Ad

header ads

ପୁରାଣ କଥା - ସନ୍ନ୍ୟାସୀରୂପୀ ବ୍ରହ୍ମା ଓ ନାରଦ ଦସ୍ୟୁ ରତ୍ନାକରକୁ କ'ଣ ଶୁଣାଇଲେ - ନରେନ୍ଦ୍ର ପ୍ରସାଦ ବେହେରା

*ରାମାୟଣରୁ କିଛି.....୬୬*

*ସନ୍ନ୍ଯାସୀରୂପୀ ବ୍ରହ୍ମା ଓ ନାରଦ ଦସ୍ଯୁ ରତ୍ନାକରକୁ କ'ଣ ସବୁ ଶୁଣାଇଲେ*

ଘୋର ଅରଣ୍ଯ ବହୁଯୋଜନ ଧରି ବ୍ଯାପୀ ରହିଛି । ଏହି ନିର୍ଜନ ଅରଣ୍ଯ ମଧ୍ଯରେ କାଉର ଥଣ୍ଟ ନାହିଁ କି କୋଇଲିର ବେଣ୍ଟ ନାହିଁ । ଏହି ପଶୁପକ୍ଷୀହୀନ , ଜନମାନବ ଶୂନ୍ୟ ନିଘଞ୍ଚ ଅରଣ୍ଯାନୀ ମଧ୍ଯରେ ଦସ୍ଯୁ ରତ୍ନାକର ନିଜ ହାତରେ ଗୋଟାଏ ଲୁହାଠେଙ୍ଗା ଧରି ବୃକ୍ଷ ଉହାଡରେ ଲୁଚି ବସିଛି । ସବୁଦିନେ ସେ ଏହିପରି ଏହି ଅରଣ୍ଯ ମଧ୍ଯରେ ଵୃକ୍ଷ ଅନ୍ତରାଳରେ ଲୁଚି ବସିଥାଏ । ସେହି ବାଟେ ପଥିକଟିଏ ଆସୁଥିବାର ଦେଖିଲେ ଵୃକ୍ଷ ଉହାଡ଼ରୁ ବାହାରିଆସି ପଥିକର ମୁଣ୍ଡକୁ ଲୁହା ଠେଙ୍ଗାରେ ଦିଏ ଏକ ଶକ୍ତ ପ୍ରହାର । ଗୋଟିଏ ପ୍ରହାରରେ ପଥିକ ପ୍ରାଣହରାଇ ଭୂଇଁରେ ପଡିଯାଏ । ଦସ୍ଯୁ ରତ୍ନାକର ସେହି ପଥିକର ସର୍ବସ୍ବ ଅପହରଣ କରି ସମସ୍ତ ଧନ ନିଜ ଘରକୁ ନେଇଯାଏ । ପଥିକ ବ୍ରାହ୍ମଣ କି ବ୍ରହ୍ମଚାରୀ ,ସାଧୁ କି ସନ୍ଯାସୀ ସେ ବିଚାର ଦସ୍ଯୁ ରତ୍ନାକର କେବେହେଲେ କରେ ନାହିଁ । ପଥିକ ଯେ କେହି ହେଉ,ଦସ୍ଯୁ ରତ୍ନାକର ତା'ର ପ୍ରାଣ ନେଇ ସର୍ବସ୍ବ ଲୁଣ୍ଠନ କରେ । ପଥିକର ସମସ୍ତ ଧନ ଅପହରଣ କରି ସେହିସବୁ ଧନ ରତ୍ନାକର ନିଜ ଘରକୁ ନିଏ । ଘରେ ତା'ର ବୃଦ୍ଧ ପିତା ଚ୍ଯବନ ଋଷି , ବୃଦ୍ଧା ମାତା,ପ୍ରିୟତମା ପତ୍ନୀ ଓ ସନ୍ତାନସନ୍ତତି । ରତ୍ନାକର ଋଷିପୁତ୍ର ହେଲେ ମଧ୍ଯ ଦସ୍ଯୁବୃତ୍ତିକୁ ଅର୍ଥାଗମର ସହଜପନ୍ଥା ମନେକରି ନିର୍ଜନ ବନପଥରେ ନରସଂହାର କରି ଅପହୃତ ଧନରେ ନିଜର ପିତାମାତା , ପ୍ରିୟତମା