Ad

header ads

ପୁରାଣ କଥା - ତାରକାଅସୁର ବଧ - ନରେନ୍ଦ୍ର ପ୍ରସାଦ ବେହେରା

*ତରକାଅସୁର ବଧ*


ସୁଧର୍ମା ମଣ୍ଡପ ଉପରେ ଷଡବଦନକୁ ବସାଇ ତାରକାଅସୁର କଥା କହିଲେ ସୁରପତି । ତାହା ଶୁଣି ଷଡାନନ ରାଗିଯାଇ କହିଲା ମୁଁ ତାରକାଅସୁରକୁ ମାରିବି । ତାଙ୍କର ପ୍ରତିଜ୍ଞା ଶୁଣି ବ୍ରହ୍ମା ଖୁସି ହୋଇ ଯଶୋବନ୍ତ ପୁରରେ ପହଞ୍ଚି ଇନ୍ଦ୍ର ଆଦି ଦେବତାଙ୍କ ଆଗରେ କହିଲେ ଏଥର ଆମ୍ଭର ଦୁଃଖ ଦୂର ହେବ । ଏହାଶୁଣି ଦେବଗଣ ଆନନ୍ଦ ହୁଅନ୍ତେ ମଧ୍ଯଭୁବନରେ ନାରଦ ପହଞ୍ଚିଲେ । ମଧ୍ଯଭୁବନର ଶୋଭାଦେଖି ଆନ୍ଦିତ ହେଲେ । ଠିକ୍ ଏହି ସମୟରେ ଧାତାସୁତ ପ୍ରବେଶ କଲେ । ଦୂତ ଦେଖିବାକ୍ଷଣି ଆସନରୁ ଉଠି ଚରଣ ଧୋଇ ଦିବ୍ଯ ସିଂହାସନରେ ବସାଇଲେ । କଲ୍ଯାଣ କରି ମୁନି ପଚାରିଲେ ସବୁ କୁଶଳ ତ । ଅସୁର କହିଲା ମୋର ସବୁ କୁଶଳ । ଆପଣ କେଉଁଠାରୁ ଆସିଲେ ଆଉ କି କାର୍ଯ୍ଯ ଅଛି ମୋଠାରେ କୁହନ୍ତୁ ମୁନିବର । ଆପଣଙ୍କ ଆଗମନ ହେତୁ କୁଳଗୋତ୍ର ବଂଶ ମୋର ଆଜି ପବିତ୍ର ହେଲା । ଏବଚନ ଶୁଣି ନାରଦମୁନି ଖୁସିହୋଇ କହିଲେ ଆମ୍ଭେ ସ୍ବର୍ଗରୁ ଆସିଲୁ କିଛି ସମ୍ବାଦ ଶୁଣିକରି । ସଦାଶିବଙ୍କର ପୁତ୍ର ଷଡାନନ । ଆଶ୍ବିନ ମାସ ପୂର୍ଣ୍ଣିମା ଦିନ ତାଙ୍କର ଜନ୍ମ । ବିଧାତା ଆଦି ଦେବତାମାନେ ଯାଇ ଦେବସେନାପତି ଶାଢୀ ସେ ପୁତ୍ରକୁ ଦେଲେ । ସୁଧର୍ମା ସଭାରେ ଆଣି ତାଙ୍କୁ ବସାଇ ଅନେକ ଭବ୍ଯ ଉତ୍ସବ କଲେ । ବଜ୍ରପାଣି ବିଚିତ୍ର ମୟୂର ତାଙ୍କୁ ଦେଲେ । ବ୍ରହ୍ମା ନିଜେ ତାଙ୍କୁ ଏକ ମହାଶକ୍ତି ସମର୍ପଣ କଲେ । ସେ ଶକ୍ତିକୁ ଧରି ପ୍ରତିଜ୍ଞା କରି କହିଲେ ତୁମ୍ଭର ଶତ୍ରୁ ନାଶ କରିବେ ବୋଲି ।
