Ad

header ads

କ୍ଷୁଦ୍ରଗଳ୍ପ - ନିଦରେ ବି ସେ ଆସୁଛି - ପଲ୍ଲବୀ ଦାସ

କାନ୍ଥରେ ମୁଣ୍ଡ ପିଟି ହବା ସ୍ଵରରେ ଚମକି ପଡ଼ି, ଚାରିଆଡ଼େ ଅନେଇ ଦେଖି ଦେଲି ଅଫିସରେ କେହି କୁଆଡେ ନଥିଲେ ସବୁ ଖାଇବାକୁ ପଳେଇ ଥିଲେ, ମୁଣ୍ଡଟାକୁ ଆଉଁଷି ଆଉଁଷି ପାଣି ଟିକେ ପିଇ ପୁଣି କାମ ଆରମ୍ଭ କଲି | ନିଦ ରହି ରହି ଆସୁଛି, ଦିପହର ଖାଇବାଟା ବୋଧହୁଏ ଜୋରଦାର୍ ହେଇଚି | କାନରେ ପୁଣି ତାର ସ୍ଵର ବାଜୁଛି - ଆସିବୁ ନା ତୋ ମାମାକୁ କହିବି ଖାଉନି ତୋ ଝିଅ ତାକୁ ନେଇଯା' ସାଙ୍ଗରେ | ବାସ୍ ଏତିକି ଡରେଇ ଜାଣିଥିଲା କିନ୍ତୁ କେବେ ମାମା ଆଗରେ କିଛି କହିନି, ଓଲଟି ମାମାର ରାଗଠାରୁ ସବୁବେଳେ ବଞ୍ଚେଇଚି | ମୁହଁ ଆଗରେ କମ୍ପ୍ୟୁଟର୍ ର ସ୍କ୍ରିନ୍ କିନ୍ତୁ ମନ ପୁଣି ଝୁରିବା ଆରମ୍ଭ କରିଦେଲା ସେଇ ପିଲା ଦିନକୁ | କିଛି ସମୟ ପାଇଁ ଇଛା ହେଲା ସବୁ ଭୁଲି ପୁଣି ସେଇ ଆଇମାର ଦୁନିଆକୁ ଚାଲି ଯିବାକୁ | ଠିକ୍ ଏଇ ସମୟ ତ, ସେ କେତେ ଡାକେ ଆମକୁ ଖାଇବାକୁ, ଆମେ ଭାଇ ଭଉଣୀ ଦୁହେଁ ଘୁରି ବୁଲୁଥିବୁ | ନିଜେ ଡାକି ଡାକି ଯିବ, ତାପରେ ଅଜାଙ୍କୁ ପଠେଇବ, ତଥାବି ଯଦି ନ ଆସିଲୁ ତେବେ ଆରମ୍ଭ କରିଦବ ତା'ର ନିତିଦିନିଆ ବାଣୀ - "ଆସିବ ନା ତମ ମାମାକୁ ଫୋନ କରି କହିବି ନେଇଯା ତୋ ଛୁଆଙ୍କୁ ମୋ କଥା ମାନୁ ନାହାଁନ୍ତି "| ବାସ୍ ଏତିକି ରେ ଆମେ ଦିଟା ଖାଇବା ଥାଳି ପାଖରେ ବସିଯାଉ | ଅଜା ବସିଥିବେ ଖାଇବା ପାଖରେ ଆମକୁ ଅପେକ୍ଷା କରି | ଆମ ଥାଳି ସେଇ ଏକା ଅଜାଙ୍କ ପିତ୍ତଳ ଥାଳି ଥିଲା ଅଉ ବେଳେ ବେଳେ କଦଳୀ ପତ୍ର | ଖୁବ୍ କମ୍ ସମୟ ହୋଇଥିବ ଯେବେ ଆମ ଖାଇବା ଆଇମା ଅଲଗା ପରଷି ଥିବ | ସେ ଆଉ ନାହିଁ କି ଅଜାଙ୍କ ସହ ବସି ସେଇ ପିତ୍ତଳ ଥାଳିରେ ଘିଅ ଭାତ ଅଉ ତା ସହ ଆଇମାର ହାତ ରନ୍ଧା ଡାଲମା, ଶାଗ ଭଜା ସହ ବଡ଼ିଚୁରା ଖାଇବାର ଭାଗ୍ୟ ଆଉ ନାହିଁ | ସବୁ ସରିଯାଇଛି ତା ଚାଲିଯିବା ପରଠାରୁ | ୧୫୦୦ ରୁ ଅଧିକ କିଲୋମିଟର ହବ ମୁଁ ଘରଠାରୁ ଦୂରରେ ଅଛି ତଥାବି ନିତି ଖରାବେଳେ ଖାଇବା ପରେ ନିଦଟା ଆଉ ଆଗ ପରି ହଉନି ବାସ୍ ଟିକେ ଢୋଳେଇ ପଡୁଚି ଆଉ ସବୁ ଦିନ ତାକୁ ମନେ ପକେଇ ହସି ଦଉଛି | ଏବେ ବି ମନେ ଅଛି ସମସ୍ତଙ୍କ ଖାଇବା ସରିଯିବ, ଖାଇବା ଥାଳି ପାଖରେ ସବୁ ମତେ ଏକା