Ad

header ads

ପୁରାଣ କଥା - ସ୍ଵର୍ଗ ପଥରୋଧ ନିମନ୍ତେ ରାମଚନ୍ଦ୍ରଙ୍କୁ ପରଶୁରାମଙ୍କ ନିବେଦନ - ନରେନ୍ଦ୍ର ପ୍ରସାଦ ବେହେରା

*ରାମାୟଣରୁ କିଛି......୬୪*

*ସବୁକଥା କହିସାରିଲା ପରେ ସ୍ବର୍ଗଯିବା ପଥ ରୋଧ କରନ୍ତୁ ବୋଲି ପରଶୁରାମ ରାମଙ୍କୁ କହିଲେ କାହିଁକି ।*

ଦୁର୍ଗାଙ୍କ ମୁଖରୁ ଏହା ଶୁଣି ପରଶୁରାମ ବିକଳ ହୋଇ କାନ୍ଦି ଅଗ୍ନିରେ ପଶି ପ୍ରାଣ ହାରିବା କଥା କହିବାରୁ ମନର ଅବସ୍ଥା ବୁଝିପାରି ଶିବ ତାଙ୍କୁ ଦୟାକଲେ । ଦୁର୍ଗାଙ୍କୁ ଶିବ କହିଲେ --ଏହାକୁ ଆମେ ଧର୍ମପୁତ୍ର କରିବା ତୁମେ ପରଶୁରାମ ପ୍ରତି ସଦୟ ହୁଅ । ଶିବଙ୍କ କୋମଳ ବାକ୍ଯରେ ଦୁର୍ଗା ସନ୍ତୁଷ୍ଟ ହେଲେ । ତହୁଁ ଶିବ ମୋତେ ବିଷ୍ଣୁମନ୍ତ୍ର ଦେଲେ ଓ ନାନାଦି ଶକ୍ତିଶାଳୀ ଅସ୍ତ୍ରଶସ୍ତ୍ର ଦେଲେ । ତାପରେ ମୁଁ ପୁଷ୍କର ତୀର୍ଥକୁ ଯାଇ ସେଠାରେ ବିଷ୍ଣୁ ମନ୍ତ୍ର ଜପକଲି । ଅନାହାରରେ ରହି ବହୁ କଷ୍ଟ ଭୋଗକଲି । ଶେଷରେ ବିଷ୍ଣୁ ମୋତେ ଦେଖାଦେଲେ । ଶଙ୍ଖଚକ୍ର ଗଦାପଦ୍ମଧାରୀ ବିଷ୍ଣୁଙ୍କୁ ସମ୍ମୁଖରେ ଦେଖି ମୁଁ ଭକ୍ତିରେ ପ୍ରଣିପାତ କଲି । ସେ ମୋତେ ବର ଯାଚିଲେ । ମୁଁ କହିଲି-- ମୋତେ ଏହି ବର ଦିଅନ୍ତୁ ଯେ ମୁଁ କାର୍ତ୍ତବୀର୍ଯ୍ଯକୁ ଵଧ କରିବି ଓ ଏକୋଇଶବାର ପୃଥିବୀକୁ ନିକ୍ଷତ୍ରି କରିବି । ଏହା ଶୁଣି ବିଷ୍ଣୁ ତଥାସ୍ତୁ ବୋଲି କହିଲେ ଓ ପୁଣି କହିଲେ--ମୋର ଗୋଟିଏ କଳା ଯାଇ ତୁମ୍ଭଠାରେ ରହିବ । ତା' ହେଲେ ତୁମ୍ଭଙ୍କୁ କେହି ପରାସ୍ତ କରିପାରିବେ ନାହିଁ । ଏହାକହି ବିଷ୍ଣୁ ଅନ୍ତର୍ଦ୍ଧାନ ହୋଇଗଲେ ଓ ମୁଁ ହୃଷ୍ଟ ମନରେ ଘରକୁ ଫେରିଲି । ଘରୁ ବନ୍ଧୁ ବାନ୍ଧବମାନଙ୍କୁ ସଙ୍ଗରେ ନେଇ କାର୍ତ୍ତବୀର୍ଯ୍ଯ ସହିତ ଯୁଦ୍ଧ କରିବାକୁ ବାହାରିଲି । କାର୍ତ୍ତବୀର୍ଯ୍ଯ ସହିତ ସାତଦିନ ସାତରାତି ଯୁଦ୍ଧ ହେଲା । ଏହି