଙ୍କ ଆଶ୍ରମରେ ଓହ୍ଲାଇ ସେହି ମୁନିଙ୍କର ଆତିଥ୍ୟ ଗ୍ରହଣ କଲେ । ଶ୍ରୀରାମଙ୍କ ଆଦେଶରେ ହନୁମାନ ନନ୍ଦୀଗ୍ରାମକୁ ଯାଇ ଭରତଙ୍କୁ ଜଣାଇଲେ ଯେ ଶ୍ରୀରାମ ଏଠାରେ ପହଞ୍ଚିବା ପାଇଁ ପୁଷ୍ପକ ରଥରେ ଆସୁଛନ୍ତି ।ବିଭୀଷଣ, ସୁଗ୍ରୀବ, ଅଙ୍ଗଦ ଓ ହନୁମାନ ପ୍ରମୁଖ ସଙ୍ଗରେ ଘେନି ଶ୍ରୀରାମ ପୁଷ୍ପକ ରଥରେ ବସି ନନ୍ଦୀଗ୍ରାମରେ ପହଞ୍ଚିଲେ ଓ ଭରତ ଶ୍ରୀରାହଙ୍କ ପାଦୁକାକୁ ମୁଣ୍ଡ ଉପରେ ରଖି ତାଙ୍କ ଆଡକୁ ଆସୁଥିବାର ଦେଖିଲେ । ଏହାପରେ ଶ୍ରୀରାମ ବକ୍କଳ ବସନ ଓ ଜଟା ଆଦି ପରିତ୍ଯାଗ କରି ରାଜକୀୟ ବସ୍ତ୍ର ଓ ଅଳଙ୍କାରମାନ ପରିଧାନ କଲେ । ତତ୍ପରେ ସୀତାଦେବୀଙ୍କୁ ନିଜ ପାର୍ଶ୍ଵରେ ବସାଇ ଶ୍ରୀରାମ ଅଯୋଧ୍ୟା ସିଂହାସନରେ ବସିଲେ । ଏହା ଦେଖି ଅଯୋଧ୍ୟାବାସୀ ସକଳ ପ୍ରଜା ଆନନ୍ଦରେ ଉଦ୍ଦେଳିତ ହେଲେ । ଶ୍ରୀରାମ ଶାସ୍ତ୍ରୀୟବିଧି ଅନୁସାରେ ପ୍ରଜାପାଳନ ରାଜ୍ଯଶାସନ କରିବାରେ ଲାଗିଲେ । ଶ୍ରୀରାମଙ୍କ ଶାସନରେ ଅଯୋଧ୍ୟା ରାଜ୍ଯରେ ଚୋର ଉପଦ୍ରବ ନଥିଲା । ରୋଗବ୍ଯାଧି ଓ ଅପମୃତ୍ଯୁ ନଥିଲା । ଯଥାସମୟରେ ରାଜ୍ଯବ୍ଯାପୀ ବର୍ଷା ହେଉଥିଲା । ପ୍ରଚୁର ଶସ୍ଯ ଉତ୍ପନ୍ନ ହେବାରୁ ପ୍ରଜାମାନେ ବିତ୍ତଶାଳୀ ହେଲେ । ବ୍ରାହ୍ମଣମାନେ ନିୟମିତ ବେଦପାଠ ଓ ହୋମ ଆଦି କଲେ । ଶ୍ରୀରାମଙ୍କ ରାଜତ୍ବରେ ରମଣୀମାନେ ସତୀ,ସାଧ୍ବୀ ଓ ପତିପରାୟଣା ହୋଇ ରହିଥିଲେ ଓ ପୁତ୍ରମାନେ ପିତାଙ୍କର ଆଜ୍ଞାଧୀନ ରହିଥିଲେ । ପ୍ରଜାମାନଙ୍କ ଗୃହ ଧନଧାନ୍ୟରେ ପୂରିଉଠିଲା ।
ଶ୍ରୀରାମ ବହୁ ଯାଗଯଜ୍ଞ କଲେ । ବହୁ ଦାନ କଲେ ଓ ବହୁ ସଂଖ୍ଯାରେ ବ୍ରାହ୍ମଣଶାସନ ବସେଇଲେ । ଚତୁର୍ବର୍ଣ୍ଣ ଧର୍ମ ସ୍ଥାପନ କରି ଅବଶେଷରେ ଶ୍ରୀରାମ ବୈକୁଣ୍ଠଧାମକୁ ଫେରିଗଲେ । ଶ୍ରୀରାମଙ୍କ ଚରିତ ଯେଉଁମାନେ ମନଦେଇ ପଢନ୍ତି ବା ଶୁଣନ୍ତି ସେମାନଙ୍କର ଅଶେଷ ମଙ୍ଗଳ ଘଟେ । ସେମାନଙ୍କର ଆୟୁଷ ବଢେ । ଅନ୍ତକାଳରେ ସେମାନେ ବୈକୁଣ୍ଠରେ ସ୍ଥାନ ପାଆନ୍ତି । ଦେବର୍ଷି ନାରଦଙ୍କଠାରୁ ଯଥାଯୋଗ୍ଯ ଉତ୍ତର ପାଇ ମହର୍ଷି ବାଲ୍ମୀକିଙ୍କ ମନରେ ପରମଶାନ୍ତି ଖେଳିଗଲା । ଦେବର୍ଷିଙ୍କ ପ୍ରତି ବିପୁଳ ଭାବରେ କୃତଜ୍ଞ ହୋଇ ମହର୍ଷି ବାଲ୍ମୀକି ଦେବର୍ଷି ନାରଦଙ୍କୁ ପୁନର୍ବାର ହୃଦୟ ଦେଇ ପୂଜା କରିବାରେ ଲାଗିଲେ । ବାଲ୍ମୀକିଙ୍କଠାରୁ ଏଭଳି ହୃଦୟଭରା ପୂଜା ପାଇ ଦେଵର୍ଷି ନାରଦ ପରମସନ୍ତୋଷ ଲାଭ କଲେ ଓ ମହର୍ଷି ବାଲ୍ମୀକିଙ୍କଠାରୁ ଯଥାବିହିତ ଭାବରେ ବିଦାୟ ନେଲେ ଏବଂ ମନଯାନରେ ବସି ଶୂନ୍ୟମାର୍ଗରେ ସ୍ବଧାମକୁ ଫେରିଗଲେ ।

*ସଂଗ୍ରହକାରୀ--ନରେନ୍ଦ୍ର ପ୍ରସାଦ ବେହେରା, ଆଳଦା, ଖଇରା,ବାଲେଶ୍ଵର, ମୋ--୯୮୫୩୧୪୨୫୧୦*


ରଚନା : ନରେନ୍ଦ୍ର ପ୍ରସାଦ ବେହେରା

ଠିକଣା : ଆଳଦା, ଖଇରା,ବାଲେଶ୍ଵର ଦୂରଭାଷ : ୯୮୫୩୧୪୨୫୧୦


Post a Comment

0 Comments