Ad

header ads

ପୁରାଣ କଥା - ମହାପାପରୁ ମୁକ୍ତିଲାଭ କରିବା ପାଇଁ ରତ୍ନାକରକୁ ବ୍ରହ୍ମାଙ୍କ ମହାମନ୍ତ୍ର - ନରେନ୍ଦ୍ର ପ୍ରସାଦ ବେହେରା

*ରାମାୟଣରୁ କିଛି........୬୭*

*ମହାପାପରୁ ମୁକ୍ତିଲାଭ କରିବା ପାଇଁ ରତ୍ନାକରକୁ ଵ୍ରହ୍ମା କି ମହାମନ୍ତ୍ର ପ୍ରଦାନ କଲେ*

ଦସ୍ଯୁ ରତ୍ନାକର ଗୃହରେ ପହଞ୍ଚି ପ୍ରଥମେ ନିଜ ପିତା ଚ୍ଯବନମୁନିଙ୍କ ସମ୍ମୁଖରେ ଉପସ୍ଥିତ ହେଲା । ଚ୍ଯବନମୁନି ଅତିଶୟ ବୃଦ୍ଧ । ଘୋର ବାର୍ଦ୍ଧକ୍ୟ ହେତୁ ଶରୀରର ସମସ୍ତ ଶକ୍ତି ହରାଇ ବସିଛନ୍ତି । କେବଳ ଦସ୍ଯୁ ରତ୍ନାକର ଦସ୍ଯୁବୃତ୍ତି କରି ଗୃହର ଅନ୍ଯାନ୍ଯମାନଙ୍କ ସହିତ ପିତା ଚ୍ଯବନମୁନିଙ୍କ ଭାର ଗ୍ରହଣ କରି ତାଙ୍କୁ ବଞ୍ଚାଇ ରଖିଥାଏ । ବୃଦ୍ଧପିତା ଚ୍ଯବନମୁନିଙ୍କ ପାଖରେ ପହଞ୍ଚି ରତ୍ନାକର କହିଲା--ପିତା,ଦସ୍ଯୁବୃତ୍ତିରେ ବହୁ ଲୋକଙ୍କୁ ହତ୍ଯାକରି ମୁଁ ଯାହା ଲୁଣ୍ଠନ କରି ଆଣୁଛି ସେଇଥିରେ ଆପଣ ଓ ପରିବାରର ଅନ୍ଯମାନେ ଚଳୁଛନ୍ତି । ନରହତ୍ଯାରେ ମୁଁ କୌଣସି ବାଛବିଚାର ରଖେ ନାହିଁ । ତେଣୁ ବହୁ ବ୍ରାହ୍ମଣ , ସନ୍ନ୍ଯାସୀ ଓ ବ୍ରହ୍ମଚାରୀ ମୋ ଲୌହଠେଙ୍ଗା ପ୍ରହାରରେ ଜୀବନ ହରାଇଥାନ୍ତି । ଏ ଘୋର ପାପକୁ ତ ମୁଁ ଏକାକୀ ସମ୍ଭାଳି ପାରିବି ନାହିଁ ? ତେଣୁ ଆପଣ ମୋତେ କହନ୍ତୁ,ଆପଣ ମୋର ଏହି ପାପରେ ଅଂଶଗ୍ରାହୀ ହେବେ କି ନାହିଁ ? ଯେହେତୁ ମହା ପାପଘଟିତ ଲୁଟି ଦ୍ରବ୍ଯରେ ଆପଣ ଅନ୍ନ ଖାଇ ବଞ୍ଚୁଛନ୍ତି ତେଣୁ ଆପଣ ଏ ପାପରେ ଅଂଶଗ୍ରାହୀ ବୋଲି ମୁଁ ଭାବୁଚି । ତେଣୁ ଆପଣ ଏ ବିଷୟରେ ଆପଣଙ୍କ ମତାମତ କହନ୍ତୁ ।