ଯୁଦ୍ଧରେ କାର୍ତ୍ତବୀର୍ଯ୍ଯ ନିଶ୍ଚୟ ମରିବ ବୋଲି ଜାଣି ତା' ରାଣୀ ମନୋରମା ବିଧବା ନ ହେବା ପାଇଁ ଯୋଗାବିଷ୍ଟ ହୋଇ ଦେହ ଛାଡିଲା । ମୋ ଶରରେ କାର୍ତ୍ତବୀର୍ଯ୍ଯ ପୁଅ ସୁଚନ୍ଦ୍ର ନିହତ ହେଲା । କାର୍ତ୍ତବୀର୍ଯ୍ଯ ଦେହରେ ବିଷ୍ଣୁକବଚକୁ ବିଷ୍ଣୁଙ୍କ ଆଦେଶରେ ଶିବ କପଟକରି ତା'ଠାରୁ ହରଣ କରିନେଲେ । ମୋ ପ୍ରେରିତ ପାଶୁପତ ଅସ୍ତ୍ରରେ କାର୍ତ୍ତବୀର୍ଯ୍ଯ ନିହତ ହେଲା । ଏହାପରେ ଶିଶୁ,ବାଳକ,ଯୁବକ,ପ୍ରୋଢ,ବୃଦ୍ଧ ଓ ଗର୍ଭବତୀନାରୀ ଯେଉଁଠାରେ ମୁଁ କ୍ଷତ୍ରିୟ ଦେଖିଲି ସମସ୍ତଙ୍କୁ ହତ୍ଯାକଲି । ଥରେ ନୁହେଁ, ଦି'ଥର ନୁହେଁ, ଏହିପରି ଗଣି ଗଣି ଏକୋଇଶ ବାର ମୁଁ ପୃଥିବୀକି ନିକ୍ଷତ୍ରି କଲି । ସମଗ୍ର ପୃଥିବୀ ଅଧିକାର କରି ମୁଁ ଚକ୍ରବର୍ତ୍ତୀ ହେଲି । ଏହାପରେ ଯଜ୍ଞକରି ମୁଁ କ୍ଷତ୍ରିୟ ନିଧନ କାର୍ଯ୍ୟ ସମାପନ କଲି । ସମଗ୍ର ପୃଥିବୀକି କଶ୍ଯପମୁନିଙ୍କୁ ଦକ୍ଷିଣା ସ୍ବରୂପ ଦାନକରି ତପସ୍ଯା କରିବା ପାଇଁ ମହେନ୍ଦ୍ରଗିରିକି ଯାଇଥିଲି । ତୁ ଶିବଧନୁ ଭାଙ୍ଗିବାକଥା ଶୁଣି କ୍ରୋଧରେ ମୁଁ ତୋଠାକୁ ଆସିଲି । ଯେହେତୁ ଶିବଧନୁ ହେଉଛି ମୋର ଗୁରୁଧନୁ, ଆଉ ତୁ ତାକୁ ଭାଙ୍ଗି ମୋର ଦ୍ରୋହାଚରଣ କରିଛୁ । ଏହା କହି ପରଶୁରାମ କ୍ରୋଧରେ ପାଦ କଚାଡନ୍ତେ ଲକ୍ଷ୍ମଣ କହିଲେ--ଆରେ ଏ ପାଗଳଟା କିଏରେ ? ବାଜା ଶୁଣି ନାଟ କରୁଛି । ଏହା ଶୁଣି ପରଶୁରାମ ଲକ୍ଷ୍ଣଣଙ୍କ ଉପରକୁ ଚଢିଯାଇ କହିଲେ--ଆରେ ତୁ କାହା ପୁଅ ମୁଁ କ'ଣ ଜାଣିପାରୁନାହିଁ । ତୁ ସେଇ ଦଶରଥ ପୁଅ ; ଯୋଉ ଦଶରଥ ମୁଁ ଅଯୋଧ୍ୟା ଆସିଥିବାର ଦେଖି ନାରୀମାନଙ୍କ ମଧ୍ଯରେ ଲୁଚି ରହିଥିଲା । ସେତେବେଳେ ତାକୁ ପାଇଥିଲେ ମୁଁ ତାକୁ ହାଣି ଦେଇଥାନ୍ତି । ମାଇପିମେଳରେ ଲୁଚିରହି ତୋ ବାପା ଦଶରଥ ଆତ୍ମରକ୍ଷା କରିଛି । ତୁ ସେଇ ଦଶରଥ ପୁଅଟି ?
