Ad

header ads

କ୍ଷୁଦ୍ରଗଳ୍ପ - ଅଜଣା ସ୍ନେହ - ପଲ୍ଲବୀ ଦାସ

କେବେ କିଏ ଭାବିଚ ରାସ୍ତାରେ ଚାଲୁ ଚାଲୁ ଅଚାନକ୍ କେହି ଆସି ତମକୁ କୁନି ଶିଶୁଟିଏ ଧରେଇ ଦେଇ ଚାଲିଯିବ ଅଉ ତମେ ଭାବୁଥିବ କୁଆଡେ ଯିବି ପୁଲିସ ଷ୍ଟେସନ ନା ଘରକୁ ପୁଣି ଭାବୁଥିବ ଅଭିହାରି ଝିଅ ମୁଁ କଣ କହିବି ସମସ୍ତଙ୍କୁ ଛୁଆଟିକୁ କୋଉଠୁ ଆଣିଛି, ଏମିତି କେମିତି ଧରି ଦେଲି ରାସ୍ତାରେ ଅଉ କାହାର ଛୁଆକୁ । କେତେ ଗାଳି ପଡିବ ସମସ୍ତଙ୍କଠୁ ଅଉ ପୁଲିସ ଯଦି କହିବ ଯୋଉଯାଏ ତା ବାପା ମାଆ ନ ମିଳୁଛନ୍ତି ତମେ ଛୁଆଟିର ଯନ୍ମ ନିଅ ତେବେ ମୁଁ କୋଉଠି ନେଇ ରଖିବି ଛୁଆଟିକୁ , ହଷ୍ଟେଲରେ ସବୁ କ'ଣ କହିବେ ଇତ୍ୟାଦି ।

ସେଇ 10/15ମିନିଟ୍ ରେ ମୁଁ କେତେ କ'ଣ ଭାବି ଦେଇଥିଲି । କିନ୍ତୁ ମୋ ଭାବନାର ଅନ୍ତ ଘଟାଇ ସେଦିନ କିଛି ଅଲଗା ହେଇଥିଲା । ଆଜି ବି ମନେ ପଡୁଛି ସେ ନିରୀହ ଶିଶୁଟି ଚେହେରା , ଆଉ ସେ ଦିନର ଘଟଣା ।

3 ବର୍ଷ ତଳର ଘଟଣା , ସେଦିନ ମୋର ପ୍ରଥମ ଦିନ ଥିଲା ମୋ ନୂଆ କଲେଜରେ । ମାଷ୍ଟର ଡିଗ୍ରୀ ଜୀବନର ଆରମ୍ଭ ଥିଲା ସେଦିନ । ପୁଣି ଥରେ ପଢ଼ିବାକୁ ସୁଯୋଗ ପାଇଥିବାରୁ ଖୁସି ଅଉ ଘରଠାରୁ ପୁଣି ଦୁରେଇ ରହିବାର କିଛି ଖଟା ମିଠା ମିଶ୍ରିତ ଭାବନା ନେଇ ମୁଁ କଲେଜରୁ ମୋ ସାଙ୍ଗମାନଙ୍କ ସହ ଫେରୁଥାଏ । ଗୋଟେ ଦିନରେ 7/8 ସାଙ୍ଗ ବନେଇ ଦେଇଥିଲି । ଅମେ 6 ଜଣ ହଷ୍ଟେଲ୍ ଅଭିମୁଖେ ଚାଲୁଥିଲୁ, ନିଧୁମ୍ ଖରା ଦିନ ଅଉ ସେ ରାସ୍ତାରେ ଖୁବ୍ କମ୍ ଗାଡି ମଟର ଜାତଆତ କରୁଥିଲା , ଆଉ ବେଳେ ବେଳେ ବଡ଼ ବଡ଼ ଟ୍ରକ ଧୂଳି ଛାଟି ଚାଲି ଯାଉଥିଲା।

