Ad

header ads

ପୁରାଣ କଥା - ସୂର୍ପଣଖାର ନାକ କାନ କାଟିବାକୁ ଶ୍ରୀରାମଙ୍କ ନିର୍ଦ୍ଦେଶ ଏବଂ କବନ୍ଧଦୈତ୍ୟର ଉପଦେଶ - ନରେନ୍ଦ୍ର ପ୍ରସାଦ ବେହେରା

*ରାମାୟଣରୁ କିଛି.......୭୧*

*ସୂର୍ପଣଖାର ନାକ କାନ କାଟିବାକୁ ଶ୍ରୀରାମ ଲକ୍ଷ୍ମଣଙ୍କୁ କାହିଁକି ନିର୍ଦ୍ଦେଶ ଦେଲେ ଏବଂ କବନ୍ଧଦୈତ୍ଯ ଶ୍ରୀରାମଙ୍କୁ କି ଉପଦେଶ ଦେଲା*

ପଞ୍ଚବଟିରେ ଲକ୍ଷ୍ମଣ ସୁନ୍ଦର କୁଟୀର ନିର୍ମାଣ କରିଦେଲେ । ସେହି କୁଟୀରରେ ବାସ କଲେ ଶ୍ରୀରାମ, ସୀତାଦେବୀ ଓ ଅଳ୍ପ କିଛି ଦୂରରେ ଲକ୍ଷ୍ମଣ । ଲଙ୍କପତି ରାକ୍ଷାସରାଜା ଦୁର୍ଦ୍ଦାନ୍ତ ରାବଣର ବିଧବା ଭଉଣୀ ସୂର୍ପଣଖା ତା' ପାଇଁ ରାଵଣର ସୁବ୍ଯବସ୍ଥା ଅନୁସାରେ ଦଣ୍ଡକାରଣ୍ଯର ଏକ ଅଂଶରେ ବାସ କରୁଥିଲା । ସୂର୍ପଣଖାକୁ ନିରାପଦରେ ରଖିବା ପାଇଁ ରାବଣର ନିର୍ଦ୍ଦେଶରେ ସେଠାରେ ବଳିଷ୍ଠ ସେନାପତି ତ୍ରୟ ଖର,ଦୂଷଣ ଓ ତ୍ରିଶରା ଏବଂ ସେ ତିନିଙ୍କ ଅଧିନରେ ଚଉଦ ହଜାର ବଳିଷ୍ଠ ରାକ୍ଷାସବୀର ବାସ କରୁଥିଲେ । ଏକଦା ସୂର୍ପଣଖା ବୁଲୁବୁଲୁ ପଞ୍ଚବଟୀରେ ଆସି ପହଞ୍ଚିଗଲା ଓ ଶ୍ରୀରାମଙ୍କ ରୂପରେ ମୋହିତା ହୋଇ ଶ୍ରୀରାମଙ୍କୁ ଅନୁରୋଧ କଲା ତା'ର ଜୀବନସାଥୀ ହେବାପାଇଁ । ତା'ର ରତିଭିକ୍ଷା ଦେଖି ଶ୍ରୀରାମ ତାକୁ ନାସ୍ତିବାଣୀ ଶୁଣାଇଦେଲେ । ସୀତାଦେବୀଙ୍କୁ ଦେଖି ସୂର୍ପଣଖା ତାଙ୍କୁ ତା ' ପଥରେ କଣ୍ଟକ ଵୋଲି ମନେ କଲା । ରାକ୍ଷସୀ ସୂର୍ପଣଖା ସୀତାଦେବୀଙ୍କୁ ଗିଳିଦେବାକୁ ବାହାରିବାରୁ ଶ୍ରୀରାମଙ୍କ ନିର୍ଦ୍ଦେଶରେ ଲକ୍ଷ୍ମଣ ସୂର୍ପଣଖାର ନାକ କାନ କାଟି ଛାଡିଦେଲେ । ନାକ କାନ ହରାଇ ରକ୍ତ ବଲବଲ ହୋଇ ସୂର୍ପଣଖା ତା' ସେନାପତିମାନଙ୍କ ପାଖକୁ ଧାଇଁଗଲା । ସୂର୍ପଣଖାଠାରୁ ସମସ୍ତ ବିଷୟ ଶୁଣି ଶ୍ରୀରାମ ଓ ଲକ୍ଷ୍ମଣଙ୍କୁ ବଧ କରିବା ପାଇଁ ସେନାପତି