Ad

header ads

କବିତା - ଲାଗିଅଛୁ ଅବିରତ ବି. ନିରୁପମା



ଲାଗିଅଛୁ ଅବିରତ
               ବି.ନିରୁପମା

କେଉଁ ଜନମର କେତେ ପୁଣ୍ୟବଳେ
ମିଳିଛି ତୋ ପରା ଭାଇ ,
ସେଇ କଥା ଭାଳି ପୁଲକିତ ହୁଏ
ଏଠି ମୁଁ ଦୂରରେ ଥାଇ ।

ମନେପଡ଼େ ଆମ ପିଲାଦିନ କଥା
ଥିଲୁ ଭାରି ଚୁଲୁବୁଲୁ ,
ସଭିଙ୍କର ସ୍ନେହ ଆଦର ପାଇ ବି
ବିଗିଡ଼ିନୁ ବିଲୁକୁଲୁ ।

ପିଲାଟି ବେଳରୁ ବାପାଙ୍କ ସାଥିରେ
ଯାଉ ଶିକ୍ଷାଲାଭ ପାଇଁ ,
ଛୁଟିରେ ସେଠାରେ ରହିଯାଉ କେବେ
ଘରକୁ ଆସୁ ବି ଧାଇଁ ।

ହୋଇଥିଲା ଦିନେ ମୋ ଦେହ ଅସୁସ୍ଥ
ଘରେ ଥିବାବେଳେ ତୁହି ,
ମାଆ ପଠାଇଲା-"ହାଟରୁ କେତେଟା
ଲେମ୍ବୁ ଯା' ଆସିବୁ ନେଇ ।"

ଯେତେ ଖୋଜିଲେ ବି ମିଳିଲାନି ଲେମ୍ବୁ
ଆସିଲୁ ମନକୁ ମାରି ,
ବାଟରେ ଗୋଟାଏ ବଗିଚା ଦେଖିଲୁ
ଲେମ୍ବୁଗଛ ଥିଲା ଭାରୀ ।

ଖୋଜିଲୁ ସେଇଠି ବାଡ଼ି ମାଲିକଙ୍କୁ
ପାଇଲୁନି କାହିଁ ଯେଣୁ ,
ଅତି ଦରକାର ଅଛି ବୋଲି ଭାଳି
ତୋଳିଲୁ କେତୋଟି ତେଣୁ ।

ତୋ ସାଙ୍ଗପିଲାର ସେ ବଗିଚା ଥିଲା 
ଭାବିଲୁ ଯିବି ତା' ଘର ,
କହିବି କେତୋଟି ଲେମ୍ବୁ ନେଉଅଛି
ଅଛି ଭାରି ଦରକାର ।

ଘର ଯିବା ତାଙ୍କ ନ ହୋଇଲା ଆଉ
ବାଟରେ ମିଳିଲେ ଅଜା ,
ତୁମ ବାଡ଼ି ଲେମ୍ବୁ କହୁ କହୁ ସିଏ
ନେଇଗଲେ ମାରି ମଜା ।

ତଥାପି ଖୁସିରେ ଫେରିଲୁ ଘରକୁ
ହାତେ ଥିଲା ଲେମ୍ବୁ ଦୁଇ ,
କହିଲୁ ବୁଢ଼ାକୁ ଦେଖାଇବା ଆଗୁଁ
ପକେଟରେ ଦେଲି ଥୋଇ ।

ଅଉଷଧ କାମେ ଲଗାଗଲା ଲେମ୍ବୁ
ଦେହ ହେଲା ମୋର ସୁସ୍ଥ ,
କୁହାଗଲା କାହା ବିନାନୁମତିରେ
ଚିଜେ ନ ଦେବାକୁ ହସ୍ତ ।

ପରେ ସେ କଥା ତୋ ସାଙ୍ଗକୁ କହିଲୁ
କରୁ ନ ଥିଲି ମୁଁ ଚୋରି ,
ଅତି ଆବଶ୍ୟକ ଥିଲା ବୋଲି ତାହା
ନେଇଥିଲି ତୋଳିକରି ।

ବାଟରେ ତ ସବୁ ନେଇଗଲେ ଅଜା
ବାକି ରହିଲା ଯା' ଦୁଇ ,
ଭଲ ହୋଇଗଲା ନାନୀର ସମସ୍ୟା
ସେଇଥିରୁ ଗୋଟେ ଖାଇ ।

ଅନ୍ୟପିଲା ଶୁଣି ସେ କଥା ହସିଲେ 
କହିଲେ ତୁ ପୂରା ସାଧୁ ,
ବଡ଼ ହେଲେ ନିଶ୍ଚେ ଗାଁ ନାଁ ରଖିବୁ
ହେବୁ ମଧୁ ,ଗୋପବନ୍ଧୁ ।

ସତରେ ତୁ ଦିନେ ଭଲ ପାଠପଢ଼ି
ହେଲୁ ଦେଶ କାର୍ଯ୍ୟେ ରତ ,
ପରିବାର ଆଉ ସମାଜ କଲ୍ୟାଣେ
ଲାଗିଅଛୁ ଅବିରତ ।

ଆଖପାଖ ଲୋକ ତୋ ଉଦାହରଣ
ଦିଅନ୍ତି ପିଲାଙ୍କୁ ନିତି ,
କେଉଁଭଳି ନିଜ କର୍ତ୍ତବ୍ୟ କରୁଛୁ
ଆଗ୍ରହରେ ଯଥାରୀତି ।

ଆହୁରି କେତେ ଯେ ସ୍ମୃତି ମନେପଡ଼େ  
କହିଲେ ବିତିବ ଦିନ ,
ବାକିଦିନ ଯେତେ ସୁଖେ ବିତିଯାଉ
କରି ମାତାଜୀଙ୍କ ଧ୍ୟାନ ।

ମାମୁରିଆ ,ଛେଣ୍ଡିପଦା ,ଅନୁଗୋଳ ।

Post a Comment

0 Comments