ଏହାଶୁଣି ଲକ୍ଷ୍ମଣ କହିଲେ--ମୋ ପିତା ଦଶରଥ ଜାଣିଶୁଣି ଲୁଚି ରହିଥିଲେ । କାରଣ ସେ ଲୁଚି ନ ଥିଲେ ତୁମ ସହିତ ଯୁଦ୍ଧ ହୋଇଥାନ୍ତ ଓ ତାଙ୍କ ହାତରେ ତୁମେ ନିହତ ହୋଇଥାନ୍ତ । ଆମ ବଂଶରେ କେହି ବ୍ରାହ୍ମଣ ମାରିବାକୁ ଚାହିଁ ନାହାନ୍ତି । ତୁମେ କେମିତିଆ ବୀର ଆମେ ଜାଣିଛୁ । ପ୍ରକୃତ ବୀର କେବେ ନିରସ୍ତ୍ରକୁ ହତ୍ଯା କରେନାହିଁ । କିନ୍ତୁ ତୁମେ ତୁମ ନିରସ୍ତ୍ର ଜନନୀ ଓ ନିରସ୍ତ୍ର ଜ୍ଯେଷ୍ଠଭ୍ରାତାମାନଙ୍କୁ ହତ୍ଯା କରିଛ । ଏହାଛଡା ବହୁ ଅସ୍ତ୍ରଶସ୍ତ୍ରହୀନ ଶିଶୁ,ବାଳକ,ବୃଦ୍ଧ ଓ ଗର୍ଭବତୀ ରମଣୀଙ୍କୁ ହତ୍ଯାକରିଛ । ଏହା ବୀରର କାର୍ଯ୍ୟ ନୁହେଁ । ତେଣୁ ତୁମକୁ ବୀର କୁହାଯିବ କିପରି ? ଏହାଶୁଣି ପରଶୁରାମ କ୍ରୋଧାନ୍ବିତ ହୋଇ କହିଲେ--କିରେ ଟୋକା, ଭାରି ବଢିବଢି କଥା କହୁଚୁ ? ଆଗେ ତୋ ଭାଇ ରାମକୁ ହାଣିବି । ତା'ପରେ ତତେ ହାଣିବି । ତହୁଁ ଲକ୍ଷ୍ମଣ କହିଲେ--ଭାଇଙ୍କ ଆଜ୍ଞା ପାଇଲେ ଗୋଟିଏ ଶରରେ ତ୍ରିପୁର ଦହିଦେବି । ତୁମେ ତ ସାମାନ୍ୟ ଲୋକ । ତୁମେ କେମିତିଆ ବ୍ରାହ୍ମଣ ହୋ ? ବ୍ରାହ୍ମଣ ଭେକ ପିନ୍ଧି କ୍ଷତ୍ରିୟଙ୍କ ବୃତ୍ତି ଆଚରଣ କରୁଛ ? ଏହାଶୁଣି ପରଶୁରାମ ଭୟଙ୍କର ଭାବରେ ରାଗିଯିବାରୁ ପରଶୁରାମଙ୍କୁ ରାମ ବିନୀତ ହୋଇ କହିଲେ--ଲକ୍ଷ୍ମଣ ପିଲାଲୋକ । ତା' କଥାକୁ ଘେନା କରନ୍ତୁ ନାହିଁ । ମୁଁ ଆପଣଙ୍କୁ ସମ୍ମାନ କରେ । ଆପଣ କ୍ରୋଧ ତ୍ଯାଗ କରନ୍ତୁ । ବର୍ତ୍ତମାନ ଆପଣ ମୋତେ କହନ୍ତୁ , ଯେଉଁ ଧନୁଟି ଆପଣ ହାତରେ ଧରିଛନ୍ତି ସେହି ଧନୁକୁ ଆପଣ କୋଉଠୁ କିପରି ପାଇଲେ ।
ରାମଙ୍କ ପ୍ରଶ୍ନ ଶୁଣି ପରଶୁରାମ କହିଲେ --ବହୁକାଳ ପୂର୍ବେ ଦୁର୍ଦ୍ଦାନ୍ତ ଶତ୍ରୁମାନଙ୍କୁ ନାଶ କରିବା ସକାଶେ ଦେବତାମାନଙ୍କ ପାଇଁ ବିଶ୍ଵକର୍ମା ଦୁଇଗୋଟି ଧନୁ ତିଆରି କରିଥିଲେ । ଦେବତାମାନେ ସେହି ଧନୁକୁ ବ୍ଯବହାର କରିବାକୁ ଅକ୍ଷମ ହୋଇ ଗୋଟିଏ ଧନୁ ଶିବଙ୍କୁ ଦେଲେ ଏବଂ ଅନ୍ଯ ଧନୁଟିକୁ ବିଷ୍ଣୁଙ୍କୁ ଦେଲେ । ଶିବ ସେହି ଧନୁଟିକୁ ବ୍ଯବହାର କରି ତ୍ରିପୁରାସୁରକୁ ବଧ କଲେ । ବିଷ୍ଣୁ ଓ ଶିବଙ୍କ ମଧ୍ଯରେ କିଏ ଅଧିକ ଶକ୍ତିଶାଳୀ ତାହା ଜାଣିବା ପାଇଁ ଦେବତାମାନଙ୍କ ମନରେ ପ୍ରବଳ ଆଗ୍ରହ ଜନ୍ମିଲା । ଦେବତାମାନଙ୍କ ମନକଥା ଜାଣି ବ୍ରହ୍ମା କୂଟକରି ଶିବ ଓ ବିଷ୍ଣୁଙ୍କ ମଧ୍ଯରେ ଯୁଦ୍ଧ ଲଗେଇଦେଲେ । ବିଷ୍ଣୁ ଓ ଶିବଙ୍କ ମଧ୍ଯରେ ଯୁଦ୍ଧ ଭୟଙ୍କର ହୋଇଉଠିଲା ଓ ବହୁଦିନଯାଏ ଚାଲିଲା । କେହି କାହାକୁ ପରାସ୍ତ କରିପାରିଲେ ନାହିଁ । ଉଭୟଙ୍କ ଶକ୍ତି ସମାନ ଭଳି ପ୍ରତୀୟମାନ ହେଲା । ଏହି ସମୟରେ ବିଷ୍ଣୁ ଏକ ଭୟଙ୍କର ହୁଂକାର ଶବ୍ଦ କଲେ । ସେହି ଶବ୍ଦ ଶୁଣି ଶିବ ସ୍ତବ୍ଧ ହୋଇଗଲେ ଓ ବିଷ୍ଣୁଙ୍କର ସେହି ହୁଂକାର ଶବ୍ଦରେ ଶିବଙ୍କର ବଳ କମିଗଲା । ଏଥିରୁ ଦେବତାମାନେ ଜାଣିଲେ ଯେ ଶିବଙ୍କ ଅପେକ୍ଷା ବିଷ୍ଣୁଙ୍କ ଶକ୍ତି ବେଶୀ । ଏହାପରେ ବ୍ରହ୍ମା ଓ ଅନ୍ଯାନ୍ଯ ଦେଵତାମାନେ ସ୍ତୁତି କରି ଶିବ ଓ ବିଷ୍ଣୁଙ୍କୁ ଯୁଦ୍ଧରୁ ନିବୃତ୍ତ କଲେ । କିଛିଦିନ ପରେ ଶିବ ସେହି ଧନୁକୁ ହାତରେ ଧରି ଦକ୍ଷଯଜ୍ଞକୁ ଧ୍ବସ୍ତକଲେ । ଦେବତାମାନେ ହବିର୍ଭାଗରୁ ଶିବଙ୍କୁ ଉଚ୍ଛେଦ କରିଥିବାରୁ ଶିବ ଶପଥ କରିଥିଲେ --ଏହି ଧନୁରେ ମୁଁ ଦେବତାମାନଙ୍କ ମୁଣ୍ଡ କାଟିପକେଇବି । ଏହା ଯଦି ମୁଁ ନକରେ ତେଵେ ଏ ଧନୁକୁ ଆଉ ଛୁଇଁବି ନାହିଁ । ଦେବତାମାନେ ଶିବଙ୍କୁ ସ୍ତୁତି କରିବାରୁ ଆଶୁତୋଷ ଶିବ ଦେବତାମାନଙ୍କୁ କ୍ଷମା ଦେଲେ । ତେଣୁ ଦେଵତାମାନଙ୍କ ମୁଣ୍ଡକାଟ କଥା ନ ହେବାରୁ ଶିବ ସେହି ଧନୁକୁ ଫୋପାଡିଦେଲେ । ଦେଵତାମାନେ ସେହି ଧନୁକୁ ନେଇ ଜନକଙ୍କ ପୂର୍ବପୁରୁଷଙ୍କୁ ଦେଇଥିଲେ । ସେହି ଶିବ ଧନୁକୁ ତୁ ଭାଙ୍ଗିଦେଲୁ । ବିଷ୍ଣୁଙ୍କୁ ଦେବତାମାନେ ଦେଇଥିବା ଧନୁ ବୈଷ୍ଣବୀଧନୁ ନାମରେ ଖ୍ଯାତ । ସେଇଟିକୁ ବିଷ୍ଣୁ କେତେକାଳ ନିଜପାଖରେ ରଖି ପରେ ଋଚିକମୁନିଙ୍କୁ ଦେଇଥିଲେ । ଋଚିକମୁନିଙ୍କଠାରୁ ସେଇଟିକୁ ତାଙ୍କ ପୁତ୍ର ଜମଦଗ୍ନି ପାଇଥିଲେ । ଜମଦଗ୍ନି ହେଉଛନ୍ତି ମୋର ପିତା । ସେ ସେହି ବୈଷ୍ଣବୀଧନୁକୁ ମୋତେ ଦେଇଥିଲେ । ମୋ ହାତରେ ବର୍ତ୍ତମାନ ତୁ ଯେଉଁ ଧନୁକୁ ଦେଖୁଛୁ ସେଇଟି ହେଉଛି ସେହି ବୈଷ୍ଣବୀଧନୁ । ରେ ରାମ,ତୋ ଦେହରେ ଯଦି ବଳ ଅଛି ତେବେ ଏହି ବୈଷ୍ଣବୀଧନୁରେ ଗୁଣଦେଇ ତୋର ଶକ୍ତି ପ୍ରମାଣ କର । ଏହାକହି ରାମଙ୍କ ହାତକୁ ପରଶୁରାମ ନିଜ ହାତରେ ଥିବା ବୈଷ୍ଣବୀଧନୁକୁ ବଢାଇଦେଲେ । ରାମ ସଙ୍ଗେ ସଙ୍ଗେ ସେହି ଧନୁରେ ଗୁଣ ଚଢେଇଦେଲେ ଓ ଧନୁରେ ଶର ବିନ୍ଧିବା ପାଇଁ ଗୋଟିଏ ଶର ଆଣିବା ପାଇଁ ଲକ୍ଷ୍ମଣଙ୍କୁ କହିବାରୁ ପରଶୁରାମ ନିଜ ହାତରେ ଥିବା ଶରକୁ ରାମଙ୍କ ହାତକୁ ବଢାଇଦେଲେ । ପରଶୁରାମଙ୍କ ହାତରୁ ରାମ ଶର ନେଲାବେଳେ ସେହି ଶର ସହିତ ରାମ ପରଶୁରାମଙ୍କଠାରେ ଥିବା ବିଷ୍ଣୁକଳାକୁ ହରଣ କରିନେଲେ । ବୈଷ୍ଣବୀଧନୁରେ ଶର ସନ୍ଧି ପରଶୁରାମଙ୍କୁ ରାମ କହିଲେ--ହେ ପରଶୁରାମ, ତୁମ୍ଭେ ହେଉଛ ବ୍ରାହ୍ମଣ । ପୁଣି ମହର୍ଷି ବିଶ୍ଵାମିତ୍ରଙ୍କ ଭଉଣୀର ନାତି । ସେହି କାରଣରୁ ମୁଁ ତୁମକୁ କଦାପି ବଧ କରିବି ନାହିଁ । ତେଵେ ଏହି ଶରବିନ୍ଧି ହୁଏତ ତୁମ ପାଇଁ ସ୍ବର୍ଗପଥକୁ ରୋଧ କରିଵି କିମ୍ବା ତୁମ ଚଳତଶକ୍ତିକୁ ନାଶ କରିବି । ଏହି ସମୟରେ ଦେବତାମାନଙ୍କୁ ସଙ୍ଗରେ ଘେନି ରାମଙ୍କ ଶକ୍ତି ଦେଖିବାକୁ ବ୍ରହ୍ମା ସେଠାରେ ପହଞ୍ଚିଲେ । ରାମ ପରଶୁରାମଙ୍କଠାରୁ ବିଷ୍ଣୁକଳା ହରଣ କରିନେଇଥିବାରୁ ପରଶୁରାମ ଏକାନ୍ତ ଦୁର୍ବଳ ହୋଇ ପଡିଥିଲା । ରାମଙ୍କ କଥା ଶୁଣି ରାମଙ୍କୁ ପରଶୁରାମ ବଡ ବିନୟରେ କହିଲେ--ମହର୍ଷି କଶ୍ଯପଙ୍କୁ ମୁଁ ପୃଥ୍ବୀଦାନ କଲାବେଳେ ଏହି