ରତ୍ନାକରର ଏହି କଥା ଶୁଣି ବୃଦ୍ଧ ଚ୍ଯବନମୁନି କ୍ଷୀଣକଣ୍ଠରେ କହିଲେ--ବା ପରେ , ଆବାଲ୍ଯରୁ ମୁଁ ତୋତେ ପାଳି ଆସିଥିଲି । ତୁ ବାଳକ ବୟସର ହୋଇଥିବା ହେତୁ ତାହା ହିଁ ମୋର ଥିଲା ତୋ ପ୍ରତି ପରମକର୍ତ୍ତବ୍ଯ । ମୁଁ ବୃଦ୍ଧ ହୋଇ ଚଳତ ଶକ୍ତି ରହିତ ହେଲାବେଳକୁ ତୁ ଯୁବକ । ତୋ 'ର ଏହି ଯୁବକ ବୟସରେ ବୃଦ୍ଧ ପିତାମାତାଙ୍କୁ ପାଳନ କରିବା ତୋର ପରମକର୍ତ୍ତବ୍ଯ । ତୁ କି ପ୍ରକାରରେ ଧନ ଅର୍ଜନ କରି ଆଣୁଛୁ ତାହା ମୋତେ ଜଣା ନାହିଁ । ମୁଁ ଦିନେହେଲେ ତୋତେ ପାପ ପଥରେ ଗୋଡ଼ ଦେବାକୁ କହିନାହିଁ । ତେଣୁ ତୋ' ପାପରେ ମୁଁ ଭାଗୀ ହେବି କାହିଁକି ? ତୁ ପିଲାବୟସର ହୋଇଥିଵାବେଳେ ତୋତେ ଲାଳନପାଳନ କରିବା ପାଇଁ ମୁଁ ଯେଉଁ ପୁଣ୍ଯ ବା ପାପ କରିଥିଲି ସେହି ପୁଣ୍ଯ ବା ପାପ ହେଉଛି ମୋର । ମାତ୍ର ମୋର ବୃଦ୍ଧ ବୟସରେ ମୋତେ ପାଳିବା ପାଇଁ ତୁ ଯେଉଁ ପୁଣ୍ଯପଥ ବା ପାପପଥରେ ଧନ ଅର୍ଜନ କରୁଚୁ ସେହି ପୁଣ୍ଯ ବା ପାପ ହେଉଛି ତୋର । ତେଣୁ ତୋ ପୁଣ୍ଯ ବା ପାପରେ ମୋର କୌଣସି ଭାଗ ନାହିଁ । ପିତା ଚ୍ଯବନମୁନିଙ୍କଠାରୁ ଏ ପ୍ରକାର ରୋକଠୋକ୍ ଉତ୍ତର ଶୁଣି ରତ୍ନାକର ଚମକିପଡିଲା । ରତ୍ନାକର କହିଲା--ପିତା ତ ଏ ପ୍ରକାରର କଥା ମୋତେ କହିଲେ । ତାଙ୍କୁ ବଞ୍ଚାଇରଖିବା ପାଇଁ ମୁଁ ଯେଉଁ ଘୋର ପାପ କରୁଛି ସେହି ପାପରେ ତାଙ୍କର ତିଳେହେଲେ ଭାଗ ନାହିଁ ବୋଲି ମୋତେ ସେ ସ୍ପଷ୍ଟ ଭାବରେ ଶୁଣାଇ ଦେଲେ । ଏବେ ମୁଁ ଯାଉଛି ମା'ଙ୍କ ମତ ଲୋଡିବି । ମା'ଙ୍କର ମତ କ'ଣ ତାହା ମୁଁ ଜାଣିବା ନିହାତି ଆବଶ୍ୟକ । ଏହିପରି ଭାବି ରତ୍ନାକର ନିଜ ଜନନୀଙ୍କ ସମ୍ମୁଖକୁ ଗଲା । ରତ୍ନାକରର ଜନନୀ ଅତିଶୟ ବୃଦ୍ଧା । ଜନନୀଙ୍କ ସମ୍ମୁଖରେ ପହଞ୍ଚି ରତ୍ନାକର କହିଲା--ମାଆ, ମୁଁ ବହୁ ଵ୍ରାହ୍ମଣ , ସନ୍ନ୍ଯାସୀ, ବ୍ରହ୍ମଚାରୀ ଓ ଅସଂଖ୍ଯ ଇତର ଲୋକଙ୍କୁ ହତ୍ଯାକରି ସେମାନଙ୍କ ଧନସବୁ ଲୁଟିଆଣି ତୁମ୍ଭମାନଙ୍କୁ ପୋଷୁଛି । ସେହି ପାପର୍ଜିତ ଧନରେ ତୁମ୍ଭେମାନେ ପ୍ରତିପାଳିତ ହେଉଛ । ତେବେ ମାଆ,ମୋତେ ଖୋଲାଖୋଲି ସ୍ପଷ୍ଟ ଭାବରେ କୁହ ମୋର ଏହି ମହାପାପରେ ତୁମର ଭାଗ ଅଛି କି ନାହିଁ ?
