Ad

header ads

ପୁରାଣ କଥା - ଜମଦଗ୍ନି ଙ୍କ ଚିତାଗ୍ନିରେ ପତ୍ନୀ ରେଣୁକାଙ୍କ ଦେହତ୍ୟାଗ - ନରେନ୍ଦ୍ର ପ୍ରସାଦ ବେହେରା

*ରାମାୟଣରୁ କିଛି.........୬୦*

*ଜମଦଗ୍ନିଙ୍କ ଚିତାଗ୍ନିରେ ପତ୍ନୀ ରେଣୁକା ଦେହତ୍ଯାଗ କଲେ କାହିଁକି ?*

ଭୃଗୁଙ୍କ ବଂଶରେ ଋଚିକମୁମନିଙ୍କର ତନ୍ମ । ଋଚିକ ଗାଧିରାଜାଙ୍କ ଝିଅ ସତ୍ଯବତୀଙ୍କୁ ବିଵାହ କରିଥିଲେ । ଗାଧିରାଜାଙ୍କର ପୁଅ ନ ହେବାରୁ ଗାଧିରାଜାଙ୍କ ରାଣୀ ସୁଲକ୍ଷଣା ନିଜ ଝିଅ ସତ୍ଯବତୀଙ୍କ ଘରକୁ ଯାଇ ସତ୍ଯବତୀଙ୍କୁ ବଡ଼ ଦୁଃଖରେ ନିଜର ମନୋବେଦନା ଜଣାଇଲେ । ଏକଥା ସତ୍ଯବତୀ ନିଜ ସ୍ବାମୀ ଋଚିକମୁନିଙ୍କୁ କହିବାରୁ ଋଚିକମୁନି ପୁତ୍ରେଷ୍ଟି ଯଜ୍ଞ କଲେ । ସେହି ଯଜ୍ଞରୁ ଚରୁ ଜାତହେଲା । ସେହି ଚରୁକୁ ଋଚିକମୁନି ଦୁଇଭାଗ କରି ଉଭୟ ଭାଗକୁ ଭିନ୍ନ ଭିନ୍ନ ପ୍ରକାରରେ ମନ୍ତ୍ର ସିଦ୍ଧ କଲେ । ଗାଧିରାଜା କ୍ଷତ୍ରିୟ ହୋଇଥିବାରୁ ତାଙ୍କ ପୁତ୍ର କ୍ଷତ୍ରିୟଗୁଣର ହେବା ଉଚିତ । ତେଣୁ ସେହି ଭାଗ ଚରୁକୁ ଋଚିକମୁନି ଗାଧିରାଣୀ ସୁଲକ୍ଷଣାଙ୍କ ଖାଇବା ନିମନ୍ତେ ନିର୍ଦ୍ଦିଷ୍ଟ କଲେ । ସତ୍ଯବତୀଙ୍କ ଗର୍ଭରୁ ନିଜର ଏକ ବ୍ରାହ୍ମଣପୁତ୍ର ଜାତହେବା ପାଇଁ ଋଚିକମୁନି ଆର ଭାଗଟିକୁ ସତ୍ଯବତୀଙ୍କ ଖାଇବା ପାଇଁ ନିର୍ଦ୍ଦିଷ୍ଟ କଲେ । ଋଚିକମୁନି ଦୁଇଭାଗ ଚରୁକୁ ସତ୍ଯବତୀଙ୍କ ଜିମାରେ ଦେଲେ । ତେବେ ଘଟଣାକ୍ରମେ ଦୁଇଭାଗ ଚରୁ ଅଦଳବଦଳ ହୋଇଗଲା । କାରଣ ଗାଧିରାଣୀ ସୁଲକ୍ଷଣା ପ୍ରଥମେ ଗାଧୋଇପଡି ସତ୍ଯବତୀଙ୍କ ପାଇଁ ଉଦ୍ଦିଷ୍ଟ ଚରୁକୁ ଖାଇଦେଲେ । ଏହାପରେ ସତ୍ଯବତୀ ଗାଧୋଇ ଆସି ଆର ଭାଗ ଚରୁକୁ ଖାଇଦେଲେ । ଚରୁ ଅଦଳବଦଳ ହୋଇଛି ବୋଲି ସତ୍ଯବତୀ ଜାଣିପାରିନଥିଲେ । ସଙ୍ଗେ ସଙ୍ଗେ ଉଭୟଙ୍କର ଗର୍ଭୋଦୟ ହେଲା ।