ଏହାଶୁଣି ଶଚୀପତି କହିଲେ ତାରକାଅସୁର ଥିଲେ କେବେ କେହି ବର୍ତ୍ତିବେ ନାହିଁ । ସେ ତିନିପୁର ଲୋକଙ୍କୁ କଷ୍ଟଦେଇ ସବୁ ସାର ଦ୍ରବ୍ଯକୁ ଆପଣାର କରିନେଲା । ବ୍ରହ୍ମାବର ପ୍ରସାଦରୁ ଆରମ୍ଭକରି ତିନିପୁର ଯାକ ଜିଣି ସ୍ବର୍ଗପୁରରୁ ସବୁ ସାର ଦ୍ରବ୍ଯ ବୋହିନେଇଗଲା । ଆମ୍ଭଙ୍କୁ ନେଇ ତା ପାଦସେବା କରାଇଲା । ଶୋକଭରା ହୋଇ ଦିଗପାଳଙ୍କ ସହିତ ସବୁ ଦେବଗଣ ବିକଳରେ କହିଲେ । ପୃଥ୍ବୀଦେବୀ ଦୁଇ ହାତ ଯୋଡି କହିଲେ ମୁଁ ଆଉ ଏ ଅସୁରଙ୍କ ଭାରା ସମ୍ଭାଳି ପାରୁନାହିଁ । ଏହାଶୁଣି ଷଡାନନ ରାଗରେ କହିଲେ ତାରକାଅସୁରକୁ ନିଶ୍ଚେ ମୁଁ ବଧ କରିବି । ମୋର ବାହୁବଳେ ତା'ର ସକଳ ସୈନ୍ୟମାନଙ୍କୁ ବିନାଶ କରିବି । ଏକଥା ଶୁଣି ଆମ୍ଭେ(ନାରଦ) ତୋତେ(ତାରକାଅସୁର) କହିବାକୁ ଆସିଛୁ । ତୋଠାରେ ମୋର ଅନେକ ବିଶ୍ବାସ ଅଛି ବୋଲି କହିଲି । ଏ କଥାକୁ କେବେ ହେଲେ ହେଳାକରିବୁ ନାହିଁ । ମହାବଳୀ ଅଟେ ସେହି ଈଶରଙ୍କ ପୁତ୍ର । ଦେବକୁଳେ ବଢିକି ବଳବନ୍ତ ହେବ ସେ । ଯଦି ପାରୁଛ କୂଟକରି ମାରିଦିଅ । ଯିଏ ହେଳାକରି ଋଣ ରଖେ,ଅଳ୍ପ ରୋଗରେ ଯିଏ ଔଷଧ ନଖାଏ,ଶତ୍ରୁକୁ ଯିଏ ନ କରେ ନାଶ, ସର୍ପକୁ ଦେଖି ନ କରେ ଭୟ,ଯିଏ ରାଜ ଦ୍ରବ୍ଯକୁ ଅପବ୍ଯୟ କରେ,ପର ନାରୀକୁ ହରଣ କରିବାକୁ ମନ ବଳାଏ,ପାଣି ସହିତ କ୍ଷୀର ମିଶାଇ ଖାଇବାକୁ ମନବଳାଏ,ରାଜପୁତ୍ର ପରି ଜୁଆ ଖେଳେ,ମୃଢପଣେ ପତିବ୍ରତା ନାରୀକୁ ଯିଏ ମାରେ,ଏଥିରେ ନଥାଏ ଯାହାର ହିତାହିତ ଜ୍ଞାନ ତାହାକୁ ହୁଏ ଅକାଳ ମରଣ । ହେ ଦୈତେଶ୍ବର ,ତୁ ଅବା କ'ଣ ନଜାଣୁ । ଏକଥାକୁ ଭାବି ନିଜ ମନରେ ବିଚାର କର । ଏତିକି କହି ମୁନିବର ଅନ୍ତର୍ଦ୍ଧାନ ହେଲେ।
ନାରଦଙ୍କ କଥାଶୁଣି ଦାନବର ମନ ଉଚ୍ଚାଟ ହେଲା । ମନେ ମନେ ବିଚାର କଲା କାଲି ଯାଇ ମୁଁ ଶତ୍ରୁକୁ ସଂହାର କରିବି । ଏହିଭଳି ବିଚାର କରି ବସିଥିବା ସ୍ଥାରୁ ଉଠିପଡି ଅନ୍ତପୁରେ ଯାଇ ପହଞ୍ଚିଲା । ତାଙ୍କ ଦାସୀମାନେ ମଣିମା ମଣିମା କହି ପାଛୋଟି ନେଇ ସୁବାସିତ ଜଳରେ ପୟର ଧୋଇ ଦେଇ ଧିରେ ଧିରେ ବିଜେକଲେ ଦୈତେଶ୍ବର । ଆଞ୍ଜୁଳାଏ ତାମ୍ବୁଳ ଭୋଜନ କରି କରି