ରତ୍ନାକରର ଏହି ଉକ୍ତି ଶୁଣି ତାକୁ ତା ଜନନୀ କହିଲେ--ବାପରେ , ଦଶମାସ ଦଶଦିନ ଗର୍ଭକଷ୍ଟ ସହି ତୋତେ ମୁଁ ଜନ୍ମଦେଲି । ବକ୍ଷରୁ କ୍ଷୀର ଦେଇ ତୋତେ ତୋ ଶିଶୁ ଅବସ୍ଥାରେ ବଞ୍ଚେଇ ରଖିଲି । ତୋର ବାଳକ ବୟସରେ ତୋତେ ମୁଁ ରାନ୍ଧିବାଢି ଖୁଆଇଲି । ସେଥିରେ ଯଦି ମୁଁ କିଛି ପାପ ବା ପୁଣ୍ଯ କରିଥାଏ ସେହି ପାପ ଓ ପୁଣ୍ଯ ମୋର । ତୋ'ର ସେଥିରେ କୌଣସି ଭାଗ ନାହିଁ । ତେବେ ମୁଁ ବୃଦ୍ଧା ହୋଇଗଲା ପରେ ମୋତେ ପ୍ରତିପୋଷଣ କରିବା ଯୁବକ ପୁତ୍ର ଭାବରେ ତୋ'ର ପରମକର୍ତ୍ତବ୍ଯ । ତୁ କି ପ୍ରକାରରେ ଧନ ଆଣି ମୋତେ ପୋଷୁଛୁ ସେକଥା ମୁଁ ଜାଣେ ନାହିଁ । ତୋତେ ମୁଁ ଦିନେ ହେଲେ ପାପ କରିବାକୁ କହିନାହିଁ । ତୁ ଯଦି ପାପ କାର୍ଯ୍ୟରେ ଧନ ଅର୍ଜନ କରୁଥାଉ ସେ ପାପ ତୋ'ର । ସେଥିରେ ମୋର ଟିକିଏ ହେଲେ ଭାଗ ନାହିଁ ।
ବୃଦ୍ଧା ଜନନୀଙ୍କଠାରୁ ଏପରି ଉତ୍ତର ଶୁଣି ରତ୍ନାକର ଦେହସାରା ବିଦ୍ଯୁତ୍ ଖେଳିଗଲା ପରି ଲାଗିଲା । ସେ ପୁଣି ଚମକି ପଡିଲା । ଭାବିଲା-- ମୋ ପିତାମାତା ତ ମୋ ପାପରେ ଭାଗୀ ହେବାକୁ ମନାକଲେ ? ତେବେ ମୁଁ ଯାଉଛି ମୋର ପ୍ରିୟତମା ପତ୍ନୀର ମତାମତ କ'ଣ ସେକଥା ତାକୁ ପଚାରି ବୁଝିବି । ମୋର ଯେତେବେଳେ ସେ ପ୍ରିୟତମା ପତ୍ନୀ ଓ ତାକୁ ନାନା ରତ୍ନରେ ମଣ୍ଡିତ କରିଛି , ଅବଶ୍ୟ ସେ ମୋ ପାପରେ ଭାଗୀହେବ ବୋଲି ମୋତେ କହିବ । ଏହିପରି ଭାବି ରତ୍ନାକର ତା' ପତ୍ନୀ ସମ୍ମୁଖକୁ ଗଲା । ନିଜର ପ୍ରିୟତମା ପତ୍ନୀକୁ ରତ୍ନାକର କହିଲା--ହଇଓ,ମୁଁ ଗୋଟିଏ କଥା ତୁମଠାରୁ ବୁଝିବାକୁ ଚାହୁଁଛି । ରତ୍ନାକରର ପତ୍ନୀ କହିଲା--କି