ଛାଡ଼ି ଚାଲିଯିବେ ଶୋଇବାକୁ କିନ୍ତୁ ସେ ଆସିବ ତା ସବୁ କାମ ଅଧାରେ ଛାଡ଼ି ମତେ ଭାତ ଗୁଣ୍ଡା କରି ଖୁଆଇ ଦବାକୁ | କେତେ ସ୍ନେହ ଥିଲା ସେଇ ସରୁ ହାତରେ, "ମୋ ମାଆଟା ପରା ଆଉ ଟିକେ ଖାଇଦେ" କହି କହି ସବୁ ଖୁଆଇ ଦେଇ ପେଟ ପୁରାଇ ଦେଇଥିବ, ପାଣି ପାଇଁ ଜାଗା ନଥିବ | ଖାଇବା ପରେ ପାଣି ପିଇବାକୁ ବି ପଛରେ ଲାଗିଥିବ, ବାସ୍ ତା ପରର ଅବସ୍ତା ହେଲା ନିଘୋଡ଼ ନିଦରେ ଅଜାଙ୍କ ଦୁଇ ପାଖରେ ଆମେ ଦିଟା ଭାଇ ଭଉଣୀ ଶୋଇଯାଉ | ପୁଣି ଉପରବେଳା ଟିକେ ବୁଲାବୁଲି ସାରିଦେଇ, ସନ୍ଧ୍ୟାରେ ଆସି ବସିଯାଏ ଘର ପାହାଚରେ ଆଇମା'ର ଫେରିବା ବାଟକୁ ଚାହିଁ | ସେ ନିତି ଦିନ ମଙ୍ଗଳାଙ୍କ ମନ୍ଦିର ଯାଏ ସେଠୁ ଫେରି ମୋ ହାତରେ ଭୋଗ ଧରେଇ ଦେଇ ଚାଲି ଯାଏ ଘର ଭିତରକୁ ସନ୍ଧ୍ୟା ଆଳତି କରିବାକୁ | ମୁଁ କେବେ କେବେ ମଙ୍ଗଳା ସ୍ତୁତି ପାଠ କରିବାକୁ ବସିଯାଏ ତା' ପାଖରେ, ଅଜା ବାହାରେ ବସି ଶୁଣନ୍ତି ମୋ ମଙ୍ଗଳା ସ୍ତୁତି ଆଉ ହନୁମାନ ଚାଳିଶା | ଏବେ ସବୁ କିଛି ପରିବର୍ତ୍ତନ ହୋଇଯାଇଛି | ଆଇମା'ର ଇଛା ଥିଲା ମୁଁ ଚାକିରି କରି ନିଜ ଗୋଡରେ ଠିଆ ହୁଏ, ତା ଇଛା ମୁତାବକ ହୋଇଗଲି , ଚାକିରି ବି କଲି କିନ୍ତୁ ସେ ଆଉ ନାହିଁ | କେବେକେବେ ସନ୍ଧ୍ୟାରେ ପାଠ କରେ ହନୁମାନ ଚାଳିଶା ଆଉ ମଙ୍ଗଳା ସ୍ତୁତି କିନ୍ତୁ ସେ ନାହିଁ ଶୁଣିବାକୁ ବାସ୍ ଆଖି କୋରଡରେ ଲୁହ ଚାଲିଆସେ | ଅଫିସ୍ ରୁ ଫେରି ଦିନେ ଦିନେ ଅଜାଙ୍କ ସହ ବୋହୁତ୍ ଗପେ, ଚେଷ୍ଟା କରେ ଆଇମା କଥା କିଛି ନ ମନେ ପକେଇବାକୁ, ଅଜାଙ୍କୁ ଦୁଃଖ ଲାଗିବ ଭାବି କିନ୍ତୁ ଏ ଖଲ ଖଲ ପାଟିରେ ସବୁ ବେଳେ ତା କଥା ହିଁ ଆସିଯାଏ ଆଉ ଅଜା ହସି ଦିଅନ୍ତି ମୋ କଥା ଶୁଣି ବାସ୍ ତାଙ୍କ ହସ ଟିକେ ଶୁଣି ଦେଲେ ଶାନ୍ତିରେ ଦିନ ବିତିଯାଏ |

ତା ଚାଲି ଯିବାକୁ ବୋହୁତ୍ ବର୍ଷ ବିତି ଗଲାଣି କିନ୍ତୁ ଏବେ ବି ଲାଗୁଛି ସେ ସବୁ ଜାଗାରେ ଅଛି ଆଉ ତା ସ୍ଵର ଠିକ୍ ସେମିତି ଜୀବନ୍ତ ହୋଇ ରହିଛି | ଲାଗୁଛି ମୋ ପାଖରେ ବସି ସେ କ'ଣ କ'ଣ ସବୁ ତାଗିଦ୍ କରି କହି ଯାଉଛି , ପୁଣି ମୋତେ ଖୁଆଇବା ପଛରେ ଲାଗିଯାଇଛି |


ରଚନା : ପଲ୍ଲବୀ ଦାସ

ଠିକଣା : ଗାୟତ୍ରୀ ନଗର, ନୂଆ ଶାସନ, ଢେଙ୍କାନାଳ, ଓଡିଶା ଦୂରଭାଷ :


Post a Comment

0 Comments