କେଳିପୁରରେ ପହଞ୍ଚିଲା । ସେଠାରେ ବିଚିତ୍ର ମନ୍ଦିରରେ ଥିବା ବିଚିତ୍ର ପଲଙ୍କକୁ ଦେଖି ନିଃଶଙ୍କରେ ଶୋଇଲା । ବିଭିନ୍ନ ପ୍ରକାର ବେଶ ହୋଇ ନାରୀମାନେ ଜାଗ୍ରତ ରହିଲେ ଚାମର ଓ ପୁଷ୍ପଧରି । କିଏ ଧରିଛି ଝରା ତ କିଏ ଧରିଛି ଦର୍ପଣ । କିଏ କୁଞ୍ଚ ଭାଙ୍ଗୁଛି ପିନ୍ଧା ବସନର ତ କିଏ କାନ୍ଧରେ କାନ୍ଧେଇଛି ଗନ୍ଧ ଧୂପକାଠି,କାହାର ରମଣୀ ଗନ୍ଧପେଟି ଧରିଛି ତ କିଏ ପାଶରେ ବସି ଚରଣ ଚାପୁଛି,ଧିରେ ଧିରେ କେହୁ ଫୁଟାଉଛି ଆଙ୍ଗୁଠି ,କିଏ ସୁନ୍ଦରୀ ଚନ୍ଦନ ଲେପୁଛି । ଏହାପରେ ଯାହା ହେଲା ଶୁଣ ମହାଭାଗ,ନାରୀମାନେ ହୋଇଛନ୍ତି ସେବାରେ ତତ୍ପର । ନିଦ୍ରାବଶରେ ଅଚେତ ହୋଇଛି ଅସୁର ତାରକା । ରାତ୍ର ଦଶ ଘଡିରେ ଉଠି ନୟନରେ ଦେଖେ ପିନ୍ଧିଛି ରକତ ବସନ । କଣ୍ଠରେ ତା'ର ଲମ୍ବିଛି ରଙ୍ଗ ଫୁଲମାଳ । ଦକ୍ଷିଣ ହାତରେ ଧରିଛି ତ୍ରୀଶୂଳ । ସର୍ବାଙ୍ଗରେ ତୈଳ ଜରଜର । ମଇଁଷି ଉପରେ ବସି ଦକ୍ଷିଣ ଦିଗକୁ ଗମନ କରୁଛି । ତା ଆଗେ ଆଗେ କାକ ଶ୍ବାନ ରାବୁଛନ୍ତି । ଏପରି ସ୍ବପ୍ନ ଦେଖି ଉଠିପଡି ନାରଦ କଥା ମନରେ ଭାବିଲା ଅସୁର । ଛିନ୍ନ ଛିନ୍ନ ହେଲା ପ୍ରଖର ନିଶ୍ବାସ । ସତରେ କ'ଣ ଈଶ୍ବର
ସୁତ ଆସି ପ୍ରବେଶ ହେଲା । ଦୂରୁ ଉଲୁକ ରାବକୁ ଶୁଣି ମନରେ ବିଷାଦ ଆସିଲା । ଦେଖିଲା ନାରୀଟିଏ ଏକା ଏକା ବସି ରୋଦନ କରୁଛି । ତା' ରୋଦନ ଶୁଣି ଚିତ୍ତ ହେଲା ଛନ୍ନ ଛନ୍ନ । ମନରେ ଭାବିଲା ମୋର ଆଉ ଯଶ ନାହିଁ । ଏଥର ଶିବ ପୁତ୍ର ମୋତେ କରିବ ନାଶ । ଏକଥାକୁ ମନରେ ବିଚାର କରି ଭାବିଲା ସପ୍ନ କଥା କ'ଣ ସତ ହେବ । ବସି ଭାବିଲା ପ୍ରଭାତରେ ଯାଇ ଶତ୍ରୁକୁ ବିନାଶ କରିବ ବୋଲି । ବିଧାତାଙ୍କର ବର ତ ସରିନାହିଁ । ମୁଁ କ'ଣ ରଣ କରି ହାରିବି । ଯେହେତୁ ଦେବତାମାନେ ମୋତେ ସରିନୁହେ । ଈଶ୍ବର ପୁତ୍ର ଅଟେ ମୋଠାରୁ ସାନ । ସେ ବା ଜାଣିବ ଯୁଦ୍ଧର ଚରିତ, କାଲି ଯାଇ ସମସ୍ତଙ୍କୁ ନିପାତ କରିବି । ଏକଥା ଭାବି ଦ୍ବାରପାଳକୁ ଡାକି କହିଲା ବିଳମ୍ବ ନ କରି ଏକ୍ଷଣି ଯାଇ ମନ୍ତ୍ରୀ ତୁଲେ ସେନାପତିଙ୍କୁ ଡକାଇ ଆଣ । ଦ୍ବାରପାଳ ସମସ୍ତଙ୍କୁ ଡକାଇ ଆଣିଲା ପରେ ସେମାନଙ୍କୁ ପାଖରେ ବସାଇ ଦୈତେଶ୍ବର କହିଲା ନାରଦଙ୍କ କଥା ମନ ଦେଇ ଶୁଣ । ଇନ୍ଦ୍ର ଆଦି ଦେବତାଙ୍କୁ ସଙ୍ଗେ ଘେନି ଇଶ୍ବର ପୁତ୍ରକୁ କଲେ ସେନାନୀ । ସୁଧର୍ମା ସଭାରେ ବସାଇ ପ୍ରତିଜ୍ଞା କରିଛି ଷଡାନନ ଅସୁର ବଳକୁ କାଲି ନିଧନ କରିବ । ଏକଥା ମୋତେ ନାରଦ କହିଛନ୍ତି । ଚାଲ ଆମ୍ଭେମାନେ ଯାଇ ଦ୍ବନ୍ଦ ଆରମ୍ଭ କରିବା । ଗୋଳଯୁଦ୍ଧ କରି ଦେବଗଣକୁ ସଂହାର କରିବା ଯେହେତୁ ଏସବୁ ଘଟଣା ସେହି କରିଛନ୍ତି । ଈଶ୍ବର ପୁତ୍ର ହେଉଛନ୍ତି ମୋ ଠାରୁ ସାନ । ସେ କିଭଳି ଜାଣିବ ଯୁଦ୍ଧର କୁଟନୀତି । ଯଦି ବା ଜାଣିଥିବ ହେଲେ ବ୍ରହ୍ମା,ବିଷ୍ଣୁ ଓ ଶଙ୍କରକୁ ମୋର ଭୟ ନାହିଁ । କାରଣ ସେମାନଙ୍କ ହାତରେ ମୋର ମୃତ୍ୟୁ ନାହିଁ । ଏବେ ଉପାୟ ଖଞ୍ଜିଛି । ଏକଥା ଶୁଣି ବଳବନ୍ତ ଦୈତ୍ଯମାନେ ମୁଣ୍ଡନଇଁ ପ୍ରତିଜ୍ଞା କଲେ ଏହିକ୍ଷଣି ସ୍ବର୍ଗକୁ ଯାଇ ମେରୁଗିରି ସହିତ ସବୁ ଖୋଳି ପକାଇବା,ଦେବତାମାନଙ୍କୁ ପ୍ରାଣରେ ରଖିବା ନାହିଁ, ବେଢିକରି ମାଇଲେ ସେମାନଙ୍କର ପ୍ରାଣ ଅକାରଣରେ ଯିବ । ଏକଥା ଶୀଘ୍ର ଦାଣ୍ଡରେ ଘୋଷଣା କରି ଦିଅ । ସମସ୍ତ ସୈନ୍ଯସାମନ୍ତ ସଜହୋଇ ସିଂହଦ୍ବାରେ ହାଜର ହେଲେ । ଦୈତେଶ୍ବର ଦେଖି ଆନନ୍ଦ ହେଲା । ଯୁଦ୍ଧବେଶରେ ସଜ୍ଜିତ ହୋଇ ବାଜା ବଜାଇ ସ୍ବର୍ଗଗଙ୍ଗାକୂଳରେ ଯାଇ ପ୍ରବେଶ କଲେ । କ୍ଷେତ୍ରପାଳ ନାମରେ ଥିଲା ସ୍ବର୍ଗରକ୍ଷାକାରୀ । ତାରକାସୁରର ଗର୍ଜନ ଦେଖି କ୍ଷେତ୍ରପାଳ ଷଡାନନ ଆଗରେ କହିଲା ତାରକାସୁର ସୈନ୍ଯସାମନ୍ତ ନେଇ ଆସିଛି ଦେବତା ମାନଙ୍କର କାଳ ପୁରାଇବ ।
ଏହାଶୁଣି ଶମ୍ଭୁସୁତ ଶିଖୀ ପୃଷ୍ଠେ ବସି ଜ୍ବାଳାବଳୀ ଶକ୍ତି କଷି ଧରିଲେ । ସଜହୋଇ ଯୁଦ୍ଧ ପାଇଁ ବାହାରିଲେ । ତାଙ୍କ ପଛେ ପଛେ ସବୁ ଦେବତାଗଣ ବାହାରିଲେ । ମୁହାଁ ମୁହିଁ ହୋଇ ଯୁଦ୍ଧ ଆରମ୍ଭ ହେଲା । ଘଡିଏ ପର୍ଯ୍ୟନ୍ତ ଯୁଦ୍ଧ ହୁଅନ୍ତେ ବିମୁଖ ହୋଇ ଦଇତ ଚିନ୍ତା କରୁଥାଏ । ତେଣେ ପାର୍ବତୀ କୁମର ବାଣ ବୃଷ୍ଟି କରୁଥାଏ । ଏଥିରେ ତାରକାଅସୁରର ହସ୍ତି ଓ ଅଶ୍ବ ଟଳିପଡିଲେ । କେତେ କେତେ ସୈନ୍ଯଙ୍କର ମୁଣ୍ଡ,ହାତ ଓ ଗୋଡ ଛିଡି ପଡିଲା । ଏହାଦେଖି ସୁବର୍ଣ୍ଣ ରଥର ଆରୋହୀ (ଯିଏକି ସବୁ ମାୟା ଯୁଦ୍ଧ ଜାଣେ )କୁ ଡାକିବାରୁ ସେ ହାତରେ ମୁଦଗର ଧରି ଆସି ମୟୁରକୁ ପ୍ରହାର କଲା । ଏସବୁକୁ ଦୂରରୁ ଦେଖି କାର୍ତ୍ତିକେୟ ଶର ପେଶିଲା । ତାହାଦେଖି ତାରକାସୁର ଅର୍ଦ୍ଧଚନ୍ଦ୍ରକୁ ପେଶିଲା ଦଇତ । ଏହିପରି ଯୁଦ୍ଧ ଚାଲିଥିବା ବେଳେ ଅସୁର କାର୍ତ୍ତିକେୟ ଉପରକୁ ଅଗ୍ନିବାଣ ବିନ୍ଧିଲା । ଜଳଧାରା ଶରରେ ଷଡାନନ ତାକୁ ନିବାରିଲେ । କାର୍ତ୍ତିକେୟର ଯୁଦ୍ଧ ଦେଖି ଭୟଭୀତ ହୋଇ ଶମ୍ବର ମାୟା ଯୁଦ୍ଧ ଆରମ୍ଭ କଲା । ଯାହାଦେଖି ଦେଵଗଣମାନେ ବି ଭୟଭୀତ ହେଲେ । ତାହା ଦେଖି ଶମ୍ଭୁସୁତ ନିଜ ଅଙ୍ଗରୁ ଅସଂପ୍ରଥମଗଣ ଜାତ କଲେ । ପ୍ରଥମଗଣ ମାନଙ୍କ ଯୁଦ୍ଧରେ ଶମ୍ବର ଅସୁର ସୈନ୍ଯମାନଙ୍କୁ ହରିନେଲା । ଭୟରେ ଯାଇ ଜଳ ମଧ୍ଯରେ ଲୁଚିଲେ । ଦେବତାମାନେ ଭୟ ପଳାଇଗଲେ । ଶମ୍ବର ପହଞ୍ଚିଲା ଘମାଘୋଟ ଯୁଦ୍ଧ ଆରମ୍ଭ ହେଲା । ନିମିଷକ ମଧ୍ଯରେ ଉଭୟ ତରଫୁ ଅସ୍ତ୍ର ଶସ୍ତ୍ର ପ୍ରୟୋଗ ହେଲା । ଶିବସୁତ ଶେଷରେ ଅଧାଚନ୍ଦ୍ର ବାଣକୁ ବିନ୍ଧିଲା । ଯୁଦ୍ଧଭୂମିରେ ରକ୍ତ ନଦୀର ସୁଅ ଛୁଟିଲା । ଗୋଟିଏ ବାଣରେ ଶହ ଶହ ଅସୁର ସୈନ୍ଯ ମଲେ । ତାହା ଦେଖି ତାରକାଅସୁର ଅତି ବେଗରେ ଧାଇଁ ଆସି ଶମ୍ଭୁସୁତ ଆଗରେ ରଥକୁ ରଖି କହିଲା ଷଡାନନ ମୋର ପ୍ରତିଜ୍ଞା ତୁ କ'ଣ କାନରେ ଶୁଣି ନାହୁଁ । ଆଜି ଏଠାରୁ ଜୀବନ ନେଇ ଫେରିବୁ ନାହିଁ । ମୋ ନାମ ଶୁଣିଲେ ନାରାୟଣ ବି ଡରେ । ତା ବାପ ଆଜିଯାଏ ମୋତେ ଦର୍ଶନ ଦେଇନାହିଁ । ମୋ ଯିବା ଜାଣିଲେ ଇନ୍ଦ୍ର ବି ସ୍ବର୍ଗପୁର ଛାଡି ପଳାଇଯାଏ । ତୋତେ ମୁଁ ଏହିକ୍ଷଣି ମାରି ପକାଇବି । ଏହାଶୁଣି କାର୍ତ୍ତିକେୟ କହିଲା ଶକତି ଅଛି ଯେବେ ମୋ ସହିତ ଯୁଦ୍ଧ କର । ନହେଲେ ଏକ୍ଷଣି ତୋ ପ୍ରାଣ ନେବି । ତାରକାସୁର ଏଥିରେ କ୍ରୋଧିତ ହୋଇ ଅଷ୍ଟଶର ବିନ୍ଧିଲା । କାର୍ତ୍ତିକେୟ ତାକୁ ଅଧାଚନ୍ଦ୍ର ବାଣରେ ଛେଦିଲା । ଏହିପରି ଯୁଦ୍ଧ କରୁ କରୁ ସାତଦିନ ବିତିଲା । ତାରକାସୁର ଏକ ଖଡଗ ଧରି କାର୍ତ୍ତିକେୟଶ୍ବରକୁ ହାଣିବା ପାଇଁ ଯୁଦ୍ଧ ସମର ଭୂଇଁରେ ଧାଇଁଲା । ତା ଦେଖି କାର୍ତ୍ତିକେୟଶ୍ବର ନିଜର ଅସୁର ଅଂଶମାନଙ୍କୁ ଦଶଦିଗ ପ୍ରସାରିଲା । ମୟୂରକୁ ଧରି ଗଗନକୁ ଉଠି ଦୈତ୍ଯମାନଙ୍କ ଭୁଜକୁ ହାଣିଲା । ଏହାପରେ ପରଘାଟାଏ ବାମହାତେ ଧରି ଅସୁର ଦୌଡିଲା ସେନାନୀକୁ ପିଟିବାକୁ । ଏବଂ ବଡପାଟି କରି କହିଲା ମୋର ଭୁଜ କାଟି ପକାଇଲେ କ'ଣ ମୋତେ ବିନାଶି ପାରିବୁ । ବାହନ ସହିତ ତୋତେ ଗିଳି ଦେବି ଏକ୍ଷଣି । ମୋର ଚରଣ ପ୍ରହାର କରି ଧରଣୀ ଭାଙ୍ଗି ଦେବି । ଏ ଅଦଭୁତ କଥା ଶୁଣି ଷଡାନନ ବ୍ରହ୍ମା ଦେଇଥିବା ଶକତି ଧରିଲେ । ଜ୍ବାଳାବଳୀ ଶକତିକୁ ଅତି ଉଗ୍ରତେଜେ ପେଶିଲା । ତାହାଦେଖି ଶୂନ୍ୟ ଶୂନ୍ୟବାସୀଗଣ ଅନ୍ତର ହୋଇଲେ । ମାୟାରେ ଶମ୍ବରାସୁର ପାତାଳେ ପଶିଲା । ତାରକାସୁର ବକ୍ଷରେ ଶକତି ପଶନ୍ତେ ଭୂମିତଳେ ଗଳିପଡିଲା । ତା ଦେଖି ପୃଥ୍ବୀ ହେଲା କମ୍ପମାନ । ରକ୍ତବାନ୍ତି କରି ତାରକାଅସୁର ମଲା । ଅସୁର ମରିବାରୁ ସେନାନୀମାନେ ଆନନ୍ଦିତ ହେଲେ ।

*ସଂଗ୍ରହକାରୀ-ନରେନ୍ଦ୍ର ପ୍ରସାଦ ବେହେରା, ଆଳଦା, ଖଇରା,ବାଲେଶ୍ବର, ମୋ-୯୮୫୩୧୪୨୫୧୦*


ରଚନା : ନରେନ୍ଦ୍ର ପ୍ରସାଦ ବେହେରା

ଠିକଣା : ଆଳଦା, ଖଇରା,ବାଲେଶ୍ଵର ଦୂରଭାଷ : ୯୮୫୩୧୪୨୫୧୦


Post a Comment

0 Comments