ହଠାତ୍ ଗୋଟେ ସ୍କୁଟର ଆସି ଅଟକିଗଲା ରୋଡ ମଝିରେ, ଗୋଟେ ହମ୍ପ୍ସ ପୂର୍ବରୁ, ଆମେ ସେଇ ରାସ୍ତା ଦେଇ ଯାଉଥିଲୁ । ହଠାତ୍ ଡାକ ଛାଡ଼ିଲା ଆମ ଅଭିମୁଖେ -" ଛୁଆଟାକୁ କେହି ଧର ନହେଲେ ଗଳି ପଡ଼ିବ" । ଛୋଟ ଶିଶୁଟି ବୋଧହୁଏ 2/3 ମାସ ର ହବ, ଡଉଲ ଡାଉଲ କାଳିଆ ଛୁଆଟିଏ । କାଳିଆ ମୁହଁରେ କଳା ଠୋପା ଦାଉ ଦାଉ ହେଇ ତାକୁ ଆହୁରି ସୁନ୍ଦର ଦିଶୁଥିଲା । ଲାଗୁଥିଲା ଯେମିତି ତା ମାଆ ତାକୁ ଲଗେଇ ଦେଇଚି ଅତି ଯତ୍ନରେ । ଲୋକଟି ଗୋଟେ ବିରାଟ ବଡ ସିନ୍ଦୂର କଲି ମାରିଥିଲା, ଯେମିତି କୋଉ ଗଳିର ଗୁଣ୍ଡା ପରି । କେହି ସାହସ କରି ଗଲେନି ତା ପାଖକୁ, ମୋ ସାଙ୍ଗମାନେ ସେମିତି ଭୂତ ପରି ଠିଆହୋଇ ରହିଥିଲେ । ମୋ ମୁଣ୍ଡରେ କିଛି ପଶିଲାନି, ହଠାତ୍ ଦୌଡ଼ି ଯାଇ ଛୁଆଟିକୁ ଧରି ନେଇଥିଲି । ଲୋକ ଟା ଆଖି ପିଛୁଳାକେ ସ୍କୁଟର ଷ୍ଟାର୍ଟ କରି ଆଗକୁ ପଳେଇଲା । ମୋ ସାଙ୍ଗମାନେ ଚିଲେଇବା ଆରମ୍ଭ କଲେ ମୋ ଉପରେ, କାହିଁକି ଧରିଲୁ ସେ ଲୋକ ଦେଖ ପଳେଇଲା ଏବେ କଣ କରିବା । ମୁଁ କିଛି ଭାବି ପାରୁନଥାଏ, ଠିକ୍ ଏତିକି ବେଳେ ଲୋକ ଟି ଟିକେ ଆଗକୁ ଯାଇକରି ଗାଡିକୁ ଗୋଟେ ଘର ଆଗରେ ରଖିଲା, ଅଉ ମୋ ଆଡ଼କୁ ଆସିଲା । ମୋ ହାତରୁ ଛୁଆଟିକୁ ନେଲା ବେଳକୁ କହିଲା "ଆରେ ଧନ" , ମୋ ପାଟିରୁ ବାସ୍ ଏତିକି ବାହାରିଲା - "କ'ଣ ହେଲା କି? " ଲୋକଟି କହିଲା ୟା ମାଆ ଏବେ ଆକ୍ସିଡେଣ୍ଟରେ ଚାଲିଗଲା । ଏତିକି କହି ସେ ଚାଲିଗଲା ସେ ଘର ଭିତରକୁ, ମୁଁ ବାସ୍ ସେ ଛୋଟ ଛୁଆଟିକୁ ଅନେଇଥିଲି । ରୋଡର ଆର ପାଖରୁ ମୋ ସାଙ୍ଗମାନେ ପୁଣି ଚିଲେଇବା ଆରମ୍ଭ କରିଦେଲେ - " ଚାଲ ଜଲଦି ଯିବା ବୋହୁତ୍ ଖରା ହଉଛି" । ମୁଁ ପୁଣି ମୋ ସାଙ୍ଗମାନଙ୍କ ସହ ଏକାଠି ଚାଲିବାକୁ ଆରମ୍ଭ କଲି, ପୁରା