Ad

header ads

ପୁରାଣ କଥା - ବିରାଧ ରାକ୍ଷାସ-ଶ୍ରୀରାମଙ୍କ ଦିବ୍ୟ ଧନୁ ଓ ଅକ୍ଷୟ ତୂଣୀର କଥା - ନରେନ୍ଦ୍ର ପ୍ରସାଦ ବେହେରା

*ରାମାୟଣରୁ କିଛି.......୭୦*

*ବିରାଧ ରାକ୍ଷାସକୁ ଶ୍ରୀରାମ କେଉଁଠାରେ ବଧ କଲେ ଏବଂ ଦିବ୍ଯ ଧନୁ ଓ ଅକ୍ଷୟ ତୂଣୀର ଶ୍ରୀରାମଙ୍କୁ କିଏ ପ୍ରଦାନ କରିଥିଲେ*

ଶ୍ରୀରାମ ଥିଲେ ଦଶରଥଙ୍କର ଜୀବନ । କାରଣ ଶ୍ରୀରାମଙ୍କୁ ଦଶରଥ ନିଜ ଜୀବନଠାରୁ ବଳି ଅଧିକ ଭଲ ପାଉଥିଲେ । କୈକେୟୀ ଶ୍ରୀରାମଙ୍କ ସମ୍ବନ୍ଧରେ ଏଭଳି ନିଷ୍ଠୁର ବର ମାଗିବାର ଦେଖି ଦଶରଥ ମୂର୍ଚ୍ଛିତ ହୋଇପଡିଲେ । ଚେତା ପାଇଲା ପରେ ଦଶରଥ ରାଣୀ କୈକେୟୀଙ୍କୁ କେତେ ଅନୁରୋଧ କଲେ । କିନ୍ତୁ କୈକେୟୀ କୌଣସି କଥା ଶୁଣିଲେ ନାହିଁ । କୈକେୟୀଙ୍କର ସେହି ଗୋଟିଏ କଥା--ରାମ ଚଉଦ ବର୍ଷ ପାଇଁ ବନବାସ କରୁ ଓ ଭରତ ଅଯୋଧ୍ୟାର ରାଜା ହେଉ । ଏ କଥା ଜାଣିବାକୁ ପାଇ ଶ୍ରୀରାମ ପିତୃସତ୍ଯ ରକ୍ଷାକରିବା ପାଇଁ ବଣକୁ ବାହାରିଲେ । ତାଙ୍କ ସହିତ ପତ୍ନୀ ଜାନକୀ ଓ ସାନ ଭାଇ ଲକ୍ଷ୍ମଣ ବଣକୁ ବାହାରିଲେ । ଆଗରେ ଶ୍ରୀରାମ,ତତ୍ପରେ ସୀତାଦେବୀ ଓ ତତ୍ପରେ ଲକ୍ଷ୍ମଣ, ଏହି କ୍ରମରେ ତିନିଜଣଯାକ ବଣକୁ ଯାତ୍ରାକଲେ । ପରମାତ୍ମା ଓ ଆତ୍ମା ମଧ୍ଯରେ ମାୟାପରି ସେମାନେ ଦେଖାଯାଉଥିଲେ । ଶ୍ରୀରାମ ଗଲାପରେ ଅଯୋଧ୍ୟା ଶ୍ରୀହୀନ ହୋଇପଡିଲା । ଅଯୋଧ୍ୟାର ପ୍ରଜାବର୍ଗ ଶ୍ରୀରାମଙ୍କ ପଛେପଛେ ଧାଇଁଲେ । କିନ୍ତୁ ଶ୍ରୀରାମ ସେମାନଙ୍କୁ ବୁଝାଇସୁଝାଇ ଶାନ୍ତ କରିବାକୁ ଚେଷ୍ଟା କଲେ ଓ ଅବଶେଷରେ କୌଶଳ ସହକାରେ ସେମାନଙ୍କଠାରୁ ଅନ୍ତର ହୋଇ ଗଙ୍ଗାନଦୀ ତୀରକୁ ଯାତ୍ରା କଲେ ।