ଦାନଭୂମିରେ ମୁଁ ରହିବାକୁ ସେ ମନା କରିଥିଲେ । ତେଣୁ ମୋତେ ବର୍ତ୍ତମାନ ମହେନ୍ଦ୍ରଗିରିକି ଯିବାକୁ ହେଵ । ତେଣୁ ଆପଣ ମୋର ସ୍ବର୍ଗଗମନ ପାଇଁ ମୋର ଯେତେ ଧର୍ମ ଅଛି ତାକୁ ଆପଣ ନାଶ କରି ମୋର ସ୍ବର୍ଗଯିବା ପଥକୁ ରୋଧ କରନ୍ତୁ । କିନ୍ତୁ ମୋର ଗତିଶକ୍ତିକି ଆଘାତ କରନ୍ତୁ ନାହିଁ । ଆପଣ ସାକ୍ଷାତରେ ପରମେଶ୍ବର । ଅସୁର ନାଶିବାକୁ ଆପଣଙ୍କର ଜନ୍ମ । ମୁଁ ଆପଣଙ୍କୁ ଚିହ୍ନିନପାରି ଆପଣଙ୍କ ପ୍ରତି ଅନ୍ଯାୟ କରିଛି । ଦୟାକରି ଆପଣ ମୋତେ କ୍ଷମା କରନ୍ତୁ । ଶୀଘ୍ର ଆପଣ ଶରମାରି କର୍ତ୍ତବ୍ୟ ସମ୍ପାଦନ କରନ୍ତୁ ।
ପରଶୁରାମଙ୍କ କଥା ଶୁଣି ରାମ ଶରବିନ୍ଧି ପରଶୁରାମଙ୍କ ସ୍ବର୍ଗଯିବା ପଥକୁ ରୋଧ କରିଦେଲେ । ତହୁଁ ପରଶୁରାମ ରାମଙ୍କୁ ନମସ୍କାର କରି ନିଜ ଆଶ୍ରମକୁ ଫେରିଗଲେ । ଏହାପରେ ବ୍ରହ୍ମା ଆଦି ଦୃବତାମାନେ ରାମଙ୍କୁ ସମ୍ମାନ ଦେଇ ନିଜ ନିଜ ଧାମକୁ ଗମନ କଲେ । ଏହାପରେ ରାମ ସେହି ବୈଷ୍ଣବୀଧନୁକୁ ବରୁଣଙ୍କୁ ପ୍ରଦାନ କଲେ । ପରଶୁରାମ ଭୟବିଦୂରିତ ହେବାରୁ ଦଶରଥ ସମସ୍ତଙ୍କୁ ନେଇ ଅଯୋଧ୍ୟାକୁ ଯାତ୍ରା କଲେ । ଦଶରଥ ମିଥିଳାରେ ଥିଲାବେଳେ ଭରତଙ୍କୁ ନେବାପାଇଁ ତାଙ୍କ ମାମୁ ଯୁଧାଜିତ କେକୟ ଦେଶରୁ ମିଥିଳା ଆସିଥିଲେ । ସେ ମଧ୍ଯ ଦଶରଥଙ୍କ ସହିତ ଅଯୋଧ୍ୟାକୁ ଆସିଥିଲେ । ଦଶରଥ କହିବାରୁ ଭରତ ଯୁଧାଜିତଙ୍କ ସହିତ ମାମୁ ଘରକୁ ଗଲେ । ଶତ୍ରୁଘ୍ନ ମଧ୍ଯ ଭରତଙ୍କ ସହିତ କେକୟ ଦେଶକୁ ଗମନ କଲେ । ପିତା ଓ ଗୁରୁଜନମାନଙ୍କ ମନ ନେଇ ସୀତାଙ୍କ ସହିତ ରାମ ଅଯୋଧ୍ୟାରେ ଆନନ୍ଦରେ ରହିଥିଲେ ।

*ନରେନ୍ଦ୍ର ପ୍ରସାଦ ବେହେରା, ଆଳଦା, ଖଇରା,ବାଲେଶ୍ଵର, ମୋ--୯୮୫୩୧୪୨୫୧୦*


ରଚନା : ନରେନ୍ଦ୍ର ପ୍ରସାଦ ବେହେରା

ଠିକଣା : ଆଳଦା, ଖଇରା,ବାଲେଶ୍ଵର ଦୂରଭାଷ : ୯୮୫୩୧୪୨୫୧୦


Post a Comment

0 Comments