ରାସ୍ତା ଭାବୁଥିଲି କହିକି ସେ ଛୁଆଟିକୁ ଅଉ ଟିକେ ଜାବୁଡି ଧରିଲିନି, କାହିଁକି ସେ ଛୁଆଟିକୁ ଟିକେ ଗେଲ କଲିନି । ଏବେ ବି ଭାବୁଛି, ସେ କେମିତି ଥିବ, ନିଶ୍ଚିତ ବଡ ହୋଇଯାଇଥିବ , ସେଦିନ ସେ ଲୋକଟି ବୋଧହୁଏ ତା ଆତ୍ମସମ୍ପର୍କୀୟ କିଏ ହୋଇଥିବ । ବୋହୁତ୍ ଥର ସେ ଘର ଆଡକୁ ଦେଖେ କିନ୍ତୁ ଲାଗେନି ସେଟା କାହା ଘର ବୋଲି । ସେ ଏବେ 3 ବର୍ଷରୁ ଅଧିକ ତ ହୋଇଯାଇଥିବ । ବୋହୁତ୍ ଇଛା ହୁଏ ସେ ଘରକୁ ଯାଇ ପଚାରିବାକୁ, ତା ବିଷୟରେ ଖବର ନବାକୁ ,ଏରିଆ ଭଲ ନଥିଲା ସେଥିପାଇଁ ସାହସ ବି କରେନି ସେ ଘରକୁ ଯାଇ ପଚାରିବାକୁ , ଯଦି ସେ ଛୁଆ ସେ ଘରର ନ ହେଇଥିବ ତେବେ କ'ଣ କରିବି । ବାସ୍ ଏତିକି ଭଗବାନଙ୍କୁ ଡାକେ ସେ ଯୋଉଠି ବି ଥାଉ ଭଲରେ ଥାଉ । ତା ମାଆର ସ୍ନେହ ତାକୁ କେହି ଦେଇ ପାରିବେନି, କିନ୍ତୁ ତାକୁ ତା ଭାଗର ସ୍ନେହ ମିଳିଯାଉ । ଭାବୁଛି ଆମେ କେତେ ଭାଗ୍ୟବାନ୍ ଆମ ପାଖରେ ସମସ୍ତେ ଅଛନ୍ତି, କିଛି ରାଗ ଲାଗିଲେ ବି ଆମେ ପ୍ରକାଶ କରିଦେଉ, ଚିଲାଇଦଉ, ଭଲ ବି ପାଉ, ଦରକାର ଜିନିଷ ବି ମାଗିଦେଇ ପାରୁ , କିନ୍ତୁ ଯୋଉ ଛୁଆମାନଙ୍କର କେହି ନାହାଁନ୍ତି ସେମାନେ କଣ କରୁଥିବେ , କାହା ଉପରେ ରାଗୁଥିବେ , କାହା ଆଗରେ ଅଳିଅଝଟ କରୁଥିବେ, ଜ୍ଵର ହେଲେ କିଏ ସେମାନଙ୍କ କଥା ବୁଝୁଥିବ । ଏଟା ସତ କଥା ଯେ ମାଆର ସ୍ନେହ କେହି ଦେଇ ପାରିବେନି କିନ୍ତୁ ଆମ ସ୍ନେହ ପୁଡିଆ ଭିତରୁ ଚେନାଏ ସ୍ନେହ ତ ଆମେ ତାଙ୍କୁ ଦେଇ ପାରିବା । ସ୍ନେହ ଦବା ପାଇଁ କୌଣସି ରକ୍ତ ସମ୍ପର୍କ ଦରକାର ହୁଏନି ବାସ୍ ମନ ଦରକାର ହୁଏ । |


ରଚନା : ପଲ୍ଲବୀ ଦାସ

ଠିକଣା : ଗାୟତ୍ରୀ ନଗର, ନୂଆ ଶାସନ, ଢେଙ୍କାନାଳ, ଓଡିଶା ଦୂରଭାଷ :


Post a Comment

0 Comments