କଥା । ରତ୍ନାକର କହିଲା--ନାଇଁ, କଥା କ'ଣ କି ? ତୁମକୁ ମୁଁ ଯେଉଁ ଖାଦ୍ଯ,ଭୋଜନ,ମୂଲ୍ଯବାନ୍ ବସ୍ତ୍ର ଓ ନାନା ରତ୍ନର ଅଳଙ୍କାରମାନ ଦେଉଛି ସେସବୁକୁ ମୁଁ ବହୁ ବ୍ରାହ୍ମଣ , ସନ୍ନ୍ଯାସୀ, ବ୍ରହ୍ମଚାରୀ ଓ ଅସଂଖ୍ଯ ଇତର ପଥିକଙ୍କୁ ମୋର ଏହି ଲୁହାଠେଙ୍ଗାରେ ବଧକରି ସେମାନଙ୍କ ଧନ ଲୁଣ୍ଠନ କରି ଲାଭ କରିଛି । ମୋର ଏହି ମହାପାପରେ ତୁମର ଭାଗ ଅଛି କି ନାହିଁ ମୋତେ କୁହ । ରତ୍ନାକରର କଥା ଶୁଣି ତା' ପତ୍ନୀ ତାକୁ କହିଲା--ପ୍ରାଣନାଥ, ତୁମ ନିଜ ସକାଶେ ତୁମେ ମୋତେ ବିବାହକରି ପିଲା ପରିବାର ସୃଷ୍ଟି କରିଛ । ମୋତେ ଓ ତୁମ ଔରସରୁ ଜାତ ମୋର ଏହି ପିଲାଛୁଆଙ୍କୁ ପାଳନ କରିବା ତୁମର ପରମ କର୍ତ୍ତବ୍ୟ । ତୁମେ କି ପ୍ରକାରରେ ଧନ ଆଣି ମୋତେ ଓ ମୋ ପିଲାଛୁଆଙ୍କୁ ପାଳନ କରୁଛ ସେକଥା ମୋତେ ଜଣାନାହିଁ । ଆମେ ଦିନେହେଲେ ତୁମକୁ ପାପ କରିବାକୁ କହିନାହୁଁ । ତେଣୁ ମୁଁ ଓ ମୋ ପିଲାମାନେ ତୁମ ପାପରେ ଭାଗୀହେବୁ କାହିଁକି ? ତୁମ ପାପରେ ଆମର ଟିକିଏ ହେଲେ ଭାଗ ନାହିଁ । ତୁମ ପାପ ତୁମର ।
ଏହାଙ୍କ ପରେ ରତ୍ନାକର ନିଜ ପୁତ୍ରମାନଙ୍କ ମତାମତ ଲୋଡିଲା । ରତ୍ନାକରର ପୁତ୍ରମାନେ ରତ୍ନାକରକୁ କହିଲେ--ଆମ୍ଭେମାନେ ତୁମର ବାଳୁତ ସନ୍ତାନ । ଆମକୁ ଲାଳନପାଳନ କରିବା ତୁମର ପରମକର୍ତ୍ତବ୍ଯ । ତୁମେ କି ପ୍ରକାରରେ ଧନ ଆଣି ଆମକୁ ପୋଷୁଛ ଆମେ ସେକଥା ଜାଣିନାହୁଁ । ଦିନେ ହେଲେ ପାପ କରିବାକୁ ଆମେ ତୁମକୁ କହିନଥିଲୁ । ଡାହାଣ ହାତର ପାପ ବାମ ହସ୍ତ ମଧ୍ଯ ନିଏ ନାହିଁ । ଆମେ କିପରି ତୁମ ପାପରେ ଭାଗୀ ହେବୁ ? ତୁମ ପାପରେ ଆମର ଟିକିଏ ହେଲେ ଭାଗ ନାହିଁ । ନିଜର ବାପ,ମାଆ,ସ୍ତ୍ରୀ ଓ ସନ୍ତାନମାନେ କେହିହେଲେ ତା' ପାପରେ ଭାଗୀ ହେବାକୁ ରାଜି ନ ହେବାର ଦେଖି ରତ୍ନାକର ମୁଣ୍ଡ ବାତଚକ୍ର ପରି ଘୂରିବାରେ ଲାଗିଲା । କେତେ କେତେ ମହାପାପ ନ କରିଚି ସେ ! ମହାପର୍ଵତ ପରି ମହାପାପର ବୋଝ ତା'ରି ମୁଣ୍ଡ ଉପରେ ନଦିହୋଇ ରହିଛି । ଏହିକଥା ଭାବି ରତ୍ନାକର ଅଥୟ ହୋଇ ପଡିଲା । ତାକୁ କୌଣସି ବୁଦ୍ଧିବାଟ ଦେଖାଗଲା ନାହିଁ । ବିକଳ ହୋଇ ସେ ଧାଇଗଲା ସେଇଠିକୁ ଯେଉଁଠି ସନ୍ନ୍ଯାସୀରୂପୀ ବ୍ରହ୍ମା ଓ ନାରଦ ତାକୁ ଅପେକ୍ଷା କରି ରହିଥିଲେ । ରତ୍ନାକର ଉଭୟଙ୍କ ପାଦତଳେ ପଡିଯାଇ ନିଜ ପରିବାରର ସବୁକଥା ଜଣାଇଲା । ସେ କହିଲେ--ହେ ମହାତ୍ମା ଘରକୁ ଯାଇ ପିତା,ମାତା,ପତ୍ନୀ ଓ ସନ୍ତାନମାନଙ୍କୁ ପଚାରିଲି । ମୋ ପାପରେ ଭାଗୀ ହେବାପାଇଁ କେହିହେଲେ ରାଜି ହେଲେ ନାହିଁ । ମୁଣ୍ଡ ଉପରେ ମୋର ମହାପର୍ବତ ପରି ମହାପାପର ବୋଝ । ହେ ମହାତ୍ମା, ଆପଣଙ୍କ କଥାରୁ ମୁଁ କେବେହେଲେ ବାହାରି ଯିବି ନାହିଁ । ଏହି ମହାପାପର ବୋଝରୁ ମୋତେ ଉଦ୍ଧାର କରନ୍ତୁ ପ୍ରଭୋ ! ଏହା କହି ରତ୍ନାକର ସନ୍ନ୍ଯାସୀରୂପୀ ବ୍ରହ୍ମା ଓ ନାରଦଙ୍କ ପାଦତଳେ ପଡି ରହି ବିକଳହୋଇ କାନ୍ଦିବାରେ ଲାଗିଲା । ରତ୍ନାକରର ହୃଦୟରେ ପରିବର୍ତ୍ତନ ଲକ୍ଷ୍ୟକରି ଓ ରତ୍ନାକରର ବିକଳ ଦେଖି ତା' ପ୍ରତି ବ୍ରହ୍ମାଙ୍କର ଦୟା ଉପୁଜିଲା । ରତ୍ନାକରକୁ ଵ୍ରହ୍ମା କହିଲେ--ରେ ରତ୍ନାକର, ତୋ'ର ପାପକ୍ଷୟର ଉପାୟ ମୁଁ ତୋତେ ବତେଇଦେବି । ତୁ ଶୀଘ୍ର ଯାଇ କୌଣସି ସରୋବରରେ ସ୍ନାନ କରି ଆ ।
