Ad

header ads

କ୍ଷୁଦ୍ରଗଳ୍ପ - ପଇସାର ମୂଲ୍ୟ - ପଲ୍ଲବୀ ଦାସ


ନିମେଇ ବାବୁ ଘରେ ପହଞ୍ଚୁ ପହଞ୍ଚୁ ମାଆର ପାଦ ତଳେ ପଡ଼ି କାନ୍ଦିବାକୁ ଲାଗିଲେ | ମାଆଟି ରୋଗ ଶଯ୍ୟାରେ ପଡ଼ି ଡହଳ ବିକଳ ହଉଥିଲା ପୁଅକୁ ଶେଷ ଥର ପାଇଁ ଦେଖିବାକୁ | ନିଜର ପାରୁ ପର୍ଯ୍ୟନ୍ତ ମାଆର ଚିକିତ୍ସା ପାଇଁ ଚେଷ୍ଟା କରିଥିଲେ କିନ୍ତୁ କିଛି ଫଳ ମିଳିଲାନି , ଡ଼ାକ୍ତର ଫେରେଇ ଦେଇଥିଲା ଘରକୁ, କାଳେ ନିଜ ଲୋକଙ୍କ ଗହଣରେରହି ମାଆଙ୍କ ଦେହରେ ଟିକେ ସୁଧାର ଆସିବ, ବଞ୍ଚିବା ପାଇଁ ଇଚ୍ଛା ଶକ୍ତି ଜାଗ୍ରତ ହବ | ନିମେଇ ବାବୁଙ୍କ ମାଆ, ପୁଅକୁ ଝୁରି ଝୁରି ଖାଇବା ପିଇବା ବନ୍ଦ କରି ଦେଇଥିଲେ | ନିମେଇ ବାବୁ ସେତେବେଳେ ବିଦେଶରେ ରହି ପରିବାରର ଭରଣ ପୋଷଣ ପାଇଁ ପ୍ରଚୁର ପରିମାଣରେ ଟଙ୍କା ପଠାଉଥିଲେ | ମାଆର ମନ ଆଗରେ ତାଙ୍କ ପଇସା ପାଣି ପରି ବୋହି ଗଲା କେତେ ବେଳେ ଜାଣି ପାରିଲେନି, ବହୁତ୍ ବିଳମ୍ବରେ ବୁଝି ପାରିଲେ ମାଆର ଆବଶ୍ୟକତା | ମାଆ ଚାହୁଁଥିଲା ପୁଅ ତାଙ୍କର, ତାଙ୍କ ଶେଷ ଜୀବନରେ ପାଖେ ପାଖେ ରହୁ | କିନ୍ତୁ ନିମେଇ ବାବୁ ସାମାଜରେ ଚାଲୁଥିବା ଟଙ୍କା କମେଇବା ପ୍ରତିଯୋଗିତାରେ ନିମଗ୍ନ ଥିଲେ , ଭାବୁଥିଲେ ସବୁଥିର ଉପଚାର ଟଙ୍କା ବୋଲି | ପରିବାରକୁ ସମୟ ଦବା ପରିବର୍ତ୍ତେ ସେ ଟଙ୍କା ପଠେଇ ଭଲ ମନ୍ଦ ଫୋନ୍ ଯୋଗେ ବୁଝି ଦଉଥିଲେ | ଧୀରେ ଧୀରେ ତାଙ୍କର ଘର ପ୍ରତି ଆସକ୍ତ ଭାବ କମିବାରେ ଲାଗିଥିଲା ଆଉ ପଇସା କମେଇବା ପ୍ରତି ବଢ଼ି ଚାଲିଥିଲା | ମାଆ ପୁଅର ଚେହେରାଟିକୁ ଶେଷ ଥର ପାଇଁ ଦେଖି ଦେଇ ଆଖି ବୁଜି ଦେଇଥିଲା | ମାଆର ଶେଷ କାମରେ କୌଣସିଥିରେ କମି ରଖି ନଥିଲେ, କିନ୍ତୁ ମନ ଭିତରେ, ମାଆ ପାଇଁ କିଛି କରି ନପାରିଥିବାରୁ ଅବଶୋଷ ରହିଗଲା | ଶେଷ କର୍ମ ସାରି ପୁଣି ଥରେ ବିଦେଶ ଫେରିବା ପରିବର୍ତ୍ତେ ସେ ସ୍ଥିର କରିଥିଲେ ବାକି ଜୀବନ ଗରିବ ଲୋକଙ୍କ ସେବାରେ ଅତିବାହିତ କରିବାକୁ | ସେଥିପାଇଁ ନିଜ ଘରଟିକୁ ଧର୍ମଶାଳାରେ ପରିଣତ କରିଦେଇଥିଲେ | ଛୁଆଗୁଡ଼ିଙ୍କୁ ଠିକ୍ ରେ ସମୟ ଦେଇ ପାରି ନଥିବାରୁ ସେମାନେ ବି ହାତ ଛଡ଼ା ହୋଇଯାଇଥିଲେ, କଠୋର ଅନୁଶାସନରେ ସେମାନଙ୍କୁ ରଖିବାର ପ୍ରୟାସ୍ ଫେଲ୍ ମାରିଥିଲା | ନିମେଇ ବାବୁ ବୁଝି ପାରିଥିଲେ , ପଇସା କେବଳ ଦରକାର ମେଣ୍ଟାଇବାରେ ସାହାଯ୍ୟ କରେ, ସଂସ୍କାର ଆଉ ଶାଳୀନତା ଶିଖାଇ ପାରେନି | ଏଥର ଛୁଆଙ୍କ ଉପରେ ବିରକ୍ତ ହବା ପରିବର୍ତ୍ତେ ସେ ଧୈର୍ଯ୍ୟର ସହ ସେମାନଙ୍କୁ ବୁଝୁଥିଲେ |

ଆଉ ବୁଝି ପାରୁଥିଲେ ତାଙ୍କର ପଇସା କମେଇବାର ମୂଲ୍ୟ କେତେ ଦୂର ସାର୍ଥକ ହୋଇଥିଲା |

ଘର ଭିତରେ ଅନୁଭୂତ ହଉଥିବା କୋଳାହଳ ଆଉ ପୁନିଆ ପର୍ବର ମଜା ମଉଜ ସବୁ ଏତେ ବର୍ଷ ପରେ ଅନୁଭବ କରୁଥିଲେ ଆଉ ଆକାଶକୁ ଅନେଇ ମାଆକୁ କହୁଥିଲେ - "ମାଆ ଲୋ, ତୁ ସିନା ଚାଲିଗଲୁ କିନ୍ତୁ ମତେ ମୋ ଜୀବନର ଲକ୍ଷ୍ୟ ଧରେଇ ଦେଇ ଗଲୁ" |


ରଚନା : ପଲ୍ଲବୀ ଦାସ

ଠିକଣା : ଗାୟତ୍ରୀ ନଗର,ଢେଙ୍କାନାଳ, ଓଡ଼ିଶା ଦୂରଭାଷ :


Post a Comment

0 Comments