Ad

header ads

ପୁରାଣ କଥା - ମହର୍ଷି ବାଲ୍ମୀକି ନାରଦଙ୍କୁ ପଚାରିଥିବା ପ୍ରଶ୍ନର ଉତ୍ତର - ନରେନ୍ଦ୍ର ପ୍ରସାଦ ବେହେରା

*ରାମାୟଣରୁ କିଛି......୬୯*

*ମହର୍ଷି ବାଲ୍ମୀକି ନାରଦଙ୍କୁ ପଚାରିଥିବା ପ୍ରଶ୍ନର ଉତ୍ତରରେ ନାରଦ କ'ଣ ସବୁ କହିଲେ*

ତମସାନଦୀଠାରୁ କିଛି ଦୂରରେ ମହାରଣ୍ଯ ମଧ୍ଯରେ ମହର୍ଷି ବାଲ୍ମୀକି ଶିଷ୍ଯ ଭରଦ୍ବାଜମୁନି ସହିତ ରହି ରାମନାମ ଜପରେ ସମୟ ବିନିଯୋଗ କରୁଥାନ୍ତି । ଆଶ୍ରମବାସୀ ମହର୍ଷି ଭାବରେ ଯାହା ଯାହା କିଛି କର୍ତ୍ତବ୍ୟ , ସେସବୁକୁ ମଧ୍ଯ ମହର୍ଷି ବାଲ୍ମୀକି ଯଥାବିଧିରେ ନିୟମିତ ଭାବରେ କାର୍ଯ୍ଯକାରୀ କରୁଥାନ୍ତି । ସୁଶିଷ୍ଯ ଭରଦ୍ବାଜମୁନିଙ୍କ ସାହଚର୍ଯ୍ଯ ହେତୁ ତାଙ୍କର କରଣୀୟ କାର୍ଯ୍ଯସବୁ ସମ୍ପନ୍ନ କରିବା ସୁଗମ ହେଉଥାଏ । ଏହି ସମୟରେ ଦିନେ ଦେବର୍ଷି ନାରଦ ଆସି ମହର୍ଷି ବାଲ୍ମୀକିଙ୍କର ସେହି ଆଶ୍ରମରେ ଉପସ୍ଥିତ ହେଲେ । ଦେବର୍ଷି ନାରଦଙ୍କୁ ଦେଖିଲାମାତ୍ରେ ମହର୍ଷି ବାଲ୍ମୀକି ନିଜ ଆସନରୁ ଉଠିଯାଇ ଆଶ୍ରମ ମଧ୍ଯକୁ ପାଛୋଟି ଆଣିଲେ । ସେ ଦେଵର୍ଷି ନାରଦଙ୍କର ଚରଣ ଧୌତକରି ଯଥାବିଧିରେ ପାଦପୂଜା କଲେ । ଦେଵର୍ଷି ନାରଦଙ୍କୁ ଉପଯୁକ୍ତ ଆସନରେ ବସାଇ ତାଙ୍କୁ ନାନାବିଧ ଫଳମୂଳ ଭୋଜନ କରିବାକୁ ଦେଲେ । ଦେବର୍ଷି ନାରଦ ଫଳମୂଳ ଭୋଜନକରି ସେଠାରେ ବିଶ୍ରାମ ନେଲେ । ଦେବର୍ଷି ନାରଦଙ୍କୁ ମହର୍ଷି ବାଲ୍ମୀକି କହିଲେ--ପରମ ପୂଜନୀୟ ହେ ମହର୍ଷି, ମୋର ସମସ୍ତ ପୁଣ୍ଯକର୍ମ ଆଜି ସଫଳ ହେଲା,ଯେହେତୁ ମୋ ଆଶ୍ରମରେ ମୁଁ ଆପଣଙ୍କ ଦର୍ଶନ ଲାଭ କଲି । ଆପଣଙ୍କ ଚରଣ ସ୍ପର୍ଶରେ ମୋର ଆଶ୍ରମ କୋଟିଗୁଣରେ ପଵିତ୍ର ହୋଇଛି । ହେ ଦେଵର୍ଷି ,ଆପଣ ତ ସ୍ବର୍ଗ,ମର୍ତ୍ତ୍ଯ ଓ ପାତାଳ ତିନିପୁରର ସମସ୍ତ ସମ୍ବାଦ ରଖିଥାନ୍ତି । ବେଦବର ବ୍ରହ୍ମାଙ୍କର ସୁତ ଆପଣ । ଆପଣଙ୍କୁ ବା କୋଉ କଥା ଅଜଣା ? ତେଣୁ ମୁଁ ଆପଣଙ୍କୁ ଗୋଟିଏ କଥା ପଚାରିବାକୁ ମନସ୍ଥ କରିଛି । ଆପଣ ମୋର ସେହି ପ୍ରଶ୍ନର ଉତ୍ତର ଦେଲେ ମୋ ମନ ଉପରେ ମାଡିବସିଥିବା ସମସ୍ତ ଭାରା ଦୂରୀଭୂତ ହେବ ଏବଂ ମୋ ମନ ହାଲୁକା ଲାଗିବ । ଆପଣ ମୋ ପ୍ରତି ଟିକିଏ ଦୟାକଲେ ମୋ ପ୍ରଶ୍ନର ଉତ୍ତର ମୁଁ ଆପଣଙ୍କଠାରୁ ପାଇପାରିବି । ନାରଦ ପଚାରିଲେ --ବ୍ରହ୍ମର୍ଷି ବାଲ୍ମୀକିଙ୍କ ମନରେ କେଉଁ ପ୍ରଶ୍ନ ବା ଉଦିତ ହୋଇପାରେ ? ହେ ବ୍ରହ୍ମର୍ଷି ବାଲ୍ମୀକି, ଆପଣଙ୍କ ମନରେ ଉଦିତ ହୋଇଥିବା ପ୍ରଶ୍ନ ମୋତେ କୁହନ୍ତୁ । ମୁଁ ତା'ର ଯଥାର୍ଥ ଉତ୍ତର ଦେବାରେ ଟିକିଏ ହେଲେ ହେଳା କରିବି ନାହିଁ । ସଙ୍ଗେ ସଙ୍ଗେ ତହିଁର ଉତ୍ତର ଦେଇ ଆପଣଙ୍କର ସନ୍ତୋଷ ବିଧାନ କରିବି ।
ଦେଵର୍ଷି ନାରଦଙ୍କ କଥା ଶୁଣି ମହର୍ଷି ବାଲ୍ମୀକି କହିଲେ--ହେ ଦେଵର୍ଷି, ମୋ ମନରେ ଉଦିତ ହୋଇଥିବା ପ୍ରଶ୍ନଟି ହେଉଛି-ପୃଥିବୀରେ ଏପରି କୌଣସି ରାଜା ଅଛନ୍ତି ଯେ କି ରୂପରେ ପରମସୁନ୍ଦର,ଗୁଣରେ ସର୍ବସୁଗୁଣଯୁକ୍ତ,ଦୟାବନ୍ତ,ଧର୍ମବନ୍ତ,ପ୍ରଶାନ୍ତହୃଦୟ,କାମକ୍ରୋଧଲୋଭବିବର୍ଜିତ,ଜିତେନ୍ଦ୍ରିୟ, ବାହୁବଳରେ ସର୍ବଶ୍ରେଷ୍ଠ ବଳୀୟାନ, ମଧୁରଭାଷୀ ପ୍ରଜାପାଳନରେ ସର୍ଵଶ୍ରେଷ୍ଠ ଓ ପରମପିତୃମାତୃଭକ୍ତ ଏବଂ ଯେ କି ସାଧୁମାନଙ୍କ ହିତକଳ୍ପେ ଦୁଷ୍ଟମାନଙ୍କୁ ମାରି ସନ୍ଥମାନଙ୍କୁ ପାଳନ କରନ୍ତି ଏବଂ ଯେ କି ବେଦ ବିଦ୍ଯାରେ ମଧ୍ଯ ଧୁରନ୍ଧର ଓ ଯେ କି ସମସ୍ତ ସୁଵ୍ରତମାନ ପାଳନ କରନ୍ତି ଏବଂ ଯାହାଙ୍କ ଚରିତ ପରମ ପଵିତ୍ର ଅଟେ । ହେ ବ୍ରହ୍ମାତନୟ ଦେବର୍ଷି, ଆପଣ ତ ସର୍ଵଜ୍ଞ,ଆପଣଙ୍କୁ ବା କୋଉ କଥା ଅଜ୍ଞାତ ଅଛି ? ଦୟାକରି ମୋର ଏହି ପ୍ରଶ୍ନର ଉତ୍ତର ଦେଇ ଆପଣ ମୋର ମନୋଭାରା ଲାଘବ କରନ୍ତୁ । ବାଲ୍ମୀକିଙ୍କ ପ୍ରଶ୍ନର ଉତ୍ତର ଦେଵାକୁ ଯାଇ ଦେବର୍ଷି ନାରଦ ପରମଆନନ୍ଦରେ କହିବାରେ ଲାଗିଲେ--ହେ ଦେବର୍ଷି ବାଲ୍ମୀକି, ତୁମ୍ଭେ ମୋତେ ଯେଉଁ ପ୍ରଶ୍ନ ପଚାରିଲ ବା ମୋଠାରୁ ଯେଉଁ ବିଷୟ ଜାଣିବାକୁ ଚାହିଁଲ ସେ ବିଷୟ ମୁଁ ତୁମ୍ଭଙ୍କୁ କହୁଛି,ଶୁଣ । ଜଗତରେ ସେହି ଏକମାତ୍ର ପରମପୁରୁଷ ହେଉଛନ୍ତି ଶ୍ରୀରାମ ଯେ କି ଅଯୋଧ୍ୟାର ରାଜା ଦଶରଥଙ୍କ ଔରସରୁ ଦଶରଥଙ୍କ ସବା ବଡ଼ରାଣୀ କୌଶଲ୍ୟାଦେବୀଙ୍କ ଗର୍ଭରୁ ଜାତ ହୋଇଛନ୍ତି । ଅଯୋଧ୍ୟାର ରାଜା ଦଶରଥ ସୂର୍ଯ୍ଯବଂଶୀୟ ହୋଇଥିବାରୁ ତାଙ୍କ ଜ୍ଯେଷ୍ଠପୁତ୍ର ଶ୍ରୀରାମ ସୂର୍ଯ୍ଯବଂଶୀୟ ଅଟନ୍ତି । ସେହି ଶ୍ରୀରାମଙ୍କଠାରେ ସର୍ବସୁଗୁଣ ପୂରି ରହିଅଛି । ଶ୍ରୀରାମ ଦେଖିବାକୁ ଏଡେ ସୁନ୍ଦର ଯେ,ରୂପରେ ସ୍ବୟଂ କଦର୍ପ ମଧ୍ଯ ଶ୍ରୀରାମଙ୍କ ସହିତ ସମାନ ହେବ ନାହିଁ । ନୀଳମେଘ ପରି ଶ୍ରୀରାମଙ୍କର ଶରୀରର ବର୍ଣ୍ଣ । ତାହାଙ୍କ ଶରୀରର ଉଭୟ ପାର୍ଶ୍ବ ବିଶାଳ ଅଟେ । ଆଜାନୁଲମ୍ବିତ ବାହୁ । ତାହାଙ୍କର ଗଣ୍ଡସ୍ଥଳ ଉଚ୍ଚ ଏବଂ ତାହାଙ୍କର ଛାତି