ସୀତାଦେବୀ ଓ ଲକ୍ଷ୍ମଣଙ୍କୁ ସଙ୍ଗରେ ନେଇ ଶ୍ରୀରାମ ଶୃଙ୍ଗବେରପୁରରେ ପହଞ୍ଚିଲେ । ଶୃଙ୍ଗବେରପୁର ହେଉଛି ଶ୍ରୀରାମଙ୍କ ମିତ୍ର ଶବରପତି ଗୁହଶବରର ରାଜ୍ୟ । ଶ୍ରୀରାମଙ୍କୁ ପାଖରେ ପାଇ ଗୁହଶବର ପରମଆନନ୍ଦରେ ସେମାନଙ୍କର ସତ୍କାର କଲା ଓ ନୌକା ବ୍ଯବସ୍ଥା କରି ସେମାନଙ୍କୁ ଗଙ୍ଗାନଦୀ ପାର କରିଦେଲା । ଶ୍ରୀରାମ , ସୀତାଦେବୀ ଓ ଲକ୍ଷ୍ମଣ ବନ ଅଭ୍ଯନ୍ତରକୁ ଗମନ କରି ସେଠାରେ ଥିବା ଭରଦ୍ବାଜମୁନିଙ୍କ ଆଶ୍ରମରେ ଉପସ୍ଥିତ ହେଲେ । ଭରଦ୍ବାଜମୁନିଙ୍କୁ ଯଥାବିହିତ ସମ୍ମାନ ଦେଇ ସେମାନେ ଚିତ୍ରକୂଟ ଗିରିକି ଯାତ୍ରା କଲେ । ସେଠାରେ ଲକ୍ଷ୍ମଣ କୁଟୀର ନିର୍ମାଣ କରିଦିଅନ୍ତେ ଶ୍ରୀରାମ ,ସୀତାଦେବୀ ଓ ଲକ୍ଷ୍ମଣ ସେହିଠାରେ ଅବସ୍ଥାନ କଲେ । ଏଣେ ଅଯୋଧ୍ୟାରେ ପୁତ୍ର ବିଚ୍ଛେଦଜନିତ ଦୁଃଖରେ ଦଶରଥଙ୍କ ଦେହରୁ ପ୍ରାଣ ଛାଡିଗଲା । ଦଶରଥଙ୍କ କୁଳପୁରୋହିତ ମହର୍ଷି ଓ ପ୍ରଧାନମନ୍ତ୍ରୀ ସୁମନ୍ତ ପ୍ରମୁଖ ଏକତ୍ର ବିଚାର କରି କେକୟ ଦେଶରେ ମାମୁଁଘରେ ଥିବା ଭରତଙ୍କୁ ଅଯୋଧ୍ୟାକୁ ଅଣାଇଲେ ଓ ପିତୃସତ୍ଯ ଅନୁସାରେ ତାଙ୍କୁ ଅଯୋଧ୍ୟାର ରାଜାହେବା ପାଇଁ କହିଲେ । କିନ୍ତୁ ପରମଭାତୃଭକ୍ତ ଭରତ ଅଯୋଧ୍ୟାର ରାଜା ହେବାପାଇଁ ଦୃଢ଼ଭାବରେ ମନାକରିଦେଲେ ଓ ଶ୍ରୀରାମଙ୍କୁ ବନରୁ ଫେରାଇଆଣି ଅଯୋଧ୍ୟା ସିଂହାସନରେ ବସାଇବା ପାଇଁ ସେ ଚିତ୍ରକୂଟକୁ ଯାତ୍ରା କଲେ । ଶ୍ରୀରାମଙ୍କୁ ସାଷ୍ଟାଙ୍ଗ ପ୍ରଣାମ କରି ଭରତ ଶ୍ରୀରାମଙ୍କୁ ଅଯୋଧ୍ୟା ଫେରିଯିବା ପାଇଁ ଓ ଅଯୋଧ୍ୟାର ରାଜା ହେବାପାଇଁ ଅନୁରୋଧ କଲେ । କିନ୍ତୁ ପିତୃସତ୍ଯ ପାଳନ ସକାଶେ ଚଉଦ ବର୍ଷ ପାଇଁ ବନବାସ କରିବେ ବୋଲି ଶ୍ରୀରାମ ଦୃଢଇଛା ପ୍ରକାଶ କଲେ । ଅବଶେଷରେ ଶ୍ରୀରାମଙ୍କ ପାଦୁକା ନେଇ ଭରତ ଅଯୋଧ୍ୟାକୁ ଫେରିଲେ । କିନ୍ତୁ ରାଜଧାନୀ ଅଯୋଧ୍ୟାରେ ନରହି ନନ୍ଦୀଗ୍ରାମଠାରେ ଏକ ସିଂହାସନ ସ୍ଥାପନ କରି ସେହି ସିଂହାସନରେ ଶ୍ରୀରାମଙ୍କ ପାଦୁକା ରଖି ଶ୍ରୀରାମଙ୍କ ପକ୍ଷରୁ ଅଯୋଧ୍ୟା ଶାସନ କଲେ ଓ ଶ୍ରୀରାମ ବନବାସରୁ ଫେରିବା ପର୍ଯ୍ୟନ୍ତ ଭରତ ଋଷିବେଶରେ ରହି,ଫଳମୂଳ ମାତ୍ର ଆହାର କରି ଦିନ କାଟିବାରେ ଲାଗିଲେ ।
ଏଣେ ଶ୍ରୀରାମ ଚିତ୍ରକୂଟ ଗିରି ପରିତ୍ଯାଗ କରି ସୀତାଦେବୀ ଓ ଲକ୍ଷ୍ମଣଙ୍କୁ ସଙ୍ଗରେ ନେଇ ଦଣ୍ଡକାରଣ୍ଯରେ ପ୍ରବେଶ କଲେ । ଏଠାରେ ଶ୍ରୀରାମ ବିରାଧ ରାକ୍ଷାସକୁ ବଧ କଲେ । ବନଭୂମିରେ ଗତିକରି ଶ୍ରୀରାମ ଶରଭଙ୍ଗମୁନିଙ୍କୁ ଓ ମୁନି ସୁତୀକ୍ଷ୍ଣଙ୍କୁ ସେମାନଙ୍କ ନିଜନିଜ ଆଶ୍ରମରେ ସାକ୍ଷାତ କଲେ । ଏହାପରେ ଶ୍ରୀରାମ ଅଗସ୍ତ୍ଯମୁନିଙ୍କ ଆଶ୍ରମରେ ଉପସ୍ଥିତ ହେଲେ । କୁମ୍ଭଯୋନି ମହର୍ଷି ଅଗସ୍ତ୍ଯ ଶ୍ରୀରାମଙ୍କୁ ଦିବ୍ଯ ଧନୁ ଓ ଅକ୍ଷୟ ତୂଣୀର ସମର୍ପଣ କଲେ । ମହର୍ଷି ଅଗସ୍ତ୍ଯଙ୍କୁ ଯଥାବିହିତ ସମ୍ମାନ ଦେଇ ଶ୍ରୀରାମ ଦଣ୍ଡକାରଣ୍ଯର ଅଭ୍ଯନ୍ତରକୁ ଗମନ କଲେ । ଦଣ୍ଡକାରଣ୍ଯରେ ଥିବା ସମସ୍ତ ଋଷି ଶ୍ରୀରାମଙ୍କୁ ପ୍ରାର୍ଥନା କଲେ ରାକ୍ଷାସମାନଙ୍କୁ ମାରି ସେମାନଙ୍କ ଯାଗଯଜ୍ଞ ରକ୍ଷା କରିବା ପାଇଁ । ଋଷିମାନଙ୍କ ଉପରେ ରାକ୍ଷାସମାନଙ୍କର ଅତ୍ଯାଚାର କଥା ଶୁଣି ରାକ୍ଷାସମାନଙ୍କୁ ବଧ କରିବା ପାଇଁ ଶ୍ରୀରାମ ସେଠାରେ ସେହି ଋଷିମାନଙ୍କ ସମ୍ମୁଖରେ ପ୍ରତିଜ୍ଞା କଲେ । ଏହାପରେ ଶ୍ରୀରାମ ସେଠାରେ କିଛିକାଳ କଟାଇ ସେଠାରୁ ପଞ୍ଚବଟୀବନକୁ ଯାତ୍ରା କଲେ । ସଙ୍ଗରେ ଗଲେ ସୀତାଦେବୀ ଓ ଲକ୍ଷ୍ମଣ ।

*ସଂଗ୍ରହକାରୀ--ନରେନ୍ଦ୍ର ପ୍ରସାଦ ବେହେରା, ଆଳଦା, ଖଇରା,ବାଲେଶ୍ଵର, ମୋ--୯୮୫୩୧୪୨୫୧୦*


ରଚନା : ନରେନ୍ଦ୍ର ପ୍ରସାଦ ବେହେରା

ଠିକଣା : ଆଳଦା, ଖଇରା,ବାଲେଶ୍ଵର ଦୂରଭାଷ : ୯୮୫୩୧୪୨୫୧୦


Post a Comment

0 Comments