ପତ୍ନୀ ଓ ସନ୍ତାନସନ୍ତତି ମାନଙ୍କୁ ପ୍ରତିପାଳନ କରେ । ନିତ୍ଯ ଅରଣ୍ଯପଥକୁ ଯାଇ ପଥିକମାନଙ୍କ ଉଦ୍ଦେଶ୍ୟରେ ଲୁଚିବସିବା ଓ ପଥିଟକୁ ଦେଖିବାମାତ୍ରେ ଲୁହା ଠେଙ୍ଗାରେ ତା'ର ପ୍ରାଣନାଶ କରି ତା'ର ସର୍ବସ୍ବ ଅପହରଣ କରିବାକୁ ଦସ୍ଯୁ ରତ୍ନାକର ନିଜର ଏକମାତ୍ର ପେଶା ଭାବରେ ଗ୍ରହଣ କରିଥାଏ । ଆଜି ମଧ୍ଯ ସେ ପଥିକଟିଏ ପାଇବା ଉଦ୍ଦେଶ୍ୟରେ ଏକ ବୃକ୍ଷ ଉହାଡରେ ଲୁଚିବସିଛି ।
କିନ୍ତୁ ଆଜି ଦସ୍ଯୁ ରତ୍ନାକର ମନରେ କୌଣସି ସୁଖ ନାହିଁ । ପଥିକଟିଏ ପାଇବା ପାଇଁ ସେ ସକାଳ ପହରରୁ ଆସି ଦିନ ଅବସାନ ହେବାକୁ ବସିଲାଣି, ଅଥଚ ଗୋଟିଏ ହେଲେ ପଥିକ ଆସିବାର ସେ ଦେଖିଲା ନାହିଁ । ଦିନ ଆସି ଦଶଘଡି ହେଲାଣି । ରତ୍ନାକର ବଡ଼ ଛଟପଟ ଅନୁଭବ କଲା । ଆଜି କ'ଣ ସେ ଖାଲିହାତରେ ଘରକୂ ଫେରିଯିବ ? ରତ୍ନାକର ମନେମନେ ମହାବ୍ଯସ୍ତ ହେଲା । ଲୁଚିବାସ୍ଥାନରୁ ବାହାରିଆସି ବଣସାରା ଇତସ୍ତତଃ ଦୃଷ୍ଟି ପକେଇଲା । କାହିଁ ? କେହିତ କୋଉଠି ଆସିବାର ଦେଖାନାହିଁ । ରତ୍ନାକର ଉଚ୍ଚ ଉଚ୍ଚ ବୃକ୍ଷ ଶିଖରକୁ ଉଠି ଚତୁର୍ଦ୍ଦିଗକୁ ନିଘା କଲା । ଖୁବ୍ ଦୂରକୁ ନିଘା କଲା । କିନ୍ତୁ କୌଣସିଠାରେ କାହାକୁ ଦେଖିଲା ନାହିଁ । ବ୍ଯସ୍ତହୋଇ ରତ୍ନାକର ବୃକ୍ଷ ଶିଖରରୁ ତଳକୁ ଓହ୍ଲାଇ ଆସିଲା । ମନକଷ୍ଟରେ ବସି ରହିଲା । ରତ୍ନାକର ପୁଣି ବୃକ୍ଷ ଶିଖରକୁ ଉଠିଲା । ପୁଣି ତଳକୁ ଓହ୍ଲେଇଲା । ନୈରାଶ୍ୟ ଜର୍ଜରିତ ହୋଇ ସେ ଭାବିଲା ଆଜି ଦିନଟା ମୋର ନିଷ୍ଫଳାରେ ଗଲା । ବେଳ ତ ଅବସାନ ହେବାକୁ ବସିଲାଣି । ଦିନ ଆସି ଦଶଘଡି ହେଲାଣି । ଏତେବେଳେ ବା କିଏ ଅରଣ୍ଯ ପଥରେ ଆସିଵ ? ଯାଏଁ ; ବୃକ୍ଷ ଉପରକୁ ଉଠି ଆଉ ଟିକିଏ ଲକ୍ଷ୍ୟ କରେ । ଆଜି ପାଇଁ ଏହି ହେବ ମୋର ଶେଷ ଚେଷ୍ଟା । ଏହିପରି ଭାବି ରତ୍ନାକର ଗୋଟିଏ ନଭଶ୍ଚୁମ୍ଭୀ ଅତ୍ଯୁଚ୍ଚ ବୃକ୍ଷ ଶିଖରକୁ ଉଠିଲା ଓ ବହୁ ଦୂରକୁ ଲକ୍ଷ୍ୟକଲା । ରତ୍ନାକର ଦେଖିଲା ବହୁଦୂରରୁ ଦୁଇଜଣ ସନ୍ଯାସୀ ଏହି ଅରଣ୍ଯଆଡକୁ ଆସୁଛନ୍ତି । ଏ ସୁଯୋଗ ଆଉ ଛାଡିବାର ନୁହେଁ । ରତ୍ନାକର ପତ୍ରଗହଳ ମଧ୍ଯରେ ଲୁଚିରହି ସେହି ଦିଗକୁ ଲକ୍ଷ୍ୟ ରଖିଥାଏ । ସନ୍ଯାସୀ ଦି'ଜଣ କ୍ରମେ ନିକଟବର୍ତ୍ତୀ ହୋଇଆସିବାରୁ ରତ୍ନାକର ବୃକ୍ଷରୁ ତଳକୁ ଓହ୍ଲାଇଆସି ବୃକ୍ଷ ଉହାଡରେ ଲୁଚିବସିଲା । ହାତରେ ତା'ର ଶକ୍ତ ଲୁହା ଠେଙ୍ଗା ।
ଏହି ସମୟରେ ସନ୍ଯାସୀବେଶୀ ବ୍ରହ୍ମା ଓ ନାରଦ ସେହି ପଥରେ ଉପସ୍ଥିତ ହୁଅନ୍ତେ ରତ୍ନାକର ନିଜ ଲୁଚିବା ସ୍ଥାନରୁ ବାହାରିଆସି ସନ୍ଯାସୀରୂପୀ ବ୍ରହ୍ମାଙ୍କ ମୁଣ୍ଡକୁ ପକେଇଲା ଏକ ଶକ୍ତ ପ୍ରହାର । କିନ୍ତୁ ବ୍ରହ୍ମା ମାୟା ସୃଷ୍ଟିକରି ସେହି ପ୍ରହାରକୁ ଏଡାଇଦେଲେ । ରତ୍ନାକରକୁ ବ୍ରହ୍ମା କହିଲେ--ଆମେ ଦି'ଜଣ ତ ନିରୀହ ପଥିକ । ପୁଣି ସନ୍ଯାସୀ । ଆମକୁ କାହିଁକି ତୁ ବାଟ ଓଗାଳୁଛୁ ? ଏହା ଶୁଣି ରତ୍ନାକର କହିଲା--ମୋର ତ ଇଏ ପେଶା । ମୁଁ ସବୁଦିନେ ପଥିକମାନଙ୍କୁ ହତ୍ଯାକରି ସେମାନଙ୍କ ଧନସବୁ ନେଇଯାଏ । ଆଉ ସେଇ ଧନରେ ମୁଁ ମୋ କୁଟୁମ୍ବ ପ୍ରତିପୋଷଣ କରେ । ତେଣୁ ତୁମ ଦୁଇଜଣଙ୍କୂ ମୁଁ ଏହି ଲୁହା ଠେଙ୍ଗାରେ ବଧକରି ତୁମ ପାଖରେ ଯାହାକିଛି ଧନ ଅଛି ସେସବୁକୁ ମୁଁ ଲୁଣ୍ଠନ କରିବି । ବ୍ରହ୍ମା କହିଲେ--ଆରେ, ଏ ଧନ ନେଇ ତୁ କ'ଣ କରିବୁ ? ରତ୍ନାକର କହିଲା--ମୋ ଉପରେ ମୋର ପିତାମାତା ଓ ସ୍ତ୍ରୀ ସନ୍ତାନ ଅଛନ୍ତି । ଏହି ଧନସବୁ ଲୁଣ୍ଠନ କରିନେଇ ସେଥିରେ ସେମାନଙ୍କୁ ପ୍ରତିପୋଷଣ କରିବି । ଏହା କହି ରତ୍ନାକର ବ୍ରହ୍ମାଙ୍କୁ ଵଧ କରିବ ବୋଲି ଲୁହାଠେଙ୍ଗା ଉଞ୍ଚେଇଲା । ଏହା ଦେଖି ନାରଦ କହିଲେ--ରେ ମୂଢ , ଟିକିଏ ରହିଯା । ମୁଁ ଯାହା କହୁଛି ଧୈର୍ଯ୍ଯଧରି ମୋ କଥା ଟିକିଏ ଶୁଣ୍ । ମୁଁ ଯାହା କହୁଐ ସେସବୁ ବେଦଶାସ୍ତ୍ରରେ ଲେଖାଅଛି । ଶହେ ଶତ୍ରୁ ନାଶ କଲେ ଯେତେ ପାପ ହୁଏ ଗୋଟିଏ ଗୋରୁ ହତ୍ଯାକଲେ ସେତିକି ପାପ ହୁଏ । ଶହେଟି ଗୋରୁ ହତ୍ଯାକଲେ ଯେତେ ପାପ ହୁଏ,ଗୋଟିଏ ନାରୀ ବଧ କଲେ ସେତିକି ପାପ ହୁଏ । ଶହେ ନାରୀହତ୍ଯା କଲେ ଯେତେ ପାପ ହୁଏ ,ଗୋଟିଏ ବ୍ରାହ୍ମଣ ବଧ କଲେ ସେତିକି ପାପ ହୁଏ । ଶହେଟି ବ୍ରାହ୍ମଣ ବଧ କଲେ ଯେତେ ପାପ ହୁଏ , ଜଣେ ବ୍ରହ୍ମଚାରୀଙ୍କି ହତ୍ଯାକଲେ ସେତିକି ପାପ ହୁଏ । ହଁ , ଆଉ ଗୋଟିଏ କଥା ମୋଠୁଁ ଶୁଣିଥା । ଯେଉଁ ସ୍ଥାନରେ ସନ୍ଯାସୀର ପାଦ ପଡିଥାଏ,ଆଡଦୀର୍ଘରେ ଚାରିକୋଶ ଯାଏ ତାହା ହେଉଛି କାଶୀକ୍ଷେତ୍ର । ଆମେ ହେଉଛୁ ବ୍ରହ୍ମଚାରୀ । ତୁ କିପରି ବ୍ରହ୍ମଚାରୀ ବଧ କରିବୁ ? ଏଭଳି ଅନ୍ଯାୟ କାର୍ଯ୍ୟ ତୁ କିପରି କରିବୁ ?
ନାରଦଙ୍କ କଥା ଶୁଣି ରତ୍ନାକର କହିଲା--ଏମିତି ଗୁଡାଏ ଶାସ୍ତ୍ର କହିବା ତ ସନ୍ଯାସୀମାନଙ୍କର ଅଭ୍ଯାସ । ମୋତେ ସେଥିରୁ କ'ଣ ମିଳିବ ? ଆଉ ମୁଁ ଅପେକ୍ଷା କରିପାରିବି ନାହିଁ । ବେଳ ବୁଡିବାକୁ ବସିଲାଣି । ଏହି ମୁହୂର୍ତ୍ତରେ ମୁଁ ତୁମକୁ ବଧକରି ତୁମର ସର୍ବସ୍ବ ଅପହରଣ କରିବି । ଏହା ଶୁଣି ବ୍ରହ୍ମା କହିଲେ--ରେ ଦସ୍ଯୁ, ତୁ ଯେ ନିତିନିତି ମହାମହା ପାପକରି ଧନ ନେଇ କୁଟୁମ୍ଵ ପୋଷୁଛୁ ସେ ପାପ ଏକା ତୋ'ରି ନା ସେହି ପାପ ଧନରେ ଚଳୁଥିବା ତୋ'ର ପିତାମାତା , ସ୍ତ୍ରୀ ସନ୍ତାନଙ୍କର ସେହି ପାପରେ ଭାଗ ଅଛି ? ଏହା ଶୁଣି ରତ୍ନାକର କହିଲା-- ମୁଁ ପାପ କରି ଧନ ଅର୍ଜନ କରି ଆଣୁଛି ସେହି ପାପଧନ ଖାଇ ମୋ ପିତାମାତା, ସ୍ତ୍ରୀ ସନ୍ତାନ ଚଳୁଥିବାରୁ ସେମାନଙ୍କର ମଧ୍ଯ ଏହି ପାପରେ ଭାଗ ଅଛି । ଏହା ଶୁଣି ବ୍ରହ୍ମା କହିଲେ-- ଏ କଥା ତୁ କହୁଛୁ ନା ତୋ' ପରିବାରରେ ସମସ୍ତେ କହୁଛନ୍ତି ? ଆଗ ଯାଇ ସେମାନଙ୍କୁ ପଚାରି ଏକଥା ବୁଝିଆ । ଏହା ଶୁଣି ରତ୍ନାକର କହିଲା-- ଆରେ ମୁଁ ଦେଖୁଛି ତମେ ଦି'ଟା ମହାଠକ ବାବାଜି । ମୁଁ ଘରକୁ ଗଲାମାତ୍ରେ ଦି'ଟା ଏଠୁ ଖସି ପଳେଇଵ । ନାଇଁ ନାଇଁ ସେକଥା ହେଵ ନାହିଁ । ମୋତେ ଏଡେ ଓଲୁ ବୋଲି ଭାବ ନାହିଁ ।
ଏ କଥା ଶୁଣି ନାରଦ କହିଲେ--ରେ ଦସ୍ଯୁ ! ଆମେ ସତ୍ଯ କରୁଛୁ ତୋତେ ନକହି ଆମେ ଏଠୁ ପାଦେମାତ୍ର ଘୁଞ୍ଚିବୁ ନାହିଁ । ତୁ ଶୀଘ୍ର ଯାଇ ତୋ ପରିବାରର ପ୍ରତ୍ଯେକଙ୍କୁ ପଚାରି ସବୁ କଥା ସେମାନଙ୍କଠାରୁ ବୁଝିଆସି ଆମକୁ କହ । ତୋ ' ଉପରେ ପାପର ବୋଝ ଗଦାମାରି ରହିଲାଣି । ତୋ ହିତଦୃଷ୍ଟିରୁ ଘରକୁ ଯାଇ ସବୁକଥା ବୁଝିଆସି ଆମକୁ କହ । ଆମେ ଏହିଠାରେ ତୋତେ ଅପେକ୍ଷା କରି ରହିଅଛୁ । ତୁ ଏଠାକୁ ଫେରିବା ଯାଏ ଆମେ ଏହିଠାରେ ଥିବୁ । ଏହା ଆମର ସତ୍ଯ,ସତ୍ଯ, ସତ୍ଯ । ରତ୍ନାକର କେଜାଣି କେମିତି ସେହି ଦୁହିଁଙ୍କ ଉପରେ କିଞ୍ଚିତ ବିଶ୍ବାସ ଆସିଲା । ସେମାନଙ୍କ କଥା ଅନୁସାରେ ପିଲା କୁଟୁମ୍ବଙ୍କୁ ପଚାରିବା ପାଇଁ ସେ ନିଜ ଘରକୁ ଗଲା । ସନ୍ଯାସୀରୂପୀ ବ୍ରହ୍ମା ଓ ନାରଦ ତା' ଫେରିବା ପଥକୁ ଚାହିଁ ସେହିଠାରେ ଅପେକ୍ଷା କରି ରହିଲେ । ରତ୍ନାକର ଧୀରେଧୀରେ ଯାଇ ନିଜ ଘରେ ପହଞ୍ଚିଥିଲା ।
କ୍ରମଶଃ........

*ସଂଗ୍ରହକାରୀ--ନରେନ୍ଦ୍ର ପ୍ରସାଦ ବେହେରା, ଆଳଦା, ଖଇରା,ବାଲେଶ୍ଵର, ମୋ--୯୮୫୩୧୪୨୫୧୦*


ରଚନା : ନରେନ୍ଦ୍ର ପ୍ରସାଦ ବେହେରା

ଠିକଣା : ଆଳଦା, ଖଇରା,ବାଲେଶ୍ଵର ଦୂରଭାଷ : ୯୮୫୩୧୪୨୫୧୦


Post a Comment

0 Comments