ଖର ସେଠାରେ ଥିବା ଚଉଦ ହଜାର ଦୈତ୍ଯବୀରଙ୍କୁ ଶ୍ରୀରାମଙ୍କ ବିରୋଧରେ ପଠାଇଲା । ଶ୍ରୀରାମ ଏକାକୀ ଯୁଦ୍ଧକରି ସେହି ଚଉଦ ହଜାର ବଳିଷ୍ଠ ଦୈତ୍ଯବୀରଙ୍କୁ କ୍ଷଣକ ମଧ୍ଯରେ ମାରିପକେଇଲେ । ସମ୍ବାଦ ପାଇ ଖର,ଦୂଷଣ ଓ ତ୍ରିଶରା ଧାଇଁଆସିଲେ ଶ୍ରୀରାମଙ୍କ ସହିତ ଯୁଦ୍ଧ କରିବା ପାଇଁ । ଯୁଦ୍ଧରେ ସେମାନେ ସମସ୍ତେ ଜଣକ ପରେ ଜଣେ ଶ୍ରୀରାମଙ୍କ ଶରରେ ନିହତ ହେଲେ ।
ସୂର୍ପଣଖା ସଙ୍ଗେ ସଙ୍ଗେ ଦଣ୍ଡକାରଣ୍ଯରୁ ପଳେଇଯାଇ ଲଙ୍କାରେ ପହଞ୍ଚିଲା ଓ ରାବଣକୁ ଏହି ଦୁଃସମ୍ବାଦ ଦେଲା । ରାମପତ୍ନୀ ସୀତାଙ୍କର ଅତୁଳନୀୟ ସୌନ୍ଦର୍ଯ୍ୟ ବିଷୟରେ ରାବଣର କର୍ଣ୍ଣଗୋଚର କଲା । ସଙ୍ଗେ ସଙ୍ଗେ ରାବଣ ରଥରେ ବସି ସମୁଦ୍ରତୀରରେ ବାସକରି ରହିଥିବା ମାରୀଚ ନାମକ ରାକ୍ଷାସ ପାଖକୁ ଧାଇଁଲା । ରାବଣର ଚାପରେ ମାରୀଚ କେବଳ ତାକୁ ଜଣାଥିବା ଅସୁରୀମାୟା ବଳରେ ସ୍ବର୍ଣ୍ଣମୃଗଟିଏ ହୋଇ ସୀତାଦେବୀଙ୍କ କୁଟୀର ନିକଟରେ ଡେଇଁବୁଲିଲା । ସେହି ସ୍ବର୍ଣ୍ଣମୃଗଟି ପାଇବା ପାଇଁ ସୀତାଦେବୀଙ୍କର ଏକାନ୍ତ ଅନୁରୋଧକୁ ଏଡାଇ ନପାରି ଶ୍ରୀରାମ କୁଟୀର ଦ୍ବାରରେ ଲକ୍ଷ୍ମଣଙ୍କୁ ଜଗାଇଦେଇ ନିଜେ ଧନୁଶର ଧରି ସେହି ମାୟାମୃଗ ପଛରେ ଧାଇଁଲେ । ବହୁଦୂର ଧାଇଁଧାଇଁ ମୃଗଟାକୁ ଜୀବନ୍ତ ଅବସ୍ଥାରେ ଧରିବାର ଆଶା ନଦେଖି ଶ୍ରୀରାମ ତା' ପ୍ରତି ଶର ପେଷିଲେ । ଶରାଘାତରେ ମାରୀଚ ଛଦ୍ମ ମାୟାମୃଗ ରୂପ ପରିତ୍ୟାଗ କରି ନିଜର ପ୍ରକୃତ ରୂପ ଧରି ପ୍ରାଣତ୍ଯାଗ କଲା । ମଲାବେଳେ ସେ ଶ୍ରୀରାମଙ୍କ କଣ୍ଠସ୍ବର ଅନୁକରଣ କରି ହା ସୀତା,ହା ଲକ୍ଷ୍ମଣ ବୋଲି ଡାକ ଛାଡିଲା । ଲକ୍ଷ୍ମଣ ଜାଣିଥିଲେ ଯେ ଶ୍ରୀରାମଙ୍କୁ ବଧ କରିବା ପାଇଁ କାହାରି ଶକ୍ତି ନାହିଁ ଓ ଏହି ଯେଉଁ ଆର୍ତ୍ତନାଦ ଶୁଣାଗଲା ତାହା ଆଉ କାହାର ଉଦ୍ଦେଶ୍ୟମୂଳକ ଛଦ୍ମସ୍ବର । କିନ୍ତୁ ଲକ୍ଷ୍ମଣଙ୍କ କଥାକୁ ସୀତାଦେବୀ ବିଶ୍ଵାସ କଲେ ନାହିଁ । ସୀତାଦେବୀଙ୍କ କଟୁ ବାକ୍ଯରେ ବ୍ଯଥିତ ହୋଇ ଲକ୍ଷ୍ମଣ କୁଟୀର ଛାଡି ଶ୍ରୀରାମଙ୍କ ପାଖକୁ ଧାଇଁଲେ । ନିକଟସ୍ଥ ବନ ମଧ୍ଯରେ ଲୁଚି ବସିଥିବା ରାବଣ ଏହି ସୁଯୋଗରେ ଯତି ବେଶରେ ଆସି ସୀତାଦେବୀଙ୍କୁ ବଳପ୍ରୟୋଗ କରି ରଥରେ ବସେଇ ଲଙ୍କା ଅଭିମୁଖେ ଗତି କରିବାକୁ ଲାଗିଲା । ପଥ ମଧ୍ଯରେ ଜଟାୟୁପକ୍ଷୀ ସୀତାଦେବୀଙ୍କୁ ଉଦ୍ଧାର କରିବା ପାଇଁ ରାବଣକୁ ଆକ୍ରମଣ କରିବାକୁ ଯାଇ ରାବଣ ହାତରେ ଗୁରୁତର ଭାବରେ ଆହତ ହୋଇ ମୃତ୍ୟୁକୁ ଅପେକ୍ଷା କରି ପଡିରହିଲା । ସୀତାଙ୍କୁ ରଥରେ ରଖି ରାବଣ ଲଙ୍କା ଅଭିମୁଖରେ ଗମନ କଲା ।
କୁଟୀରରେ ସୀତାଙ୍କୁ ନଦେଖି ଶ୍ରୀରାମ ଓ ଲକ୍ଷ୍ମଣ ସୀତାଙ୍କୁ ଖୋଜି ଖୋଜିକା ଆସୁ ଆସୁ ପଥ ମଧ୍ଯରେ ଆହତ ଜଟାୟୁକୁ ଭେଟିଲେ । ସୀତାଦେବୀଙ୍କୁ ରାବଣ ବଳପୂର୍ବକ ରଥରେ ବସାଇ ନେଇଯାଉଥିବା ସମ୍ବାଦ ଶ୍ରୀରାମଙ୍କୁ ଜଣାଇ ଜଟାୟୁ ସଙ୍ଗେ ସଙ୍ଗେ ମରିଗଲା । ଶ୍ରୀରାମ ଓ ଲକ୍ଷ୍ମଣ ସ୍ବହସ୍ତରେ ଜଟାୟୁର ଶବକୁ ନେଇ ଯଥାବିଧିରେ ଦାହ କଲେ । ପଥ ମଧ୍ଯରେ କବନ୍ଧଦୈତ୍ଯ ଶ୍ରୀରାମଙ୍କ ହାତରେ ମରି ମୁକ୍ତିପାଇ ସ୍ବର୍ଗକୁ ଗଲାବେଳେ ଆକାଶମାର୍ଗରୁ ଶ୍ରୀରାମଙ୍କୁ କହିଲା ଯେ ରାବଣ ସୀତାଙ୍କୁ ନେଇ ଲଙ୍କାରେ ଅଶୋକ ବନରେ ବନ୍ଦିନୀ କରି ରଖିଛି । ଋଷ୍ଯମୂକ ପର୍ବତକୁ ଯାଇ ସେଠାରେ ଥିବା ସୁଗ୍ରୀବ ସହିତ ମିତ୍ର ବସିବା ପାଇଁ କବନ୍ଧ ଉପଦେଶ ଦେଲା ।
କ୍ରମଶଃ.......

*ସଂଗ୍ରହକାରୀ--ନରେନ୍ଦ୍ର ପ୍ରସାଦ ବେହେରା, ଆଳଦା, ଖଇରା,ବାଲେଶ୍ଵର, ମୋ--୯୮୫୩୧୪୨୫୧୦*ସୂର୍ପ


ରଚନା : ନରେନ୍ଦ୍ର ପ୍ରସାଦ ବେହେରା

ଠିକଣା : ଆଳଦା, ଖଇରା,ବାଲେଶ୍ଵର ଦୂରଭାଷ : ୯୮୫୩୧୪୨୫୧୦


Post a Comment

0 Comments