Ad

header ads

କବିତା - ଜୀବନ, କାମନା, ଦୁଃଖ - ବିନୟ ମହାପାତ୍ର

ଜୀବନ ମାନେ କି ଯନ୍ତ୍ରଣା ଖାଲି,
ଆଉ କେଇ ଟୋପା ଲୁହ,
ଆଖି କୋଣୁ ନିତି ଝରି ବୋହିଯାଏ,
ଭିଜେ ଆଖି ପତା ଓଠକୁ ଭିଜାଏ
ନା' ତୁମ କାନି ନା' ମୋ ଚିବୁକ
କେମିତି ଧରିବ କୁହ।

ଯନ୍ତ୍ରଣାର ଏଠି ଅନ୍ତ ନାହିଁ କେବେ
ଅଥଳ ସାଗର ପରି ।
ଯନ୍ତ୍ରଣା ଭିତରେ ଜୀବନ ଯେମିତି
ପଙ୍କେ ଲପଟପ, ହୁଏ ଛଟପଟ
ଦେଖାଇ ହୁଏନା ଦେଖିବି ହୁଏନା
ସାଗରେ ଜଳର ଲବଣ ସରି ।।

ଜୀବନରେ ଯେତେ ଯନ୍ତ୍ରଣା ଆସେ
ମଣିଷର ମନ କାମନା ଜାତ,
ମନ ମାନେ ନାହିଁ ଅବୁଝା ପିଲାଟେ
ସରଗ ଚାନ୍ଦକୁ ବଢାଏ ହାତ,
ଜହ୍ନ ମିଳେ ନାହିଁ ମନ ମରିଯାଏ
ହେଲେ ବୁଝେ ନାହିଁ ମନ,
ସଞ୍ଜ ନଇଁଗଲେ ଆକାଶକୁ ଚାହେଁ
ଜହ୍ନ ଖୋଜେ ପ୍ରତିଦିନ ।।

ନଦୀ ବୋହି ଆଣେ କେତେ ଯେ ଲବଣ,
ମିଶେ ପ୍ରତିଦିନ ଅଗାଧ ସମୁଦ୍ରେ ଜଳେ,
ଅନ୍ତହୀନ ଏଠି କାମନାର ଧାରା,
ଜୀବନ ଜଳଧୀ କାମନାରେ ଭରା
ଅନନ୍ତ ଯନ୍ତ୍ରଣା ଜୀବନେ ଭରଇ,
ସୁଖ ଦିଏ ନାହିଁ ଧରା ।।

କାମନା ବିନାଶେ ଦୁଃଖର ବିନାଶ
ହେଲେ, କାମନା ଯେ ଅବିନାଶୀ,
ସଙ୍ଗ ଛାଡେ ନାହିଁ ମରିବା ଯାଏ ।
ଲଗାମକୁ ଛାଡି ପାଗଳା ଘୋଡାରେ
ଜୀବନ ଜଳଇ କାମନା ନିଆରେ,
ଦୁଃଖ ବି ଯିବ ଆପଣା ପଥେ,
ଜୀବନେ ଫେରିବ ଖୁସି ।।

●●●●☆●●●



ରଚନା : ବିନୟ ମହାପାତ୍ର

ଠିକଣା : ପଟିଆ ଭୂବନେଶ୍ୱର ଦୂରଭାଷ :

Post a Comment

0 Comments