Ad

header ads

କବିତା - ଫୁଲ ବଉଳବେଣୀ - ଗୋପାଳକୃଷ୍ଣ ଆଚାର୍ଯ୍ୟ

।।ଫୁଲ ବଉଳବେଣୀ।।
ଆଜିର ସକାଳ ସେମିତି କିଛି ନଥିଲା ମୋପାଇଁ
ଯେମିତି ଲାଗୁଥିଲା ଚାରିବରଷ ତଳେ।
ସକାଳଟା ଲାଗୁଥିଲା ଵିଲକୁଲ ଧୋବ ଫରଫର।

କୁଲାରେ କୁଲାଏ ଅଛଡାଖଇ
ଖଣ୍ଡକୋଳା ଜହ୍ନିକଷି କାକୁଡିକଷି
ଭଉଣୀମାନଙ୍କୁ ପଙ୍କ୍ତିରେ ରଖି
ଵୋଉ ବାଢି ଦେଉଚି ଆଞ୍ଜୁଳି
ସୂରୁଯଦେଵତାଙ୍କୁ ସଙ୍ଖୋଳୁଚି
ଖଣ୍ଡମଣ୍ଡଳ କମ୍ପୁଚି ହୁଳହୁଳି।
ପିଣ୍ଡାଦାଢରେ ଲୁହ ସରସର ମୁଁ
ମୋର ନୂଆଜାମା କାଇଁ
ମୁଁ କିଆଁ ଲଗେଇନି ଅଳତା
ଵୋଉ ମୋତେ ଭଲ ପାଉନି କାଳେ।
ବୋଉ ମୋ ହାତରେ ଦିଏ ଆଞ୍ଜୁଳି
ହସୁଥାଏ/ହୁଳହୁଳି ଛାଡୁଥାଏ
ମାଇଚିଆ ଗୋଖେଇ ସାହୁ
ପଛରୁ ଟାହୁଲା ଶୁଣୁଥାଏ।
ଵୋଉ ପଡୋଶୀଙ୍କୁ ଗାଳି ଦେଇ ଦେଇ
ପୂର୍ବଦିନଠୁ ଗୋଟେଇ ଥାଏ ସାମଗ୍ରୀ
ପାଲୁଣିଠୁ ନୂଆକୁଲେଇ ମୁଲେଇ
ଧୋଇ ଶୁଖେଇଥାଏ ଖରାରେ
ପୁଆପହରୁ ଚିଲଉଥାଏ
ଉଠରେ !ନହେଲେ ପାଇବ ଵୁଢାବର
ନନା ବର ପାଇଁ ବୁଲୁଥଵ
ଅଘରଦୁଆରୀ।

ସେମିତି କିଛି ହେଲାନି
ସମସ୍ତେ ତ ଉଠିଥିଲେ ସମୟରେ
ମୁଁ ଵି ଉଠିଥିଲି ଵାଦରେ
ଆଞ୍ଜୁଳି ଲୋଭ ଅଵା
ନୂଆଜାମା ଫାଇଦାରେ
ସମସ୍ତେ ରହିଲେ ଭଲରେ
ନନାଙ୍କୁ ପଡିଲାନି ଦେବାକୁ ନାକଘଷା
ଅଥଵା ଵୁଲିବାକୁ ଚକିରୀଦୋଳି।

ଏଵେ ମୋ ଝିଅର ପାଳି
ଚାରିବରଷ ତଳୁ ଗଲାଣି ଵୋଉ
ଝିଅ କାନ୍ଦି କାନ୍ଦି ଦଉଚି
ମନଇଚ୍ଛା ଗାଳି।

ଭଉଣୀମାନେ ସଂଜକୁ ଚଉରାମୂଳେ
ଚାନ୍ଦ ଵନ୍ଦାଉଥିଲେ
ଚାନ୍ଦଚକଟା ଖାଉଥିଲେ
ରାତିକୁ ଛାତରେ ଲଣ୍ଠନ ଜାଳି
ଚିଲଉଥିଲେ ଫୁଲ ବଉଳବେଣୀ,
ମୋ ଝିଅ ଚାନ୍ଦ ବନ୍ଦାଏ
ସହରୀ ଢାଞ୍ଚାରେ
ଏଠି ଚାନ୍ଦ ବି ସାହଵାଣୀ।

ମୋ ଝିଅ ପାଇଁ ନାହିଁ ଫୁଲ ବଉଳ ଵେଣୀ
କି ଫୁଲ କି ବଉଳ କି ବେଣୀ
ଵଜାରରେ ସେ ଵହି ମିଳୁନି।

ସମସ୍ତଙ୍କ ବରାଦରେ ଦିନେ
ଲେଖିଥିଲି ଚଟିଖାତା
ଫୁଲବଉଳବେଣୀ
ଗାଇଲା ସାନଭଉଣୀ
ହେଲେ ଝିଅର ପସନ୍ଦ ନହୋଇପାରେ
ସେ ଗୀତ ସେ କାହାଣୀ।

ବୋଉଲୋ!
ଫେରି ଆସନ୍ତୁନି ଲହରଟେ ହେଇ
ଉଚ୍ଚାଙ୍ଗ ଓଷ୍ଠଗହ୍ବରର
ଅଥଵା ସୁରଟିଏ ହେଇ
ମୋହନ କୈଶୋରର।

ସତରେ
ଗତାୟୁ ସପନକୁ ବୋଧେ
କୁହାଯାଏ ଅଵସୋସ।।
।।ଗୋପାଳକୃଷ୍ଣ।।


ରଚନା : ଗୋପାଳକୃଷ୍ଣ ଆଚାର୍ଯ୍ୟ

ଠିକଣା : ମହିରା,କୋର୍ତ୍ତଲ,ଜଗତସିଂହପୁର ଦୂରଭାଷ : ୯୭୭୬୫୩୬୩୦

Post a Comment

0 Comments