ଵ୍ରହ୍ମାଙ୍କ କଥା ଶୁଣି ରତ୍ନାକର ସଙ୍ଗେ ସଙ୍ଗେ ସେହି ବନ ମଧ୍ଯରେ ଥିବା ଗୋଟିଏ ସରୋବର ନିକଟକୁ ଧାଇଁଗଲା । କିନ୍ତୁ ଗାଧୋଇବା ପାଇଁ ସରୋବର ତୀରକୁ ସେ ଗଲାମାତ୍ରେ ଗଭୀର ଜଳପୂର୍ଣ୍ଣ ସେହି ସରୋବର ସମସ୍ତ ଜଳ ମୁହୂର୍ତ୍ତକ ମଧ୍ୟରେ ଶୁଖିଗଲା । ବୁନ୍ଦାଏ ହେଲେ ଜଳ କେଉଁଠାରେ ଦେଖାଗଲା ନାହିଁ । ଏଡେବଡ଼ ସରୋବର ଯାହା ଜଳର ଗଭୀରତାରେ ହାତୀ ମଧ୍ଯ ବୁଡିଯିବ , ସେହି ସରୋବର ମହାପାପୀ ରତ୍ନାକରର ଉପସ୍ଥିତରେ ଶୁଖି ଠୋ-ଠୋ ହେଲା । ଏହା ଦେଖି ରତ୍ନାକରର ହଲକ୍ ଶୁଖିଗଲା । ସେ କେଡେବଡ଼ ପାପୀ ଏହା ବୁଝିପାରି ରତ୍ନାକର ମହାଭୟରେ କଳାକାଠ ପଡିଗଲା । ଶୁଷ୍କମୁଖରେ ସେ ଆସି ସନ୍ନ୍ୟାସୀରୂପୀ ବ୍ରହ୍ମା ଓ ନାରଦଙ୍କ ପାଖରେ ପହଞ୍ଚିଲା ଓ ତାକୁ ଦେଖି ସରୋବରର ଜଳଭଣ୍ଡାର ଶୁଖିଯିବାରୁ ସେ ସ୍ନାନ କରିପାରିଲା ନାହିଁ ବୋଲି ବିକଳ ହୋଇ ଜଣାଇଲା । ଏଥିରୁ ବ୍ରହ୍ମା ଜାଣିପାରିଲେ ଯେ ରତ୍ନାକର ମହାପାପୀ,ହେଲେ ତା' ହୃଦୟର ସୁସ୍ଥ ପରିବର୍ତ୍ତନ ଓ ମୁକ୍ତିଲାଭ ପାଇଁ ବିକଳ ଭାବ ଦେଖି ତା' ପ୍ରତି ଵ୍ରହ୍ମାଙ୍କର ଦୟା ଉପୁଜିଲା । ଵ୍ରହ୍ମା ନିଜ କମଣ୍ଡଳରୁ ଜଳ ନେଇ ରତ୍ନାକର ଉପରେ ଛିଞ୍ଚିଦେଲେ । ଏହା ପରେ ଵ୍ରହ୍ମାଙ୍କୁ ନାରଦ କହିଲେ--ହେ ପିତା,ଏହି ମହାପାପୀ ରତ୍ନାକରକୁ ପାପମୁକ୍ତ କରିବା ସକାଶେ ତା' କର୍ଣ୍ଣରେ ମହାମନ୍ତ୍ର କହିଦିଅନ୍ତୁ । ନାରଦଙ୍କ କଥା ଶୁଣି ଵ୍ରହ୍ମା ମହାପାପୀ ରତ୍ନାକରର କାନରେ ରାମ ନାମ କହି ସେହି ନାମକୁ ଉଚ୍ଚାରଣ କରିବାକୁ କହିଲେ, କିନ୍ତୁ ମହାପାପୀ ରତ୍ନାକର ରାମ ନାମ ଉଚ୍ଚାରଣ କରିପାରିଲା ନାହିଁ । ଭଲା କଥା ହେଲା ! ଏବେ କ'ଣ କରାଯିବ ! ଦୁଃଖିତ ହୋଇ ବ୍ରହ୍ମା ଗୋଟିଏ ଉପାୟ ପାଞ୍ଚିଲେ । ରତ୍ନାକରକୁ ଵ୍ରହ୍ମା ପଚାରିଲେ-- ମଲା ଲୋକକୁ କ'ଣ କୁହନ୍ତି ? ଏହା ଶୁଣି ରତ୍ନାକର କହିଲା--ମଲା ଲୋକକୁ ମଡା ବୋଲି କହନ୍ତି । ରତ୍ନାକର କଥା ଶୁଣି ବ୍ରହ୍ମା କହିଲେ--ଆଚ୍ଛା,ତୁ ତ ମଡା ଶବ୍ଦ ଉଚ୍ଚାରଣ କରିପାରୁଛୁ । ' ମରା ' ବୋଲି ଉଚ୍ଚାରଣ କରିପାରିବୁ ? ରତ୍ନାକର ' ମରା ' ଶବ୍ଦ ଉଚ୍ଚାରଣ କରନ୍ତେ ବ୍ରହ୍ମା କହିଲେ- ରେ ରତ୍ନାକର, ମହାପାପରୁ ଯଦି ମୁକ୍ତି ପାଇବାକୁ ଚାହୁଁ ତେବେ ଆମେ ଏଠାକୁ ପୁଣି ଆସିବା ଯାଏ ତୁ ଏହିଠାରେ ବସି ' ମରା ' ' ମରା ' ଜପ କରୁଥିବୁ ।
ଵ୍ରହ୍ମାଙ୍କ କଥାମାନି ରତ୍ନାକର ଦୃଢ ଚିତ୍ତରେ ସେହିଠାରେ ବସି ମନଦେଇ ମରା,ମରା ଉଚ୍ଚାରଣ କରିବାରେ ଲାଗିଲା । ' ମରା ମରା ' ବାରମ୍ବାର ଉଚ୍ଚାରଣ କରନ୍ତେ ସେଥିରୁ ମହାମନ୍ତ୍ର ' ରାମ ' ନାମ ଉପୁଜିଲା । ରତ୍ନାକର ନିବିଷ୍ଟ ଚିତ୍ତରେ ସେହିଠାରେ ବସି ସେହିଭଳି ଜପ କରିବାରେ ଲାଗିଲା । ନାରଦଙ୍କୁ ସଙ୍ଗରେ ଘେନି ଵ୍ରହ୍ମା ବ୍ରହ୍ମଲୋକକୁ ଚାଲିଗଲେ । ରତ୍ନାକର ଵ୍ରହ୍ମା ଦେଇଥିବା ସେହି ମହାମନ୍ତ୍ରକୁ ସେହିଠାରେ ନିଶ୍ଚଳ ଭାବରେ ବସି ମନଦେଇ ବାରମ୍ବାର ଉଚ୍ଚାରଣ କରିବାରେ ଲାଗିରହିଲା ।
କ୍ରମଶଃ........

*ସଂଗ୍ରହକାରୀ--ନରେନ୍ଦ୍ର ପ୍ରସାଦ ବେହେରା, ଆଳଦା, ଖଇରା,ବାଲେଶ୍ଵର, ମୋ--୯୮୫୩୧୪୨୫୧୦*


ରଚନା : ନରେନ୍ଦ୍ର ପ୍ରସାଦ ବେହେରା

ଠିକଣା : ଆଳଦା, ଖଇରା,ବାଲେଶ୍ଵର ଦୂରଭାଷ : ୯୮୫୩୧୪୨୫୧୦


Post a Comment

0 Comments