ଉଭୟଙ୍କ ଗର୍ଭ ଲକ୍ଷଣ ଦେଖି ଋଚିକମୁନି ପତ୍ନୀ ସତ୍ଯବତୀଙ୍କୁ କହିଲେ--ତୁମ ଦୁହିଁଙ୍କ ଗର୍ଭ ଲକ୍ଷଣ ଦେଖି ମୁଁ ଜାଣିପାରୁଛି ତୁମେ ଦିହେଁ ଚରୁ ଖାଇଲାବେଳେ ଚରୁ ବଦଳ ହୋଇଯାଇଛି । ତେଣୁ ସତ୍ଯବତୀଙ୍କର ବ୍ରାହ୍ମଣପୁତ୍ର ହେବ,ଆଉ ଆମ ପୁତ୍ରର ପୁତ୍ର କ୍ଷତ୍ରିୟଗୁଣଯୁକ୍ତ ହେବ । ଏଥିରେ ସତ୍ଯବତୀ ଦୁଃଖିତା ହୋଇ ଏପରି ନହେବା ପାଇଁ ଉପାୟ କରିବା ସକାଶେ ସ୍ବାମୀଙ୍କି ଅନୁରୋଧ କରିବାରୁ ଋଚିକମୁନି କହିଲେ ପ୍ରଥମେ ସୁଲକ୍ଷଣାଙ୍କ ଗର୍ଭରୁ ଗାଧିରାଜାଙ୍କର କ୍ଷତ୍ରିୟପୁତ୍ର ଜାତ ହେବ ଏବଂ ପରେ ସେ ବ୍ରାହ୍ମଣତ୍ଵ ଲାଭ କରିବ । ଆଉ ତୁମ୍ଭ ଗର୍ଭରୁ ଜାତ ପୁଅର ପୁଅ ବ୍ରାହ୍ମଣ ହେଲେ ମଧ୍ଯ କ୍ଷତ୍ରିୟ ଭଳି ବୀରପଣିଆର ଅଧିକାରୀ ହେବ । ଗାଧିରାଜାଙ୍କ ରାଣୀ ସୁଲକ୍ଷଣାଙ୍କ ଗର୍ଭରୁ ବିଶ୍ବାମିତ୍ର ଜାତ ହୋଇଥିଲେ । ଋଚିକମୁନିଙ୍କ ପତ୍ନୀ ସତ୍ଯବତୀଙ୍କ ଗର୍ଭରୁ ଜାତ ହୋଇଥିଲେ ଜମଦଗ୍ନି । ଜମଦଗ୍ନି ମହାକ୍ରୋଧି ଥିଲେ । ଜମଦଗ୍ନିଙ୍କ ପତ୍ନୀଙ୍କ ନାମ ରେଣୁକା । ରେଣୁକାଙ୍କ ଗର୍ଭରୁ ଜମଦଗ୍ନିଙ୍କର ପାଞ୍ଚପୁତ୍ର ଜାତ ହୋଇଥିଲେ । ଏହି ପାଞ୍ଚପୁତ୍ରଙ୍କ ମଧ୍ଯରେ ସର୍ବକନିଷ୍ଠ ଥିଲେ ପରଶୁରାମ । ଜମଦଗ୍ନିଙ୍କର ଅଜାଙ୍କ ନାମ ଭୃଗୁ ହୋଇଥିଲେ ମଧ୍ୟ ଜମଦଗ୍ନିଙ୍କର ଅନ୍ଯ ଏକ ନାମ ଭୃଗୁ । ତେଣୁ ପରଶୁରାମଙ୍କୁ ଭୃଗୁପୁତ୍ର ବୋଲି ମଧ୍ଯ କୁହାଯାଏ । ଅଗ୍ନି ଗୋତ୍ରରେ ଭୃଗୁଙ୍କ ବଂଶରେ ପରଶୁରାମଙ୍କର ଜନ୍ମ । ମହାବିଷ୍ଣୁଙ୍କର ଦଶ ଅବତାର ମଧ୍ଯରେ ପରଶୁରାମଙ୍କୁ ଷଷ୍ଠ ଅବତାର ରୂପେ ଗଣନା କରାଯାଏ । ତେବେ ପରଶୁରାମଙ୍କର କାର୍ଯ୍ୟକଳାପ କେତେଦୂର ଐଶ୍ବରିକ ତାହା ସାଧାରଣ ମାନବଙ୍କ ପକ୍ଷେ ସମ୍ପୂର୍ଣ୍ଣ ଅବୋଧ । ପିତା ଜମଦଗ୍ନିଙ୍କ ନିଷ୍ଠୁର ଆଦେଶ ଶୁଣୁ ଶୁଣୁ ନିଜ ଜନନୀ ରେଣୁକାଙ୍କ ମୁଣ୍ଡ କାଟିପକେଇଥିଲେ । ପୁଣି ପିତାଙ୍କ ଆଦେଶରେ ସଙ୍ଗେ ସଙ୍ଗେ ନିଜର ଜ୍ଯେଷ୍ଠ ଚାରିଭାଇଙ୍କର ମୁଣ୍ଡ କାଟିଦେଇଥିଲେ । ପିତା ଜମଦଗ୍ନି ଏଥିରେ ଖୁସିହୋଇ ବରମାଗିବାକୁ ପରଶୁରାମଙ୍କୁ କହିବାରୁ ନିହତା ଜନନୀ ରେଣୁକା ଓ ନିହତ ଭାଇ ଚାରିଜଣଙ୍କୁ ପୁନର୍ଜୀବନ ଦେବାପାଇଁ ବର ମାଗିଥିଲେ । ଫଳରେ ଜମଦଗ୍ନି ସେମାନଙ୍କୁ ପୁନର୍ଜୀବନ ଦେଇଥିଲେ ।
ପତ୍ନୀ ଓ ପୁତ୍ରମାନଙ୍କୁ ମୃତ୍ଯୁଯନ୍ତ୍ରଣା ଦେବା ଫଳରେ ପରେ ଜମଦଗ୍ନିଙ୍କର ମଧ୍ଯ ସେହି ଅବସ୍ଥା ଘଟିଥିଲା । ହୈହୟ ବଂଶର କ୍ଷତ୍ରିୟରାଜା କାର୍ତ୍ତବୀର୍ଯ୍ଯ ବା ସହସ୍ରାର୍ଜୁନଙ୍କ ଦ୍ବାରା ଜମଦଗ୍ନି ନିହତ ହୋଇଥିଲେ । ତାଙ୍କ ପାଇଁ ପୁନର୍ଜୀବନ ପାଇବାର ବାଟ ନ ଥିଲା । ଜମଦଗ୍ନିଙ୍କ ଚିତାଗ୍ନିରେ ତାଙ୍କ ପତ୍ନୀ ରେଣୁକା ପ୍ରବେଶ କରି ଦେହତ୍ଯାଗ କଲେ ।

*ସଂଗ୍ରହକାରୀ--ନରେନ୍ଦ୍ର ପ୍ରସାଦ ବେହେରା, ଆଳଦା, ଖଇରା,ବାଲେଶ୍ଵର, ମୋ--୯୮୫୩୧୪୨୫୧୦*


ରଚନା : ନରେନ୍ଦ୍ର ପ୍ରସାଦ ବେହେରା

ଠିକଣା : ଆଳଦା, ଖଇରା,ବାଲେଶ୍ଵର ଦୂରଭାଷ : ୯୮୫୩୧୪୨୫୧୦

Post a Comment

0 Comments