ବିସ୍ତୃତ । ତାହାଙ୍କର ଗ୍ରୀବାଦେଶ କମ୍ଵୁ ବା ଶଙ୍ଖ ସଦୃଶ ଶୋଭନୀୟ । ତାହାଙ୍କର ଦନ୍ତପନ୍ତି ଡାଳିମ୍ବବୀଜଠାରୁ ଅଧିକ ସୁନ୍ଦର । ତାହାଙ୍କର ରଙ୍ଗଅଧର ପାଚିଲା କଇଁଚିକାକୁଡିକୁ ବଳି ଲାଲବର୍ଣ୍ଣ । ତାହାଙ୍କର ଚାଲି ମତ୍ତଗଜର ଚାଲି ସଦୃଶ । ତାହାଙ୍କର ଶରୀରର ଦୃଶ୍ଯ ସମସ୍ତଙ୍କୁ ବଳି ଅଧିକ ମନୋହର । ସେ ହେଉଛନ୍ତି ସତ୍ଯସନ୍ଧ । ତାଙ୍କଠାରେ ସତ୍ଯ,ଦୟା ଓ ଧର୍ମଭାବ ପୂରି ରହିଅଛି । ସେହିଭଳି ତାଙ୍କଠାରେ ରହିଛି ପରମପ୍ରଶାନ୍ତି । ସମସ୍ତ ନଦୀ ଯେପରି ଯାଇ ସମୁଦ୍ରରେ ପଡିଛନ୍ତି ସେହିପରି ସକଳ ସୁଗୁଣ ଯାଇ ଶ୍ରୀରାମଙ୍କଠାରେ ସ୍ଥାନ ନେଇଛନ୍ତି । ଶ୍ରୀରାମ ବେଦଶାସ୍ତ୍ର,ଧନୁର୍ବିଦ୍ଯା, ଯୁଦ୍ଧବିଦ୍ଯା ଓ ରାଜନୀତି ତଥା ଶାସନପ୍ରଣାଳୀରେ ଧୁରନ୍ଧର ଅଟନ୍ତି । ସମସ୍ତ ନୀତିଶାସ୍ତ୍ର ତାଙ୍କୁ ଭଲଭାବରେ ଜଣା ଅଛି । ସେ ମହାବୀର ଓ ମହାଶକ୍ତିଶାଳୀ । ସେ ଜିତେନ୍ଦ୍ରିୟ ଓ ଆତ୍ମଜ୍ଞାନରେ ଜ୍ଞାନୀ । ସେ ପରମଧାର୍ମିକ । ସେ ଯଥାବିଧିରେ ପ୍ରଜାପାଳନ କରନ୍ତି । ସେ ଦୁଷ୍ଟମାନଙ୍କୁ ବିନାଶ କରି ସନ୍ଥମାନଙ୍କୁ ପାଳନ କରନ୍ତି । ସେ ହେଉଛନ୍ତି ଦୀନବନ୍ଧୁ ଓ ଅରକ୍ଷରକ୍ଷଣକାରୀ । ତାଙ୍କଠାରେ ଯେତେ ସଦଗୁଣ ରହିଛି ସେସବୁକୁ ବର୍ଣ୍ଣନା କରିବା ପାଇଁ ଭାଷାର ଶକ୍ତି ନାହିଁ ।
ଶ୍ରୀରାମଙ୍କ ପରି ସୁଯୋଗ୍ଯ ପୁତ୍ର ପାଇ ଦଶରଥ ଶ୍ରୀରାମଙ୍କୁ ଅଯୋଧ୍ୟାର ରାଜା କରିବା ଲକ୍ଷ୍ଯରେ ତାଙ୍କୁ ପ୍ରଥମେ ଯୁବରାଜ ପଦରେ ଅଭିଷିକ୍ତ କରିବା ସକାଶେ ସମସ୍ତ ଯୋଗାଡଯନ୍ତ୍ର କରିବା ପାଇଁ ପ୍ରଧାନମନ୍ତ୍ରୀ ସୁମନ୍ତଙ୍କୁ ଆଦେଶ ଦେଲେ । ଦଶରଥଙ୍କର ଏହି ଆଦେଶ ସଙ୍ଗେ ସଙ୍ଗେ କାର୍ଯ୍ଯକାରୀ ହେଲା । ସୁମନ୍ତଙ୍କ ନିର୍ଦ୍ଦେଶରେ ଅଯୋଧ୍ୟାର ସମସ୍ତ ରାଜକର୍ମଚାରୀ ଶ୍ରୀରାମଙ୍କ ଅଭିଷେକୋତ୍ସବ ପାଇଁ ସମସ୍ତ ଯୋଗାଡରେ ଲାଗିପଡିଲେ । ଅଯୋଧ୍ୟାର ସକଳ ପ୍ରଜା ଏଥିରେ ପରମଆଗ୍ରହରେ ସହଯୋଗ ଦେଲେ । ଦଶରଥଙ୍କ ମଧ୍ଯମାରାଣୀ କୈକେୟୀ ନିଜର ଦୁଷ୍ଟଦାସୀ ମନ୍ଥରାର କୁପରାମର୍ଶରେ ପରିଚାଳିତ ହୋଇ ସଙ୍ଗେ ସଙ୍ଗେ ଦଶରଥଙ୍କୁ ଦୁଇଗୋଟି ବର ମାଗିବସିଲେ । ଏହି ଦୁଇଟି ବର ତାଙ୍କୁ ପୂର୍ବେ ଦଶରଥ ଦେବାପାଇଁ ସତ୍ଯ କରିଥିଲେ ଓ ଏହି ଦୁଇଟି ବର ପୂରଣ ପାଇଁ ସେ କ'ଣ ମାଗିବେ ସେକଥା ସମୟକ୍ରମେ ସ୍ଥିରକରି କହିବେ ବୋଲି ଦଶରଥଙ୍କୁ କୈକେୟୀ କହିଥିଲେ । ବର୍ତ୍ତମାନ ସେହି ଦୁଇ ବର ପାଇଁ କୈକେୟୀ ଅଡିବସିଲେ--ରାମ ଚଉଦ ବର୍ଷ ପାଇଁ ବନକୁ ଯାଉ ଓ ଭରତ ଅଯୋଧ୍ୟାର ରାଜା ହେଉ । ଭରତ ହେଉଛନ୍ତି କୈକେୟୀଙ୍କ ଗର୍ଭରୁ ଦଶରଥଙ୍କ ଔରସରୁ ଜାତ ପୁତ୍ର । ଉପସ୍ଥିତ ସମୟରେ ପରମଭ୍ରାତୃଭକ୍ତ ଭରତ କେକୟ ଦେଶରେ ତାଙ୍କ ମାମୁଁ ଘରେ ରହିଥିଲେ । ତେଣୁ କୈକେୟୀଙ୍କର ଏହି ଷଡଯନ୍ତ୍ର ବିଷୟରେ ସେତେବେଳେ ସେ କିଛିହେଲେ ଜାଣି ନଥିଲେ ।
କ୍ରମଶଃ .......

*ସଂଗ୍ରହକାରୀ--ନରେନ୍ଦ୍ର ପ୍ରସାଦ ବେହେରା, ଆଳଦା, ଖଇରା,ବାଲେଶ୍ଵର, ମୋ--୯୮୫୩୧୪୨୫୧୦*


ରଚନା : ନରେନ୍ଦ୍ର ପ୍ରସାଦ ବେହେରା

ଠିକଣା : ଆଳଦା, ଖଇରା,ବାଲେଶ୍ଵର ଦୂରଭାଷ : ୯୮୫୩୧୪୨୫୧୦


Post a Comment

0 Comments